ଭୁବନେଶ୍ବର: ପୂର୍ବରୁ ଭୁବନେଶ୍ବର ମହାନଗର ନିଗମର ମୁଖ୍ୟାଳୟ ଥିଲା। ମେୟର, କମିସନର୍ଠାରୁ ଆରମ୍ଭ କରି ଅନ୍ୟମାନେ ଏଇଠାରୁ ରାଜଧାନୀ କଥା ବୁଝୁଥିଲେ। ଏବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଧୀନ ତିନି ଜୋନ୍ରୁ ଦକ୍ଷିଣ-ପୂର୍ବ ଜୋନାଲ୍ କାର୍ଯ୍ୟାଳୟ ଏଠାରେ ଖୋଲାଯାଇଛି। ଜୋନାଲ୍ ଡେପୁଟି କମିସନର୍ ଏହିଠାରେ ବସି ନିଜ ଅଧୀନ ୱାର୍ଡର ସୁବିଧା ଅସୁବିଧା ବୁଝୁଛନ୍ତି। କିନ୍ତୁ ସ୍ଥିତି କବାଡ଼ିଖାନାଠାରୁ ବି ହୀନ। ଚାରିଆଡ଼େ କେବଳ କୁଢ଼ କୁଢ଼ ଆବର୍ଜନା ଓ ଭଗ୍ନାଂଶ ଗଦା ହୋଇଛି। ବିଏମ୍ସି ରାଜଧାନୀ ଭୁବନେଶ୍ବରର ସ୍ବଚ୍ଛତାର ଦାୟିତ୍ବ ମୁଣ୍ଡାଇଛି। କିନ୍ତୁ ଗାଁ ପରିମଳ ପୋଖରୀ ତୁଠରୁ... ଭଳି ଦକ୍ଷିଣ-ପୂର୍ବ ଜୋନାଲ୍ ଜୋନାଲ୍ କାର୍ଯ୍ୟାଳୟର ସ୍ଥିତି ଓ ଦୃଶ୍ୟ ସହରର ସ୍ବଚ୍ଛତା ପ୍ରତି ବିଏମ୍ସି କେତେ ତତ୍ପର ବାରି ହୋଇପଡ଼ୁଛି। ପ୍ରବେଶପଥଠାରୁ ଆରମ୍ଭ କରି ଚତୁଃପାର୍ଶ୍ବ, ସବୁଠି କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି।
Paddy: ଟୋକନ ଲ୍ୟାପ୍ସ ଆଂଶଙ୍କାରେ ଚାଷୀ, ମନ୍ଥର ଗତିରେ ଚାଲିଛି ଧାନକିଣା
ଆବର୍ଜନାରେ ଭର୍ତ୍ତି ଦକ୍ଷିଣ-ପୂର୍ବ ଜୋନାଲ୍ କାର୍ଯ୍ୟାଳୟ
ଗଦା ହୋଇଛି ହୋର୍ଡିଂ, ଭଗ୍ନାଂଶ, ଖତ ଖାଉଛି ଭ୍ରାମ୍ୟମାଣ ଶୌଚାଳୟ
ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନାଲ୍ କାର୍ଯ୍ୟାଳୟ ଉପରେ ୨୫ଟି ୱାର୍ଡର ଲୋକେ ନିର୍ଭରଶୀଳ। ଦୈନିକ ସେବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। କିନ୍ତୁ ଏଠାର ସ୍ବଚ୍ଛତା ଓ ପରିମଳ ଦେଖି ଲୋକେ ନାକ ଟେକୁଛନ୍ତି। ପ୍ରବେଶ ପଥରେ ଭଙ୍ଗା ଟ୍ରାଫିକ୍ ଲାଇଟ୍, ହୋର୍ଡିଂ ଆଦି ଗଦା ହୋଇଛି। ସେପଟେ ରାଷ୍ଟ୍ରପତି ଓ ଅନ୍ୟ ଅତିଥିମାନେ ଓଡ଼ିଶା ଗସ୍ତ ସମୟରେ ଯେଉଁ ହୋର୍ଡିଂ ସବୁ ରାଜଧାନୀରେ ଲଗାଯାଇଥିଲା, ପାହାଡ଼ ଉଚ୍ଚ ଏଠାରେ ଗଦା ହୋଇଛି। ବହୁଦିନରୁ କାଠ, ପ୍ଲାଏ ସବୁ ପଡ଼ି ପଡ଼ି ଖତ ହୋଇଗଲାଣି। ପୋକ ସାଲୁବାଲୁ ହେଉଛନ୍ତି। ଯାହା ଗମନାଗମନ ରାସ୍ତାକୁ ଅବରୋଧ କରି ସାରିଲାଣି। ସେପଟେ ଫ୍ଲାଷ୍ଟିକ୍ ଟ୍ରେ ବି କାର୍ଯ୍ୟାଳୟ କଡ଼ରେ ଗଦା ହୋଇଛି। ଝାଡ଼ୁ ବାଜୁ ନ ଥିବାରୁ ଚତୁଃପାର୍ଶ୍ବ ଆବର୍ଜନାରେ ଭରି ରହିଛି। ଦୁଇଟି ଭ୍ରାମ୍ୟମାଣ ଶୌଚାଳୟ ଏହା ପରିସରରେ ରଖାଯାଇଛି। କିନ୍ତୁ ବ୍ୟବହାର ହେଉନଥିବାରୁ ଏହି ଦୁଇ ନୂଆ ଭ୍ରାମ୍ୟମାଣ ଶୌଚାଳୟ ପଡ଼ି ପଡ଼ି ଖତ ହେଲାଣି। ଏହା ପ୍ରବେଶପଥ ତଥା ସମ୍ମୁଖ ଭାଗର ସ୍ଥିତି। ପଛପାର୍ଶ୍ବ ବି ଆବର୍ଜନାରେ ଭରି ରହିଛି। ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା। କାର୍ଯ୍ୟାଳୟ ଆଗରେ ଯେଉଁ ପାର୍କ ରହିଛି, ତାର ବି ଠିକ୍ରେ ରକ୍ଷଣାବେକ୍ଷଣ ହେଉନି। ଯେଉଁଠି ଜୋନାଲ୍ ଡେପୁଟି କମିସନର୍ଙ୍କ କାର୍ଯ୍ୟାଳୟର ସ୍ଥିତି ଏଭଳି, ସେଠି ଏହା ଅଧୀନ ୱାର୍ଡର ସ୍ଥିତି କ’ଣ ଥିବ ସହଜେ ଅନୁମେୟ। ଜୋନାଲ୍ ଡେପୁଟି କମିସନର୍ ଧନଞ୍ଜୟ ମହାନ୍ତି ଏ ଉପରେ କିଛି ପ୍ରତିକ୍ରିୟା ରଖିନାହାନ୍ତି।
Follow Us