ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ଦର୍ଶନ ଆଦିକାଳରୁ ମାତୃତ୍ୱର ଉପାସନା ଓ ସମ୍ମାନ କରିଆସିଛି। ବୈଦିକ ଯୁଗରୁ ଆରମ୍ଭ ହୋଇଛି ମାତୃଭୂମିର ସଂସ୍କାର। ରାମାୟଣରେ ରାମଚନ୍ଦ୍ର ଜନନୀ ଓ ମାତୃଭୂମି ସ୍ୱର୍ଗଠାରୁ ମହାନ ବୋଲି ସ୍ୱୀକାର କରି ମାତୃଭୂମିକୁ ଉଚ୍ଚସ୍ଥାନରେ ବସାଇଛନ୍ତି। ବଙ୍କିମଚନ୍ଦ୍ରଙ୍କ ବନ୍ଦେ ମାତରମ୍ ହେଉଛି ପ୍ରକୃତି ମାତାର ବନ୍ଦନା। ଆଜି ବିଶ୍ୱ ଧ୍ବଂସ ଅଭିମୁଖେ ଅଗ୍ରସର ହେବାକୁ ଯାଉଥିବାରୁ ବନ୍ଦେ ମାତରମ୍କୁ ସ୍ମରଣ କରି ମନେରଖିବାକୁ ହେବ ଯେ ପୃଥିବୀମାତାର ସ୍ଥିତି ଥିଲେ ସୃଷ୍ଟି ବଞ୍ଚିବ। ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ‘ବନ୍ଦେ ମାତରମ୍: କିଛି ଜଣା କିଛି ଅଜଣା’ ଶୀର୍ଷକ ଆଲୋଚନାଚକ୍ରରେ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ର ଏଭଳି କହିଛନ୍ତି।
Private banks: ଘରୋଇ ବ୍ୟାଙ୍କରେ କର୍ମଚାରୀ କମିଲେ: ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବଢ଼ିଲେ
Bulldozer: ବାଲିପାଟଣା ହାଟ ଉପରେ ବୁଲ୍ଡୋଜର୍ ପାହାର
ମୁଖ୍ୟଅତିଥି ‘ନିତିଦିନ’ର ସମ୍ପାଦକ ମନୋଜ କୁମାର ମହାପାତ୍ର ବନ୍ଦେ ମାତରମ୍କୁ ଭାରତବର୍ଷର ଗର୍ବଗୌରବ ଓ ଅସ୍ମିତାର ପ୍ରତୀକ ଭାବେ ଅଭିହିତ କରିଥିଲେ। ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ଭଗିନୀ ନିବେଦିତା ଓ ରାମକୃଷ୍ଣ ପରମହଂସ ବନ୍ଦେ ମାତରମ୍କୁ କିପରି ପ୍ରାଧାନ୍ୟ ଦେଉଥିଲେ ସେ ନେଇ ତଥ୍ୟ ଦେଇଥିଲେ। ମୁଖ୍ୟବକ୍ତା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ବଙ୍କିମଚନ୍ଦ୍ରଙ୍କ ବଙ୍ଗଦର୍ଶନ ପତ୍ରିକାର ୧୮୭୫ ନଭେମ୍ବର ୭ ତାରିଖ ସଂଖ୍ୟାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିବା ବନ୍ଦେ ମାତରମ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଜୟଯାତ୍ରାର ବିଶେଷ ବିବରଣୀ ଦେଇଥିଲେ। ବଙ୍କିମ ଚନ୍ଦ୍ରଙ୍କ ବନ୍ଦେ ମାତରମ୍ ଭଳି ଓଡ଼ିଶାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବନ୍ଦେ ଉତ୍କଳ ଜନନୀ ଓ ରାଧାନାଥ ରାୟଙ୍କ ସର୍ବେସାଂ ନୋ ଜନନୀ ଭାରତ ଧରଣୀ ମଧ୍ୟ ସମଭାବାପନ୍ନ ଗୀତ, ଯାହା ବେଶ୍ ପ୍ରଭାବ ପକାଇଥିଲା ବୋଲି କହିଥିଲେ। ନାଇଜର୍ର ପ୍ରାକ୍ତନ କୁଳସଚିବ ଅଭୟ କୁମାର ନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରାକ୍ତନ ପ୍ରକଳ୍ପ ଅଧିକାରୀ ମିହିର କୁମାର ସାହୁ, ଅନୁବାଦକ ମିହିର କୁମାର ପଟ୍ଟନାୟକ ଓ ବାବାଜୀ ଚରଣ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମଞ୍ଚର ସମ୍ପାଦକ ପୀତବାସ ରାଉତରୟ ସ୍ୱାଗତ ଭାଷଣ ଦେଇଥିଲେ। ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ମଧୁସ୍ମିତା ବିଶ୍ୱାଳ ଓ ଭଜକୃଷ୍ଣ ମହାନ୍ତି ଭକ୍ତିସଂଗୀତ ପରିବେଷଣ କରିଥିଲେ।
Follow Us