ଖଣ୍ଡଗିରି: ଜନଜାତି ଜୀବନ ଭିନ୍ନ ଓ ଅନନ୍ୟ। ଜନଜାତି ସଂସ୍କୃତି ସମୃଦ୍ଧ, ପରମ୍ପରା ମଧ୍ୟ ନିଆରା। ସେଇ ଜନଜାତି ଜୀବନକୁ ଗୋଟିଏ ଛାତ ତଳେ ବାନ୍ଧି ରଖିଛି ସିଆର୍ପି ଛକସ୍ଥିତ ‘ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ’। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ସଂଗ୍ରହାଳୟକୁ ଆସୁଥିବା ଦର୍ଶକମାନେ ଜନଜାତିଙ୍କ ଜୀବନ ସମ୍ପର୍କରେ ନିଆରା ଅନୁଭୂତି ପାଇପାରୁଛନ୍ତି। ଭୁବନେଶ୍ୱର ଭଳି ଏକ ବ୍ୟସ୍ତବହୁଳ ସହରରେ କୌଣସି ଏକ ଆଦିବାସୀ ଅଞ୍ଚଳକୁ ନଯାଇ ମଧ୍ୟ ଜନଜାତିଙ୍କ ଜୀବନକୁ ଅତିନିକଟରୁ ଅନୁଭବ କରିବାର ସୁଯୋଗ ମିଳୁଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍ସିଏସ୍ଟିଆର୍ଟିଆଇ) କ୍ୟାମ୍ପସ୍ର ସବୁଜ ପରିବେଶ ଭିତରେ ଏହି ସଂଗ୍ରହାଳୟ ବର୍ଷତମାମ ଲୋକଙ୍କୁ ଆକର୍ଷିତ କରୁଛି। ରାଜ୍ୟର ୬୨ଟି ଜନଜାତି ଏବଂ ସେମାନଙ୍କ ମଧ୍ୟରେ ଥିବା ୧୩ଟି ‘ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ’ ବା ପିଭିଟିଜିଙ୍କ ଜୀବନଶୈଳୀ, କଳା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତିଫଳନ ପାଲଟିଛି ଏହି ସଂଗ୍ରହାଳୟ। ତେବେ ପର୍ଯ୍ୟଟନ ଋତୁ ଆସିବା ପରେ ସଂଗ୍ରହାଳୟରେ ଗହଳି ଆରମ୍ଭ ହୋଇଯାଇଛି। ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ, ପର୍ଯ୍ୟଟକ ଏଠାକୁ ବୁଲି ଆସିବା ସହ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେଉଛି। ଏଠାରେ ଓଡ଼ିଶାର ବିଭିନ୍ନ ଜନଜାତି ଅଧିବାସୀଙ୍କ ବେଶ ପୋଷାକ, କଳା ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଘରୋଇ ଓ କୃଷି ଉପକରଣ ଆଦି ସଂରକ୍ଷଣ କରି ରଖାଯାଇଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଗବେଷକମାନେ ଆମ ରାଜ୍ୟର ସମୃଦ୍ଧ ଜନଜାତି ସଂସ୍କୃତିକୁ ଅତି ପାଖରୁ ଜାଣିବାର ସୁଯୋଗ ପାଉଛନ୍ତି।
Cold in Jharsuguda and Angul: ୧୦ ଡିଗ୍ରି ତଳେ ୬ ସହର: ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଜାଡ଼
ପିଭିଟିଜି ଗ୍ୟାଲେରି ଦେଉଛି ନିଆରା ଅନୁଭୂତି
ଓଡ଼ିଶାର ୧୩ଟି ‘ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ’ଙ୍କ ଜୀବନଶୈଳୀ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ସଂଗ୍ରହାଳୟରେ ରହିଛି ଏକ ସ୍ୱତନ୍ତ୍ର ଗ୍ୟାଲେରି। ଏହାକୁ ପିଭିଟିଜି ଗ୍ୟାଲେରି ଭାବେ ନାମିତ କରାଯାଇଛି। ଏଠାରେ ଜନଜାତିଙ୍କ ପ୍ରତିକୃତି ସହ ସେମାନଙ୍କ ପାରମ୍ପରିକ ଘର ଓ ଜୀବନଶୈଳୀ ଆଦି ଜୀବନ୍ତ ଭାବେ ଉପସ୍ଥାପିତ ହୋଇଛି। ତେବେ ଲୋକଙ୍କର ଆକର୍ଷଣ ପାଲଟୁଛି କଥା କୁହା କାନ୍ଥ। ବଣ୍ଡା, ବିରହୋର୍, ଚୁକ୍ଟିଆ ଭୂଞ୍ଜିଆ, ଡଙ୍ଗରିଆ, ପାହାଡ଼ି ଖଡ଼ିଆ, କୁଟିଆ କନ୍ଧ, ଲାଞ୍ଜିଆ ସଉରା, ଲୋଧା, ମାଙ୍କିଡ଼ିଆ, ପାଉତି ଭୂୟାଁ, ସଉରା, ଦିଦାୟି ସମ୍ପ୍ରଦାୟର ଲୋକଙ୍କ ଜୀବନ ଶୈଳୀ ବେଶ୍ ପ୍ରଭାବୀ ଢଙ୍ଗରେ ପ୍ରଦର୍ଶିତ ହେଉଛି। କାନ୍ଥରେ ହାତ ମାରିଲେ କେଉଁଠି ଦିଦାୟି ସମ୍ପ୍ରଦାୟର ଲୋକେ ସଲପ ସଂଗ୍ରହ ବେଳର ଦୃଶ୍ୟ ଦେଖିବାକୁ ମିଳୁଛି ତ କେଉଁଠି ବଣ୍ଡା ସମ୍ପ୍ରଦାୟକ ଲୋକେ ଧନୁତୀରରେ ଶିକାର କରୁଛନ୍ତି। ଟଚ୍ସ୍କ୍ରିନ କିଓସ୍କରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଜନଜାତିଙ୍କ ସମ୍ପର୍କରେ ବିଭିନ୍ନ ଭିଡିଓ ଦେଖିପାରୁଛନ୍ତି ଦର୍ଶକ। ଆଧୁନିକ ଭିଆର୍ ଟେକ୍ନୋଲୋଜି ଜରିଆରେ ଟିଭି ଆଗରେ ଛିଡ଼ା ହୋଇ, ହେଡ୍ଫୋନ୍ ଲଗାଇ ଆଦିବାସୀଙ୍କ ସମ୍ପର୍କିତ ୩୬୦ ଡିଗ୍ରି ଭିଡିଓ ଦେଖିବାର ବ୍ୟବସ୍ଥା କରାଯାଇଛି। ସେହିପରି ଇଣ୍ଟରାକ୍ଟିଭ ପ୍ରୋଜେକ୍ସନ ଥିଏଟରରେ ଥ୍ରିଡି ଇମେଜ୍ ମାଧ୍ୟମରେ ପ୍ରତିଫଳିତ ହେଉଛି ଜନଜାତିଙ୍କ ଜୀବନ ଓ ଜୀବିକା। ଜ୍ଞାନକୌଶଳର ଏପରି ବ୍ୟବହାର ଜନଜାତି ସଂଗ୍ରହାଳୟକୁ ଅତ୍ୟାଧୁନିକ ଓ ଆକର୍ଷଣୀୟ କରିଛି।
ନଭେମ୍ବରରେ ବୁଲିଛନ୍ତି ୧୪ ହଜାର ପର୍ଯ୍ୟଟକ
ସଂଗ୍ରହାଳୟକୁ ଅକ୍ଟୋବରରରେ ୭ ହଜାର୬ଶହ ଭାରତୀୟ ପର୍ଯ୍ୟଟକ ଆସିଥିବା ବେଳେ ନଭେମ୍ବରରେ ୧୩ ୨୯୧ ଜଣ ଆସିଛନ୍ତି। ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅକ୍ଟୋବରରେ ୯୫ ଥିବା ବେଳେ ଗତମାସ ଏହା ୧୭୪ ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଅକ୍ଟୋବରରେ ୧୨ଟି ଗ୍ରୁପ୍ ଆସିଥିବା ବେଳେ ନଭେମ୍ବରରେ ୬୫ଟି ଦଳ ଆସିଛନ୍ତି।
୫ଟି ହଲ୍ରେ ଜନଜାତିଙ୍କ ଜୀବନର ପ୍ରତିଫଳନ
ସଂଗ୍ରହାଳୟର ମୁଖ୍ୟ କୋଠାରେ ରହିଛି ୫ଟି ପ୍ରଦର୍ଶନୀ କକ୍ଷ। ଏଠାରେ ଜନଜାତିଙ୍କ ପାରମ୍ପରିକ ଅଳଙ୍କାର ଓ ହାତବୁଣା ଲୁଗା, ସେମାନେ ବ୍ୟବହାର କରୁଥିବା ଆସବାବପତ୍ର, ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ଚିତ୍ରକଳା, ବାଉଁଶ କଳାକୃତି ଏବଂ କାନ୍ଥଚିତ୍ର। ସେହିପରି ଫାଶ, ଖାଳେଇ, ଖଇଁଚି, ବର୍ଚ୍ଛା, ମେରିଆ କାତି ଭଳି ଜନଜାତିଙ୍କ ଶିକାର ଉପକରଣ ଏବଂ ଆତ୍ମରକ୍ଷା ପାଇଁ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ମଧ୍ୟ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି। ବିଭିନ୍ନ କକ୍ଷରେ ଆଦିବାସୀ ଚିତ୍ରକଳା ଓ ହସ୍ତକଳାର ଲାଇଭ୍ ଡେମୋନଷ୍ଟ୍ରସନ୍ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରୁଛି।
ଜନଜାତିଙ୍କ ଉପାସନା ପୀଠ ଓ କୁଡ଼ିଆ
ସଂଗ୍ରହାଳୟରେ ଖୋଲା ଆକାଶ ତଳେ ରହିଛି ବିଭିନ୍ନ ଜନଜାତିଙ୍କ ଆରାଧ୍ୟ ଦେବଦେବୀ ଏବଂ ଉପାସନା ସ୍ଥଳର ପ୍ରତିକୃତି। ସେହିପରି ସଂଗ୍ରହାଳୟ ପରିସରରେ କନ୍ଧ, ସଉରା, ଜୁଆଙ୍ଗ, ସାନ୍ତାଳ, ଗଣ୍ଡ, ଲାଞ୍ଜିଆ ସଉରା, ଚୁକ୍ଟିଆ ଭୁଞ୍ଜିଆ ଓ ଗଦବା ଆଦି ୭ଟି ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ବାସଗୃହର ମଡେଲ୍ ରହିଛି। ଏସବୁ ସଂଗ୍ରହାଳୟକୁ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କୁ ଆଦିବାସୀ ଗାଁର ଅନୁଭବ ଦେଉଛି। କୁଡ଼ିଆ ନିଜର ଆତ୍ମକାହାଣୀ କହୁଛି। ତେବେ ଏଠାରେ ଓଡ଼ିଆରେ ସମସ୍ତ ତଥ୍ୟ ଶୁଣିବାର ବ୍ୟବସ୍ଥା ନଥିବାରୁ ଜନସାଧାରଣରେ ଅସନ୍ତୋଷ ଦେଖା ଦେଉଛି।
ସମସ୍ତେ ଜ୍ଞାନ ଆହରଣ କରନ୍ତୁ
ଆମ ରାଜ୍ୟର ଜନଜାତିଙ୍କ ସାଂସ୍କୃତିକ ବିଶେଷତା ଓ ବିବିଧତାକୁ ଗୋଟିଏ ଛାତ ତଳେ ପ୍ରଦର୍ଶିତ କରୁଛି ‘ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ’। ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ଗବେଷକମାନଙ୍କ ଲାଗି ଏହା ବେଶ୍ ଉପାଦେୟ। ଏହି ସଂଗ୍ରହାଳୟ ସୋମବାର ଦିନ ଛାଡ଼ି ସପ୍ତାହର ୬ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ରୁ ଯାଏଁ ଖୋଲା ରହୁଛି । ପ୍ରତିଦିନ ଏହି ସଂଗ୍ରହାଳୟକୁ ବହୁ ସଂଖ୍ୟାରେ ଦର୍ଶକ ଆସୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଟିକଟ ଦର ୫୦ ଥିବା ବେଳେ ୧୨ ବର୍ଷରୁ କମ୍ ପିଲାଙ୍କୁ ମାଗଣା ବ୍ୟବସ୍ଥା ରହିଛି। ଅନ୍ୟସମସ୍ତଙ୍କୁ ୧୦ ଟଙ୍କା ଲେଖାଏ ନିଆଯାଉଛି ବୋଲି ନିର୍ଦ୍ଦେଶକ ସୁଧାକର ସୋବରା କହିଛନ୍ତି।
Follow Us