Advertisment

Literature: ଗୌରହରି ଦାସଙ୍କ ଏଥର ଜୀବନର ଜଳଛବିରେ ‘ଜଖମ ହୃଦୟ’...

Advertisment

ହାତରେ କେଇଖଣ୍ଡ ଖବରକାଗଜ ଧରି ଘର ଭିତରକୁ ପଶି ଆସୁ ଆସୁ ସିଦ୍ଧାର୍ଥ ନରୋତ୍ତମଙ୍କ ଉଦ୍ଦେଶ୍ୟରେ କହିଲେ, ‘‘କ’ଣ ଏମିତି ତୁମର ଭାଙ୍ଗିରୁଜିଗଲା ଯେ ତୁମେ ଏତେ ବ୍ୟସ୍ତ ହୋଇପଡୁଛ? ଅଦିନ ଝଡ଼ଟା ଅବଶ୍ୟ କିଛି କ୍ଷତି କରିଯାଇଛି। କିନ୍ତୁ ଝଡ଼ର ସ୍ବଭାବ ତ ସେଇଆ।’’

ହାତରେ କେଇଖଣ୍ଡ ଖବରକାଗଜ ଧରି ଘର ଭିତରକୁ ପଶି ଆସୁ ଆସୁ ସିଦ୍ଧାର୍ଥ ନରୋତ୍ତମଙ୍କ ଉଦ୍ଦେଶ୍ୟରେ କହିଲେ, ‘‘କ’ଣ ଏମିତି ତୁମର ଭାଙ୍ଗିରୁଜିଗଲା ଯେ ତୁମେ ଏତେ ବ୍ୟସ୍ତ ହୋଇପଡୁଛ? ଅଦିନ ଝଡ଼ଟା ଅବଶ୍ୟ କିଛି କ୍ଷତି କରିଯାଇଛି। କିନ୍ତୁ ଝଡ଼ର ସ୍ବଭାବ ତ ସେଇଆ।’’

pp

Photograph: (sambad.in)

ଜଖମ ହୃଦୟ

ଜୀବନର ଜଳଛବି 

ଗୌରହରି ଦାସ

ହାତରେ କେଇଖଣ୍ଡ ଖବରକାଗଜ ଧରି ଘର ଭିତରକୁ ପଶି ଆସୁ ଆସୁ ସିଦ୍ଧାର୍ଥ ନରୋତ୍ତମଙ୍କ ଉଦ୍ଦେଶ୍ୟରେ କହିଲେ, ‘‘କ’ଣ ଏମିତି ତୁମର ଭାଙ୍ଗିରୁଜିଗଲା ଯେ ତୁମେ ଏତେ ବ୍ୟସ୍ତ ହୋଇପଡୁଛ? ଅଦିନ ଝଡ଼ଟା ଅବଶ୍ୟ କିଛି କ୍ଷତି କରିଯାଇଛି। କିନ୍ତୁ ଝଡ଼ର ସ୍ବଭାବ ତ ସେଇଆ।’’

ନରୋତ୍ତମ ଦୋଷ ମାନିବା ହସ ହସିଲେ। ଗଲା ମଙ୍ଗଳବାର ସଞ୍ଜରେ ଝଡ଼ ବୋହୁଥିବା ସମୟରେ ସିଦ୍ଧାର୍ଥ ଫୋନ୍‌ କରିଥିଲେ। ସେତେବେଳକୁ ବିଜୁଳି ଚାଲିଯାଇଥିଲା ଓ ଝରକାବାଟେ ବର୍ଷାଛିଟା ପଶିଆସି ପରଦା ଓ କାର୍ପେଟ୍‌ ଭିଜେଇ ଦେଇଥିଲା। ଏତିକି ଯେପରି ଯଥେଷ୍ଟ ନ ଥିଲା ଯେ ସେତିକିବେଳେ ପବନ ଧକ୍କାରେ ଚମ୍ପାଗଛର ଶୁଖିଲା ଡାଳଟେ ଖସିପଡ଼ି ପାଚେରି ପାଖରେ ଥିବା ତାଙ୍କ ଗାଡ଼ି ଉପରେ ପଡ଼ିଥିଲା। ଏଥିରେ ବିବ୍ରତ ହୋଇ ସେ ସିଦ୍ଧାର୍ଥଙ୍କୁ ଫୋନ୍‌ରେ କହିଥିଲେ‌ ‌ଯେ- ଗଲା, ଗଲା, ସବୁ ଭାଙ୍ଗିଗଲା।

ସିଦ୍ଧାର୍ଥ କହିଲେ, ‘‘ଅଦିନ ଝଡ଼ ଯେଉଁସବୁ କ୍ଷତି ଘଟେଇଛି ସେସବୁର ଭରଣା ହେଇଯିବ। ତୁମ ଗଛରେ ନୂଆ ଡାଳ ବଢ଼ିବ। ଗାଡ଼ିଟାର ତ କାହିଁ କିଛି କ୍ଷତି ହେଇନାହିଁ। ହଁ, ଝଡ଼ରେ ଜଖମ ସହର ପୁଣି ସଜାଡ଼ି ହେଇ ବସିବ। ତାହା ବଡ଼ କଥା ନୁହେଁ, ମାତ୍ର ମଣିଷ ହୃଦୟର କ’ଣ ହେବ?’’
ସିଦ୍ଧାର୍ଥଙ୍କର କଥାଗୁଡ଼ିକ ସମୟେ ସମୟେ ଅବୁଝା ଲାଗେ। ନରୋତ୍ତମ ତାଙ୍କ ପ୍ରଶ୍ନର ରହସ୍ୟ ବୁଝି ନ ପାରି ପଚାରିଲେ, ‘‘କାହିଁକି? ମଣିଷ ହୃଦୟର କ’ଣ ହେଲା କି?’’
‘ପଢ଼’ କହି ହାତରେ ଧରିଥିବା ଖବରକାଗଜଗୁଡ଼ିକ ନରୋତ୍ତମଙ୍କ ହାତକୁ ବଢ଼େଇଦେଲେ ସିଦ୍ଧାର୍ଥ। ଯୋଉ ଯୋଉ ଖବର କଥା ସେ ଜଣେଇବାକୁ ଚାହୁଥିଲେ ସେଇ ସେଇ ଖବର ଉପରେ ସେ ନାଲି ଦାଗ ଦେଇଥିଲେ।

ଆହୁରି ପଢ଼ନ୍ତୁ- Baba Vanga Predictions 2026: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଚର୍ଚ୍ଚା: ୨୦୨୬ରେ ଯୁଦ୍ଧ ନେଇ ଥିଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନରୋତ୍ତମ ବନ୍ଧୁଙ୍କ ପାଇଁ ଚା ବରାଦ ଦେଇ ଖବରଗୁଡ଼ିକ ପଢ଼ିଲେ।

ପ୍ରଥମଟି ଥିଲା ଲକ୍ଷ୍ନୌର ଶିକ୍ଷିତ ପୁଅ ଅକ୍ଷତ ତା’ ବାପାକୁ ମାରି, ଖଣ୍ଡ ଖଣ୍ଡ କରି କାଟିବାର ଖବର। ବାପା ଚାହୁଥିଲେ, ପୁଅ ପାଠ ପଢୁ, ଡାକ୍ତର ହେଉ, ନିଜ ଗୋଡ଼ରେ ନିଜେ ଠିଆହେଉ। ମାତ୍ର ପୁଅ ଚାହୁଥିଲା, କିଛି ନ କରି ବାପାଙ୍କର ସଂପତ୍ତିବାଡ଼ି ଭୋଗ କରିବ ଓ ଆରାମରେ ରହିବ। ସେଥିପାଇଁ ଯୋଉ ବାପା ଦିନେ ପୁଅକୁ ଆଉଁଶିଦେଇ ଗପ କହିଥିବେ, ସେଇ ବାପାଙ୍କୁ ଖଣ୍ଡ ଖଣ୍ଡ କରି କାଟିବାକୁ ଶିକ୍ଷିତ ପୁଅର ବିବେକ ବାଧା ଦେଲା ନାହିଁ। ତା’ ପାଇଁ ସଂପତ୍ତି ବଡ଼, ସୁଖ ସ୍ବାଚ୍ଛନ୍ଦ୍ୟ ବଡ଼, ବାପା ଏକ ତୁଚ୍ଛା ଭାବପ୍ରବଣତା।
ବିଭୀଷଣ ସେମାନଙ୍କୁ ଚା ଆଣି ଦେଇଗଲା।

ଓଜନିଆ ହୃଦୟରେ ନରୋତ୍ତମ ଆର କାଗଜଖଣ୍ଡିକ ଦେଖିଲେ। କଲିକତା ପାଖ ଗାଁର ବୁଢ଼ୀ ମାଆଟିଏ ବହୁ ଖୋଜାଖୋଜି କରି ନିଜର ଘରକୁ ଫେରିଛି। ସ୍ବାମୀ ମରିଯିବା ପରଠାରୁ, ମାନସିକ ବିକୃତି ଥିବା ସେଇ ମାଆଟି ନିରୁଦ୍ଦିଷ୍ଟ ହୋଇଯାଇଥିଲା। ତାକୁ କଲିକତା‌ର ଏକ ଖ୍ରୀଷ୍ଟିଆନ ଜରାନିବାସ ଆଶ୍ରୟ ଦେଇ ଦୀର୍ଘକାଳ ବଞ୍ଚେଇ ରଖିଥିଲା। ଏବେ ଠିକଣା ଖୋଜି ମାଆ ଆସି ଘରେ ପହଞ୍ଚିବାବେଳକୁ ପୁଅବୋହୂ ତାକୁ ଘରେ ପୂରେଇବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ବିଚାରରେ ଖ୍ରୀଷ୍ଟିଆନ ଜରାଶ୍ରମରେ ରହିଥିବା ଅପରାଧ ଯୋଗୁଁ ମାଆ ତା’ର ଜାତି ହରେଇଛି!
ଖବରଟା ପଢ଼ିସାରିବାବେଳକୁ ନରୋତ୍ତମଙ୍କ ଆଖିରୁ ଲୁହ ବୋହିଆସିଥିଲା। ସେ ସେହି ମାଆ ଭିତରେ ଅବା ନିଜକୁ ଦେଖୁଥିଲେ। ଅନ୍ୟ କାଗଜଖଣ୍ଡିକ ପଢ଼ିବାଲାଗି ଆଉ ତାଙ୍କର ଧୈର୍ଯ୍ୟ ନ ଥିଲା। ସେ ସେଇଟିକୁ ସିଦ୍ଧାର୍ଥଙ୍କୁ ଫେରେଇ ଦେଉଥିଲେ।
ସିଦ୍ଧାର୍ଥ ବାଧ୍ୟ କଲା ପରି କହିଲେ, ‘‘ନା, ନା ଅନ୍ତତଃ ଏଇ ଗୋଟିକ ପଢ଼! ବାହାରର ଦୁଃଖ କଥା ଜାଣୁ ନ ଥିବାରୁ ନିଜ ସମସ୍ୟା ଗୁରୁତର ହୋଇ ତୁମ ଆଗରେ ଉଭା ହେଉଛି!’’

ଆହୁରି ପଢ଼ନ୍ତୁ- Editorial: ଜାନକୀଶ ବଡ଼ପଣ୍ଡାଙ୍କ ଆଶା ଓ ଆକାଶ ସଂପାଦକୀୟରେ ‘ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମ୍ଭବ’...

ନରୋତ୍ତମ ପଢ଼ିଲେ। ଝାଡ଼ଖଣ୍ଡର ଜାମସେଦପୁର ପାଖ କଲେୟା ଗାଁର ଖବର ଥିଲା ସେଇଟି। ସେଇ ଗାଁରେ କୋଲହଣ ସିକୁ ତା’ ସ୍ତ୍ରୀ ଓ ବର୍ଷକର ପୁଅକୁ ନେଇ ରହୁଥିଲା। ତା’ର ନିଜର ବୟସ ଚାଳିଶ, ତା’ ସ୍ତ୍ରୀ ଜ୍ୟୋତିର ଏକତିରିଶ। ସେଦିନ ସଞ୍ଜରେ ସେମାନେ ତିନିହେଁ ଘରେ ଥିଲେ। କିଏ ଜଣେ ଆସି କବାଟ ଖଡ଼ଖଡ଼ କଲା। ପୁଅକୁ କାଖରେ ଧରି ଜ୍ୟୋତି ଯାଇ କବାଟ ଖୋଲିଲା। ତିନି ଚାରିଜଣ ଗାଁ ଲୋକ ଭିତରକୁ ଧସେଇ ପଶିଆସିଲେ। ତାଙ୍କ ଭିତରୁ ଜଣେ ସିକୁକୁ କହିଲା, ତୋ ସ୍ତ୍ରୀ ଗୋଟେ ଡାଆଣୀ। ସେ ଗୁଣିଟୁଣି କରି ଗାଁର ସମସ୍ତଙ୍କୁ ହଇରାଣ କରୁଛି। ଜ୍ୟୋତି ଏହାର ଜବାବ ଦେବା ଆଗରୁ ସେଇ ଲୋକମାନଙ୍କ ଭିତରୁ ଜଣେ ସାଙ୍ଗରେ ଆଣିଥିବା ପେଟ୍ରୋଲତକ ତା’ ଉପରେ ଢାଳି ନିଆଁ ଲଗେଇ ଦେଇଥିଲା। ସେଇ ନିଆଁରେ ପୁଅକୁ କୋଳରେ ଧରି ମାଆ ଜ୍ୟୋତି ପୋଡ଼ିଯାଇଥିଲା।

ନରୋତ୍ତମ ଅସହାୟ ଦୃଷ୍ଟିରେ ସିଦ୍ଧାର୍ଥଙ୍କୁ ଚାହିଁଲେ।

ସିଦ୍ଧାର୍ଥ କହିଲେ, ‘‘ଘୃଣା ଓ ହିଂସା ସବୁଠାରୁ ସଂକ୍ରାମକ। ଚାହୁଁ ଚାହୁଁ ଏହା ସବୁ ନଷ୍ଟ କରିଦିଏ। ଏହା ଭାବିବାକୁ ସମୟ କି ଯୁକ୍ତି ଦିଏ ନାହିଁ ଯେ ଗୋଟିଏ ଦରିଦ୍ର ସ୍ତ୍ରୀଲୋକ ସାରା ଗାଁକୁ ଗୁଣିଟୁଣି କରି ହଇରାଣ କରିପାରିଲା କିପରି? ଏହାପରେ ବି କ’ଣ ତୁମେ କହିବ, ମଣିଷ ଭିତରର ହୃଦୟ ଭଲ ଅଛି?’’
: ହେ ଭଗବାନ! ଜଣେ ମଣିଷକୁ କେମିତି ନିଆଁ ଲଗେଇ ପୋଡ଼ିଦିଆଯାଇପାରେ? - ନରୋତ୍ତମ ପଚାରିଲେ।
: ଉପରକୁ ଅନାଅ। ନା, ଆକାଶକୁ ନୁହେଁ, ବଡ଼ ବଡ଼ ମଣିଷଙ୍କ କାରବାରକୁ। ଆଜି ବି କାହାକୁ ବିରୋଧ କରିବା ଦରକାର ପଡ଼ିଲେ ପ୍ରତିପକ୍ଷ ରାଜନୈତିକ ଦଳ ସେ ନେତାର କୁଶପୁତ୍ତଳିକା ଦାହ କରୁଛି। ଏହା ପଛର ଯୁକ୍ତି କ’ଣ? ମଧ୍ୟଯୁଗୀୟ ୟୁରୋପରେ ପଳାୟନ କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିଆଣି ପୋଡ଼ିଦିଆଯାଉଥିଲା। କୁଶପୁତ୍ତଳିକା ଦାହ ପଛରେ କ’ଣ ସେଇ ପ୍ରକାର ଜାନ୍ତବ ମାନସିକତା ଓ ପ୍ରତିଶୋଧ ପରାୟଣତା ନାହିଁ? ବିରୋଧୀ ନେତାର ଫଟୋକୁ ତଳେ ପକାଇ ତାକୁ ପାଦରେ ଦଳିମକଚି, କୋଉଠି ତା’ କଟ୍‌ଆଉଟ୍‌ ଗଳାରେ ଜୋତାମାଳ ପକେଇ ଜନନେତାମାନେ ସମାଜ ପାଇଁ କି ଉଦାହରଣ ସୃଷ୍ଟି କରିଥାନ୍ତି?
କିନ୍ତୁ ସତରେ କ’ଣ ଆଉ ସଜାଡ଼ି ହେବନାହିଁ ମଣିଷର ଜଖମ ହୃଦୟ? ପଶୁସମ ଜାନ୍ତବ ଉଲ୍ଲାସ ବଦଳରେ ଫେରିଆସିବ ନାହିଁ ପ୍ରେମ କି କରୁଣା ମଣିଷର ହୃଦୟକୁ?
: ମୁଁ ବି ବେଳେବେଳେ ଏକଥା ଭାବେ। ଏକଦା ବିକଳାଙ୍ଗ ଗନ୍ଧର୍ବମାନଙ୍କୁ ମହାଦେବ ଯେମିତି ସଜାଡ଼ି ଦେଇଥିଲେ, ସେମିତି କୋଉ ଦେବତା ଏ ମଣିଷକୁ ସଜାଡ଼ି ଦେଇପାରନ୍ତେନି!

ଆହୁରି ପଢ଼ନ୍ତୁ- India indies super 8: ସଂଖ୍ୟାରେ ଭାରତ-ଇଣ୍ଡିଜ୍‌ ସୁପର୍-୮ ମ୍ୟାଚ୍‌ ରେକର୍ଡ

ନରୋତ୍ତମ ସିଦ୍ଧାର୍ଥଙ୍କୁ ଶୁଣୁଥିଲେ।
: ଥରେ ଭ୍ରମଣ କରୁଥିବା ସମୟରେ ଦେବର୍ଷି ନାରଦ ଦେଖିଲେ ସେ ଗନ୍ଧର୍ବମାନେ ବିକଳାଙ୍ଗ ଓ ବିକଳ ଚେହେରା ନେଇ ଦୁଃଖରେ ଶଢୁଛନ୍ତି। ସେଇ ଗନ୍ଧର୍ବମାନେ ପ୍ରତ୍ୟେକେ ଥିଲେ ସଂଗୀତର ଗୋଟିଏ ଗୋଟିଏ ରାଗର ଅଧିକାରୀ। ଏ ଦୁର୍ଦ୍ଦଶାର କାରଣ ପଚାରିବାରୁ ସେମାନେ ଉତ୍ତର ଦେଇଥିଲେ- ଯେତେବେଳେ ବି କୌଣସି ଅପରିପକ୍ବ ଗାୟକ ଭୁଲ୍‌ଭାଲ୍‌ ରାଗରେ ଗୀତ ଗାଏ, ସେତେବେଳେ ସେହି ରାଗର ଅଧିକାରୀ ଗନ୍ଧର୍ବକୁ ତାହାର ଆଘାତ ସହିବାକୁ ହୁଏ। ଏହିପରି ପ୍ରକ୍ରିୟାରେ ଆଜି ସବୁ ଗନ୍ଧର୍ବ ବିକଳାଙ୍ଗ। ସଂସାରର ଗାୟକମାନେ ରାଗ ହୁଡ଼ିଛନ୍ତି, ତେଣୁ ଗନ୍ଧର୍ବମାନେ ହରେଇଛନ୍ତି ସେମାନଙ୍କର ଦିବ୍ୟ ସୁନ୍ଦର ଚେହେରା। ଏହାର ସମାଧାନ କ’ଣ - ନାରଦ ପଚାରି‌ଥିଲେ। ଗନ୍ଧର୍ବ-ମୁଖ୍ୟ ଉତ୍ତର ଦେଇଥିଲେ, କେହି ଶାସ୍ତ୍ରବିତ୍‌ ତ୍ରୁଟିଶୂନ୍ୟ ଭାବରେ ଯଦି ସଂଗୀତ ଗାୟନ କରନ୍ତି ତାହାର ପ୍ରଭାବରେ ସେମାନେ ପୁଣି ଫେରିପାଆନ୍ତେ ଅପହୃତ ସୌନ୍ଦର୍ଯ୍ୟ।
ସମଗ୍ର ବିଶ୍ବରେ ସେ ପ୍ରକାର ତ୍ରୁଟିଶୂନ୍ୟ ଗାୟକ ଥିଲେ ମାତ୍ର କେବଳ ଜଣେ, ଦେବଦେବ ମହାଦେବ।

ମହାଦେବ ଗୀତ ଗାଇବାକୁ ରାଜିହେଲେ। ମାତ୍ର ତାଙ୍କର ଗୀତ ଶୁଣିବାଲାଗି ଯୋଗ୍ୟ ଶ୍ରୋତା ପ୍ରୟୋଜନ। ଶ୍ରୋତା ଭାବେ ଆସିଲେ ବିଷ୍ଣୁ ଓ ବ୍ରହ୍ମା। ଶିବ ଗୀତ ଗାଇଲେ। ଦିନ ପରେ ଦିନ। ସେ ଗୀତ ଶୁଣି ବିଷ୍ଣୁ ବିଗଳିତ ହେବାକୁ ଲାଗିଲେ। ଗନ୍ଧର୍ବମାନେ ସେହି ଗୀତ ଶ୍ରବଣରେ ଫେରିପାଇଲେ ତାଙ୍କର ସୌନ୍ଦର୍ଯ୍ୟ। ବୈକଲ୍ୟ, ବିକଳାଙ୍ଗପଣ ଦୂରେଇଗଲା। ସଜାଡ଼ି ହୋଇଗଲା ସେମାନଙ୍କର ଜଖମ ଚେହେରା।
: ସେଦିନ ଶିବ ଯେଉଁ ଭୂମିକା ନେଇଥିଲେ, ଆଜି ସେ ଭୂମିକା କିଏ ନେବ? ଆମେ ସମସ୍ତେ ନିଜ ନିଜ ସମସ୍ୟା ନେଇ ଦୁଃଖୀ। ଆମର ଦୁଃଖ ଭାର ଯୋଗୁଁ ପୃଥିବୀର ବିଷାଦଗ୍ରସ୍ତ ଦେଶ ତାଲିକାରେ ଭାରତ ବହୁତ ଆଗରେ। - ନରୋତ୍ତମ ଉତ୍ତର ଦେଲେ।

ଚା କପ୍‌ଟି ଧରି ସିଦ୍ଧାର୍ଥ ଝରକା ବାଟେ ଚମ୍ପାଗଛକୁ ଦେଖୁଥିଲେ। ପୁରୁଣା ପତ୍ର ଝଡ଼ିଯାଇଥିବା ଗଛଟିର ଶାଖାରେ କୁନି କୁନି ନୂଆପତ୍ରର ସବୁଜ ପ୍ରତିଶ୍ରୁତି।
: କ’ଣ ଭାବୁଛ? - ନରୋତ୍ତମ ପଚାରିଲେ।
: ଯୋଉଦିନ ମଣିଷ ନିଜକୁ ପଛରେ ରଖି ଅନ୍ୟର କଥା ଆଗେ ଚିନ୍ତା କରିବ ସେଇଦିନ ହୃଦୟସଜଡ଼ା ଯଜ୍ଞର ସୂତ୍ରପାତ ହେବ। ନା ଅର୍ଥ ନା ଶିକ୍ଷା ନା ଯଶ ନା ପଶୁବଳ - କୌଣସିଟି ଜଖମ ହୃଦୟକୁ ସଜାଡ଼ି ପାରିବ ନାହିଁ। ତାହା ସଜାଡ଼ି ପାରିବେ କେବଳ ଶିବ, ଯିଏ ମଣିଷ ଅନ୍ତରରେ ଥିବା କରୁଣାର କୈଳାସରେ ଅଧିଷ୍ଠିତ। ତାଙ୍କର ଆବାହନୀ ପାଇଁ ମଣିଷ ପ୍ରସ୍ତୁତ ତ!

ମୋ: ୯୪୩୭୦୭୭୨୮୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe