ବାବାଜିଙ୍କ ଭୋଗ
ହିନ୍ଦୀ: ମୁନସୀ ପ୍ରେମଚାନ୍ଦ
ଅନୁସୃଜନ: ଶ୍ରୁତକୀର୍ତ୍ତି ତ୍ରିପାଠୀ
ରାମଧନ ଅହୀର ଘରଦ୍ବାରକୁ ଜଣେ ସାଧୁ ମହାତ୍ମା ଆସି କହିଲେ, ‘‘ବତ୍ସ, ତୁମର କଲ୍ୟାଣ ହେଉ, ଏହି ସାଧୁକୁ ଶ୍ରଦ୍ଧାରେ କିଛି ପ୍ରଦାନ କର।’’
ରାମଧନ ଯାଇ ତା’ ସ୍ତ୍ରୀକୁ କହିଲା, ‘‘ବାବାଜି ଦୁଆରେ ଛିଡ଼ାହୋଇଛନ୍ତି, ତାଙ୍କୁ କିଛି ଦେଇ ଦେ।’’
ରାମଧନର ସ୍ତ୍ରୀ ବାସନ ମାଜୁଥିଲା ଏବଂ ଏହି ଚିନ୍ତାରେ ବୁଡ଼ିରହିଥିଲା ଯେ ଆଜି ସେ କ’ଣ ରୋଷେଇ କରିବ, ଘରେ ଚାଉଳର ଗୋଟିଏ ଦାନା ବି ନ ଥିଲା। ଚୈତ୍ରମାସର ଖରା ଥିଲା, କିନ୍ତୁ ଏଠାରେ ଦିପହରେ ହିଁ ଅନ୍ଧକାର ଘୋଟିଆସିଥିଲା। କ୍ଷେତରୁ ସବୁ ଫସଲ ଅମଳ ସରିଯାଇଥିଲା। ଅଧା ମହାଜନ ନେଇଗଲା, ଅଧା ଜମିଦାରଙ୍କ ଭୃତ୍ୟମାନେ କର ହିସାବରେ ନେଇଗଲେ, ପାଳ, କୁଟାତକ ବିକ୍ରି କଲାରୁ ବ୍ୟବସାୟୀ ଠାରୁ ତ୍ରାହି ମିଳିଲା, ବାସ୍ ମଝି ଗଣ୍ଡିଗୁଡ଼ିକ ହିଁ ଆମ ଭାଗରେ ପଡ଼ିଲା। ତାକୁ ହିଁ ବାଡ଼େଇ ବାଡ଼େଇ ଗୋଟିଏ ମହଣ ଚାଉଳ ଦାନା ମିଳିଥିଲା। ଯେନତେନପ୍ରକାରେ ଚୈତ୍ରମାସଟି ଚଳିଗଲା। ଏବେ ଆଗକୁ କ’ଣ ହେବ। ଗାଈଗୋରୁ କ’ଣ ଖାଇବେ, ଘରର ମଣିଷ କ’ଣ ଖାଇବେ- ଈଶ୍ୱର ହିଁ ଜାଣନ୍ତି। ହେଲେ ଦ୍ୱାରରେ ବାବାଜି ଅପେକ୍ଷାରତ, ତାଙ୍କୁ ତ ନିରାଶ କରି ଫେରାଯାଇ ପାରିବନାହିଁ, କ’ଣ କରିହେବ!
ସ୍ତ୍ରୀ: କ’ଣ ଦେବି, କିଛି ତ ବାକି ନାହିଁ।
ରାମଧନ: ଯା, ଦେଖ୍ ତ ମାଠିଆରେ କିଛି ଅଟାଫଟା ବଳିଛି ତ ନେଇଆ।
ସ୍ତ୍ରୀ: ମାଠିଆକୁ ପୂରା ଝାଡ଼ିଝୁଡ଼ି ସଫା କରି ତ କାଲି ଘରର ଚୁଲି ଜଳେଇଥିଲି, କିଛି ଲାଭ ନାହିଁ?
ରାମଧନ: ହେଲେ ମୁଁ ଆଦୌ କହିପାରିବି ନାହିଁ ଯେ ବାବା ଘରେ ଆମର କିଛି ନାହିଁ, ଆପଣ ଯାଇ ଆଉ କାହାଘରେ ମାଗନ୍ତୁ।
ସ୍ତ୍ରୀ: ଯାହାଠାରୁ ଧାର ଆଣିଥିଲେ, ତାକୁ ତ ଏ ପର୍ଯ୍ୟନ୍ତ ଫେରାଇନାହୁଁ, ଏବେ ଆଉ କେଉଁ ମୁହଁ ନେଇ ମାଗିବାକୁ ଯିବି?
ରାମଧନ: ଦିଅଁଦେବତାଙ୍କ ପାଇଁ କିଛି ଅଗୋବା (ଦେବତାଙ୍କ ପାଇଁ ସଂଗୃହୀତ ଖାଦ୍ୟ) କାଢ଼ି ରଖିଥିଲୁ ନା, ତାକୁ ନେଇଆ, ଦେଇ ଆସିବି।
ସ୍ତ୍ରୀ: ଦିଅଁଦେବତାଙ୍କ ପୂଜା ପୁଣି କେମିତି ହେବ?
ରାମଧନ: ଦିଅଁଦେବତା କ’ଣ ମାଗିବାକୁ ଆସୁଛନ୍ତି? ସମ୍ଭବ ହଲେ ଦେବା, ନ ହେଲେ ନାହିଁ।
ସ୍ତ୍ରୀ: ତା’ହେଲେ ଆଗୋବା ବି ଅଳ୍ପ ପରିମାଣର ଅଛି, ବେଶି ହେଲେ ଅଧା ସେର ହେବ। ୟା’ ପରେ କ’ଣ ଆଉ କେହି ସାଧୁ ଆସିବେ ନାହିଁ? ତାଙ୍କୁ ପୁଣି କ’ଣ ଉତ୍ତର ଦେବ!
ରାମଧନ: ଏହି ବିପଦଟି ଆଗ ଟଳିଯାଉ, ପୁଣି ଆଗକୁ ଦେଖିବା କ’ଣ କରାଯିବ।
ରାମଧନର ସ୍ତ୍ରୀ ରାଗ ତମତମ ହୋଇ ଗୋଟିଏ ଛୋଟ ହାଣ୍ଡି ଟେକି ନେଇଆସିଲା, ଯେଉଁଠି ଖୁବ୍ ବେଶି ହେଲେ ଅଧା ସେର ଅଟା ଥିଲା। ସେହି ଗହମର ଅଟା ବହୁ ଯତ୍ନର ସହ ଦେବତାମାନଙ୍କ ପୂଜା ପାଇଁ ସଂଗୃହୀତ କରି ରଖାଯାଇଥିଲା। ରାମଧନ କିଛି ସମୟ ଛିଡ଼ାହୋଇ ଭାବିଲା, ତା’ପରେ ଗୋଟିଏ ତାଟିଆରେ ଅଟା ନେଇ ବାହାରକୁ ଆସି ସାଧୁଙ୍କ ଝୁଲାମୁଣିରେ ଢାଳିଦେଲା।
ସାଧୁ ଅଟା ପାଇବା ପରେ କହିଲେ, ‘‘ବତ୍ସ ଆଜି ତ ବାବାଜି ଏଠାରେ ହିଁ ବିଶ୍ରାମ ନେବେ। କିଛି ଡାଲି ଆଣିଦିଅନ୍ତ ଯଦି ବାବାଜି ଏଇଠି ଭୋଗ ପ୍ରସ୍ତୁତ କରିଦିଅନ୍ତା।’’
ରାମଧନ ପୁଣି ଆସି ସ୍ତ୍ରୀକୁ କହିଲା, ‘‘ସଂଯୋଗବଶତଃ ଘରେ ଡାଲି ଥିଲା।’’ ରାମଧନ ଡାଲି, ଲୁଣ ଏବଂ ଗୋବର ଘଷି ଯୋଗାଇଦେଲା। ତା’ପରେ କୂଅରୁ ପାଣି କାଢ଼ିଲା। ସାଧୁ ଖୁବ୍ ଯତ୍ନର ସହ ଅଟାରେ ରୁଟି ପ୍ରସ୍ତୁତ କଲେ, ଡାଲି କଲେ ଏବଂ ତାଙ୍କ ମୁଣିରୁ ଆଳୁ କାଢ଼ି ସେଥିରେ ଭର୍ତ୍ତା ପ୍ରସ୍ତୁତ କଲେ। ଖାଦ୍ୟ ପ୍ରସ୍ତୁତ ହେବା ପରେ ସେ ରାମଧନକୁ କହିଲେ, ‘ବତ୍ସ, ଭଗବାନଙ୍କୁ ଭୋଗ ଲଗେଇବା ପାଇଁ ଧାପେ ଘିଅ ଦରକାର। ଖାଦ୍ୟ ସାମଗ୍ରୀ ପବିତ୍ର ନ ହେଲେ ଭୋଗ କେମିତି ଲାଗିବ?’
ଆହୁରି ପଢ଼ନ୍ତୁ- Tarique Rahman : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାରିକ୍ ରହମାନଙ୍କୁ ଭାରତକୁ ନିମନ୍ତ୍ରଣ କରାଯିବ
ରାମଧନ: ବାବାଜି ମହାତ୍ମା, ଘରେ ଘିଅ ତ ନ ଥିବ।
ବାବାଜି: ବତ୍ସ, ଭଗବାନ ତୋତେ ବହୁତ କିଛି ଦେଇଛନ୍ତି। ତୁ ଏମିତି କଥା ଆଉ କହନା।
ରାମଧନ: ମହାରାଜ, ମୋ ପାଖରେ ଗାଈ, ମଇଁଷି କିଛି ହେଲେ ନାହାନ୍ତି!
ବାବାଜି: ତୁମେ ଯାଇ ଘରଣୀକୁ ପଚାର ତ!ରାମଧନ ଯାଇ ସ୍ତ୍ରୀକୁ କହିଲା, ‘‘ବାବାଜି ଘିଅ ମାଗୁଛନ୍ତି। ଏଣେ ଭିକ୍ଷା ମାଗୁଛନ୍ତି, କିନ୍ତୁ ଘିଅ ବିନା ଗୁଣ୍ଡାଟିଏ ଖସୁନି।’
ସ୍ତ୍ରୀ: ତା’ହେଲେ ଏହି ଡାଲିରୁ କିଛି ନେଇ ଦୋକାନୀକୁ ଦେଇ ଘିଅ ନେଇଆସ। ଏତେ ସବୁ ଯେତେବେଳେ କରିସାରିଛ, ଘିଅ ଟିକେ ପାଇଁ ସାଧୁଙ୍କୁ କ୍ରୋଧିତ କାହିଁକି କରିବ?
ଘିଅ ଆସିଲା। ସାଧୁ ଭଗବାନଙ୍କ ପାଖରେ ଲାଗି କରିବା ପାଇଁ ପିଣ୍ଡୁଳାଏ ଭୋଗ ବାହାର କଲେ, ଘଣ୍ଟି ବଜେଇ ଭୋଗ ଲଗେଇଲେ। ନିଜେ ଖୁବ୍ ପେଟଭରିକି ଖାଇଲେ, ତା’ପରେ ପେଟକୁ ଆଉଁଶି ଆଉଁଶି ଦ୍ୱାର ପାଖରେ ବିଶ୍ରାମ ନେଲେ। ଥାଳି, ବାସନ ଓ କରଚୁଲି ମଜାମଜି କରିବା ପାଇଁ ରାମଧନ ସବୁକୁ ଉଠେଇ ଘରକୁ ନେଇଗଲା। ସେଦିନ ରାମଧନ ଘରେ ଆଉ ଚୁଲି ଜଳି ନ ଥିଲା। ଖାଲି ଡାଲି ସିଝେଇ ସେମାନେ ପିଇଦେଇ ରହିଲେ।
ରାମଧନ ଶୋଇ ଶୋଇ ଭାବୁଥିଲା, ‘ମୋ’ଠାରୁ ତ ବାବାଜି ମହାତ୍ମା ଢେର୍ ସୁଖରେ ଅଛନ୍ତି!’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/16/a2-2026-02-16-16-24-51.jpg)