ଭୁବନେଶ୍ବର: ପବିତ୍ର ମାଘ ସପ୍ତମୀରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ପ୍ରଭୁ ଅନନ୍ତକେଶରୀ ଉଦୟଗିରି ପାହାଡ଼ ଉପରେ ରାଣୀଗୁମ୍ଫାକୁ ଯାତ୍ରା କରିବେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଖଣ୍ଡଗିରି ପାହାଡ଼ ଉପର ବଉଳକୋଳି ଗଛ ମୂଳେ ଥିବା ଅନନ୍ତ ଗୁମ୍ଫାରେ ହେଉଥିବା ମହାଯଜ୍ଞକୁ ଯିବେ। କିନ୍ତୁ ଏହା ପୂର୍ବରୁ ଏକ ବିବାଦ ମୁଣ୍ଡ ଟେକିଛି। ଖଣ୍ଡଗିରି ପାହାଡ଼ ଉପରକୁ ଯିବା ମୁଖ୍ୟ ବାଟ(ପାହାଚ)ରେ ଏଏସ୍ଆଇ ପକ୍ଷରୁ ନିର୍ମାଣ କରାଯାଇଥିବା ଗେଟ୍କୁ ନେଇ ବିବାଦ ଉପୁଜିଛି। ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ କୌଣସି ଛାମୁଣ୍ଡିଆ ତଳେ ଗଳିକି ଯିବା ବିଧି ନଥିବାରୁ ଗେଟ୍ ତଳେ କିଭଳି ଯିବେ, ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏଏସ୍ଆଇ ଗେଟ୍ କରିବା ପୂର୍ବରୁ ସବୁ ଦୃଷ୍ଟିକୁ ବିଚାରକୁ ନ ନେଇ ମନମାନି କରିଛି ଏବଂ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଏସ୍ଆଇ ଏହି ଗେଟ୍ ହଟାଇବା ଲାଗି ପଦକ୍ଷେପ ନେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ, ଏଥିପାଇଁ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଆଜି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।
Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍!
ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଯିବେ କେମିତି?
ଆନ୍ଦୋଳନକୁ ଓହ୍ଲାଇବେ ଅଞ୍ଚଳବାସୀ
ଆଜି ସନ୍ଧ୍ୟାରେ ଖଣ୍ଡଗିରି ପାହାଡ଼ ତଳେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ବରମୁଣ୍ଡା, ଘାଟିକିଆ, ଜାଗମରା, ଆଇଗିଣିଆ, କୋଳଥିଆ, ଡୁମୁଡୁମା ଓ ଅନ୍ଧାରୁଆ ଆଦି ଗାଁର ୫୦ରୁ ଅଧିକ ଲୋକ ଏକାଠି ହୋଇଥିଲେ। ଏଏସ୍ଆଇର ଗେଟ୍ କରିବା ନିଷ୍ପତ୍ତିକୁ ସେମାନେ ନିନ୍ଦା କରିଛନ୍ତି। ଏଏସ୍ଆଇର ମନମୁଖୀ କାର୍ଯ୍ୟ ବିରୋଧରେ ସେମାନେ ସ୍ଥାନୀୟ ଜନପ୍ରତିନିଧି ଓ ଏଏସ୍ଆଇ ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ବୋଲି ସ୍ଥିର କରାଯାଇଥିଲା। ତା’ପରେ ଯଦି ଏଏସ୍ଆଇ ଗେଟ୍ ନ ହଟାଏ, ଲୋକେ ଆଇନକୁ ହାତକୁ ନେଇ ଗେଟ୍କୁ ଭାଙ୍ଗି ଦେବାକୁ ପଛାଇବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳବାସୀଙ୍କ କହିବାନୁଯାୟୀ ଏଏସ୍ଆଇ ପକ୍ଷରୁ ଏଠାରେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମକୁ ଗୁରୁତ୍ବ ଦିଆଯାଉଛି। ଖଣ୍ଡଗିରି ପାହାଡ଼ ଉପରେ ଥିବା ଜୈନ ମନ୍ଦିରକୁ ଯିବା ପାଇଁ ଜୈନ ଧର୍ମାବଲମ୍ବୀମାନଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ମାତ୍ର ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ପ୍ରବେଶ ଶୁଳ୍କ ପଡ଼ିବ। କାହିଁ କେଉଁ ଆବହମାନ କାଳରୁ ସବୁ ଧର୍ମର ଲୋକେ ଜୈନ ମହାବୀରଙ୍କ ମୂର୍ତ୍ତି ନିଃଶୁଳ୍କ ଦେଖିପାରୁଥିଲେ। ଏଏସ୍ଆଇ କରିଥିବା ନୂଆ ନିୟମ ଆଦୌ ଗ୍ରହଣୀୟ ନୁହେଁ।
Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ
ସେହିପରି ଖଣ୍ଡଗିରି କୁମ୍ଭମେଳା ସମୟରେ ମହାପ୍ରଭୁ ଜଗନ୍ନାଥ ଅନନ୍ତ ଗୁମ୍ଫାକୁ ବିଜେ କରନ୍ତି। ୧୦ଦିନ ବ୍ୟାପୀ ହେଉଥିବା ମହାଯଜ୍ଞରେ ମହାପ୍ରଭୁ ଉପସ୍ଥିତ ରହନ୍ତି। ପରମ୍ପରା ଓ ପ୍ରଥା ଅନୁସାରେ ଜଗନ୍ନାଥଙ୍କ ବିଗ୍ରହ ଗେଟ୍ ତଳେ ଗଳିକି ଯାଇପାରିବେ ନାହିଁ। ଏଏସ୍ଆଇ ଏହା ଜାଣି ମଧ୍ୟ ଗେଟ୍ ନିର୍ମାଣ କରି ଜଗନ୍ନାଥଙ୍କୁ ଅପମାନ କରିଛି। ଠାକୁରଙ୍କ ପରମ୍ପରା ଭାଙ୍ଗିବାକୁ ଦିଆଯିବ ନାହିଁ। ଏସମ୍ପର୍କରେ ସ୍ଥାନୀୟ ବିଧାୟକ ବାବୁ ସିଂଙ୍କ ସହ ଆଲୋଚନା କରାଯାଇଛି ଏବଂ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଆସନ୍ତାକାଲି ମଧ୍ୟ ବିଧାୟକ ଶ୍ରୀ ସିଂ ଘଟଣାସ୍ଥଳ ବୁଲି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/13/dgshsfhff-2025-12-13-02-35-20.jpg)