ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଶିମିଳିପାଳ ବୁକୁରେ କୁଳୁକୁଳୁ ନାଦକରି ବହିଯାଉଛି ଅନେକ ପାହାଡ଼ୀ ଝରଣା। ପୁଣି ପର୍ବତମାଳା ଛାତିଚିରି ଗୁରୁଗମ୍ଭୀର ଗର୍ଜନ କରୁଛି ବରେହିପାଣି ଓ ଜୋରନ୍ଦା ଭଳି ସୁଉଚ୍ଚ ଜଳପ୍ରପାତ। ପାହାଡ଼, ପ୍ରପାତ ଓ ଅରଣ୍ୟ ପରିବେଷ୍ଟିତ ଶିମିଳିପାଳର ବହୁବିଧ ପ୍ରାକୃତିକ ଶୋଭା ବର୍ଷ ତମାମ ପର୍ଯ୍ୟଟକଙ୍କୁ ନିଜ କୋଳକୁ ଡାକି ଆଣିଥାଏ। ପ୍ରାକୃତିକ ‌ବୈଭବରେ ଭରପୂର ମୟୂରଭଞ୍ଜ ଜିଲ୍ଲାର ଏହି ଜଣାଶୁଣା ଦର୍ଶନୀୟସ୍ଥଳୀଗୁଡ଼ିକ ଶୀତଋତୁରେ ବଣଭୋଜି ଓ ମଜାମଉଜ କରିବା ଲାଗି ପ୍ରକୃଷ୍ଟ ସ୍ଥାନ।

Advertisment

Monkey Sound: ମାଙ୍କଡଙ୍କ ଭଳି ଶବ୍ଦ କରିପାରିବେ କି? ମିଳିବ ଚାକିରି!

ଲୁଲୁଙ୍ଗ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଲପାଲା ନଦୀକୂଳରେ ଥିବା ଲୁଲୁଙ୍ଗ ଜଳପ୍ରପାତ ବୁଲାବୁଲି ଭୋଜିଭାତ ଲାଗି ଏକ ସୁନ୍ଦର ସ୍ଥାନ। ବାରିପଦା ସହରରୁ ୨୫ କିଲୋମିଟର୍‌ ଦୂରରେ ରହିଛି ଲୁଲୁଙ୍ଗ। ଶିମିଳିପାଳ ଜୈବମଣ୍ଡଳ ସଂରକ୍ଷଣର ଅଂଶ ଲୁଲୁଙ୍ଗର ବିସ୍ତୀର୍ଣ୍ଣ ସବୁଜିମା, ପ୍ରପାତର ସ୍ବଚ୍ଛ ଜଳରାଶି ଓ ଜୈବ ବିବିଧତା ଦେଖଣାହାରୀଙ୍କୁ ମୁଗ୍ଧକରେ। ପରିବାର ଓ ସାଙ୍ଗସାଥୀଙ୍କ ସହ ବୁଲାବୁଲି ଓ ଭୋଜିଭାତ କରିବା ପାଇଁ ଏହା ନିଶ୍ଚିତ ଭାବେ ପ୍ରକୃଷ୍ଟ ସ୍ଥାନ। ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଏଠାରେ ରାତିରେ ମଧ୍ୟ ରହିଥାନ୍ତି। ଲୁଲୁଙ୍ଗ ଠାରୁ ସାଢ଼େତିନି କିଲୋମିଟର ଦୂରରେ ରହିଛି ସୀତାକୁଣ୍ଡ ଜଳପ୍ରପାତ। ହାତରେ ସମୟ ଥିଲେ ସେଠାକୁ ମଧ୍ୟ ବୁଲି ଯାଇପାରିବେ। 

ବରେହିପାଣି: ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ଏବଂ ଭାରତର ଦ୍ୱିତୀୟ ସର୍ବୋଚ୍ଚ ଜଳପ୍ରପାତ ବରେହିପାଣି ମଧ୍ୟ ଶିମିଳିପାଳରେ ଅବସ୍ଥିତ। ଏହି ଦୁଇସ୍ତରୀୟ ଜଳପ୍ରପାତର ଦୂରତା ବାରିପଦା ସହରରୁ ପ୍ରାୟ ୬୭ କିଲୋମିଟର୍‌। ପୂର୍ବଘାଟ ପର୍ବତମାଳାର ମେଘାସନୀ ପର୍ବତ ଉପରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ହିଁ ଏହି ପ୍ରପାତର ଉତ୍ସ। ବରେହିପାଣିରେ ପ୍ରାୟ ୪୦୦ ମିଟର୍‌ରୁ ଅଧିକ ଉଚ୍ଚ ପାହାଡ଼ରୁ ପାଣି ତଳକୁ ପଡ଼ିବାର ଦୃଶ୍ୟ ଅତୀବ ମନୋରମ। ଏହା ଦେଶର ଅନ୍ୟତମ ଉଚ୍ଚ ଜଳପ୍ରପାତ ହୋଇଥିବାରୁ ରାଜ୍ୟ ବାହାରୁ ମଧ୍ୟ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ଭୋଜିଭାତ କରିବା ଲାଗି ଏହା ଉତ୍କୃଷ୍ଟ ସ୍ଥାନ ଏବଂ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ।

fhfshhfsvxbvb

ଜୋରନ୍ଦା: ଶିମିଳିପାଳର ଅଭ୍ୟନ୍ତରରେ ରହିଛି ଜୋରନ୍ଦା ଜଳପ୍ରପାତ। ଏହା ବାରିପଦାଠାରୁ ପ୍ରାୟ ୬୦ କିଲୋମିଟର୍‌। ଏଠାରେ ୧୫୦ ମିଟର୍‌ରୁ ଅଧିକ ଉଚ୍ଚ ପାହାଡ଼ରୁ ତଳକୁ ପଡୁଥିବା ଜଳରାଶିର ଦୃଶ୍ୟ ଖୁବ୍‌ ଉପଭୋଗ୍ୟ। ବରେହିପାଣି ଓ ଜୋରନ୍ଦା ମଧ୍ୟରେ ଦୂରତା କମ୍‌। ତେଣୁ ପର୍ଯ୍ୟଟକ ଶିମିଳିପାଳ ଆସିଲେ ଦୁଇଟିଯାକ ପ୍ରପାତ ଦେଖିଥାଆନ୍ତି। ପ୍ରାକୃତିକ ପରିବେଶରେ ଚଢ଼େଇମାନଙ୍କର କିଚିରିମିଚିରି ରାବ ସହ ଜଳପ୍ରପାତର ଝରଝର ଶବ୍ଦ ପର୍ଯ୍ୟଟକଙ୍କ ମନ କିଣିନିଏ। 

ଦେବକୁଣ୍ଡ: ବାରିପଦାଠାରୁ ପ୍ରାୟ ୬୦ କି.ମି. ଦୂର‌େର ଅବସ୍ଥିତ ଦେବକୁଣ୍ଡ ଜଳପ୍ରପାତ। ଦେବକୁଣ୍ଡ ସଂପର୍କରେ ଅନେକ କାହାଣୀ ରହିଛି। କୁହାଯାଏ, ମର୍ତ୍ତ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଦେବକୁଣ୍ଡକୁ ଦେବାଦେବୀମାନେ ଓହ୍ଲାଇ ଆସନ୍ତି। ଦେବକୁଣ୍ଡ ନିକଟରେ ମହାଭାରତ ଯୁଗର ଶମୀ ବୃକ୍ଷ ବି ରହିଛି ବୋଲି ଜନଶ୍ରୁତି ରହିଛି। ଅଜ୍ଞାତବାସ ସମୟରେ ଏହି ବୃକ୍ଷରେ ପଞ୍ଚୁପାଣ୍ଡବ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ପ୍ରାୟ ୩୦୦ ଫୁଟ୍‌ ଉଚ୍ଚ ଓ ୮୦ ଫୁଟ୍‌ ପ୍ରସ୍ଥର ନଭଶ୍ଚୁମ୍ବୀ ଶିଳାଖଣ୍ଡକୁ ଶମୀ ବୃକ୍ଷ ବୋଲି କୁହାଯାଏ। ପ୍ରପାତଟି ଛୋଟ ହେଲେ ହେଁ ଆକର୍ଷଣୀୟ। ଶୀତଋତୁରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। 

ଯିବେ କେମିତି
ଶିମିଳିପାଳକୁ ଦୁଇଟି ଗେଟ୍‌ ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଛି। ପ୍ରଥମଟି ବାରିପଦା ସହରଠାରୁ ୧୫ କିଲୋମିଟର୍‌ ଦୂରରେ ଥିବା ପିଠାବଟା ଓ ଅନ୍ୟଟି ଯଶୀପୁର ଠାରେ ଥିବା କାଳିଆଣି ଗେଟ୍‌। ପ୍ରତ୍ୟେକ ଦିନ ଶିମିଳିପାଳ ଅଭୟାରଣ୍ୟକୁ ସକାଳ ୬ଟାରୁ ୯ଟା ମଧ୍ୟରେ ପହଞ୍ଚିଥିବା ପର୍ଯ୍ୟଟକଙ୍କ ଗାଡ଼ି ମଧ୍ୟରୁ ପିଠାବଟା ଗେଟ୍‌ ଦେଇ ସର୍ବାଧିକ ୨୫ଟି ଚାରିଚକିଆ ଯାନ ଓ ଯଶୀପୁରର କାଳିଆଣି ଗେଟ୍‌ ଦେଇ ସର୍ବାଧିକ ୩୫ଟି ଯାନ ପ୍ରବେଶ କରିବା ନିୟମ ରହିଛି। ପାହାଡ଼ିଆ ରାସ୍ତା ହେତୁ କାର୍‌ ପ୍ରବେଶ ନିଷେଧ ରହିଛି। ବୋଲେରୋ, ଟଭେରା, ସ୍କୋର୍ପିଓ ଓ ଇନୋଭା ଭଳି ଏସ୍‌ୟୁଭି ପାଇଁ ଅନୁମତି ରହିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିଜସ୍ବ ଗାଡ଼ି ମଧ୍ୟ ଉପଲବ୍ଧ। ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେଲେଖାଏଁ ଗାଇଡ୍‌ ନେବା ବାଧ୍ୟତାମୂଳକ । ଯଦି କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହୁଏ, ତେବେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪୦୦୦ ଟଙ୍କା ଜମା ଦେବା ନିୟମ ରହିଛି। 

IKKISH: ହିଟ ହେବା ପାଇଁ 'ଇକୀସ'କୁ ଏତିକି ଟଙ୍କା ଆୟ କରିବାକୁ ପଡିବ

ଯେଉଁମାନେ ଲୁଲୁଙ୍ଗ, ବରେହିପାଣି ଓ ଜୋରନ୍ଦାରେ ବଣଭୋଜି କରିବାକୁ ଚାହାନ୍ତି, ସେମାନଙ୍କୁ ଏଥିଲାଗି ଅନୁମତି ନେବାକୁ ପଡ଼ିବ। ତେବେ ଏହି ତିନିଟି ଜଳପ୍ରପାତ ଶିମିଳିପାଳ ଅଭ୍ୟନ୍ତରରେ ଥିବାରୁ ଏଠାରେ ରୋଷେଇବାସ କରିବା ପାଇଁ ଅନୁମତି ନାହିଁ। ତେଣୁ ପର୍ଯ୍ୟଟକ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସଙ୍ଗରେ ନେବା ଜରୁରି। ମାତ୍ର ଦେବକୁଣ୍ଡରେ ରୋଷେଇବାସ କରିବାରେ କୌଣସି ଅସୁବିଧା ନାହିଁ। ପର୍ଯ୍ୟଟକ ପ୍ରବେଶ ସମୟରେ ଭୋଜନ ପାଇଁ ଅଗ୍ରୀମ ବୁକିଙ୍ଗ୍‌କଲେ ବରେହିପାଣିଠାରେ ଖାଇବା ମିଳିପାରିବ।