ବାଲିଅନ୍ତା: ପ୍ରାୟ ୨ସପ୍ତାହ ହେଲା ବିଲରୁ ଧାନ ଅମଳ ସରିଗଲାଣି। ଫଳରେ ମୁକୁଳା ବିଲ ଖରା ଖାଇଖାଇ ଶୁଖିବାରେ ଲାଗିଛି। ଆଉ ମାତ୍ର ଦିନ କେଇଟା ପରେ ଜମିର ବତର ପୂରା କମିଯାଇଥିବ ଏବଂ ମୁଗ, ବିରି ଭଳି ରବି ଫସଲ ପାଇଁ ଜମିର ପାଗ ନଥିବ। ତେଣୁ ଏତିକିବେଳେ ହିଁ ଚାଷୀ ହାତରେ ମୁଗ, ବିରି ବିହନ ପହଞ୍ଚିବା ଜରୁରି। ମାତ୍ର ବାଲିଅନ୍ତା ବ୍ଲକ୍‌ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଚାହିଦା ମୁତାବକ ମୁଗ ଓ ବିରି ବିହନ ଯୋଗାଣ ହୋଇପାରିନାହିଁ। ଜମିର ବତର ହ୍ରାସ ପାଉଥିବା ବେଳେ ଚାଷୀଙ୍କୁ ବିହନ ନ ମିଳିବାରୁ ଚଳିତବର୍ଷ ରବି ଫସଲ ପ୍ରଭାବିତ ହେବା ଆଶଙ୍କା ଉପୁଜିଲାଣି। ତେଣୁ ରବିଋତୁରେ ଧାନ ଚାଷ ନ କରି ମୁଗ, ବିରି ଫସଲ କରୁଥିବା ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

Advertisment

Farmers: ଅଧପନ୍ତରିଆ ରାସ୍ତା ପାଇଁ ଚାଷୀ ହିନସ୍ତା

 
ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ଗୋପ ଓ ନିମାପଡ଼ା ବ୍ରାଞ୍ଚ୍‌ କେନାଲ ମରାମତି ହେଉଛି। ତେଣୁ କେନାଲରେ ଜଳ ଯୋଗାଣ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ତେଣୁ ଅଧିକାଂଶ ଚାଷୀ ରବି ଧାନ ବଦଳରେ ମୁଗ, ବିରି, ସୋରିଷ, ରାଶି, ଚିନାବାଦାମ ଓ ବିଭିନ୍ନ ପନିପରିବା ଫସଲ କରିବା ପାଇଁ ସ୍ଥିର କରିଛନ୍ତି। କିଛି ଚାଷୀ ଧାନ ଅମଳ ସାରି ମୁଗ, ବିରି ବୁଣିବା ପାଇଁ ଟ୍ରାକ୍ଟରରେ ଜମିକୁ ହଳ କରି ସାରିଲେଣି। ମାତ୍ର କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପରିମାଣର ବିହନ ମିଳୁନି। ଡିସେମ୍ବର ସରି ଜାନୁଆରି ପ୍ରଥମ ସପ୍ତାହ ବିତିବାକୁ ବସିଲାଣି। ଏତେବେଳକୁ ଜମିରେ ବିରି ଓ ମୁଗ ବିହନ ବୁଣା ସରିଯିବା କଥା। କିନ୍ତୁ କୃଷି ବିଭାଗ ବିହନ ଯୋଗାଇ ପାରୁନାହିଁ। ବାଲିଅନ୍ତା ବ୍ଲକ୍‌ କୃଷି ଅଧିକାରୀ ସ୍ଥିତିପ୍ରଜ୍ଞା ଖମାରୀଙ୍କ ସୂଚନାନୁସାରେ ମୁଗ ଓ ବିରି ବିହନ ଯୋଗାଣ ଚାଲିଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦୦ ହେକ୍ଟର ଜମି ପାଇଁ ଚାଷୀଙ୍କୁ ମୁଗ ଓ ବିରି ବିହନ ଯୋଗାଇ ଦିଆଯାଇଛି। ଆଗକୁ ମଧ୍ୟ ବିହନ ବଣ୍ଟନ ଜାରି ରହିବ। ବତର କମିକମି ଜମି ଶୁଖିଲା ଟାଙ୍ଗର ଭୂଇଁ ହେବା ପରେ ମୁଗ ବିରି ବିହନ ମିଳିଲେ କି ଲାଭ ହେବ ବୋଲି ବହୁ ଚାଷୀ ପାଲଟା ପ୍ରଶ୍ନ କରିଛନ୍ତି। ଧାନ ଚାଷ ପାଇଁ କେନାଲରେ ପାଣି ଆସିବନି, ଏଣେ କୃଷି ବିଭାଗ ରବି ଫସଲ ପାଇଁ ବିହନ ଯୋଗାଇ ପାରୁନାହିଁ, ଏଭଳି ସ୍ଥିତି ଚଳିତ ରବି ଋତୁରେ କୃଷକ ଖାଲି ହାତରେ ବସିରହିବ ବୋଲି ଜଳଜଳ ଦିଶିଲାଣି। ତେଣୁ ତୁରନ୍ତ ଆବଶ୍ୟକ ପରିମାଣର ରବି ଫସଲ ବିହନ ଯୋଗାଇ ଦେବାକୁ ଦାବି ହେଉଛି।

CPI protests : ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପ୍ରତିବାଦରେ ସିପିଆଇର ବିକ୍ଷୋଭ