ବାଲିଅନ୍ତା ବଜାର : ପାହାଳ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କଟକ-ଭୁବନେଶ୍ୱର ରାସ୍ତାର ହଂସପାଳ ଓଭରବ୍ରିଜ ନିକଟରେ ସୋମବାର ସନ୍ଧ୍ୟା ୬ଟାରେ ଏକ ମାଲ୍ ବୋଝେଇ ଟ୍ରକ୍ ଜଣେ ବାଇକ୍ ଆରେହୀଙ୍କୁ ଧକ୍କାଦେବା ସହ ତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବାଇକ୍ଚାଳକଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Ramu unstable: ରାମୁ ଅସ୍ଥିର ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଶେଷ
ମିଳିଥିବା ସୂଚନା ଅନୁଯାୟୀ, କଟକ କାନପୁର ଗ୍ରାମର ସଙ୍ଖାଳି ବେହେରାଙ୍କ ପୁଅ ଦିଲୀପ ବେହେରା(୪୦ବର୍ଷ) ଓ ତାଙ୍କ ସହ ସୁବାସ ବେହେରା (୪୫ ବର୍ଷ) ବାଇକ୍ ଯୋଗେ କଟକରୁ ରଙ୍ଗକାମ ସାରି ଭୁବନେଶ୍ବର ସାଲିଆସାହିର ବସାଘରକୁ ଫେରୁଥିଲେ। ଦିଲୀପ ଗାଡ଼ି ଚଲାଉଥିବା ବେଳେ ସୁବାସ ପଛରେ ବସିଥିଲେ। ହଂସପାଳ ନିକଟରେ ଏକ ମାଲ୍ବୋଝେଇ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଟ୍ରକ୍ଟି ଦିଲୀପଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁବାସ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଲୋକେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
ଆମ୍ବୁଲାନ୍ସ ପହଞ୍ଚିବା ପରେ ଆହତ ସୁବାସଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା। ମାତ୍ର ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। ପୁଲିସ ଲୋକଙ୍କୁ ବୁଝାସୁଝା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ପରେ ଟ୍ରାଫିକ୍ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିକୁ ପୁଲିସ ଜବତ କରିଛି।
Follow Us