ବାଲିପାଟଣା: ପୁଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ବନମାଳୀପୁର ଅଞ୍ଚଳରେ ଚୋରା ମଦ ବିକ୍ରି ବଢ଼ି ଚାଲିଛି। ଉଭୟ ବିଭାଗ ସବୁ ଦେଖି ଚୁପ୍‌ ରହୁଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଓଲଟି ଗ୍ରାମବାସୀ ଚୋରା ମଦ ବେପାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ମଦ ବେପାରୀ ଓ ପୁଲିସ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସ୍ଥାନୀୟ ଅଞ୍ଚଳ ନିଶା ବେପାରୀଙ୍କ ଚରାଭୂଇଁ ପାଲଟିଛି। ଏଭଳି ସ୍ଥିତିରେ ଗ୍ରାମବାସୀ ପୁଲିସ ଉପରୁ ଆସ୍ଥା ହରାଇ ଚୋରାମଦ କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଶପଥ ନେଇଛନ୍ତି। 

Advertisment

ବାଲିପାଟଣା ଥାନା ଅଧୀନ ବନମାଳୀପୁର ଅଞ୍ଚଳରେ ବହୁ ଦିନ ଧରି ଚୋରା ମଦ ବିକ୍ରି ଚାଲିଛି। ପୁଲିସର ଜ୍ଞାତସାରରେ ମଦ କାରବାର ଚାଲିଥିଲେ ହେଁ ଏଥିରେ ଅଙ୍କୁଶ ଲାଗିପାରୁ ନାହିଁ। ନିଶାଡ଼ିଙ୍କ ପ୍ରାଦୁର୍ଭାବରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଆଇନର ଆଶ୍ରୟ ନେଇଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ମଦ ବେପାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ଗତକାଲି ଏଭଳି ଏକ ଘଟଣାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ପରେ ସ୍ଥାନୀୟ ଲୋକେ ଥାନା ଘେରିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରି ଛାଡ଼ିଥିଲା। ହେଲେ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ ବିକ୍ରି ରୋକିବା ପାଇଁ ପୁଲିସ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। 

ଗାଁରୁ ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆଜି ୧୨ ଖଣ୍ଡ ଗ୍ରାମର ମୁରବି, ଜନ ପ୍ରତିନିଧି ଓ ଯୁବକ ସ୍ଥାନୀୟ କୃଷ୍ଣ ବଳରାମ ମଠ ପରିସରରେ ସମୂହ ଶପଥ ନେଇଛନ୍ତି। ଧାର୍ଯ୍ୟ ସମୟରେ ପୁଲିସ ସ୍ଥାନୀୟ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଗୁରତ୍ୱ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଏହା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ପୁଲିସ ପ୍ରଶାସନ ଓ ଅବକାରୀ ବିଭାଗ ଚୋରା ମଦ ବିକ୍ରି ବନ୍ଦ ନକଲେ ଶହଶହ ସଂଖ୍ୟାରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି।  
ଆଜି ଏହି ବୈଠକରେ ଭାକରସାହି, ଦଣ୍ଡାସାହି, ବିଶ୍ୱାଳସାହି, ଦଳିତସାହି, ଅମୃତମଣୋହିପାଟଣା, ଗୋଲାମହମ୍ମଦପାଟଣା, ରୟତପାଟଣା, ମଝିହରା ବସ୍ତି, ଡେରା ସାହି, ସାରଙ୍ଗଧରସାହୁପାଟଣା, ନୂଆସାହି, ପତିତପାବନପାଟଣା ପ୍ରଭୃତି ଗ୍ରାମର ମୁରବି ଓ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ।