ଭୁବନେଶ୍ୱର: ଏବେର ଯୁବପିଢ଼ି ଟ୍ରେଡିଂ ମାୟାରେ ପଡ଼ିଛନ୍ତି। ରାତାରାତି କୋଟିପତି ହେବାର ନିଶା ସେମାନଙ୍କୁ ସେୟାର ମାର୍କେଟ୍‌ରେ ଟ୍ରେଡିଂ ଆଡ଼କୁ ଟାଣି ନେଉଛି। ଆଜିର ଇଣ୍ଟରନେଟ୍‌ଯୁଗରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ବେଳେ ଟ୍ରେଡିଂ ନିଶାଟି ଆହୁରି ବଢ଼ି ଯାଇଛି। ୟୁଟ୍ୟୁବ୍, ଫେସ୍‌ବୁକ୍, ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ଅନେକ ଟ୍ରେଡିଂ କରି କିଭଳି ଦାମୀ ଗାଡ଼ି ଚଢ଼ୁଛନ୍ତି, ବିଦେଶ ବୁଲୁଛନ୍ତି ଓ ଦାମୀ ଘର କିଣୁଛନ୍ତି ତାହାକୁ ଦେଖି ଅନେକ ଟ୍ରେଡିଂ ଜାଲରେ ପଡ଼ୁଛନ୍ତି। ପରିସ୍ଥିତି ଏଭଳି ହେଲାଣି ଯେ ଅନେକ ନିଜର ଚାକିରି ଛାଡ଼ି ଟ୍ରେଡିଂକୁ ନିଜର ପ୍ରମୁଖ ରୋଜଗାରଭାବେ ବାଛି ସାରିଲେଣି। ସେୟାର ମାର୍କେଟର ବିଗ୍‌ବୁଲ୍ କୁହାଯାଉଥିବା ସ୍ବର୍ଗତ ରାକେଶ ଝୁନ୍‌ଝୁନୱାଲା ହୁଅନ୍ତୁ କି ବି଼ଜୟ କେଡ଼ିଆ, ଆଶିଷ ଧୱନ, ମୁକୁଲ ଅଗ୍ରଵାଲ, ସୁନୀଲ ସିଂଘାଣିଆ ଓ ଆଶିଷ କଚୋଲିଆଙ୍କ ଭଳି ବ୍ୟକ୍ତିଙ୍କ ସଫଳତାର କାହାଣୀ, ଯୁବପିଢ଼ିଙ୍କୁ ଆହୁରି ଆକର୍ଷିତ କରୁଛି। 

Advertisment

Virat Kohli : ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ

ବର୍ତ୍ତମାନ ରାଜଧାନୀରେ ବହୁ ସ୍ଥାନରେ ମାଳ ମାଳ ଟ୍ରେଡିଂ ସେଣ୍ଟର ଖୋଲିଲାଣି। ଏପରିକି ଅନ୍‌ଲାଇନ୍‌ରେ ଟ୍ରେଡିଂ ପାଇଁ ମାଗଣା କୋଚିଂ ଦିଆଯାଉଛି। ଫାଇନାନ୍‌ସିଆଲ ଆଡ୍‌ଭାଇଜର ଭାବେ ଟ୍ରେଡିଂ ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି। ଗୋଟେ ପଟେ ଯୁବ ପିଢ଼ି କମ୍‌ ସମୟରେ ଅଧିକ ଲାଭ ପାଇଁ ଟ୍ରେଡିଂକୁ ବାଛୁଥିବା ବେଳେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ସର୍ବେକ୍ଷଣ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଇକ୍ବିଟି ଡେରିଭେଟିଭ୍ ବର୍ଗରେ ଟ୍ରେଡର୍‌ମାନେ ୭୪,୮୧୨ କୋଟି ଟଙ୍କାର କ୍ଷତି ସହିଥିଲେ। ୨୦୨୪-୨୫ରେ ସେହି କ୍ଷତି ପରିମାଣ ୧,୦୫,୬୦୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଫ୍ୟୁଚର୍ ଆଣ୍ଡ୍‌ଅପସନ୍ସ (ଏଫ୍ଆଣ୍ଡ୍‌ଓ) ବର୍ଗରେ କାରବାର କରିଥିବା ପ୍ରାୟ ୯୬ ଲକ୍ଷ ଟ୍ରେଡରଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ବିଗତ ମାସଗୁଡ଼ିକରେ ମଧ୍ୟ ଟ୍ରେଡିଂ ଆଳରେ ରାଜଧାନୀ ସମେତ ବହୁ ସ୍ଥାନରେ କୋଟି କୋଟିଂ ଟଙ୍କାର କ୍ଷତି ହୋଇଥିବାର ଅନେକ ଉଦାହରଣ ରହିଛି। ଏପରିକି କିଛି ଯୁବ ପିଢ଼ି କ୍ଷତି ସହି ନପାରି ଆତ୍ମହତ୍ୟା ଭଳି ଚରମ ପନ୍ଥ ମଧ୍ୟ ଆପଣାଇଛନ୍ତି। 

Archery : କଳାହାଣ୍ଡିର ଆଦିବାସୀ ଝିଅ ହେଲେ ଜାତୀୟ ସ୍ତରର ତୀରନ୍ଦାଜ

ଟ୍ରେଡିଂ ଛୁରି; ଲାଭ କମ୍, କ୍ଷତି ଅଧିକ
ଭାରତୀୟ ପ୍ରତିଭୂତ୍ତି ଓ ବିନିମୟ ବୋର୍ଡ(ସେବି)ର ସର୍ବେକ୍ଷଣ ଅନୁସାରେ, ଏଫ୍‌ଏନ୍‌ଓ(ଫ୍ୟୁଚର ଓ ଅପ୍‌ସନ୍‌)ରେ ଟ୍ରେଡିଂ କରୁଥିବା ୧୦ଜଣଙ୍କ ଭିତରୁ ୯ଜଣ କ୍ଷତି ସହୁଛନ୍ତି। ଅର୍ଥାତ୍ ଶହେ ଜଣେ ଟ୍ରେଡିଂ କଲେ ଏଥିରେ ମାତ୍ର ୧୦ଜଣଙ୍କ ଲାଭ ହେଉଛି। କ୍ଷତି ପୁଣି ଶହେ କି ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ଟ୍ରେଡିଂରେ ହରାଉଛନ୍ତି। ଟଙ୍କା ହରାଇବା ପରେ ଘରେ କିମ୍ବା ପରିବାରରେ ଏହାକୁ ନ ଜଣାଇ ଅନେକ ଆତ୍ମହତ୍ୟାକୁ ବାଛି ନେଉଛନ୍ତି। ତେଣୁ ନିୟମିତ ଟ୍ରେଡିଂ ବଦଳରେ ଦୀର୍ଘମିଆଦି ନିବେଶ(ଇନ୍‌ଭେଷ୍ଟମେଣ୍ଟ) କରିବା ଉପରେ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି।

ଫାଇନାନ୍ସିଆଲ୍‌ ପ୍ଲାନର୍‌ ହୁଅନ୍ତୁ
 ‘ଵାଲେଟ୍ ଫର ଵେଲଥ୍ ଡଟ୍ କମ୍’ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କାଙ୍କ କହିବା ଅନୁଯାୟୀ ଯଦିଓ କିଛି ସମୟରେ ଟ୍ରେଡିଂରେ ଲାଭ ମିଳିଥାଏ ହେଲେ ଅଧିକାଂଶ ସମୟରେ ଏଥିରେ କ୍ଷତି ସହିବାକୁ ପଡ଼େ। ସେବିର ରିପୋର୍ଟ ଅନୁସାରେ ପାଖାପାଖି ୮୯% ଲୋକ ଡେରିଭେଟିଭ୍ ବର୍ଗରେ ବହୁତ କ୍ଷତି ସହୁଛନ୍ତି। ଯୁବପିଢ଼ି କୌଣସି ଅଜଣା ସଂସ୍ଥାରେ ଟ୍ରେଡିଂ ନକରି ଜାତୀୟ ଷ୍ଟକ୍‌ଏକ୍ସଚେଞ୍ଜରେ କରିବା ଆବଶ୍ୟକ। ଏହାକୁ ରୋଜଗାରର ପନ୍ଥା କରିବା ପୂର୍ବରୁ ସେୟା‌ର ମାର୍କେଟ ଉପରେ ଜ୍ଞାନ ରହିବା ଆବଶ୍ୟକ। ଏହାକୁ ସମୂର୍ଣ୍ଣ ଭାବରେ କ୍ୟାରିୟର ରୂପେ ଗ୍ରହଣ କରିବା ଉଚିତ ନୁହେଁ। ଏହା ବଦଳରେ ଫାଇନାନ୍ସିଆଲ ପ୍ଲାନର ଓ ଇନଭେଷ୍ଟମେଣ୍ଟ ଆଡଭାଇଜର ଭାବରେ କ୍ୟାରିୟର କରିବା ଭଲ।ଆଡଭାଇଜର ଭାବରେ କ୍ୟାରିୟର କରିବା ଭଲ।

ଚିନ୍ତା ବଢ଼ାଉଛି ଟ୍ରେଡିଂ ଆପ୍ 
ଅନେକ ଅଣପଞ୍ଜୀକୃତ ଟ୍ରେଡିଂ ସଂସ୍ଥା ନିଜସ୍ବ ଆପ୍‍ରେ ବିଭିନ୍ନ ସୋସିଆଲ ମିଡିଆରେ ଟ୍ରେଡିଂ ପାଇଁ ବିଜ୍ଞାପନ ଦେଉଛନ୍ତି। ଏଥିରେ ସିନେ ଅଭିନେତାଙ୍କଠାରୁ ଆରମ୍ଭ କରି ବହୁ ସଂଖ୍ୟାରେ ଫଲୋଅର ଥିବା ୟୁଟ୍ୟୁବରଙ୍କୁ ଦେଖିବାକୁ ମିଳୁଛି। ଏପରିକି କିଛି ଗେମ୍‌ ଅଥବା ଭିଡିଓ ଦେଖିବା ସମୟରେ ବିଜ୍ଞାପନ ଦେବା ଆଳରେ ସେମାନେ ନକଲି ଆପ୍‌କୁ ପ୍ରସାର କରୁଛନ୍ତି। ନିକଟ ଅତୀତରେ ଆରବିଆଇ ପକ୍ଷରୁ ବହୁ ଟ୍ରେଡିଂ ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇଛି। 
ଏନେଇ ଆଇନଜୀବୀ ରାଜକିଶୋର ଦାସ କହିଛନ୍ତି, ସାଇବର ସୁରକ୍ଷା ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଜାଲ୍ ନିବେଶ ଓ ଟ୍ରେଡିଂ ଆପ୍ ୪୭% ବୃଦ୍ଧି ପାଇଛି। ଆପ୍‌ଗୁଡିକ ସହଜରେ ଉପଲବ୍ଧ ହେବା ସହ କମ୍ ସମୟରେ କମ୍ ଟଙ୍କା ବିନିଯୋଗରେ ଅଧିକ ଟଙ୍କାର ଲାଭ ‌ହେଉଥିବା ଦର୍ଶାଉଛନ୍ତି। ଯେଉଁମାନେ ଟ୍ରେଡିଂ ଆରମ୍ଭ କରିବାକୁ ଚାହୁଛନ୍ତି ସେମାନେ ସାଇବର ସୁରକ୍ଷା ସହ ସଚେତନ ଥିବା ଅତ୍ୟନ୍ତ ଆବଶ୍ୟକ। ସବୁବେଳେ ଭରସାଯୋଗ୍ୟ ଓ ପଞ୍ଜୀକୃତ ହୋଇଥିବା ଟ୍ରେଡିଂ ପ୍ଲାଟଫର୍ମର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।