Congress leader Shuvendu Raymahapatra joining the saffron party. Photograph: (sambad.in)
ଭଦ୍ରକ (ହରିହର ନାୟକ): ଭଦ୍ରକରେ ରାଜନୈତିକ ପାଣିପାଗ ଦ୍ରୁତଗତିରେ ବଦଳିବାରେ ଲାଗିଛି। ଅନେକ ନେତା ଦୀର୍ଘ ଦିନ ଧରି ଗୋଟିଏ ଦଳରେ ରହି କାମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଦଳ ପରିବର୍ତ୍ତନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନେତା ଏବଂ କର୍ମୀମାନେ ନିଜର ରାଜନୈତିକ କ୍ୟାରିୟରକୁ ସୁଦୃଢ଼ କରିବା ପାଇଁ ପୁରୁୁଣା ଦଳ ଛାଡ଼ି ନୂଆ ଚିନ୍ତା କରୁଛନ୍ତି। ଅନେକ ନେତା ନୂଆବର୍ଷରେ ନୂଆ ଶିବିର ସହିତ ସାମିଲ ହେବାକୁ ଚାହୁଁଥିବା ମଧ୍ୟ ଚିନ୍ତା କରୁଛନ୍ତି। ତିନି ଦିନ ପୂର୍ବରୁ ଜିଲ୍ଲାର ୪ ଜଣ ବ୍ଲକ ଅଧ୍ୟକ୍ଷ, ପ୍ରାୟ ୫୦ ଜଣ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସମେତ ୧ ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏବେ ପୁଣି ଜିଲ୍ଲା କଂଗ୍ରେସର ଜଣେ ଆଗଧାଡ଼ିର ନେତା ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି।
ସମୟ ଆସିଲେ କହିବି: ଶୁଭେନ୍ଦୁ
ଶୁଭେନ୍ଦୁ ରାୟମହାପାତ୍ର କଂଗ୍ରେସ ଛାଡ଼ି ବିଜେପିକୁ ଯିବେ। ଏହି ଚର୍ଚ୍ଚା ଭଦ୍ରକରେ ଜୋର ଧରିଛି। ଜଣେ ଆଗ ଧାଡ଼ିର ଛାତ୍ର ଓ ଯୁବ ନେତା ଶୁଭେନ୍ଦୁ ରାୟମହାପାତ୍ର ଏବେ ରାଜ୍ୟ କଂଗ୍ରେସ କମିଟିର ମୁଖପାତ୍ର ଅଛନ୍ତି। ଗତ କିଛିଦିନ ହେଲା ତାଙ୍କ ନାମକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଆରମ୍ଭ ହେଉଛି। ଶୁଭେନ୍ଦୁ ବିଜେପିକୁ ଯିବା ନେଇ ବିଜେପିର କିଛି ଯୁବନେତା ତାଙ୍କ ସହ ଆଲୋଚନା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅବଶ୍ୟ ଏହି ଚର୍ଚ୍ଚା ସମ୍ପର୍କରେ ଶ୍ରୀ ରାୟମହାପାତ୍ର ନିଜ ପ୍ରତିକ୍ରିୟାରେ କେଉଁ ଦଳକୁ ଯିବେ କିଛି କହି ନାହାନ୍ତି। ସମୟ ଆସିଲେ କହିବି ବୋଲି ସମ୍ବାଦକୁ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: BJD's health has deteriorated: ବିଗିଡ଼ିଲାଣି ବିଜେଡି ସ୍ବାସ୍ଥ୍ୟ: କାହା ବୋଲ ମାନୁନାହାନ୍ତି, ନୂଆପଡ଼ା ପରେ ଭଦ୍ରକ ଝଟକା
ସୁଦୃଢ଼ ହେଉଛି ବିଜେପି
ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବରେ ବିଜେପିର ସଂଗଠନ ସୁଦୃଢ଼ ହେବାରେ ଲାଗିଛି। ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ତୃଣମୂଳ ସ୍ତରର ନେତାଙ୍କ ସହିତ କର୍ମୀମାନେ ବିଜେପିରେ ମିଶୁଛନ୍ତି। ବିଜେପି ନେତା ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରେ ସେ ନିଜ ଜିଲ୍ଲାରେ ବିଜେପି ଦଳକୁ ଅଧିକ ସୁଦୃଢ଼ କରିବାରେ ଲାଗିଛନ୍ତି। ଗତ ୨ ମାସ ହେଲା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ ଚାଲିଛି। ଗତ ୬ ତାରିଖର ବିଜେପିର ମହା ମିଶ୍ରଣ ପର୍ବ ପରେ ବିଜେଡିର ବହୁ ନେତା ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଭଦ୍ରକ ଜିଲ୍ଲା କଂଗ୍ରେସର ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ଼ କଂଗ୍ରେସ ଦଳ ଛାଡି ବିଜେପିରେ ମିଶି ଥିବାବେଳେ ପୁଣି ଏବେ ଭଦ୍ରକ ଜିଲ୍ଲାରୁ କଂଗ୍ରେସ ନେତା ଶୁଭେନ୍ଦୁ ରାୟମହାପାତ୍ର କଂଗ୍ରେସ ଦଳ ଛାଡି ବିଜେପିରେ ମିଶିବେ ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ଆହୁରି ପଢ଼ନ୍ତୁ: BJD's Bhadrak worries: ବିଜେଡିର ଭଦ୍ରକ ଚିନ୍ତା: ଇସ୍ତଫା ପର୍ବ ଜାରି, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା
Follow Us