ଭୁବନେଶ୍ବର: ଫୋନ୍‌ରେ ଗାଳିମନ୍ଦରୁ ଆରମ୍ଭ ହୋଇଥିଲା ବଚସା, ହାତାହାତି। ଏଥିରୁ ସାଙ୍ଗକୁ ରାକ୍ଷା କରିବାକୁ ଯାଇଥିବା ରାହୁଲ ମହାରଣାକୁ ହତ୍ୟା କରିଥିଲେ ଦାଦା, ପୁତୁରା। ଜିଜିପି ସ୍କୁଲ୍‌ ପଡ଼ିଆରେ ୟୁଟ୍ୟୁବର୍‌ ରାହୁଲ୍‌ ମହାରଣା ହତ୍ୟା ଘଟଣାରେ ଏ ମଞ୍ଚେଶ୍ବର ଥାନା ପୁଲିସ ସେନା ଯବାନ ତଥା ଦାଦା କଟକଜିଲ୍ଲା କାନ୍‌ପୁର ଅଞ୍ଚଳର ସଂଗ୍ରାମ କେଶରୀ ବେହେରା ଓରଫ ଶତୁରା(୩୭), ପୁତୁରା ସଂଗ୍ରାମ ବେହେରା ଓରଫ କୁନା(୨୪) ଓ ସମରେନ୍ଦ୍ର ବେହେରା ଓରଫ ମୁନା(୨୦)କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ବାଇକ୍‌ ଏବଂ ହତ୍ୟାରେ ବ୍ୟବହୃତ ଛୁରି ଜବତ କରାଯାଇଛି। ଅନ୍ୟପଟେ ଆକ୍ରମଣ ଯୋଗୁଁ ରାହୁଲ୍‌ଙ୍କ ସାଙ୍ଗ ଶିବା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛିବୋଲି  ଜୋନ୍‌-୫ ଏସିପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସିପି ବିଶ୍ବରଂଜନ ସେନାପତି ସୂଚନା ଦେଇଛନ୍ତି।

Advertisment

Narendra Modi: ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ: ପ୍ରଧାନମନ୍ତ୍ରୀ

ତଦନ୍ତରୁ ଜଣାପଡ଼ିଛି ଯେ, ଶତୁରାଙ୍କ ପରିବାର ଜିଜିପି କଲୋନିରେ ଭଡ଼ାରେ ରହୁଥିଲେ। ବଡ଼ପୁତୁରା କୁନା ମଧ୍ୟ ତାଙ୍କ ପାଖରେ ରହି ‌ଏକ ଡେଲିଭରି ସଂସ୍ଥାରେ କାମ କରୁଥିଲେ। କିଛିଦିନ ତଳେ ସେ ଛୁଟିରେ ଆସିଥିବାରୁ ସାନପୁତୁରା ମଧ୍ୟ ଭୁବନେଶ୍ବାର ଆସିଥିଲେ। ତେବେ ଶନିବାର ରାତି ପାଖାପାଖି ସାଢ଼େ ୯ଟା ସମୟରେ ଦାଦା ପୁତୁରା ମିଶି ଜିଜିପି ସ୍କୁଲ୍‌ ପଡ଼ିଆରେ ଖଟି କରୁଥିଲେ। ଏହି ସମୟରେ ରାହୁଲ୍‌, ଶିବ ଶତପଥୀ ଓରଫ ଶିବା ଏବଂ ତାଙ୍କର ଅନ୍ୟ ଦୁଇ ସାଙ୍ଗ ମଧ୍ୟ ସେହି ପଡ଼ିଆରେ ଏକାଠି ବସିଥିଲେ। ଏହି ସମୟରେ ଶିବାଙ୍କ ନମ୍ବରକୁ ଏକ କଲ୍‌ ଆସିଥିଲା। ସେ ଫୋନ୍‌ରେ କଥା ହୋଇ କାହାକୁ ବଡ଼ପାଟିରେ ଗାଳିମନ୍ଦ କରିଥିଲେ। ଶତୁରାଙ୍କ ପାଖ ଦେଇ ଯାଉଥିବା ବେଳେ ଏଭଳି ଗାଳିମନ୍ଦ ଦେଖି ସେ ବିରୋଧ କରିଥିଲେ। କାହିଁକି ଏତେ ବଡ଼ପାଟିରେ ଗାଳିମନ୍ଦ କରୁଛ। ଅନ୍ୟମାନେ ଅଛନ୍ତି। ଶତୁରାଙ୍କ ଏଭଳି କଥା ଶୁଣି ଶିବା ରାଗିଯାଇଥିଲେ। କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଶିବା ରାଗିଯାଇ ଶତୁରାଙ୍କୁ ଧକ୍କା ପକାଇଥିଲେ। ଦାଦାଙ୍କୁ ମାଡ଼ ଦେଖି ଦୁଇପୁତୁରା କୁନା ଓ ମୁନା ଧାଇଁ ଆସି ଗଡ଼ାଇତୁଡ଼ାଇ  ଶିବାକୁ ମାଡ଼ ମାରିଥିଲେ। ଶିବାଙ୍କୁ ଆକ୍ରମଣ ଦେଖି ରାହୁଲ୍‌ ଓ ଅନ୍ୟ ଦୁଇ ସାଙ୍ଗ ଦୌଡ଼ି ଆସିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ଭିତରେ ମୁନା ପାଖରେ ରଖିଥିବା ଏକ ଛୁରି ବାହାର କରି ଅତର୍କିତ ଭାବେ ରାହୁଲ୍‌ଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଛାତି, କାନ୍ଧ ଓ ବେକକୁ ଆଘାତ କରିଥିଲା। ରାହୁଲ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ। ଶିବା ବି ଗୁରୁତର ଆହତ ହୋଇଥିଲେ। କୁନାର ଏଭଳି ଆତଙ୍କ ଦେଖି ଅନ୍ୟ  ସାଙ୍ଗମାନେ ପାଟିକରି  ସ୍ଥାନୀୟ ଲୋକଙ୍କୁ ଡାକି ଦୌଡ଼ିଥିଲେ। ପାଟିଶୁଣି ଲୋକମାନେ ଧାଇଁ ଆସିବାରୁ ଦାଦାପୁତୁରା ଦୁଇଟି ବାଇକ୍‌ ଧରି ଚମ୍ପଟ ମାରିଥିଲେ। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ଗୁରୁତର ରାହୁଲ ଓ ଆହତ ଶିବାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ହେଲେ ସେଠାରେ ଡାକ୍ତର ରାହୁଲ୍‌ଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଛାତିରେ ଛୁରାମାଡ଼ ହୋଇ ହାର୍ଟରେ କଣା ହୋଇଯିବାରୁ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିବା କହିଥିଲେ। ସେହିପରି ଶିବାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ପଠାଇଥିଲେ। 

ମାନବାଧିକାର କମିସନରେ ମାମଲା
ୟୁଟବର ରାହୁଲ ମହାରଣାଙ୍କ ହତ୍ୟାକୁ ନେଇ ରାଜ୍ୟ ମାନବାଧିକାର କମିସନରେ  ସୁବ୍ରତ ଦାଶ ଅଭିଯୋଗ କରିଛନ୍ତି।  ମୃତ ରାହୁଲ ମହାରଣାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି।। ଏହି ମାମଲାରେ ଡିସିପି ଭୁବନେଶ୍ୱର, ପୁଲିସ କମିସନର, ଡିଜି ପୁଲିସ ଓଡ଼ିଶା, ଗୃହ ସଚିବ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି।

Narendra Modi: ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ: ପ୍ରଧାନମନ୍ତ୍ରୀ

ଜମୁଛି ମଦ ଆସର, ଆତଙ୍କିତ ଲୋକ
ସୂର୍ଯ୍ୟ ବୁଡ଼ିଲେ ଜିଜିପି କଲୋନି ପଡ଼ିଆରେ ଜମୁଛି ମଦର ଆସର। ଫଳରେ ସେହି ସ୍ଥାନ ଦେଇ ସ୍ଥାନୀୟ ଲୋକମାନେ ଯା’ଆସ କରିବାକୁ ଭୟ କରୁଛନ୍ତି। ମଦପିଇ ‌ସେଠାରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଛି। ଏନେଇ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ମଞ୍ଚେଶ୍ବର ଥାନା ପୁଲିସ ଏନେଇ ଆଖି ବୁଜି ଦେଇଛି। ସେଠାରେ ମଦର ଆସର ବଢ଼ିଥିଲା। ବାହାରୁ ଲୋକମା‌ନେ ଆସି ‌ସେହି ପଡ଼ିଆରେ ଖଟି ଓ ମଦ ପିଉଥି‌ଲେ। ଯାହାର ଫଳସ୍ବରୂପ ଗତକାଲି ସାମାନ୍ୟ ଘଟଣାକୁ କେନ୍ଦ୍ର କରି ସେଠାରେ ୟୁଟୁବରଙ୍କ ହତ୍ୟା ହୋଇଥିଲା। ପୁଲିସ ଯଦି ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ  ପାଟ୍ରୋଲିଂ କିମ୍ବା ଫୁଟ ପାଟ୍ରୋଲିଂ କରିଥା’ନ୍ତା,  ଏଭଳି ପରିସ୍ଥିତି ଉପୁଜି ନଥାନ୍ତା। ତେଣୁ ଜିଜିପି କଲୋନିରେ ପାଟ୍ରୋଲିଂ ବଢ଼ାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। 

୩ ମାସ ତ‌ଳେ ଅଭିନେତ୍ରୀଙ୍କୁ ବାହା ‌‌ହୋଇଥିଲେ 
ୟୁଟୁବର ରାହୁଲ ମହାରଣା ଗତ ୩ ମାସ ତଳେ ଅଭିନେତ୍ରୀ ତିସାଙ୍କୁ ବିବାହ କରିଥିଲେ। ଗତକାଲି ଘଟଣା ଘଟିବାର କିଛି ସମୟ ପୂର୍ବରୁ ତ୍ରିସା ରାହୁଲଙ୍କୁ ଫୋନ କରିଥିଲେ। ସେ ପୂଜା ପାଇଁ ଆସିଥିବା ଜଣାଇବା ସହିତ ହଠାତ୍‌ ରହ ରହ ଟିକେ ପ‌ରେ ଫୋନ କରୁଛି ବୋଲି ଜଣାଇଥିଲେ। କିନ୍ତୁ ପରେ ତାଙ୍କ ମୃତ୍ୟୁୃ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ସ୍ବାମୀଙ୍କୁ ନ୍ୟାୟ ସହିତ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ‌ସେ ଦାବି କରିଛନ୍ତି।