ଭୁବନେଶ୍ବର: ଶୀତ ସରିଲା। ମାର୍ଚ୍ଚ ଆରମ୍ଭରୁ ଯେଉଁଭଳି ବୈଶାଖର ତାତି ଅନୁଭୂତ ହେଉଛି, ଲୋକେ ଘରୁ ବାହାରି ପାରୁନାହାନ୍ତି। ଆଗକୁ ଯେ ମୁଣ୍ଡଫଟା ଖରା ଅନୁଭୂତ ହେବ, ଏବେଠୁ ଜଳଜଳ ଦିଶିଲାଣି। ଏଭଳି ମୁଣ୍ଡଫଟା ଖରାରେ ଯାତ୍ରୀ ତଥା ଆଗନ୍ତୁକଙ୍କ ଶୋଷ ମେଣ୍ଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଗ୍ରିନ୍‌ ସିଟି ଯୋଜନାରେ ଅତୀତରେ ମାଳ ମାଳ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା। ସଜଡ଼ା ନ ଯିବାରୁ କୋଟି କୋଟି ଟଙ୍କାର ଏହି ପ୍ରକଳ୍ପ ସବୁ ଖତ ଖାଉଛି। ବାରମ୍ବାର ଅଭିଯୋଗ ହେଉଥିଲେ ବି ବିଏମ୍‌ସି ଏଥିପ୍ରତି କର୍ଣ୍ଣପାତ କରୁନି। ସେପଟେ ଏହାକୁ ନ ସଜାଡ଼ି ବିଏମ୍‌ସି ଗ୍ରିନ୍‌ ସିଟି ଯୋଜନାରେ ଆହୁରି ନୂଆ ପ୍ରକଳ୍ପ କରିବାରେ ଲାଗିପଡ଼ିଛି। ଏହି ନୂଆ ପ୍ରକଳ୍ପ ସବୁର ବି ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ତା’ ବି ଅଚଳ। ୱାଟର କିଓସ୍କ ଏହାର ଜ୍ବଳନ୍ତ ଉଦାହରଣ। ଏଥିରେ କେଉଁଠି ପାଣି ସଂଯୋଗ ନାହିଁ ତ କେଉଁଠି ସୋଲାର ପାୱାର ସଂଯୋଗ ଠିକ୍‌ରେ କରାଯାଇନି। ପୁଣି କେଉଁଠି ସବୁ ଠିକ୍‌ ଥିଲେ ବି ପାଣି ଆସୁନି। ଏଣୁ ଆଗାମୀ ଖରାରେ ଯେ ଆଗନ୍ତୁକମାନେ ପାଣି ପାଇଁ କଲବଲ ହେବେ, ତାହା ଜଳଜଳ ଦିଶିଲାଣି। ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନାଁରେ ଯେ କେବଳ ହରିଲୁଟ୍‌ ଚାଲିଛି, ଏସବୁ ପ୍ରକଳ୍ପ ତାରି ଚିତ୍ର ବଖାଣୁଛି।

Advertisment

ଖରାରେ ପାଣି ପାଇ ଦହଗଞ୍ଜ ହେବେ
ଗ୍ରିନ୍‌ ସିଟି ଯୋଜନା ବାଟବଣା
ଖର୍ଚ୍ଚ କୋଟିରେ, କିନ୍ତୁ କାମ ଜିରୋ

ବିଏମ୍‌ସି ରାଜଧାନୀବାସୀଙ୍କ ସହ ଆଗନ୍ତୁକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ୨୦୧୯-୨୦ ଆର୍ଥିକ ବର୍ଷରେ ସାରା ରାଜଧାନୀରେ ଏଟିଏମ୍‌ଡବ୍ଲୁ ଓ ଏଟିଏମ୍‌ ଲଗାଇଥିଲା। ୱାଟର ଏଟିଏମ୍‌ ପ୍ରକଳ୍ପ ପିଛା ୧୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଟିଡବ୍ଲୁ ପ୍ରକଳ୍ପ ପିଛା ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଦେଶର ଦ୍ବିତୀୟ ସହର ଭାବେ ବିଏମ୍‌ସି ଗ୍ରିନ୍‌ ସିଟି ଅଭିଯାନରେ ସୌରଶକ୍ତିର ଉପଯୋଗ ପୂର୍ବକ ରାଜଧାନୀରେ ଏହି ବ୍ୟବସ୍ଥା କରିଥିଲା। ଏଥିରୁ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଉଭୟ କାର୍ଡ ଓ କଏନ୍‌ ବ୍ୟବସ୍ଥା କରାଯାଇଥିଲା। ୱାଟର ଏଟିଏମ୍‌ ଘରୋଇ ସଂସ୍ଥାଙ୍କ ସିଏସ୍‌ଆର ପାଣ୍ଠିରେ ହୋଇଥିଲା ଓ ଏଟିଡବ୍ଲୁ ପାଇଁ ବିଏମ୍‌ସି ନିଜସ୍ବ ପାଣ୍ଠି ଖର୍ଚ୍ଚ କରିଥିଲା। ରାଜଧାନୀରେ ଏଭଳି ଶହେରୁ ଅଧିକ ପ୍ରକଳ୍ପ କରାଯାଇଥିଲା ଓ ୧୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ୬ ମାସରେ ଅଚଳ ହୋଇଗଲା। ଏ ଭିତରେ ୬ ବର୍ଷ ଗଡ଼ିଗଲାଣି, ଏସବୁ ସେହିଭଳି ଅଚଳ ଅବସ୍ଥାରେ ପଡ଼ିଛି। ଏଣୁ ଏଥିରେ ଲାଗିଥିବା ଦାମୀ ଯନ୍ତ୍ରାଂଶ ସବୁ ଖତ ଖାଉଛି ଓ ଅନେକ ଜାଗାରୁ ଏହା ଚୋରି ହୋଇଗଲାଣି। କିଛି ଜାଗାରେ ସ୍ବୟଂଚାଳିତ ଏହି ପ୍ରକଳ୍ପ ମାନୁଆଲ୍‌ ହୋଇଗଲାଣି ଓ ବିଶୁଦ୍ଧ ବଦଳରେ ଗୋଳିଆ ପାଣି ଆସୁଛି।      

     Helicopter Painting: ଇସ୍ରାଏଲ ଇରାନ ହେଲିକପ୍ଟରର ଛବି ଉପରେ ବୋମା ପକାଇଥିଲା କି?

ଏଭଳି ସ୍ଥିତିରେ ପୁଣି ବିଏମ୍‌ସିର ଗ୍ରିନ୍‌ ସିଟି ମିସନ୍‌ ଓ ଓରେଡା ମିଳିତ ଭାବେ ଗତବର୍ଷ ରାଜଧାନୀର ୧୨୦ଟି ସ୍ଥାନରେ ୧୨୦ଟି ସୋଲାର୍‌ ଚାଳିତ ୱାଟର କିଓସ୍କ ବସାଇବାକୁ ଯୋଜନା କରିଥିଲେ। ଭୁବନେଶ୍ବରର ପ୍ରମୁଖ ବସ ରହଣୀ ସ୍ଥାନ, ମାର୍କେଟ୍‌, ଆହାର କେନ୍ଦ୍ର, ଧାର୍ମିକ ଅନୁଷ୍ଠାନ, ପ୍ରମୁଖ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ପ୍ରକଳ୍ପ ବସାଇବାକୁ ଯୋଜନା ହେଲା। ଓରେଡା ସୋଲାର୍‌ ପାୱାର ୱାଟର୍‌ କିଓସ୍କ ବସାଇବାର ସମସ୍ତ ଖର୍ଚ୍ଚ ବହନ କଲା। କିନ୍ତୁ ବିଏମ୍‌ସି ପ୍ରକଳ୍ପ ପରିଚାଳନା ଦାୟିତ୍ବ ମୁଣ୍ଡାଇଲା। ନୂଆ କରି ଏହି ପ୍ରକଳ୍ପ ବସିଛି କି ନାହିଁ, ଅନେକ ସ୍ଥାନରେ ଅଚଳ ହୋଇଗଲାଣି। କେଉଁଠି ବି ପାଣି ଆସୁନି। ଯେଉଁ ଜାଗାରେ ବସିଛି, ସେଠି କିଓସ୍କ ଅଛି ସତ, କିନ୍ତୁ ସୋଲାର୍‌ ପ୍ୟାନେଲ୍‌ ଲଗାଯାଇନି। ଯଦି ସୋଲାର ପ୍ୟାନେଲ୍‌, ଫିଲ୍‌ଟର ଆଦି ବସିଛି, ସେଠି ପାଣି ସଂଯୋଗ ଦିଆଯାଇନି। ଆଉ କିଛି ଜାଗାରେ ପାଣି ସଂଯୋଗ ଦିଆଯାଇଥିଲେ ବି ଏହା କାମ କରୁନି। କଳ୍ପନା ଛକ, ରସୁଲଗଡ଼ ଛକ, ସହିଦ୍‌ ନଗର ଲାଇଫ୍‌ ହୋଟେଲ୍‌ ଛକ କିଓସ୍କ ଏହାର ଜ୍ବଳନ୍ତ ଉଦାହରଣ।

IFFCO: ପାରାଦୀପ ହେଉଛି ଭାରତର ଆର୍ଥିକ ପ୍ରୟୋଗଶାଳା: ଧର୍ମେନ୍ଦ୍ର