ଭୁବନେଶ୍ବର/ବାସୁଦେବପୁର: ବିଜେଡିର ଭଦ୍ରକଜିଲ୍ଲା ସଂଗଠନରେ ହଲ୍ଚଲ୍ ସୃଷ୍ଟି ହୋଇଛି। ଜଣଙ୍କ ପରେ ଜଣେ ବ୍ଲକ୍ ଅଧ୍ୟକ୍ଷ ଇସ୍ତଫା ଦେଇ ଏବେ ଦଳର ମୁଣ୍ଡବ୍ୟଥା ବଢ଼ାଇଛନ୍ତି। ଦୁଇଦିନ ତଳେ ବିଜେଡି ସମର୍ଥିତ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଥିଲେ। ଆଜି ପୁଣି ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ଦଳ ଛାଡ଼ିଛନ୍ତି। ଦଳରୁ ଇସ୍ତଫା ଦେଇଥିବା ଚାରି ଜଣ ଯାକ ଅଧ୍ୟକ୍ଷ ଖୁବ୍ଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି। ଭଦ୍ରକ ଜିଲ୍ଲା ରାଜନୀତିରେ ସୃଷ୍ଟି ହୋଇଥିବା ଏହି ହଟଚମଟ ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇ ଦେଇଛି। ଜିଲ୍ଲାର ନେତାମାନେ ଆଜି ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।
ନବୀନଙ୍କୁ ଭେଟିଲେ ବିଧାୟକ, ବରିଷ୍ଠ ନେତା
ଦୁର୍ଗ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ
ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ବ୍ଲକ୍ ବିଜେଡି ହାତରୁ ଖସିବାରେ ଲାଗିଛି। ତେବେ ଭଦ୍ରକରେ ଚାରି ଅଧ୍ୟକ୍ଷଙ୍କ ସହ ଅନେକ ସମିତିସଭ୍ୟ ମଧ୍ୟ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ଏହି ବ୍ଲକ୍ଗୁଡ଼ିକ ବିଜେଡି ହାତରୁ ଖସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏବେ ବି ରାଜ୍ୟର ଅଧିକାଂଶ ବ୍ଲକ୍ରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଅଛନ୍ତି। କିନ୍ତୁ ଭଦ୍ରକର ପ୍ରଭାବ କାଳେ ଅନ୍ୟ ଜାଗାରେ ପଡ଼ିବ, ସେହି ଆଶଙ୍କାରେ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଆଜି ନବୀନ ନିବାସରୁ ଡାକରା ପାଇ ଭଦ୍ରକର ସବୁ ବରିଷ୍ଠ ନେତା ଓ ବିଧାୟକ ସେଠାରେ ପହଞ୍ଚି ସଭାପତିଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ଏକାଠି ହୋଇ କାମ କରିବାକୁ ନବୀନ ପରାମର୍ଶ ଦେଇଥିଲେ। ନବୀନ ନିବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଥିଲେ ଜିଲ୍ଲାର ଦୁଇ ବିଧାୟକ ବ୍ୟୋମକେଶ ରାୟ ଓ ସଞ୍ଜୀବ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ଓ ଧାମନଗରର ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ।
ସେଠାରୁ ବାହାରିଲା ପରେ ଗଣମାଧ୍ୟମକୁ ବିଧାୟକ ଶ୍ରୀ ରାୟ କହିଥିଲେ, ବ୍ଲକ୍ ଅଧ୍ୟକ୍ଷମାନେବିଜେଡି ଛାଡ଼ିବା ଦ୍ବାରା ସଂଗଠନ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ସେମାନଙ୍କୁ ସମିତିସଭ୍ୟ ଓ ବିଧାୟକମାନେ ଅଧ୍ୟକ୍ଷ କରାଇଥିଲେ। ତେବେ ବିଜେପି ପକ୍ଷରୁ ବ୍ଲକ୍ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ଧମକଚମକ ଦିଆଯାଇ ଭୟଭୀତ କରାଯାଉଛି। ସେମାନଙ୍କ ଉପରେ ଚାପ ପକାଇ ବିଜେପିରେ ଯୋଗ ଦେବାକୁ ବାଧ୍ୟ କରାଯାଉଛି। ଭଦ୍ରକ ଜିଲ୍ଲାରେ ବିଜେଡିର ସଂଗଠନ ମଜଭୁତ ଅଛି ଓ ରହିବ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ। ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଲେ, ହାତୀ ମଲେ ଲକ୍ଷେ, ଜିଇଁଲେ ବି ଲକ୍ଷେ। ଯେଉଁମାନେ ଦଳ ଛାଡ଼ିଲେ ସେମାନେ ଦଳରେ ରହିବା ନ ରହିବା କିଛି ଫରକ ପଡ଼ିବନି। ଜିଲ୍ଲାର ସବୁ ନେତା ମିଶି ବିଜେଡିକୁ ଆହୁରି ଦୃଢ଼ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/02/dagdagdg-2025-12-02-01-38-09.jpg)