ଖଣ୍ଡଗିରି: ଏମ୍ସ ପହଞ୍ଚିବାକୁ ଆଉ ରୋଗିଙ୍କୁ ବିଳମ୍ବ ହେବନି। ରୋଗୀଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ବାଧକ ସାଜୁଥିବା ଏମ୍ସ ରାସ୍ତାରୁ ସବୁ ବାଧା ଦୂର ହେବ। ଏଥିସହ ଏମ୍ସ ଚାରିପାଖର ବିକାଶ, ଖଣ୍ଡଗିରିରୁ ଏମ୍ସ ପର୍ଯ୍ୟନ୍ତ ୩ଲେନ୍ ରାସ୍ତା, ଅଳିଆ ହଟାଇବା, ଜବରଦଖଲ ଉଚ୍ଛେଦ ଭଳି ଏକାଧିକ ଯୋଜନା ସରକାର ହାତକୁ ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପ୍ରୟାସରେ ଏଭଳି ସୁବିଧା ମିଳିବାକୁ ଯାଉଛି। ଅଧା ୱାର୍ଡ ଓ ଅଧା ଗ୍ରାମରେ ରହି ବହୁ ବର୍ଷରୁ ସୀମା ବିବାଦରେ ଫସିଥିବା ଏମ୍ସକୁ ଏଥିରୁ ମୁକ୍ତି ମିଳିବ। ଲକ୍ଷ ଲକ୍ଷ ରୋଗୀ ଉପକୃତ ହେବେ। ଏ ନେଇ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍ଏଚ୍ଆଇ), ପୂର୍ତ୍ତବିଭାଗ, ବିଏମ୍ସି, ଏମ୍ସ ପକ୍ଷରୁ ମିଳିତ ଭାବେ ନୀଳ ନକ୍ସା ପ୍ରସ୍ତୁତ ହେଉଛି।
Neglected: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ପହଞ୍ଚି ପାରିନି ଗ୍ରାମକୁ ପକ୍କା ରାସ୍ତା
ଏବେ ଆମ୍ବୁଲାନ୍ସ ଆଉ ବାଟରେ ଅଟକିବନି କି ଗହଳି ଭିତରେ ଫସିବନି। ଖଣ୍ଡଗିରି ଛକରୁ ଏମ୍ସ ପର୍ଯ୍ୟନ୍ତ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର ପ୍ରସ୍ତୁତ ହେବ। ସର୍ଭିସ୍ ରୋଡ୍ ପ୍ରଶସ୍ତ ହେବ। ଡ୍ରେନ୍, ବିଦ୍ୟୁତ୍ ଖୁଣ୍ଟ ଘୁଞ୍ଚିବା ସହ ଜମି ଅଧିଗ୍ରହଣ ହେବ। ଖଣ୍ଡଗିରି ଛକରୁ ଏମ୍ସ ରାସ୍ତା ୩ଲେନ୍ ହେବ। ଏବେ ପ୍ରଥମ ପର୍ଯ୍ୟାୟରେ ଖଣ୍ଡଗିରି ଓଭର୍ବ୍ରିଜ୍ରୁ କସ୍ମୋପଲିସ୍ ପର୍ଯ୍ୟନ୍ତ ୨୪୦ ମିଟର ରାସ୍ତାକୁ ୩ ଲେନ୍ କରାଯିବ। ଏଥିପାଇଁ କୋଟିଏ ଟଙ୍କାର ବ୍ୟୟବରାଦ ହେବା ସହ ଆଗାମୀ ୧୫ତାରିଖରୁ କାମ ଆରମ୍ଭ ହେବ। ୨ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି କସ୍ମୋପଲିସ୍ଠାରୁ ଡିଏନ୍ ରେଗାଲିଆ ପର୍ଯ୍ୟନ୍ତ ରାସ୍ତାର ଅନେକ ସ୍ଥାନ ସଙ୍କୁଚିତ ହୋଇ ରହିଛି।
ଦୁଇ ଲେନ୍ ରୋଡ୍ ଅଛି। ୨ୟ ପର୍ଯ୍ୟାୟରେ ଏହି ସର୍ଭିସ୍ ରୋଡର ପ୍ରଶସ୍ତୀକରଣ, ଆଇଗିଣିଆ ଆଳୁଗଦି ଛକରୁ ଏମ୍ସ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ, ଭେଣ୍ଡିଂ ଜୋନ୍ ନିର୍ମାଣ କରି ଉଠାଦୋକାନୀଙ୍କୁ ବ୍ୟବସ୍ଥିତ କରିବାକୁ ଯୋଜନା ହୋଇଛି। ୩ଲେନ୍ରୁ ଗୋଟିଏ ଲେନ୍କୁ କେବଳ ଆମ୍ବୁଲନ୍ସ ପାଇଁ ସମର୍ପିତ ହେବ। ଏହି ରାସ୍ତାରେ ଅନ୍ୟ କେହି ଗାଡ଼ି ଚଲାଇଲେ ଜରିମାନା ଆଦାୟ ହେବ। ଏହି ସମସ୍ତ କାମ ପାଇଁ ଏନ୍ଏଚ୍ଆଇ ପକ୍ଷରୁ ପ୍ରାଥମିକ ସର୍ଭେ ସରିଛି। ୨ୟ ପର୍ଯ୍ୟାୟ କାମ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଖୁବ୍ଶୀଘ୍ର ପ୍ରସ୍ତୁତ ହେବା ପରେ କାମ ଆରମ୍ଭ ହେବ। ଏହାସହ ଏବେ ଏମ୍ସର ଚାରିପାଖ ଅଳିଆର ପାହାଡ଼ରେ ପରିଣତ ହେବା ସହ ମୌଳିକ ସୁବିଧା ନାହିଁ।
ଏଥିପାଇଁ ଅଳିଆ ଉଠାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ସ୍ବେରେଜ୍ , ଡ୍ରେନେଜ୍, ପରିସରକୁ ଲାଗିଥିବା ବିଭିନ୍ନ ସଂଯୋଗ ରାସ୍ତା, ଆଲୋକୀକରଣ ଭଳି ଏକାଧିକ କାମ ଖୁବ୍ଶୀଘ୍ର ହେବ। ଏ ନେଇ ବ୍ରହ୍ମପୁର ପିଆଇୟୁର ପ୍ରକଳ୍ପ ନିର୍ଦ୍ଦେଶକ ଦର୍ଶି ପ୍ରକାଶ କହିଛନ୍ତି ଯେ, ଆଇଗିଣିଆରୁ ଡିଏନ୍ରେଗାଲିଆ ଛକ ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ରାସ୍ତାର ସର୍ଭେ ହେଉଛି। ଏହି ରାସ୍ତାକୁ ଚଉଡ଼ା କରିବା ପାଇଁ ଏକାଧିକ ଜମି ଅଧିଗ୍ରହଣ ସହ ବିଦ୍ୟୁତ୍ ଖୁଣ୍ଟ ଘୁଞ୍ଚେଇବାକୁ ହେବ। ତେବେ କସ୍ମୋପଲିସ୍ ପର୍ଯ୍ୟନ୍ତ ୩ ଲେନ୍ ରାସ୍ତା ଆସନ୍ତା ୨ମାସ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପ୍ରକାଶ କହିଛନ୍ତି।
Follow Us