ଭୁବନେଶ୍ବର: ‘ଓଡ଼ିଆ ଅସ୍ମିତା ଏବଂ ମଧୁବାବୁ’ ବିଷୟବସ୍ତୁକୁ ନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ସମୟ’ର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି, ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ନବଜାଗରଣ ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ। ମଧୁବାବୁ ହେଉଛନ୍ତି ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସର ଅଗ୍ରଗଣ୍ୟ ଓ ଅନନ୍ୟ ବ୍ୟକ୍ତିତ୍ୱ। ବ୍ୟକ୍ତିଗତ ସଫଳତାକୁ ପ୍ରାଧାନ୍ୟ ନଦେଇ ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରିବାକୁ ସେ ସବୁବେଳେ ଚେଷ୍ଟା କରୁଥିଲେ। ଅତିଥି ବକ୍ତା ଭାବେ ଯୋଗଦେଇ  ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ପ୍ରହ୍ଲାଦ କୁମାର ସିଂହ ମଧୁବାବୁଙ୍କ ଓଡ଼ିଆ ଅସ୍ମିତାର ଯୁଗ ପୁରୁଷ ବୋଲି ବିବେଚିତ କରି କହିଛନ୍ତି ଯେ ମଧୁସୂଦନ ଦାସଙ୍କ ନୀତି ଆଦର୍ଶକୁ ଆଜିର ଦିନରେ ଆମେ କେତେ ଦୂର ପ୍ରତିଫଳିତ କରିପାରିଛେ, ତାହାର ଆତ୍ମଚିନ୍ତନର ଆବଶ୍ୟକତା ରହିଛି।

Advertisment

The message: ମାନବିକତାର ବାର୍ତ୍ତାଦେଲା ‘ରାଜାଙ୍କ ଭୂତ’

The final touches : ରାମୁ ଅସ୍ଥିରେ ଶେଷ ସ୍ପର୍ଶ, ଅନ୍ତିମ ପର୍ଯ୍ୟାୟରେ ଯୋଡ଼େଇ କାମ

 
ମଧୁବାବୁ ବହୁକ୍ଷେତ୍ରରେ ଥିଲେ ପ୍ରଥମ ଓଡ଼ିଆ। ଓଡ଼ିଶାର ପ୍ରଥମ ସ୍ନାତକ, ପ୍ରଥମ ଏମ୍‌.ଏ, ପ୍ରଥମ ଓକିଲ, ବିହାର ଓଡ଼ିଶା ଲେଜିସ୍‌ଲେଟିଭ୍‌ କାଉନ୍‌ସିଲର ପ୍ରଥମ ମନ୍ତ୍ରୀ ଭାବେ ସେ ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିଯାଇଛନ୍ତି ବୋଲି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ  ଭାରତୀ ପାଲ କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନୁହେଁ ଓଡ଼ିଆ ସ୍ୱାଭିମାନ ତଥା ଅସ୍ମିତାର ପ୍ରତିଷ୍ଠା ଓ ପରିଚିତି ନିମନ୍ତେ ମଧୁସୂଦନ ଦାସଙ୍କ ବହୁମୁଖୀ ଅବଦାନ ପ୍ରାତଃସ୍ମରଣୀୟ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଅନୁଶାସନ ସଚିବ ମୌସୁମୀ ଦାସ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ସହକାରୀ ବିତ୍ତ ପରାମର୍ଶଦାତା ପୃଥ୍ବୀରାଜ ପାଣି, ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ଦାଶ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ପ୍ରମୁଖ ‌ଯୋଗ ଦେଇଥିଲେ।