ଭୁବନେଶ୍ୱର: ରାଜଧାନୀର ବହୁ ଭେଣ୍ଡିଂ ଜୋନ୍‌ ସଂଲଗ୍ନ ପାଦଚଲା ରାସ୍ତାକୁ କବ୍‌ଜା କରି ରଖୁଛନ୍ତି ଦୋକାନୀ। ଏଥିପାଇଁ ଫୁଟ୍‌ପାଥ୍‌ରେ ଘୋର ଅବ୍ୟବସ୍ଥା ଦେଖାଯାଉଛି। ଉଭୟ ଗ୍ରାହକ ଓ ପଥଚାରୀମାନେ କିଣାକିଣି ଏବଂ ଯାତାୟାତରେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ରାଜଧାନୀରେ ଉଠାଦୋକାନୀଙ୍କୁ ବ୍ୟବସ୍ଥିତ କରିବାକୁ ଓ ସହରର ସୌନ୍ଦର୍ଯ୍ୟୀକରଣଲକ୍ଷ୍ୟରେ ହୋଇଥିବା ଭେଣ୍ଡିଂ ଜୋନ୍‌ ଏବେ ନୂଆ ସମସ୍ୟା ସୃଷ୍ଟି କରିଛି। ପ୍ରତ୍ୟେକ ଭେଣ୍ଡିଂ ଜୋନ୍‌କୁ ଏକ ନିର୍ଦ୍ଦିଷ୍ଟ ଆୟତନର ସ୍ଥାନ ଦିଆଯାଇଥିଲେ ବି ‌ବ୍ୟବସାୟୀମାନେ ନିୟମ ନମାନି ପାଦଚଲା ବାଟରେ ପସରା ମେଲାଇ ବସୁଛନ୍ତି। ୪ ନମ୍ବର ହାଉସିଂ ବୋର୍ଡସ୍ଥିତ ଭେଣ୍ଡିଂ ଜୋନ୍‌ରେ ଦୋକାନୀମାନେ ପାଦଚଲା ରାସ୍ତାକୁ ଜବରଦଖଲ କରି ରଖିଛନ୍ତି। ବହୁ ଦୋକାନୀ ନିଜ ସାମଗ୍ରୀଗୁଡ଼ିକ ରାସ୍ତା ଉପରେ ଗଦା କରି ରଖୁଛନ୍ତି।

Advertisment

Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ

ସେହିଭଳି ଏଠାରେ ପାଦଚଲା ରାସ୍ତାରେ ଉଭୟ ବେପାରୀ ଓ ଗ୍ରାହକ ଗାଡ଼ି ପାର୍କ କରୁଛନ୍ତି। ପୁଣି ବିଏମ୍‌ସି ପକ୍ଷରୁ ରାସ୍ତା ସୌନ୍ଦର୍ଯ୍ୟୀକରଣ ହୋଇଥିବାରୁ ମୁଖ୍ୟ ରାସ୍ତା ଆହୁରି ସଂକୁଚିତ ହୋଇଯାଇଛି। ଫଳରେ ସାଧାରଣ ପଥଚାରୀମାନେ ଯାତାୟାତ କରିବା ପାଇଁ ଅସୁବିଧାରେ ପଡୁଛନ୍ତି। ସେହିପରି ୟୁନିଟ୍‌-୪ ସ୍ଥିତ ଅନ୍ୟ ଏକ ଭେଣ୍ଡିଂ ଜୋନ୍‌ରେ ମଧ୍ୟ ସମାନ ଅବସ୍ଥା। ପାଦଚଲା ରାସ୍ତା ଉପରେ ଦୋକାନୀମାନେ ସାମଗ୍ରୀ ଜମା କରୁଥିବା ବେଳେ ତଳେ ମୁଖ୍ୟ ରାସ୍ତାରେ ଗାଡ଼ି ପାର୍କ କରାଯାଉଛି। ଫଳରେ ଲୋକେ ଟ୍ରାଫିକ୍‌ ଜାମ୍‌ରେ ଫସୁଛନ୍ତି।  ସେହିପରି ସିଆର୍‌ପି ଛକରୁ ଷ୍ଟୁଆର୍ଟ ଅଭିମୁଖେ ଲମ୍ବିଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍‌ ଅଞ୍ଚଳରେ ବି ଟ୍ରାଫିକ୍‌ ସମସ୍ୟା ବେଶ୍ ଜଟିଳ। ଏହି ଭେଣ୍ଡିଂ ଜୋନ୍‌ରେ ରହିଛି ବେଶି ଫାଷ୍ଟଫୁଡ୍‌ ଦୋକାନ। ପାର୍କିଂ ପାଇଁ ସ୍ଥାନ ନଥିବାରୁ ଦୋକାନ ଆଗରେ ଗାଡ଼ି ରଖି ଗ୍ରାହକମାନେ ରାସ୍ତା ଉପରେ ଖାଉଛନ୍ତି। ବହୁ ବାଇକ୍‌ ଓ କାର ମଧ୍ୟ ରାସ୍ତା ଅବରୋଧ କରୁଛନ୍ତି।  ପୁଣି ଛକର ସୌନ୍ଦର୍ଯ୍ୟୀକରଣ ଓ ରାସ୍ତା ମଝିରେ ମେଡିଆନ୍‌ ଥିବାରୁ ରାସ୍ତା ସଂକୁଚିତ ହୋଇଯାଇଛି। ଫଳରେ ଅନ୍ୟ ପଥଚାରୀମାନେ ଟ୍ରାଫିକ୍‌ ଭିଡ଼ରେ ଫସି ବହୁ ଅସୁବିଧାରେ ପଡ଼ୁଛନ୍ତି। ସନ୍ଧ୍ୟା ସମୟରେ ମାତ୍ର ୧୦୦ ମିଟର ରାସ୍ତା ଅତିକ୍ରମ କରିବାକୁ ଏଠାରେ ପ୍ରାୟ ୧୫ରୁ ୨୦ ମିନିଟ ଲାଗିଯାଉଛି। ସେହିପରି ଏଜି ଛକଠାରୁ ରାଜମହଲ ପର୍ଯ୍ୟନ୍ତ ଦୁଇ ପାଶ୍ୱର୍ରେ ବିଭିନ୍ନ ବ୍ୟବସାୟ କେନ୍ଦ୍ର ରହିଛି । ଏଜି ଛକ ନିକଟରେ ବିଏମ୍‌ସିର ଭେଣ୍ଡିଂ ଜୋନ୍‍ ବି ରାସ୍ତାକଡରେ ରହିଛି।

Health: ରାଇରଙ୍ଗପୁର ଉପଖଣ୍ଡର ଅଧିକାଂଶ ହସ୍ପିଟାଲରେ ଆଣ୍ଟି ରାବିଜ୍‌ ଭ୍ୟାକ୍‌ସିନ୍‌ର ଅଭାବ

ସେହିପରି ଆଚାର୍ଯ୍ୟବିହାର, ଏକାମ୍ରକାନନ ରୋଡ୍‌, ବାଣୀବିହାର ଆଦି ବହୁ ଜନବହୁଳ ଛକରେ ଥିବା ଭେଣ୍ଡିଂ ଜୋନ୍‌ରେ ଏହି ସ୍ଥିତି ପରିଲକ୍ଷିତ ହେଉଛି। ଅତୀତରେ ଏଭଳି ସମସ୍ୟା ଉପୁଜିବାରୁ  ବିଏମସି ପକ୍ଷରୁ  ରାସ୍ତାପାଶ୍ୱର୍ରେ ଥିବା ଭେଣ୍ଡିଂଜୋନ୍‍ଗୁଡିକୁ ପାର୍କିଂ ସୁବିଧା ଥିବା ସ୍ଥାନକୁ ନେବାପାଇଁ ଯୋଜନା ହୋଇଥିଲା। ହେଲେ ବର୍ତ୍ତମାନ ଏହି ଯୋଜନା ଶୀତଳ ଭଣ୍ଡାରରେ ପଡ଼ିରହିଛି। ବିଏମ୍‌ସି ଡେପୁଟି କମିସନର(ଭେଣ୍ଡିଂ ଜୋନ୍) ଅଜୟ କୁମାର ମହାନ୍ତି କହିଛନ୍ତି ଯେ ପୂର୍ବରୁ ହୋଇଥିବା ଭେଣ୍ଡିଂଜୋନ୍ ସମସ୍ୟାର ସମାଧାନ ପାଇଁ ଯୋଜନା ଚାଲିଛି। ନୂତନ ଭେଣ୍ଡିଂଜୋନ୍‌ଗୁଡ଼ିକର ନିର୍ମାଣ ପାର୍କିଂକୁ ଦୃଷ୍ଟିରେ ରଖି କରାଯାଉଛି।