ମେଣ୍ଢାଶାଳ: ବର୍ଷା ଆସୁଥିବାରୁ ବିଏମ୍ସି ସଜାଗ ରହିଛି। ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା କେନାଲ ପୋତି ହୋଇଗଲାଣି। ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ମେଣ୍ଢାଶାଳ ପଞ୍ଚାୟତରେ କୌଣସି ଚାଷ କାମ ଆରମ୍ଭ ହୋଇପାରୁନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନାହିଁ। ବିହନ ମିଳୁ ନଥିବା ବେଳେ ପାଣି ର ସମସ୍ୟା ସୃଷ୍ଟି ହୋଇଥିବାରୁ ଚାଷକାମ ବୁଡ଼ିବାକୁ ବସିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ମେଣ୍ଢାଶାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ଜଳଭଣ୍ଡାରରୁ ୧ କିମି କେନାଲ ଦେଇ ଜଳସେଚନ କରାଯାଏ। କିନ୍ତୁ ଏବେ ଅନାବନା ଗଛ ଓ ଦଳ ଭର୍ତ୍ତି ହୋଇ କେନାଲ ପୋତି ହୋଇଯାଇଛି। ଏହି ପ୍ରକଳ୍ପ ଉପରେ ମେଣ୍ଢାଶାଳ, ଛତାବର, ଜାମୁଝରି, ଅରିଶଲ, ମଦନପୁର ଗ୍ରାମର ଶତାଧିକ ଚାଷୀ ନିର୍ଭର କରିଥାନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପାଣି ପାଇଁ ଧାନ ତଳି ପଡ଼ିପାରୁ ନଥିବାରୁ ଚାଷ ଜମି ପଡ଼ିଆ ପଡିଛି।
ସେହିପର ଡେରାସ ଜଳଭଣ୍ଡାରରୁ ଆସୁଥିବା ପାଣି ଉପରେ ନିର୍ମାଣ ହୋଇଥିବା ମୁଖ୍ୟ ବନ୍ଧର ଆଭ୍ୟନ୍ତରୀଣ ଅଞ୍ଚଳ ବାଲିରେ ପୋତି ହୋଇଯାଇଥିଲା ବେଳେ ଦଳ ଗାଡ଼ିଆରେ ପରିଣତ ହୋଇଛି। ଏହି ମୁଖ୍ୟ ବନ୍ଧ ପାଇଁ ବାରମ୍ବାର ଟେଣ୍ଡର କରାଯାଉଥିଲେ ସୁଦ୍ଧା କୌଣସି କାର୍ଯ୍ୟ ହୋଇ ପାରୁନାହିଁ। ଚଳିତ ବର୍ଷା ରୁତୁ ସମୟରେ ତୁରନ୍ତ କେନାଲ ଓ ମୁଖ୍ୟ ଜଳଭଣ୍ଡାରରୁ ବାଲି, ଦଳ ସଫା କରା ନଗଲେ ଧାନ ଚାଷ ସଂପୂର୍ଣ୍ଣ ଭାବେ ବ୍ୟାହତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ କେନାଲ ଓ ମୁଖ୍ୟ ବନ୍ଧ ସଫା କରାଇବାକୁ ମେଣ୍ଢାଶାଳ ଗ୍ରାମର ଚାଷୀମାନେ ଦାବି କରିଛନ୍ତି।