ଭୁବନେଶ୍ୱର: ଭୁବନେଶ୍ବରର ପାଣ୍ଡରା ଛକରେ ଜାତୀୟ ରାଜପଥ କଡ଼ରେ ହେବ ରାଜ୍ୟର ପ୍ରଥମ ସର୍ବବୃହତ୍ ହୋଲ୍ସେଲ୍ ମାଛ ମାର୍କେଟ୍। ଟର୍ନକି ଭିତ୍ତିରେ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ମାଛ ମାର୍କେଟ୍ରେ ମାଛ ସଂରକ୍ଷଣ ପାଇଁ ବୃହତ୍ ଶୀତଳଭଣ୍ଡାର ରହିବ। ମାଛ ଭର୍ତ୍ତି ଟ୍ରକ୍ ସିଧାସଳଖ ଶୀତଳଭଣ୍ଡାର ଭିତରେ ପ୍ରବେଶ କରିବା ଓ ମାଛ ଖାଲିକରିବା ପାଇଁ ଏକାଧିକ ଦ୍ବାର ବି ରହିବ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ମାଛ ଟ୍ରକ୍ ସୁବିଧାରେ ପାର୍କିଂ କରିବାର ବ୍ୟବସ୍ଥା ବି କରାଯିବ। ଶୀତତାପ ନିୟନ୍ତ୍ରିତ ବିଶ୍ରାମ ଗୃହ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ରହିବ। ଉଭୟ ହୋଲ୍ସେଲର୍ ଓ ରିଟେଲର୍ ମାଛ ବେପାରୀମାନେ ଏଠାରେ ବେପାର କରିପାରିବାର ଭିତ୍ତିଭୂମି ପ୍ରସ୍ତୁତ ହେବ। ଭୁବନେଶ୍ବର ମହାନଗର ନିଗମ( ବିଏମ୍ସି) ପକ୍ଷରୁ ହେଉଥିବା ଏହି ପ୍ରକଳ୍ପ ବାବଦରେ ପ୍ରାୟ ୫୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରି ସାରିଛନ୍ତି।ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି।
ଆରମ୍ଭ ହେବ ନିର୍ମାଣ, ଖର୍ଚ୍ଚ ହେବ ୫୯ କୋଟି
ରହିବ ଶୀତଳଭଣ୍ଡାର, ବିଶ୍ରାମଗୃହ, ପାର୍କିଂ, ବିଶୋଧନ ପ୍ରକଳ୍ପ
ଭୁବନେଶ୍ବର ମହାନଗର ନିଗମର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ପାଣ୍ଡରା ମୌଜାର ଖାତା ନମ୍ବର-୧୩୫୩ର ପ୍ଲଟ୍ ନମ୍ବର-୨୭୬୨ରେ ୫.୮୦ ଏକର ଜାଗାରେ ଏହି ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ମାର୍କେଟ୍ ନିର୍ମାଣ ହେବ। ଜଳସଂପଦ ବିଭାଗର ଏହି ଜମିକୁ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗାଡ଼ି ସୁବିଧାରେ ଯା’ଆସ ପାଇଁ ୪୦ ଫୁଟିଆ ରାସ୍ତା ନିର୍ମାଣ ହେବ। କର୍ମଚାରୀଙ୍କ ରହିବା ପାଇଁ ଘର ନିର୍ମାଣ ହେବ। ରାଜ୍ୟ ସରକାରଙ୍କ ପିଏମ୍ୟୁ ସେଲ୍ ଏହାର ଡିଜାଇନ୍ ପ୍ରସ୍ତୁତ କରିଛି। ଭୁବନେଶ୍ବର ମହାନଗର ନିଗମ ସିଟି ଇଂଜିନିୟର ଇଂ. ବିଳାସ କୁମାର ବେହେରା କହିଛନ୍ତି, ମାଛ ବିକ୍ରି ପାଇଁ ପିଣ୍ଡି ସାଙ୍ଗକୁ ମାଛ ରଖିବା ପାଇଁ ଶୀତଳଭଣ୍ଡାର, ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ଆଦି ରହିବ। ମାଛରୁ ବାହାରୁଥିବା କାତି, ଅନ୍ତବୁଜୁଳା ଆଦି କଠିନ ବର୍ଜ୍ୟ ସହ ଅନ୍ୟାନ୍ୟ ଆବର୍ଜନାକୁ ବିଶୋଧନ ପାଇଁ ବିଶୋଧନ ପ୍ରକଳ୍ପ ରହିବ। ୪୪ଟି ମାଛ ଗୋଦାମ ରହିବ। ୧୦୦ଜଣ ଖୁଚୁରା ବ୍ୟବସାୟୀ ମାଛ ବିକ୍ରି କରିବାର ବ୍ୟବସ୍ଥା ହେବ।
ୟୁନିଟ୍-୪ର ୩୯ଜଣ ମାଛ ଗୋଦାମ ମାଲିକଙ୍କୁ ପ୍ରାଥମିକତା ଭିତ୍ତିରେ ଏଠାରେ ଥଇଥାନ କରାଯିବ। ଏହି ପ୍ରକଳ୍ପ କାମ ବୁଝୁଥିବା ବିଏମ୍ସି ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ ମହାପାତ୍ର କହିଛନ୍ତି, ଶୀତଳଭଣ୍ଡାର ଟର୍ନକି ଭିତ୍ତିରେ ଶୈଳୀରେ ନିର୍ମାଣ କରାଯିବ। ଏକ ଛୋଟ ମଲ୍ ଭଳି ଏହାକୁ ପ୍ରସ୍ତୁତ କରାଯିବ। ମାଛ ସହ ଅନ୍ୟାନ୍ୟ ସାମଗ୍ରୀ ଯେଭଳି ଲୋକେ ସୁବିଧାରେ ପାଇପାରିବେ, ସେ ବ୍ୟବସ୍ଥା ବି କରାଯିବ। ଏଟିଏମ୍ ଓ ଅନ୍ୟାନ୍ୟ ସୁବିଧା ରହିବ। ଯେଉଁମାନେ ଆସିବେ, ସେମାନଙ୍କ ରହିବା, ବିଶ୍ରାମ କରିବା, ଗାଧୁଆପାଧୁଆ, ଶୌଚାଳୟ ଆଦି ସୁବିଧା କରାଯିବ। ହୋଲ୍ସେଲର୍ଙ୍କ ବାଦ୍ ଯେଉଁମାନେ ମାଛ ବିକ୍ରି କରିବେ, ସେମାନଙ୍କ ପାଇଁ ବି ମାଛ ସଂରକ୍ଷଣ ବ୍ୟବସ୍ଥା ରହିବ। ବିକ୍ରି ପାଇଁ ପିଣ୍ଡି ରହିବ। ମାଛ ଧୋଇବା ଓ ହାତ ଧୋଇବା ଆଦି ପାଇଁ ପାଣି ସୁବିଧା ରହିବ। ପ୍ରତି ପିଣ୍ଡି ସହ ଡ୍ରେନେଜ୍ ସୁବିଧା ରହିବ। ଶୀଘ୍ର କାମ ଆରମ୍ଭ ହେବ ବୋଲି ଇଂ. ମହାପାତ୍ର କହିଛନ୍ତି। ଭୁବନେଶ୍ବର ମହାନଗର ନିଗମର ୧୮ ନମ୍ବର ୱାର୍ଡ କର୍ପୋରେଟର୍ ବିପ୍ଳବ ବେହେରା କହିଛନ୍ତି, ଏହି ପ୍ରକଳ୍ପକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ। ଏହା ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ପାଇଁ ସ୍ଥାୟୀ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ସ୍ଥାୟୀ ଅଞ୍ଚଳବାସୀ, ବିଶେଷ କରି ଯୁବକମାନଙ୍କୁ ରୋଜଗାରର ମାଧ୍ୟମ ଯୋଗାଇଦେବ। ଯେତେଶୀଘ୍ର ଏହି ପ୍ରକଳ୍ପ ଶେଷ ହେବ, ସେତେ ଭଲ ବୋଲି ଶ୍ରୀ ବେହେରା କହିଛନ୍ତି।