Advertisment

Literature: ନିର୍ମଳ କୁମ୍ଭାରଙ୍କ ଗଳ୍ପ ‘ଦୁଇ ହୃଦୟର ସ୍ୱର’...

Advertisment

ନିଶୀଥ ଓ ବନଜାଙ୍କ ଜୀବନର ଏକମାତ୍ର ସ୍ୱପ୍ନ ତାଙ୍କର ଝିଅ ନିବ୍ୟାକୁ ନେଇ ଆଶା ଓ ସ୍ନେହରେ ବଞ୍ଚିଥିଲେ। ବନଜା ଗର୍ଭାବସ୍ଥାରେ ଥିବାବେଳେ, ସେମାନେ ତାଙ୍କର ଝିଅର ନାମ ‘ନିବ୍ୟା’ ରଖିଥିଲେ ଏବଂ ଆଶା କରୁଥିଲେ ଯେ ନିବ୍ୟା ସେମାନଙ୍କ ଜୀବନକୁ ଏକ ନୂଆ ଆଲୋକ ଓ ଖୁସି ଦେବ।

ନିଶୀଥ ଓ ବନଜାଙ୍କ ଜୀବନର ଏକମାତ୍ର ସ୍ୱପ୍ନ ତାଙ୍କର ଝିଅ ନିବ୍ୟାକୁ ନେଇ ଆଶା ଓ ସ୍ନେହରେ ବଞ୍ଚିଥିଲେ। ବନଜା ଗର୍ଭାବସ୍ଥାରେ ଥିବାବେଳେ, ସେମାନେ ତାଙ୍କର ଝିଅର ନାମ ‘ନିବ୍ୟା’ ରଖିଥିଲେ ଏବଂ ଆଶା କରୁଥିଲେ ଯେ ନିବ୍ୟା ସେମାନଙ୍କ ଜୀବନକୁ ଏକ ନୂଆ ଆଲୋକ ଓ ଖୁସି ଦେବ।

cc

Photograph: (Tanuj Mallick. Sambad)

ଦୁଇ ହୃଦୟର ସ୍ୱର

ନିର୍ମଳ କୁମ୍ଭାର

ନିଶୀଥ ଓ ବନଜାଙ୍କ ଦୀର୍ଘବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଥିଲା। ତାଙ୍କର ଏକମାତ୍ର ସ୍ୱପ୍ନ ଥିଲା- ତାଙ୍କ ଝିଅ। ବନଜା ଯେବେ ଗର୍ଭାବସ୍ଥାରେ ଥିଲେ, ସେବେଠାରୁ ହିଁ ଉଭୟ ତାଙ୍କ ଝିଅର ନାମ ବାଛି ଦେଇଥିଲେ ‘ନିବ୍ୟା’। ସେମାନେ ଆଶା କରିଥିଲେ ଯେ ନିବ୍ୟା ତାଙ୍କ ଜୀବନକୁ ଏକ ନୂଆ ଆଲୋକ ଏବଂ ଖୁସିରେ ଭରିଦେବ। ଦିନରାତି ତାଙ୍କର ଆଲୋଚନା କେବଳ ନିବ୍ୟାକୁ ନେଇ ହେଉଥିଲା। ନିଶୀଥ ସବୁବେଳେ ବନଜାଙ୍କ ପେଟରେ ହାତ ରଖି କଥା ହୁଅନ୍ତି, ‘‘ନିବ୍ୟା, ତୁମେ ଶୀଘ୍ର ଆସିବ। ତମକୁ ବାପା ବହୁତ ଭଲପାଆନ୍ତି।’’ ତାଙ୍କ କଣ୍ଠରେ ଥିଲା ଏକ ସରଳ ଆନନ୍ଦ। ବନଜାଙ୍କ ମନ ମଧ୍ୟ ନିଶୀଥଙ୍କ ଏହି କଥା ଶୁଣି ଖୁସିରେ ନାଚି ଉଠୁଥିଲା। ସେ ଜାଣିଥିଲେ ଯେ ତାଙ୍କ ଝିଅଟି ଜନ୍ମ ହେବା ପୂର୍ବରୁ ହିଁ ବାପାଙ୍କ ସହିତ ଏକ ଅଦୃଶ୍ୟ ସ୍ନେହର ବନ୍ଧନରେ ବାନ୍ଧି ହୋଇସାରିଛି।

ଶେଷରେ ସେହି ଶୁଭଦିନ ଆସିଲା। ହସ୍‌ପିଟାଲ୍‌ରେ ନିବ୍ୟା ଜନ୍ମ ହେଲା। ଦେଖିବାକୁ ସୁନ୍ଦର ଓ ସୁସ୍ଥ। ନିଶୀଥଙ୍କ ଖୁସି ଦେଖିଲେ ଲାଗୁଥିଲା ଯେମିତି ସେ ପୃଥିବୀର ସବୁଠୁ ଧନୀବ୍ୟକ୍ତି। ନିବ୍ୟା ଘରକୁ ଆସିବା ପରେ ନିଶୀଥଙ୍କ ଦିନଚର୍ଯ୍ୟା ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା। ସେ ନିଜେ ତାକୁ ଗାଧୋଇଦେବା, ତା’ ପାଇଁ କାହାଣୀ ବହି ପଢ଼ିବା ସହ ତାକୁ ଶୁଆଇବା ପାଇଁ ଧୀରେ ଧୀରେ ଗୀତ ମଧ୍ୟ ଗାଉଥିଲେ। ସେ ଅଫିସ୍‌ କାମ ସାରି ଘରକୁ ଫେରିବା ମାତ୍ରେ ପ୍ରଥମେ ନିବ୍ୟାକୁ ଖୋଜୁଥିଲେ।

ଆହୁରି ପଢ଼ନ୍ତୁ- 40 Killed In Switzerland: ସ୍ୱିଜରଲ୍ୟାଣ୍ଡରେ ନିଆଁ ପିଣ୍ଡୁଳା ପାଲଟିଲା ବାର୍‌: ୪୦ମୃତ, ୧୦୦ଆହତ

ବନଜା ମାଆ ହିସାବରେ ନିବ୍ୟାକୁ କ୍ଷୀର ଦେଉଥିଲେ, ତା’ର ସବୁ ଯତ୍ନ ନେଉଥିଲେ ଏବଂ ଅଧିକାଂଶ ସମୟ ତାକୁ କୋଳରେ ରଖୁଥିଲେ। କିନ୍ତୁ କିଛିଦିନ ପରେ ବନଜାଙ୍କ ମନରେ ସାମାନ୍ୟ କଷ୍ଟ ଆସିଲା। ସେ ଅନୁଭବ କଲେ ଯେ ନିବ୍ୟା ତାଙ୍କଠାରୁ ନିଶୀଥଙ୍କୁ ବେଶି ଭଲପାଉଛି।

ନିବ୍ୟା ବନଜାଙ୍କ କୋଳରେ ଶାନ୍ତିରେ ଶୋଇରହୁଥିଲେ ମଧ୍ୟ ଯେତେବେଳେ ନିଶୀଥ ଘରକୁ ଫେରି ଦ୍ୱାର ଖୋଲିବାର ଶବ୍ଦ ଶୁଣୁଥିଲା, ତା’ର ଆଖି ବଡ଼ ହୋଇଯାଉଥିଲା। ତା’ ମୁହଁରେ ଏକ ନିର୍ମଳ ଆନନ୍ଦର ହସ ଖେଳିଯାଉଥିଲା, ଯାହା ବନଜାଙ୍କୁ ଦେଖିଲା ବେଳେ ଏତେ ଉଜ୍ଜ୍ୱଳ ହେଉ ନଥିଲା। ନିବ୍ୟା ତା’ର କୁନି କୁନି ହାତ ଟେକି ନିଶୀଥକୁ ପାଖକୁ ଯିବାକୁ ଡାକୁଥିବା ବେଳେ ନିଶୀଥ ତାଙ୍କୁ କୋ‌େଳଇ ନେଉଥିଲେ, ସେଥିରେ ତା’ର ସବୁ ଖୁସି ଫେରିଆସୁଥିଲା। ବନଜାଙ୍କ କୋଳରୁ ସେ ସହଜରେ ନିଶୀଥର କୋଳକୁ ଚାଲିଯାଉଥିଲା।

ବନଜାଙ୍କ ମନର ଏଇ ଦୁଃଖ ତାଙ୍କୁ ବହୁତ ଘାରୁଥିଲା। ସେ ଭାବୁଥିଲେ, ‘‘ମୁଁ ନିବ୍ୟାକୁ ନଅମାସ କଷ୍ଟ ସହି ପେଟରେ ରଖିଲି, ତା’ର ପ୍ରତି ମୁହୂର୍ତ୍ତରେ ଧ୍ୟାନ ରଖୁଛି, ତଥାପି ତା’ର ସବୁଠାରୁ ବଡ଼ ଖୁସିର କାରଣ କାହିଁକି ତା’ ବାପା ହେଉଛନ୍ତି?’’ ବନଜା ନିଜକୁ ବୁଝାଉଥିଲେ ଯେ, ନିଶୀଥଙ୍କ ଗଭୀର ସ୍ୱର ଏବଂ ଖେଳିବାର ଅଲଗା ଢଙ୍ଗ ନିବ୍ୟା ପାଇଁ ଅଧିକ ଉତ୍ସାହଜନକ ହେଉଛି। କିନ୍ତୁ କେତେବେଳେ କେମିତି ରାତିରେ ନିବ୍ୟା ଶୋଇଗଲା ପରେ, ବନଜାଙ୍କ ଆଖିରୁ ଗୋପନରେ ଲୁହ ଝରିପଡୁଥିଲା। ସେ ନିବ୍ୟାର ମୁଣ୍ଡ ଆଉଁଶି କହୁଥିଲେ, ‘‘ତୁ ମୋତେ କେତେ ଭଲପାଉଛୁ, ନିବ୍ୟା? ମୁଁ ତୋ’ ମାଆ।’’

ଆହୁରି ପଢ଼ନ୍ତୁ- Jalaneti Asana: ସାଇନୋସାଇଟିସ୍‌ ଅଛି କି? ଏଥିରୁ ଉପଶମ ପାଇବା ପାଇଁ କରନ୍ତୁ ଜଳନେତି...

ନିବ୍ୟା ବର୍ଷେରୁ ଅଧିକ ହେଲା ପରେ ଏହି ସ୍ନେହର ପ୍ରକାଶ ଆହୁରି ସ୍ପଷ୍ଟ ହୋଇଗଲା। ଘର ଭିତରେ ନିଶୀଥ ନଥିଲେ, ନିବ୍ୟା ଅଧିକ ଅସ୍ଥିର ହେଉଥିଲା। ନିବ୍ୟା ନିଶୀଥଙ୍କୁ ହିଁ ମୁଖ୍ୟତଃ ଖୋଜୁଥାଏ। ଫଳରେ ଯେତେବେଳେ ନିଶୀଥ ଅଫିସ୍‌ରୁ ଫେରୁଥିଲେ, ନିବ୍ୟା ତାଙ୍କୁ ଦେଖି ଦୌଡ଼ିଯାଉଥିଲା ଏବଂ ତାଙ୍କୁ ଜୋର୍‌ରେ ଆଲିଙ୍ଗନ କରି ଧରିରହୁଥିଲା।

ଦିନେ ସନ୍ଧ୍ୟାରେ ବନଜା ନିଶୀଥଙ୍କୁ ମନର କଥା କହିଲେ। ‘‘ନିଶୀଥ, ମୋତେ ଲାଗୁଛି ଯେମିତି ମୁଁ ନିବ୍ୟାକୁ ଖୁସି କରିପାରୁନାହିଁ।’’ ନିଶୀଥ ତାଙ୍କୁ ପାଖକୁ ଟାଣିଆଣି ହସି ହସି କହିଲେ, ‘‘ବନଜା, ତୁମେ ଭୁଲ୍ ବୁଝୁଛ। ଶିଶୁ ମନରେ, ମାଆ ହେଉଛନ୍ତି ଶିଶୁର ସୁରକ୍ଷା ଓ ଶାନ୍ତିର କେନ୍ଦ୍ର। ତୁମେ ସବୁବେଳେ ତା’ ପାଖରେ ଥିବାରୁ ସେ ତୁମ ନିକଟରେ ଶାନ୍ତି ଅନୁଭବ କରେ। ସେ ଜାଣେ ତୁମେ ତାକୁ ଛାଡ଼ି କୁଆଡ଼େ ଯିବନାହିଁ। ମାତ୍ର ମୁଁ ତା’ ପାଇଁ ହେଉଛି ବିସ୍ମୟ ଏବଂ ନୂତନତା। ମୁଁ ଘରକୁ ଫେରିଲେ, ତା’ର ଦୁନିଆରେ ଉତ୍ସାହ ଭରିଯାଏ। ତୁମେ ତା’ର ଭିତ୍ତିଭୂମି, ଯାହା ଅଦୃଶ୍ୟ, କିନ୍ତୁ ସବୁଠାରୁ ଶକ୍ତିଶାଳୀ। ମନେରଖ, ଏହି ଗଭୀର ସ୍ନେହ କେବଳ ତୁମ ନିକଟରେ ହିଁ ମିଳିବ।’’ ନିଶୀଥଙ୍କର ଏହି କଥା ବନଜାଙ୍କ ମନରେ ଏକ ଆଶ୍ୱସ୍ତି ଆଣିଦେଲା।

ସେହିଦିନ ସନ୍ଧ୍ୟାରେ ସେମାନେ ତିନିଜଣ ଏକ ପ୍ରାଚୀନ ଶିବ ମନ୍ଦିରକୁ ଯାଇଥିଲେ। ମନ୍ଦିରର ନିର୍ଜନ ବାତାବରଣ ନିବ୍ୟାକୁ ଟିକିଏ ଭୟଭୀତ କରୁଥିଲା। ସେ ନିଶୀଥଙ୍କ ହାତକୁ ଜୋର୍‌ରେ ଧରିଥିଲେ ମଧ୍ୟ ଗର୍ଭଗୃହ ନିକଟରେ ଥିବା ଦୀପଗୁଡ଼ିକର କୋମଳ ଆଲୋକ ଏବଂ ଫୁଲର ସୁଗନ୍ଧ ତା’ର ଦୃଷ୍ଟି ଆକର୍ଷଣ କରୁଥାଏ। ସେ ତା’ର କୁନିଆଙ୍ଗୁଠିରେ ଆଲୋକକୁ ଦେଖାଇ କିଛି କହିବାକୁ ଚେଷ୍ଟା କରୁଥାଏ।

ମନ୍ଦିରରୁ ଫେରିବା ବାଟରେ ନିବ୍ୟା କ୍ଳାନ୍ତ ହୋଇ ଶୋଇପଡ଼ିଥିଲା। ଯେତେବେଳେ ନିଶୀଥ ତାକୁ କୋଳରେ ଧରିବାକୁ ଚେଷ୍ଟା କଲେ, ନିବ୍ୟା ନିଦରେ ହିଁ ନିଶୀଥଙ୍କୁ ଛାଡ଼ି ବନଜାଙ୍କ ଛାତିରେ ମୁହଁ ଲଗାଇ ଶୋଇପଡ଼ିଲା। ତା’ର ଶ୍ୱାସର ଗତି ଶାନ୍ତ ଥିଲା। ତା’ର କୋମଳ ମୁହଁକୁ ପାଖରେ ପାଇ ବନଜାଙ୍କ ମନ ଏକ ଅଦ୍ଭୁତ ଶାନ୍ତି ଓ ଗଭୀର ଆନନ୍ଦରେ ଭରିଗଲା।
ନିଶୀଥଙ୍କ କଥାର ସତ୍ୟତାକୁ ଏବେ ବନଜା ମର୍ମେ ମର୍ମେ ଅନୁଭବ କରୁଥିଲେ।

ମୋ: ୭୮୪୮୯୪୫୮୧୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe