ଭୁବନେଶ୍ବର: ଉଦ୍ୟାନରେ ରଙ୍ଗିନ ଫୁଲର ପସରା ଥିବ। ରହିବ ଜଳ ଫୁଆରା ପୁଣି ଚକ୍ଷୁକୁ ଶୀତଳତା ପ୍ରଦାନ କରୁଥିବା ସବୁଜିମା। ତେବେ ଏତିକିରେ ସୀମିତ ରହିବନି ଉଦ୍ୟାନ। ତାହା ଭାରତୀୟ ସାମରିକ ଶକ୍ତିର ପ୍ରଦର୍ଶନ କରିବ। ଆମ ସେନାର ବୀରତ୍ବର ଗାଥା ବହନ କରିବ। କାରଣ ‘ଲୋକଭବନ’ ପରିସରରେ ନୂଆ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ ଆଜି ଉଦ୍ଘାଟିତ ହୋଇଛି। ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଉଦ୍ୟାନକୁ ତାଙ୍କ ନାମରେ ନାମିତ କରାଯାଇଛି।
ରାଜ୍ୟପାଳ ହରିବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଇ ବିକଶିତ ଏହି ‘ଅଟଳ ବନ’ର ବିକାଶ ପ୍ରକ୍ରିୟା ସମୟରେ ଖନନ କରାଯାଇଥିବା ପଥର ବ୍ୟବହାର କରି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଏହି ବନରେ ସବୁଜିମା, ଜଳାଶୟ ଓ ଝରଣା ସଂରଚନା କରାଯାଇଛି। ଏହି ପାର୍କର ଏକ ପ୍ରମୁଖ ଆକର୍ଷଣ ହେଉଛି ଏକ ‘ଟି-୫୫ ଯୁଦ୍ଧ ଟ୍ୟାଙ୍କ୍’ ଯାହା ଏକଦା ଭାରତୀୟ ସେନାକୁ ଶକ୍ତିଶାଳୀ କରିଥିଲା। ଏହା ୧୯୭୧ ଯୁଦ୍ଧ ତଥା ବିଭିନ୍ନ ଅପରେସନ୍ ସମୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।
ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ‘ରାଫେଲ୍’ ବହୁମୁଖୀ ଲଢ଼ୁଆ ଯୁଦ୍ଧ ବିମାନର ଏକ ପ୍ରୋଟୋଟାଇପ୍, ଯାହା ବର୍ତ୍ତମାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେଉଛି। ‘ୱେଷ୍ଟ ଟୁ ୱେଲ୍ଥ’ ମିସନ ଅଧୀନରେ ଅଟୋମୋବାଇଲ୍ ସ୍କ୍ରାପ୍ ଏବଂ ଜିଆଇ ସିଟ୍ରୁ ନିର୍ମିତ ଏହି ମଡେଲ୍ ୧୫ ଫୁଟ ଲମ୍ବା, ୪ ଫୁଟ ୬ ଇଞ୍ଚ ଉଚ୍ଚତା ଏବଂ ୯ ଫୁଟ ୧୧ ଇଞ୍ଚ ଡେଣା ବିଶିଷ୍ଟ। ‘ଲୋକଭବନ’ର ଅନୁରୋଧକ୍ରମେ ଭୁବନେଶ୍ୱରର ସରକାରୀ ପଲିଟେକ୍ନିକ୍ ଟିମ୍ ଦ୍ୱାରା ଏହି ପ୍ରୋଟୋଟାଇପ୍ ଡିଜାଇନ୍ ଓ ନିର୍ମାଣ କରାଯାଇଥିଲା। ରାଜ୍ୟପାଳଙ୍କ ଶାସନ ସଚିବ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ଲୋକଭବନ’ର ଅଧିକାରୀ, କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଫେଲ ପ୍ରୋଟୋଟାଇପ୍ ଡିଜାଇନ୍ ଏବଂ ନିର୍ମାଣ କରିଥିବା ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା।
Follow Us