ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ଅଚଳାବସ୍ଥା ଦେଖାଦେଇଛି। ଦୁଇଦିନ ହେଲାଣି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ଓ ସେମାନଙ୍କ ପରିବାରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶ ଓ ଦେଶ ବାହାରକୁ ଯିବାକୁ ଥିବା ଯାତ୍ରୀମାନେ ଦୁଇଦିନ ହେଲାଣି ବିମାନବନ୍ଦରରେ ଅଟକି ରହିଥିଲେ ବି ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ନା ବିମାନବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ କଥା ଶୁଣୁଛନ୍ତି, ନା ଇଣ୍ଡିଗୋ କର୍ତ୍ତୃପକ୍ଷ। ଯାତ୍ରୀଙ୍କ ଯିବାର ବି ବିକଳ୍ପ ବ୍ୟବସ୍ଥା କରାଯାଉନି। ଏଣୁ ବିମାନ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯାତ୍ରୀମାନେ ଇଣ୍ଡିଗୋ ବିମାନରେ ଆଗୁଆ ଟିକେଟ୍‌କରିଥିଲେ ବି ବିମାନ ଚଳାଚଳ ବନ୍ଦ ରହିଥିବାରୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସେପଟେ ଏହି ଅବ୍ୟବସ୍ଥା ପରେ ଡିଜିସିଏ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି।

Advertisment

A crooked couple: ଠିକାଦାରଙ୍କୁ ସାଢ଼େ ୬୩ଲକ୍ଷର ଚୂନ ଗୁଜରାଟରୁ ବନ୍ଧାହେଲେ ଧୂର୍ତ୍ତ ଦମ୍ପତି

Student tortured: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା, ବନ୍ଧାହେଲେ ରସିକିଆ ଡ୍ରାମା ସାର୍‌

ଦୁଇଦିନ ହେଲାଣି ଭୁବନେଶ୍ବର ବିମାନବନ୍ଦର ସହ ଦେଶର ଅନ୍ୟ ପ୍ରମୁଖ ବିମାନବନ୍ଦରକୁ ଚଳାଚଳ କରୁଥିବା ଇଣ୍ଡିଗୋର ୨୦୦ରୁ ଅଧିକ ବିମାନ ଚଳାଚଳ ବନ୍ଦ ରହିଛି। ଏଣୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବହୁ ସଂଖ୍ୟାରେ ଯାତ୍ରୀ ଅଟକି ରହିଛନ୍ତି। ସେପଟେ ବାହାରକୁ ଯିବାକୁ ଥିବା ଶହଶହ ଯାତ୍ରୀ ଟିକେଟ୍ କରି ବି ଯାଇପାରୁନାହାନ୍ତି। ଜରୁରୀ କାମରେ ଯିବାକୁ ଥିବା ଯାତ୍ରୀ କଲବଲ ହୋଇଛନ୍ତି। ସେପଟେ ଆସିବାକୁ ଥିବା ଯାତ୍ରୀମାନେ ବି ଭୁବନେଶ୍ବର ଆସିପାରୁନାହାନ୍ତି। ଅନେକ ଯାତ୍ରୀ ବିମାନରେ ଆସିବାକୁ ଥିବା ଆସବାବକୁ ଅପେକ୍ଷା କରିଥିଲେ ବି ଦୁଇଦିନ ହେଲାଣି ଆସବାବ ପହଞ୍ଚିନି। ବିଶେଷ କରି ଭୁବନେଶ୍ବର-ବେଙ୍ଗାଲୁରୁ, ଭୁବନେଶ୍ବର-କୋଲକାତା, ଭୁବନେଶ୍ବର-ସିଙ୍ଗାପୁର ଆଦି ସ୍ଥାନକୁ ଚଳାଚଳ କରୁଥିବା ବହୁ ଇଣ୍ଡିଗୋ ବିମାନ ବିଳମ୍ବ ହୋଇଛି। ସେପଟେ ଭୁବନେଶ୍ବରରୁ ଡେରାଡୁନ୍ ଯିବାକୁ ଥିବା ୬ଡି୬୩୨୧ ଇଣ୍ଡିଗୋ ବିମାନର ଉଡ଼ାଣ ବି ରଦ୍ଦ କରି ଦିଆଯାଇଛି। ଏଣୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ଶିରିଡ଼ି ଯିବାକୁ ଥିବା ଜଣେ ମହିଳା ଯାତ୍ରୀ କହିଛନ୍ତି, ସେ ଚେନ୍ନାଇ ହୋଇ ଶିରିଡ଼ି ଯିବାର ଥିଲା। କିନ୍ତୁ ବିମାନ ହଠାତ୍ ବନ୍ଦ କରି ଦିଆଯାଇଥିବାରୁ ସେ ଶିରିଡ଼ି ଯାଇପାରିନାହାନ୍ତି। ଇଣ୍ଡିଗୋ କର୍ତ୍ତୃପକ୍ଷ ଚାହିଥିଲେ, ଆଜିର ଫ୍ଲାଇଟ୍ ଦେଇ ପାରିଥାନ୍ତେ। କିନ୍ତୁ ଦେଲେନି। ଏଣୁ ଆଗୁଆ ଟିକେଟ୍ କରି ବି ଦୁଇଦିନ ହେଲାଣି କଲବଲ ହେଉଛୁ। ସେପଟେ ଇଣ୍ଡିଗୋ ପକ୍ଷରୁ ବି କୌଣସି ପ୍ରକାର ସାହାଯ୍ୟ ମିଳୁନି। ବହୁ କହିବା ପରେ ଇଣ୍ଡିଗୋ ପକ୍ଷରୁ ହାଇଦ୍ରାବାଦ୍‌କୁ ଟିକେଟ୍ ଦେଇଛନ୍ତି। କିନ୍ତୁ ତା ବି ଅନିଶ୍ଚିତତା ଭିତରେ। ଅନ୍ୟଜଣେ ଯାତ୍ରୀ କହିଛନ୍ତି, ତାଙ୍କୁ ଭୁବନେଶ୍ବରରୁ ମୁମ୍ବାଇ ୨ ତାରିଖରେ ଯିବାର ଥିଲା। କିନ୍ତୁ ୨ ତାରିଖରେ ଆସି ପହଞ୍ଚି ବୋର୍ଡିଂ କରି ସାରିବା ପରେ ବିମାନ ବିଳମ୍ବ ଥିବା କୁହାଯାଉଛି। ଅଧଘଣ୍ଟା ଅଧଘଣ୍ଟା କହି ସମୟ ଗଡ଼ାଇ ଚାଲିଛନ୍ତି। କିନ୍ତୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି। ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ରଖିଥିବା କହି ନିରବ ରହିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, କେତେ ବିମାନ ଚଳାଚଳ ବନ୍ଦ ରହିଛି, ଆମ ପାଖରେ ଖବର ନାହିଁ। ତଥାପି ଇଣ୍ଡିଗୋର ରିସିଡ୍ୟୁଲ୍ ଓ ବୈଷୟିକ ସମସ୍ୟା କାରଣରୁ ଏଭଳି ସ୍ଥିତି ଉପୁଜିଛି। ବହୁ ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ରହିଛି। ଅପରପକ୍ଷେ ପାଇଲଟ୍ ଅଭାବ ସହ ଯାନ୍ତ୍ରିକ ସମସ୍ୟା କାରଣରୁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।