ଆତତାୟୀ
ଗୌରହରି ଦାସ
ଟ୍ୟାକ୍ସିର କାଚଦେଇ ସିଦ୍ଧାର୍ଥ ବିମାନବନ୍ଦରର ପାଚେରି କଡ଼ରେ, ବେଶ୍ କିଛି ଦୂର ପର୍ଯ୍ୟନ୍ତ ଫୁଟିଥିବା ବାଇଗଣି ରଙ୍ଗର ନାଁ ଅଜଣା ଫୁଲଗୁଡ଼ିକର ଶୋଭା ନିରୀକ୍ଷଣ କରୁଥିଲେ। ଗୋଟିଏ ଜାଗାରେ ଫୁଲଗଛଗୁଡ଼ିକ ଡେଙ୍ଗା ହୋଇ ବଢ଼ିଥିଲା ଓ ତା’ର ଫୁଲଗୁଡ଼ିକ ଅଧିକ ସୁନ୍ଦର ଦିଶୁଥିଲା। ମାତ୍ର ଏ ପ୍ରକାର କୋମଳ ଅନୁଭବ ବେଶି ସମୟ ରହିଲା ନାହିଁ, ଦେଖୁ ଦେଖୁ ଟ୍ରକ୍ଟିଏ ପାଚେରି କଡ଼ର ସେହି ଘାସଫୁଲ ଗଛଗୁଡ଼ାକ ଉପରେ ଅଜାଡ଼ି ଦେଇଗଲା ଇଟା, ସିମେଣ୍ଟ ଓ ଗ୍ରାନାଇଟ୍ ପଥରର ଟୁକୁଡ଼ା। ଫୁଲଗଛଗୁଡ଼ିକର ଯନ୍ତ୍ରଣା ଓ ଟ୍ରକ୍ ଡ୍ରାଇଭରର ବିଚାରଶୂନ୍ୟତା ଉଭୟ କଳ୍ପନା କରି ସିଦ୍ଧାର୍ଥ ଭିତରେ ଭିତରେ ବେଦନା ଅନୁଭବ କଲେ। ଆଗରୁ ତିବ୍ବତରେ ଗୋଟିଏ ଆଇନ ଥିଲା, ଯାହା ଅରମା ସ୍ଥାନ ସହ ରାସ୍ତାକଡ଼ର ଘାସଫୁଲଗୁଡ଼ିକୁ ମଧ୍ୟ ସୁରକ୍ଷା ଦେଉଥିଲା। ଆମ ଦେଶରେ ସେପରି ଆଇନ ଲାଗୁ ହୁଅନ୍ତା କି - ସିଦ୍ଧାର୍ଥ ଭାବିଲେ।
ଜାମସେଦପୁର ଏୟାରପୋର୍ଟଟି ଗୋଳଚହଳ ଥିବା ଏୟାରପୋର୍ଟ ନୁହେଁ। ଏଇଟି ମୁଖ୍ୟତଃ ଟାଟା କମ୍ପାନିର ଘରୋଇ ବିମାନବନ୍ଦର। କିଛିଦିନ ହେଲା ଏଠୁ ନଅ ସିଟ୍ବିଶିଷ୍ଟ ଛୋଟିଆ ବିମାନ କେତୋଟି ଜାଗାକୁ ଯା-ଆସ କରୁଅଛି। ସିଦ୍ଧାର୍ଥ ଚାରିଆଡ଼କୁ ଅନେଇଲେ। ଜଣେ ମାତ୍ର ମହିଳା ଯାତ୍ରୀ ଆସି ବସିଛନ୍ତି। ସିଦ୍ଧାର୍ଥ ଗେଟ୍ ପାଖରେ ବସିଥିବା କର୍ମଚାରୀଙ୍କୁ ପଚାରିଲେ, ‘‘ଆଜି ପ୍ଲେନ୍ ଭୁବନେଶ୍ବର ଯିବ ତ?’’ ଭଦ୍ରଲୋକ ହସିଦେଇ କହିଲେ, ‘‘ଯିବ, ଆପଣ ବସନ୍ତୁ।’’
କିଛି ସମୟ ପରେ ଆଉ ଜଣେ ବୟସ୍କ ଯାତ୍ରୀ ଆସିଲେ। ସେମାନେ ଏବେ ତିନିଜଣ। ସ୍ବସ୍ତିର ନିଃଶ୍ବାସ ନେଲେ ସିଦ୍ଧାର୍ଥ। ଆଗରୁ ଥରେ ସେ ଗୋଟେ ଛୋଟ ବିମାନରେ କୋଉଠିକୁ ଯାଇଥିଲେ, ଯୋଉଥିରେ ମାତ୍ର ଦୁଇଜଣ ଯାତ୍ରୀ ଥିଲେ। ସେଦିନ ବି ବିମାନଟି ଯାଇଥିଲା। ଆଜି ତ ତିନିଜଣ ହେଲେଣି!
ଆଗରୁ ଆସି ଅପେକ୍ଷା କରିଥିବା ଭଦ୍ରମହିଳା ଜଣକ ଉଠିଆସି ଟିକିଏ ଛୋଟେଇ ଛୋଟେଇ ଚାଲୁଥିବା ଏହି ବୟସ୍କ ଭଦ୍ରଲୋକଙ୍କୁ ପଚାରିଲେ, ‘‘ଆପଣ ତରୁଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ?’’
ଭଦ୍ରଲୋକ ହସିଦେଇ କହିଲେ, ‘‘ହଁ, ମାତ୍ର ଆପଣଙ୍କୁ ମୁଁ ଚିହ୍ନିପାରିଲି ନାହିଁ।’’ ଭଦ୍ରମହିଳା କହିଲେ, ‘‘ଆପଣଙ୍କୁ ସିନା ଆମେ ଟେଲିଭିଜନ୍ ଓ ଖବରକାଗଜରେ ଦେଖୁ ବୋଲି ଚିହ୍ନିଥାଉ, ମାତ୍ର ଆପଣ ଆମକୁ ଚିହ୍ନନ୍ତେ କିପରି? ଆପଣ ‘ପ୍ରତ୍ୟହ’ ଖବରକାଗଜର ସଂପାଦକ ଥିଲେ ନା?’’ ଏତକ କହି ଭଦ୍ରମହିଳା ସିଦ୍ଧାର୍ଥଙ୍କ ଆଡ଼କୁ ଅନେଇଲେ। ସିଦ୍ଧାର୍ଥ ଜାଣିପାରିଲେ, ମହିଳା ଜଣକ ତରୁଣ ମହାପାତ୍ରଙ୍କ ପାଖରେ ବସିବାକୁ ଚାହୁଛନ୍ତି। ସିଦ୍ଧାର୍ଥ ନିଜ ଜାଗାରୁ ଦୂରକୁ ଘୁଞ୍ଚିଯାଇ ଭଦ୍ରମହିଳାଙ୍କ ପାଇଁ ଜାଗା ଛାଡ଼ିଦେଲେ।
ଭଦ୍ରମହିଳା ତାଙ୍କ ପରିଚୟ ଦେଲେ- ସୁମିତ୍ରା ପାଟ୍ଟଯୋଷୀ। ତାଙ୍କ ଘର କଳାହାଣ୍ଡିର ନର୍ଲାରେ। ସେ ଦିଲ୍ଲୀରୁ ରାଜନୀତି ବିଜ୍ଞାନରେ ଏମ୍.ଏ. କରିବା ପରେ ଜାମସେଦପୁରରେ ଅଧ୍ୟାପନା କରୁଛନ୍ତି। ତାଙ୍କ ବାପା ଓଡ଼ିଶା ରୋଡ୍ ଟ୍ରାନ୍ସପୋର୍ଟ କମ୍ପାନିର କଣ୍ଡକ୍ଟର ଥିଲେ। ତାହା ଅବଶ୍ୟ ଅନେକ ଦିନ ତଳର କଥା।
ସିଦ୍ଧାର୍ଥ ଭଦ୍ରମହିଳାଙ୍କ କଥାଆଡ଼େ କାନ ଦେଇଥିଲେ ବି ଆଖପାଖରେ ଚା କି କଫି ଦୋକାନଟେ ଖୋଜି ହେଉଥିଲେ। ଆଜି ସେ ମଧ୍ୟାହ୍ନ ଭୋଜନ ପାଇଁ ସମୟ ପାଇ ନ ଥିଲେ। ଶୃଙ୍ଖଳିତ ବିମାନଯାତ୍ରୀ ସାଜି ଦି’ଘଣ୍ଟା ଆଗରୁ ଆସି ନ ଥିଲେ ଆରାମରେ ଖାଇବା କାମ ସାରି ସେ ଆସିପାରିଥାନ୍ତେ।
: ଆପଣ କୌଣସି ଖବର ଛାପିବା ଆଗରୁ ତା’ର ସତ୍ୟାସତ୍ୟ ବୁଝିବାର ଚେଷ୍ଟା କରନ୍ତି ନା ଅଭିଯୋଗକାରୀ ଦୁର୍ଯ୍ୟୋଧନ ହୋଇ ଯାହା କହିଲା ଆପଣ ଦୁଃଶାସନ ହୋଇ ସେଇ କଥାକୁ କାର୍ଯ୍ୟକାରୀ କରନ୍ତି? - ସୁମିତ୍ରା ପଚାରୁଥିଲେ।
ସିଦ୍ଧାର୍ଥ ମୁହଁ ବୁଲେଇ ଲକ୍ଷ୍ୟ କଲେ, ଏପ୍ରକାର କଠୋର ମନ୍ତବ୍ୟରେ ତରୁଣ ମହାପାତ୍ରଙ୍କ ମୁହଁରୁ ହସ ଲିଭିଗଲା। ସେ ନରମ ଗଳାରେ ପଚାରିଲେ, ‘‘ଏହା ଆପଣଙ୍କ ନିଜ ଅନୁଭୂତି ନା କାହାର ମତକୁ ଆପଣ ଉଦ୍ଧାର କରୁଛନ୍ତି?’’
ସୁମିତ୍ରା କହିଲେ, ‘‘ଯୋଉ ଘଟଣା ପାଇଁ ଆମ ପରିବାରର ତିରିଶ ବର୍ଷ ଅପମାନ ଓ ଯମଯନ୍ତ୍ରଣାରେ ବିତିଗଲା ତାହା ମୋର ନିଜ ଅଭିଜ୍ଞତାର କଥା। ଯେତେେବଳେ ଏ ଘଟଣା ଘଟିଥିଲା, ସେତେବେଳେ ମୁଁ ସ୍କୁଲ୍ରେ ପଢୁଥିଲି। ଆପଣଙ୍କ କାଗଜର ଗୋଟେ ମିଛ ରିପୋର୍ଟ ଆମ ପରିବାରର ସୁଖଶାନ୍ତି ସବୁକିଛି ଛଡ଼େଇ ନେଇଥିଲା ବୋଲି ଆପଣ ବିଶ୍ବାସ କରିବେ?’’
ଆହୁରି ପଢ଼ନ୍ତୁ- Meeting: ବୈଠକରେ ସମାଧାନ: କୁଳରେ ସାମିଲ ହେଲେ ବାସନ୍ଦ ଅତିରିକ୍ତ ତହସିଲଦାର
ତରୁଣ ମହାପାତ୍ର ଆତ୍ମରକ୍ଷା ପାଇଁ ଯୁକ୍ତି କଲେ, ‘‘କ’ଣ ଥିଲା ସେ ଖବର?’’
: ଆପଣଙ୍କ କାଗଜ ତିରିଶ ବର୍ଷ ତଳେ ରିପୋର୍ଟ ଛାପିଥିଲା, ମୋ ବାପା ଲାଞ୍ଚ ନେଇ ପାସେଞ୍ଜରଙ୍କୁ ବିନା ଟିକେଟ୍ରେ ବସ୍ରେ ନିଆ-ଅଣା କରୁଥିଲେ। ଦି’ଜଣ ପାସେଞ୍ଜରଙ୍କ ମିଛ ସାକ୍ଷୀକୁ କେନ୍ଦ୍ର କରି ତାଙ୍କ ବିଭାଗ ତାଙ୍କୁ ସସ୍ପେଣ୍ଡ୍ କରିଥିଲା। ଏ ଖବର ଆପଣଙ୍କ ସମ୍ବାଦପତ୍ର ବିସ୍ତୃତ ଭାବରେ ଛାପିଥିଲା। ଶିରୋନାମା ଦେଇଥିଲା- ବାଡ଼ ଖାଉଛି ଫସଲ।
: ତା’ପରେ?
: ବାପା ଚାକିରିରୁ ବହିଷ୍କୃତ ହେଲେ। ସାହିପଡ଼ିଶା, ବନ୍ଧୁବାନ୍ଧବ ଆମ ସହ ସଂପର୍କ କାଟିଦେଲେ। ସ୍କୁଲ୍ରେ ମୋ ସାଙ୍ଗମାନେ ଦେଖେଇ ଶିଖେଇ ନାନା କଥା କହିଲେ। ଆମେ ଶେଷକୁ ବ୍ରହ୍ମପୁର ଛାଡ଼ି ଅନ୍ୟତ୍ର ଚାଲିଆସିଲୁ। ଏସବୁ କଥା ଭାବି ଭାବି ବାପା ଶଯ୍ୟାଶାୟୀ ହୋଇଗଲେ।
: ଦୁଃଖର କଥା।
: ଏହା ତ କିଛି ନୁହେଁ। ମୋତେ ସେତେବେଳକୁ ସତର ଅଠର ବର୍ଷ। ବାପା ଅସୁସ୍ଥ ହୋଇପଡ଼ିବା ପରେ ମୁଁ ଓକିଲଙ୍କ ପାଖକୁ ଯାଉଥାଏ। ଜଣେ ସଂପର୍କୀୟ ଭାଇ ମୋତେ ନେବା ଆଣିବାରେ ସାହାଯ୍ୟ କରୁଥାନ୍ତି। ଦିନେ ତାଙ୍କ ନାଁ ସହ ମୋ ନାମ ମିଶାଇ ଆପଣଙ୍କର କ୍ରାଇମ୍ ରିପୋର୍ଟର ସୁରେଶ ଧଳସାମନ୍ତ ଗୋଟିଏ ‘ବକ୍ସ ନ୍ୟୁଜ୍’ ଛାପିଦେଲେ- ଦୁର୍ନୀତିଗ୍ରସ୍ତ କଣ୍ଡକ୍ଟରଙ୍କ ଯୁବତୀ ଝିଅର ଦାୟିତ୍ବ ବୁଝୁଛନ୍ତି ସରକାରୀ ବ୍ୟାଙ୍କ୍ ଅଧିକାରୀ।
: କ’ଣ କରିବା କହିଲେ? ଦୁର୍ଭାଗ୍ୟ! ସୋସିଆଲ୍ ମିଡିଆକୁ ଦେଖୁନାହାନ୍ତି। ରାତି ପାହିଲେ ୟା’ ତା’ ନାଆଁରେ ପୁଳାଏ ମିଛ ଅଭିଯୋଗ। ସୁରେଶ ଜଣେ ଦାୟିତ୍ବହୀନ ରିପୋର୍ଟର ଥିଲା। ସେଥିପାଇଁ ତାକୁ ତିନିବର୍ଷ ପରେ ବାହାର କରିଦିଆଯାଇଥିଲା।
: ମାତ୍ର ସେ ଯୋଉ କଳଙ୍କର ଅପବାଦ ଆମ ଉପରେ ଲଦିଦେଇଗଲେ ତାହା ତ ରହିଲା। ଆପଣଙ୍କର ରିପୋର୍ଟରମାନେ ଏଭଳି ଲେଖନ୍ତି କାହିଁକି? ଅପରପକ୍ଷକୁ କାହିଁକି ଥରେହେଲେ ପଚାରନ୍ତି ନାହିଁ? ସେମାନଙ୍କ ପ୍ରତିବାଦକୁ କାହିଁକି ଡଷ୍ଟବିନ୍କୁ ଫିଙ୍ଗିଦିଆଯାଏ? ସାଧାରଣ ମଣିଷର ବର୍ଷ ବର୍ଷର ଅର୍ଜିତ ମାନସମ୍ମାନ ଉପରେ ଆଙ୍ଗୁଳି ଉଠେଇବା ଲାଗି ତାଙ୍କର ବିବେକ ତାଙ୍କୁ ବାଧା ଦିଏ ନାହିଁ? ସେମାନେ ସାମ୍ବାଦିକ ନା ଆତତାୟୀ?
: ବାପାଙ୍କ କେସ୍ କଥା କ’ଣ ହେଲା? ତରୁଣ ପଚାରିଲେ।
: ଆମେ କେସ୍ ଜିତିଲୁ। ଆମ ଓକିଲ ସେହି ଦୁଇ ସାକ୍ଷୀଙ୍କୁ ପଚାରିଥିଲେ, ‘ବାପାଙ୍କୁ ଲାଞ୍ଚ ଭାବରେ କେତୋଟି କି ପ୍ରକାର ନୋଟ୍ ଦେଇଥିଲେ।’ ଏଇ ଗୋଟିଏ ପ୍ରଶ୍ନର ସେମାନେ ଚାରିପ୍ରକାର ଉତ୍ତର ଦେଇଥିଲେ ବିଭିନ୍ନ ସମୟରେ। ଅସଲ କଥା ଥିଲା, ଭିଡ଼ ଯୋଗୁଁ ଚେକିଂ ସମୟ ବେଳକୁ ବାପା ସେଦିନ ସବୁ ଟିକେଟ୍ କାଟିପାରି ନ ଥିଲେ।
: ଝିଅ ହୋଇ ଆପଣ ଯାହା କରିପାରିଲେ ଅନେକ ପୁଅ ତାହା କରି ନ ଥାନ୍ତେ। କେସ୍ ଜିଣିବା ପରେ ବାପା ଆପଣଙ୍କୁ ଆଶୀର୍ବାଦ କରିଥିବେ।
: କରିଥାନ୍ତେ, ମାତ୍ର କେସ୍ର ରାୟ ବାହାରିବାର ଦୁଇମାସ ଆଗରୁ ବାପା ଆଖି ବୁଜିଦେଇଥିଲେ। ଶେଷ ପର୍ଯ୍ୟନ୍ତ ସେ ଗୁଣୁଗୁଣଉଥିଲେ- ମୁଁ ଲାଞ୍ଚ ନେଇନାହିଁ। ଅଥଚ ଘରଲୋକଙ୍କ ଛଡ଼ା ଅନ୍ୟ କେହି ତାଙ୍କ କଥା ବିଶ୍ବାସ କରୁ ନ ଥିଲେ।
ଆହୁରି ପଢ଼ନ୍ତୁ- SIR ବାହାନାରେ ଲୋକଙ୍କ ଭୋଟଦାନ ଅଧିକାର ଛଡ଼ାଇନିଆଯିବ : ଅଖିଳେଶ
ହଠାତ୍ ସୁମିତ୍ରାଙ୍କ ସ୍ବର ଓଜନିଆ ଶୁଭିଲା। ସିଦ୍ଧାର୍ଥ ଝିଅଟି ଆଡ଼େ ଚାହିଁଲେ। ତାଙ୍କରି ଝିଅ ବୟସର ହେେବ ସୁମିତ୍ରା। ବିଚାରୀ ବାପା ପାଇଁ କେତେ ସଂଘର୍ଷ ସେ ନ କରିଛି!
ସିଦ୍ଧାର୍ଥ ଉଠିଲେ। ତାଙ୍କ କାନ ପାଖରେ ସୁମିତ୍ରାଙ୍କର ଶବ୍ଦଗୁଡ଼ିକ ବାରମ୍ବାର ଶୁଭୁଥିଲା। ଜଣେ ଦି’ଜଣ ଦାୟିତ୍ବହୀନ ଲୋକଙ୍କ ଲାଗି ସାମ୍ବାଦିକତା ପରି ମହତ୍ତ୍ବପୂର୍ଣ୍ଣ ବୃତ୍ତି ନିନ୍ଦିତ ହେଉଛି।
ସୁମିତ୍ରା ଆଗେ ଆଗେ ବିମାନ ଆଡ଼କୁ ଚାଲିଥିଲେ। ମଝିରେ ସିଦ୍ଧାର୍ଥ। ସେ ପଛକୁ ବୁଲି ଦେଖିଲେ, ବରିଷ୍ଠ ସଂପାଦକ ତରୁଣ ମହାପାତ୍ର ମୁଣ୍ଡ ତଳକୁ କରି ଧୀରେ ଧୀରେ ଆସୁଥିଲେ। ସେ ନିଜର ପାଦର ଗତି କମେଇ ତାଙ୍କୁ ଅପେକ୍ଷା କଲେ। ସେ ପାଖ ହେଇଗଲାରୁ ସିଦ୍ଧାର୍ଥ ତାଙ୍କୁ କହିଲେ, ‘‘କିଛି ଭାବିବେ ନାହିଁ। ବିଚାରୀର ପରିବାର ବହୁ ନିର୍ଯାତନା ଭୋଗିଛି।’’
ତରୁଣ ମହାପାତ୍ର ସିଦ୍ଧାର୍ଥଙ୍କର ହାତକୁ ଧରିପକେଇଲେ। ସେ ନିଜ ସହକର୍ମୀଙ୍କ ଅପରାଧ ଲାଗି କ୍ଷମା ମାଗୁଥିଲେ ନା ତଳେ ପଡ଼ିଯିବା ଆଶଙ୍କା ଯୋଗୁଁ ଅବଲମ୍ବନ ଲୋଡୁଥିଲେ ତାହା ସିଦ୍ଧାର୍ଥ ଜାଣିପାରିଲେ ନାହିଁ।
Follow Us