ଧଉଳି: ବର୍ଷ ସରୁଛି, ସେଥିରେ ପୁଣି ରବିବାର। ତେଣୁ ଆଜି ଧଉଳିରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। ସକାଳ ୯ଟା ବେଳୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଧଉଳି ଶାନ୍ତିସ୍ତୂପରେ ପହଞ୍ଚିଯାଇଥିଲେ। ଶହଶହ ପିକ୍‌ନିକ୍‌ ପାର୍ଟି ପିଣ୍ଡି ଦରାଣ୍ଡି ରୋଷେଇ ଆରମ୍ଭ କରିଦେଇଥିଲେ। କିନ୍ତୁ ଟ୍ରାଫିକ୍ ଯନ୍ତ୍ରଣା ବହୁ ପର୍ଯ୍ୟଟକଙ୍କୁ ନାକରେ କନ୍ଦାଇଥିଲା। ଟ୍ରାଫିକ୍‌ ଭିଡ଼ରେ ଫସି ବହୁ ପର୍ଯ୍ୟଟକ କଲବଲ ହୋଇଥିଲେ। ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ କରିବାକୁ ଉପସ୍ଥିତ ଥିବା ହାତଗଣତି ପୁଲିସ କର୍ମଚାରୀ ବି ଅସହାୟ ହୋଇପଡ଼ିଥିଲେ। ତେଣୁ ଅନେକଙ୍କ ପାଇଁ ପିକ୍‌ନିକ୍‌ ମଜା ଫିକା ପଡ଼ିଯାଇଥିଲା। ପ୍ରତିବର୍ଷ ଡିସେମ୍ବର ମାସର ଶେଷ ଆଡ଼କୁ ଏମିତି ରବିବାରିଆ ଭିଡ଼ ହେବା ଜାଣି ମଧ୍ୟ ପୁଲିସ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ନ ହେବା ଘଟଣା ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି।

Advertisment

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ଆଜି ସକାଳୁ ସକାଳୁ ଧଉଳିଗିରିରେ ଭିଡ଼ ଜମିଥିଲା। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରୁ ଧଉଳିଗିରି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଶହଶହ ଗାଡ଼ିମଟର ଲମ୍ବା ଧାଡ଼ିରେ ଲାଗି ରହିଥିଲା। ଧଉଳିଗିରି ପଟୁ କାଁ ଭାଁ ଯାନବାହନ ଆସୁଥିଲେ ହେଁ ସେମାନଙ୍କୁ ବାଟ ନଥିଲା। ଭିଡ଼ ଭିତରେ ପଥଚାରୀ ଓ ବାଇକ ଆରୋହୀମାନେ ବି ଘଣ୍ଟାଘଣ୍ଟା ଧରି ଫସି ରହିଥିଲେ। ଅଧିକାଂଶ ପର୍ଯ୍ୟଟକ ବସ୍‌, କାର, ଅଟୋ, ବୋଲେରୋ ଭଳି ଗାଡ଼ିରେ ଧଉଳି ଆସୁଥିବାରୁ ରାସ୍ତା ପୂରା ଜାମ ହୋଇଯାଉଛି। ଦୁଇ ପାର୍ଶ୍ବରେ ଏସବୁ ଗାଡ଼ି ପଛକୁ ପଛ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଲାଗି ରହୁଛି। ପର୍ଯ୍ୟଟନ ବିଭାଗର ବସ୍‌ଷ୍ଟାଣ୍ଡରୁ ସଟଲ୍‌ ଗାଡ଼ି ପର୍ଯ୍ୟଟକମାନଙ୍କୁ ଶାନ୍ତିସ୍ତୂପ ନେବା ଆଣିବା କରିବା ସମ୍ଭବ ହେଉ ନାହିଁ। ତେଣଉ ଡିଡିସି(ଧଉଳି ଉନ୍ନୟନ ସମିତି) ନିର୍ଦ୍ଦେଶରେ ପର୍ଯ୍ୟଟନ ଋତୁ ଭିଡ଼ କମିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଶାନ୍ତିସ୍ତୂପକୁ ସଟଲ୍‌ ଚଳାଚଳ ବନ୍ଦ ରଖାଯାଇଛି। ତେଣୁ ବସ୍‌ରେ ଆସୁଥିବା ବାହାର ରାଜ୍ୟର ପର୍ଯ୍ୟଟକମାନଙ୍କୁ ଶାନ୍ତିସ୍ତୂପ ଯାଏଁ ଚାଲିଚାଲି ଯିବାକୁ ପଡ଼ୁଛି। ଆଜି କଡ଼ ଏଡ଼ାଇବାକୁ ଜାଗା ନଥିବା ରାସ୍ତାରେ ବୟସ୍କ, ମହିଳା ଓ ଛୋଟ ପିଲା ପର୍ଯ୍ୟଟକମାନେ ବେଶ୍ ହନ୍ତସନ୍ତ ହୋଇଥିଲେ। ଅନେକ ବରିଷ୍ଠ ନାଗରିକ ଏଭଳି ଭିଡ଼ରେ ପାହାଡ଼ ଉପରକୁ ଯାଇନପାରି ଧଉଳି ବସ୍‌ଷ୍ଟାଣ୍ଡ ନିକଟରେ ଅପେକ୍ଷା କରି ରହିଥିଲେ। 

Editorial: ଆଶା ଓ ଆକାଶ: ନୟାଗଡ଼ ମେଡିକାଲ କଲେଜ ନେଇ ଅନୁଚିନ୍ତା

ସେହିପରି ଭୋଜି କରିବାକୁ ଆସିଥିବା ପିକ୍‌ନିକ୍‌ ପାର୍ଟିମାନେ ବି ବଡ଼ ହୀନସ୍ତା ହୋଇଥିଲେ। ଧଉଳି ପଞ୍ଚାୟତର ୧୫ଟି ଓ ପର୍ଯ୍ୟଟନ ବିଭାଗ ୧୦ଟି ପିଣ୍ଡି ପୂର୍ବରୁ ବୁକ୍‌ ହୋଇସାରିଥିଲା। ଏହାଛଡ଼ା ଆଉ ୩୦ଟି ସଂରକ୍ଷିତ ସ୍ଥାନରେ ଭୋଜିଭାତର ବ୍ୟବସ୍ଥା ଥିବା ପରେ ବି ବହୁ ପିକ୍‌ନିକ୍‌ ପାର୍ଟି ପିଣ୍ଡି ପାଇନଥିଲେ। ଏହି ମଉକାରେ ଘରୋଇ ପିଣ୍ଡି ମାଲିକମାନେ ଆଖିବୁଜା ଟଙ୍କା ଆଦାୟ କରିଥିଲେ। କିଛି ପାର୍ଟି ଧଉଳିଗିରିକୁ ଲାଗିରହିଥିବା ବିଲରେ ଭୋଜି କଲେ। ମାତ୍ର ଭୋଜି ପାଇଁ ପାଣି ନପାଇ ବଡ଼ ହଇରାଣ ହେଲେ। ତେବେ ସବୁଠୁ ବଳେଇଗଲା ଟ୍ରାଫିକ୍‌ ଭିଡ଼। ଅଧିକ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ, ଏଭଳି ସମସ୍ୟା ହୋଇନଥା’ନ୍ତା ବୋଲି ପର୍ଯ୍ୟଟକମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ପିକ୍‌ନିକ୍‌ ଋତୁରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ଲାଗି ରିଜର୍ଭ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏବର୍ଷ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଉନଥିବାରୁ ପର୍ଯ୍ୟଟକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେଠୁ ୨୦୨୬ ଜାନୁଆରି ପର୍ଯ୍ୟନ୍ତ ଏଠାରେ ଅଧିକ ପୁଲିସ ବଳ ନିୟୋଜିତ କରିବାକୁ ଦାବି ହେଉଛି।