ଜଟଣୀ: ଜଟଣୀ ଥାନା ଓ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ବେଆଇନ୍ ଲଘୁ ଖଣିଜ ଖୋଳା ଓ ଚୋରାଚାଲାଣ କମିବାର ନାଁ ଧରୁନି। ସ୍ଥାନୀୟ ଅଞ୍ଚଳର କିଛି ଖଣି ମାଫିଆ ବେଆଇନ ଭାବେ ଖଣି ଖୋଳି  ଲଘୁ ଖଣିଜ ସମ୍ପଦ ଚାଲାଣ କରୁଛନ୍ତି। ଖଣି ଖୋଳା ଓ ଚୋରାଚାଲାଣକୁ ନେଇ ଅଞ୍ଚଳରେ ଅନେକ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଛି। ଅସାମାଜିକ ବ୍ୟକ୍ତିମାନେ ନିଜ ନିଜର ପ୍ରଭାବ ଦେଖାଇ ଏହି ସବୁ କାର୍ଯ୍ୟ କରୁଛନ୍ତି। ବେଆଇନ୍ ଖଣି ଉଠାଣ ବେଳେ ଆୟ ହେଉଥିବା ଟଙ୍କା ଭାଗବଣ୍ଟାକୁ ନେଇ ଅନେକ ସମୟରେ ଏମାନଙ୍କ ମଧ୍ୟରେ ବିବାଦ ଦେଖାଦେଉଛି। ଏହା ଦିନକୁ ଦିନ ଉଗ୍ର ରୂପ ନେଉଛି। ପରେ ଅପରାଧୀମାନେ ଧମକ, ଆକ୍ରମଣ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉ ନାହାନ୍ତି। ଏହା ସତ୍ତ୍ବେ ଅଧିକାରୀମାନେ ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି। ଫଳରେ ଅପରାଧ କମିବା ପରିବର୍ତ୍ତେ ବଢ଼ୁଛି ବୋଲି ଅଭିଯୋଗ ହୋଇଛି।  ବେଆଇନ ଖଣି ଲୁଟ୍ ପାଇଁ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ଏହା ସହିତ ମାଫିଆମାନେ ମାଲେମାଲ୍ ହେଉଛନ୍ତି।  ବେଆଇନ ଖଣି ଖୋଳା ଓ ଚାଲାଣକୁ ନେଇ ଗତ ୩ ବର୍ଷ ମଧ୍ୟରେ ୧୫ରୁ ଅଧିକ ଅପରାଧିକ ଘଟଣା ଘଟିଛି।  ୨୦୨୩ ଫେବ୍ରୁଆରି ୧୧ତାରିଖ ରାତିରେ ପାଣିଓରାରେ ବେଆଇନ ଖଣି ଖୋଳା ଚାଲିଥିଲା।

Advertisment

Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା

ଏହି ସମୟରେ ମୋରମ୍ ଉଠାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ପିଟା ପିଟି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି ଏପ୍ରିଲ ୧୯ରେ ରଥିପୁର ମୌଜାରେ ମୋରମ୍ ଚାଲାଣ ବେଳେ ଗାଡ଼ି ଦୁର୍ଘଟଣାକୁ ନେଇ ଗ୍ରାମବାସୀ ଓ ଖଣି ମାଫିଆ ମୁହାଁମୁହିଁ ହୋଇଥିଲେ। ଅକ୍ଟୋବର ୧୬ତାରିଖରେ ତରାବୋଇସ୍ଥିତ କାଜୁବଗିଚାକୁ ଖୋଳି ମାଫିଆମାନେ ମୋରମ୍‌ ଚୋରା ଚାଲାଣ କରୁଥିଲେ। ସେହି ସମୟରେ ଗ୍ରାମର କିଛି ଯୁବକ ସେମାନଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ମାର୍‌ପିଟ୍ ହୋଇଥିଲା। ଏଥିରେ ଜଣେ ଆହତ ହୋଇଥିଲେ। ସେହିପରି ୨୦୨୪ ମାର୍ଚ୍ଚ ୨୨ତାରିଖରେ କନ୍ତିଆରେ ମାଙ୍କଡ଼ାପଥର ଖନନ ବେଳେ ଦାଦାବଟିକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ସେଠାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ଡିସେମ୍ବର ୧୮ତାରିଖରେ ରଥିପୁରରେ ପୁଣି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଆକ୍ରମଣରେ ଗୋଟିଏ ଗୋଷ୍ଠୀର ଜଣେ ଗୁରୁତର ହୋଇଥିଲେ।

ସେହିପରି ୨୦୨୫ ଏପ୍ରିଲ ୪ରେ ଖଣି ଖୋଳାରୁ ଦାଦାବଟିକୁ ନେଇ ମାନସ ଦଳେଇଙ୍କୁ ଦୁର୍ବୃତ୍ତମାନେ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ହତ୍ୟା କରି ରାସ୍ତାରେ ଫୋପାଡ଼ି ଦେଇଥିଲେ। ପୁଣି ସେପ୍ଟେମ୍ବର ୮ତାରିଖରେ କନ୍ତିଆ ରଥିପୁର ଅଞ୍ଚଳରେ ସରକାରୀ ଜାଗାକୁ କବ୍‌ଜା କରି ଜଣେ ବ୍ୟକ୍ତି ନିଜର ଆଧିପତ୍ୟ ବିସ୍ତାର କରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହିଭଳି ଖଣି ଖୋଳା ଓ ଲୁଟ୍ ନେଇ ପ୍ରତିଦିନ ଅନେକ ଅପରାଧିକ ଘଟଣା ଘଟୁଛି। ହେଲେ କିଛି ଘଟଣା ପ୍ରଘଟ ହେଉଥିବା ବେଳେ ଆଉ କିଛି ସମାଧାନ ହୋଇଯାଉଛି। ଅନ୍ୟପଟେ ଖଣି ମାଫିଆଙ୍କ ଭୟରେ ଅଞ୍ଚଳବାସୀ ମୁହଁ ଖୋଲି ପାରୁନଥିବା ବେଳେ ପ୍ରଶାସନର ଜାଣତରେ ଖଣି ଖୋଳା ଓ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ମାଫିଆମାନେ ଗ୍ରାମର କିଛି ବେକାର ଯୁବକଙ୍କୁ ହାତ କରି ଛକ ମୁଣ୍ଡରେ ଛିଡ଼ା କରୁଛନ୍ତି। ଯଦି ପ୍ରଶାସନର କୌଣସି ଗାଡ଼ି ଆସିଲା, ସଙ୍ଗେ ସଙ୍ଗେ ସେମାନେ ଖବର ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ଭଲ ଟଙ୍କା ମଧ୍ୟ ମାଫିଆମାନେ ଦେଉଥିବା ଜଣାପଡ଼ିଛି। ସେହିପରି ଅନେକ ସମୟରେ ମୋରମ ଚାଲାଣ ବେଳେ ପୁଲିସ ଭ୍ୟାନ୍ ଏସକର୍ଟ ସାଜୁଥିବା ଦେଖିବାକୁ ମିଳିଛି। ଲଘୁ ଖଣିଜ ସମ୍ପଦ ପ୍ରତିଦିନ ଲୁଟ୍ ହେଉଥିଲେ ବି ସବୁ ଜାଣି ପ୍ରଶାସନ ନିରବଦ୍ରଷ୍ଟା ସାଜିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

ଜଟଣୀ ତହସିଲ୍ ଅଞ୍ଚଳର ରଥିପୁର, ତିରିମଲ, ଗୋପୀନାଥପୁର, ନିରଞ୍ଜନପୁର, ବୁଢ଼ାପଡ଼ା, ପାଣିଓରା, ଅରଗୁଳ, କନ୍ତିଆ, କୁସୁମାଟି, ପିତାପଲି ଭଳି ଶତାଧିକ ସ୍ଥାନରେ ବେଧଡ଼କ ଭାବେ ଲଘୁ ଖଣିଜ ସମ୍ପଦ ଖୋଳା ଓ ଚାଲାଣ ଚାଲିଛି। ବଡ଼ କଥା ହେଉଛି ପୂର୍ବରୁ ପ୍ରଶାସନ ଯେଉଁସବୁ ସ୍ଥାନରେ ଚଢ଼ଉ କରି ଖଣି ଖୋଳା ବନ୍ଦ କରିଥିଲା, ସେଠାରେ ପୁଣି ପୂର୍ବଭଳି ବେଧଡ଼କ ଭାବେ ମାଙ୍କଡ଼ାପଥର ଓ ମୋରମ ଖୋଳା ଚାଲିଥିବା ଅଭିଯୋଗ ହୋଇଛି। ଯଦି ଏଥିପ୍ରତି ପୁଲିସ, ତହସିଲ୍ ସମେତ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ ନକରନ୍ତି, ତାହେଲେ ଆଗକୁ ମୁଣ୍ଡ ଗଡ଼ିବ ବୋଲି ଆଶଙ୍କା କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ୱାଳ କହିଛନ୍ତି ଯେ, ବିଭିନ୍ନ ଅଞ୍ଚଳରେ ଖଣି ଖୋଳା ହେଉଥିବା ନେଇ ଥାନାରେ ଅଭିଯୋଗ ହେଉଛି। ଟିମ୍ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି। ବେଆଇନ୍ ଖଣି ଖୋଳା ଓ ଚାଲାଣରେ ନିୟୋଜିତ ଗାଡ଼ି ଧରା ହୋଇ ମୋଟା ଅଙ୍କର ଚାଲାଣ କଟାଯାଉଛି। ଆଗକୁ ମଧ୍ୟ ଚଢ଼ଉ କରାଯିବ। ଅନ୍ୟପଟେ ଖଣି ଖୋଳାକୁ ନେଇ ଅପରାଧ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।