Advertisment

Literature: ସ୍ବର୍ଣ୍ଣଲତା ମହାପାତ୍ରଙ୍କ କଲମରୁ ନିସୃତ ଗଳ୍ପ ‘ଅହଂ’...

Advertisment

ଆକାଶରେ ଧୂସର ମେଘର ଆସ୍ତରଣ। ବହୁଥାଏ ହାଲୁକା କୋହଲା ପବନ। ଧୀରେ ଧୀରେ କୁଣ୍ଡା ଝାଡ଼ିବା ଆରମ୍ଭ ହେଲା। ସୁସଜ୍ଜିତ ତମ୍ବୁ ତଳେ ଆଲୋକର ମାଳା। ମଞ୍ଚ ଉପରେ ମୁଖ୍ୟ ପୁରୋଧା ବାବା ଆନନ୍ଦଦେବ। ତଳେ ସଂକୀର୍ତ୍ତନ ମଣ୍ଡଳୀ।

ଆକାଶରେ ଧୂସର ମେଘର ଆସ୍ତରଣ। ବହୁଥାଏ ହାଲୁକା କୋହଲା ପବନ। ଧୀରେ ଧୀରେ କୁଣ୍ଡା ଝାଡ଼ିବା ଆରମ୍ଭ ହେଲା। ସୁସଜ୍ଜିତ ତମ୍ବୁ ତଳେ ଆଲୋକର ମାଳା। ମଞ୍ଚ ଉପରେ ମୁଖ୍ୟ ପୁରୋଧା ବାବା ଆନନ୍ଦଦେବ। ତଳେ ସଂକୀର୍ତ୍ତନ ମଣ୍ଡଳୀ।

1

Photograph: (Tanuj Mallick (Sambad))

ଅହଂ

ସ୍ବର୍ଣ୍ଣଲତା ମହାପାତ୍ର 

ଆକାଶରେ ଧୂସର ମେଘର ଆସ୍ତରଣ। ବହୁଥାଏ ହାଲୁକା କୋହଲା ପବନ। ଧୀରେ ଧୀରେ କୁଣ୍ଡା ଝାଡ଼ିବା ଆରମ୍ଭ ହେଲା।
ସୁସଜ୍ଜିତ ତମ୍ବୁ ତଳେ ଆଲୋକର ମାଳା। ମଞ୍ଚ ଉପରେ ମୁଖ୍ୟ ପୁରୋଧା ବାବା ଆନନ୍ଦଦେବ। ତଳେ ସଂକୀର୍ତ୍ତନ ମଣ୍ଡଳୀ।
ଗତକାଲିଠାରୁ ଆଜି ନିଶ୍ଚୟ ଅଧିକ ଭକ୍ତଙ୍କ ସମାଗମ ହେବା କଥା, କିନ୍ତୁ ଏ ପାଗକୁ ଦେଖି ଆୟୋଜକ ଶ୍ରୀକାନ୍ତ ସାମାନ୍ୟ ଚିନ୍ତିତ। 
ଶ୍ରୀକାନ୍ତଙ୍କ ଦ୍ୱନ୍ଦ୍ୱ ବୁଝିପାରି କହିଲେ ଆନନ୍ଦବାବା, “ବ୍ୟସ୍ତ ହୁଅନି, ଯାହା ହେଉଛି ସବୁ ପ୍ରଭୁଙ୍କ ଲୀଳା ଭାବି ଗ୍ରହଣ କରିନେବା।’’ ଏତିକି କହି ବାବା ଚିରାଚରିତ ଢଙ୍ଗରେ ଆଖି ବନ୍ଦ କଲେ। କିଛି ସମୟ ବର୍ଷା ହୋଇ ଟିକେ କମିଯିବା ପରେ, ଧୀରେ ଧୀରେ ଭକ୍ତଙ୍କ ଭିଡ଼ ଜମିଲା।

ଆଜି ବି ବାବାଙ୍କ କଥାମୃତ ଭକ୍ତଗଣଙ୍କୁ ମନ୍ତ୍ରମୁଗ୍‌ଧ କଲା। ବାବା କହୁଛନ୍ତି, “ଏ ଜଗତ ଈଶ୍ୱରଙ୍କର, ଆମେ ସମସ୍ତେ ତାଙ୍କରି ସନ୍ତାନ। ‘ମୁଁ ଓ ମୋର’ ବୋଲି ଭାବନା ହିଁ ମଣିଷ ମନର ଅହଂକାର। ଯେ ପର୍ଯ୍ୟନ୍ତ ମୋର ବୋଲି କହି ସବୁ କିଛିକୁ ଆବୋରି ବସୁଥିବ, ସେ ପର୍ଯ୍ୟନ୍ତ ଭଗବାନ ତୁମ ପରୀକ୍ଷା ନେଉଥିବେ। ଯେବେ ତୁମେ, ମୁଁ ଓ ମୋର ମୋହରୁ ନିଜକୁ ମୁକ୍ତ କରିନେବ, ସେତେବେଳେ ରାସ୍ତା ଉଜ୍ଜ୍ୱଳ ଦିଶିବ।’’

ଭକ୍ତଗଣ ହରିବୋଲ ପକାଇଲେ। ଏଥର ପ୍ରସାଦସେବନ। ଆଶ୍ରମରୁ ଆସିଥିବା ଅନ୍ନ, ଡାଲି, ବେସରର ମହକରେ ଅଞ୍ଚଳଟି ମହକିଉଠିଲା। 
ଲୋକେ ପ୍ରସାଦ ପାଇ ବାବାଙ୍କୁ ଓ ଆୟୋଜକଙ୍କୁ ଭୂରି ଭୂରି ପ୍ରଶଂସା କରୁଥାଆନ୍ତି। ଦୁଇଦିନ ହେଲା ଲୋକଙ୍କ ମୁହଁରୁ ପ୍ରଶଂସା ଶୁଣି ଶୁଣି ସେମାନେ ଆତ୍ମବିଭୋର।
ଠିକ୍ ଏତିକିବେଳେ ଛୋଟ ଛୁଆଟିଏ କେଉଁଠି ଥିଲା, ଧାଇଁଆସିଲା। ଧୂଳିଧୂସରିତ ହାତରେ ଶ୍ରୀକୃଷ୍ଣଙ୍କ ଫଟୋ ପାଖରୁ ଲଡୁଟିଏ ଉଠାଇଆଣିଲା। ତା’ ମାଆ ତାକୁ ବାରଣ କରୁଥିବା ବେଳେ ବାବା ହସିଦେଇ କହିଲେ, “ମାଆ! ଶିଶୁ ହେଲେ ସ୍ୱୟଂ ଈଶ୍ୱର ସ୍ୱରୂପ। ଲଡୁଟି ସେ ନେଉ।’’

ବାବା ଶିଶୁର ମଥାରେ ହାତରଖି ଆଶୀର୍ବାଦ କଲେ। ତାଙ୍କ ବହି ଭିତରୁ ମୟୂର ପୁଚ୍ଛଟିଏ କାଢ଼ି ତା’ ଚୁଟିରେ ଖୋଷିଦେଲେ। ଏବେ ସେ ସାକ୍ଷାତ୍ ବାଳଗୋପାଳ ପରି ଦେଖାଗଲା।
ମାଆ ଖୁସିରେ ଗଦ୍‌ଗଦ୍ ହୋଇଗଲା। ଏତେ ଭକ୍ତ ତାକୁ ଚାହିଁରହିଛନ୍ତି, ନିଜକୁ ଟିକେ ସ୍ୱତନ୍ତ୍ର ମନେକଲା। ବାବାଙ୍କ ପାଖରେ କୃତକୃତ୍ୟ ହୋଇଗଲା। 
 ସେଇକ୍ଷଣି ଛୁଆଟି କହିଲା, “ମାଆ, ମୁଁ ବି ଭୋଜି ଖାଇବି। ନିଜ ହାତରେ ଖାଇବି।’’
ବାବାଙ୍କ ନି‌େର୍ଦ୍ଦଶରେ, ଶିଶୁ ପାଇଁ ସବୁପ୍ରକାର ଖାଦ୍ୟ ବଢ଼ାହେଲା।

ମାଆ ସଂକୋଚରେ କହିଲେ, “ସେ ମୋ ସହ ଖାଇବ। ଅଲଗା ପତ୍ର ଲଗାନ୍ତୁ ନାହିଁ, ଅଯଥା ନଷ୍ଟ ହେବ।’’
ବାବା କହିଲେ, “ଠାକୁରଙ୍କ ପାଖରେ ସବୁପ୍ରକାର ଭୋଗ ଲାଗିହୁଏ, ତା’ର ଯେତିକି ଇଚ୍ଛା, ସେ ଖାଉ। ଶିଶୁ ସନ୍ତୁଷ୍ଟ ହେଲେ ଈଶ୍ୱର ସନ୍ତୁଷ୍ଟ।’’ 
ପତ୍ରରେ ସବୁ ବ୍ୟଞ୍ଜନ ଥିଲା କିନ୍ତୁ ରାଜାବାବୁ ମୁହଁ ଶୁଖାଇ ହାତ ଉଠାଇ ଆଣିଲା। ଏ ସବୁ ସେ ଖାଇବ ନାହିଁ। ତରକାରି ତାକୁ ରାଗ ଲାଗେ। ସେ ଶାଗ ବି ଖାଏନି। ଅନ୍ନ ଖାଇବାକୁ ତା’ର ଇଚ୍ଛା ନାହିଁ। ସେ ଖାଇବ ପାୟସ। 

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 February 23: ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ଦେହାନ୍ତ;ପାରାଦୀପରେ ଅଜଣା ମହିଳାଙ୍କ ମୃତ୍ୟୁ ଘଟଣା, ୭ ଅଟକ; ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ;ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାରେ ପାଟକୁରାରେ ସାଇ ଆରୋଗ୍ୟ ମଲ୍ଟି ସ୍ପେସାଲିଟି ହସ୍ପିଟାଲର ଭୂମିପୂଜନ; ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ; ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ; ଧାନ ଟାର୍ଗେଟ ଦାବିରେ ଡୁନଡ଼ୁନ ଛକରେ ଆର୍ଥିକ ଅବରୋଧ ;

ଖିରିପାତ୍ର ଖୋଜା ପଡ଼ିଲା। ଖିରି ତ ପ୍ରସ୍ତୁତ ହୋଇ ସାରିଥିଲା। ଗାଡ଼ିରେ ସବୁ ଲଦା ହୋଇ ଆସିବା ସମୟରେ ସେ ପାତ୍ରଟି କେମିତି ରହିଯାଇଛି, କାହାର ନଜର ନାହିଁ।
କିଛି ଅସୁବିଧା ନାହିଁ। ଆଶ୍ରମ ଅଳ୍ପ ବାଟ। ଗାଡ଼ି ଯିବ, ସେ ପାତ୍ରଟିକୁ ନେଇ ଆସିବ। ବାବାଙ୍କ ଆଜ୍ଞା! ଯାହା ବି ହେଇଯାଉ, ଖିରି ଆସିବ।
ମାଆ ତା’ର ସଂକୋଚରେ ମୁହଁ ପୋତିଦେଲା। ‘‘କାହିଁକି ଏ ପାଗରେ କେବଳ ତା’ ପୁଅ ପାଇଁ ଗାଡ଼ି ପଠାଇ ଆଶ୍ରମରୁ ଖିରିହାଣ୍ଡି ମଗାଇବାକୁ ଏମାନେ ଏତେ କଷ୍ଟ କରୁଛନ୍ତି! ଅଝଟ ପୁଅକୁ ତ ସେ ବୁଝାଇଶୁଝାଇ ତରକାରିରୁ ପରିବା କାଢ଼ି, ଚକୁଟିକି ଭାତଗଣ୍ଡେ ଖୁଆଇ ଦିଅନ୍ତା; କାମ ସରନ୍ତା। ଏମିତି ଜାଗା ଯେ ସମସ୍ତଙ୍କ ଆଗରେ ଆକଟ ବି କରିହେଉନି।’’ଗାଡ଼ି ଆଶ୍ରମ ଅଭିମୁଖେ ବାହାରି ପଡ଼ିଲା। ରାଜା ପତ୍ର ପାଖରୁ ଉଠି ପୁଣି ତା’ର ଖେଳରେ ମାତିଗଲା।
ଏ ଭିତରେ ପ୍ରାୟ ଲୋକ ଖାଇସାରିଥିଲେ। ଛୁଆଟି ପାଇଁ ବନ୍ଧା ପଡ଼ିଛି ତା’ ମାଆ।
କିଛି ସମୟ ମଧ୍ୟରେ ଗାଡ଼ି ଆସି ପହଞ୍ଚିଗଲା। ରାଜାବାବୁ ଖେଳିଖେଳି ଥକିଗଲାଣି। ଏବେ ଖିରି ଖାଇ, ତା’ ମାଆ ସହ ଘରକୁ ଯିବ।

ରାଜାବାବୁର ହାତ ଧୁଆଧୁଇ କରି ବସାଇ ଦିଆଗଲା। ପତ୍ରଠୋଲାରେ ଖିରି ପରଷା ଗଲା।
ସେ ତା’ କୁନି କୁନି ହାତରେ ଖିରି ଘାଣ୍ଟି ପୁଣି ମୁହଁ ଶୁଖାଇ ହାତ ଉଠାଇ ଆଣିଲା।
“ଏଥିରେ ତ ଗୋଟେ ବି କାଜୁବାଦାମ ନାହିଁ ମାଆ, ଯେମିତି ଭୋଜିରେ ହୁଏ ସେମିତି ହେଇନି ଏଇଟା। ଏଇ ପାୟସ ନୁହେଁ, ଯୋଉଥିରେ ବାଦାମ ପଡ଼ିଥିବ, ମୁଁ ସେଇ ପାୟସ ଖାଇବି।’’

ଆହୁରି ପଢ଼ନ୍ତୁ-Chennai Super Kings:ପରାଜୟ ପରେ ଦଳରେ ପରିବର୍ତ୍ତନ ପାଇଁ ସଂକେତ ଦେଇଛନ୍ତି ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍‌ ଡଇସେଟ୍

ଶିଶୁଟିର ନିରୀହ ଅଭିଯୋଗ ଶୁଣି ପରଷୁଥିବା ଲୋକଟି ଅପ୍ରସ୍ତୁତ ହୋଇ ଖିରିହାଣ୍ଡିରେ ଚଟୁ ବୁଲାଇ ଖୋଜି ପକାଇଲା। ଏହା କିପରି ସମ୍ଭବ! ଆଶ୍ରମ ଖିରିରେ ପୁଣି କାଜୁ, କିସ୍‌ମିସ୍‌, ପିସ୍ତା ବାଦାମ ମିଳିବନି!
ଆନନ୍ଦବାବା ବି ନିଜ ସ୍ଥାନରୁ ଉଠିଆସିଲେ। ଏତେ ବଡ଼ ଖିରିହଣ୍ଡାରେ କାଜୁବାଦାମଟିଏ ମିଳୁନାହିଁ। ବୋଧହୁଏ ରୋଷେୟା ପକାଇବାକୁ ଭୁଲିଯାଇଛି। 
ରାତି ଘନାଉଥିଲା। ପୁଣି ବର୍ଷା ଆରମ୍ଭ ହେଲା। ମାଆର ଶତଚେଷ୍ଟା ସତ୍ତ୍ୱେ ଅଝଟ ଛୁଆ ବୁଝିଲା ନାହିଁ। କିଛି ନ ଖାଇ, କାନ୍ଦିକାନ୍ଦି ସେଇ ଖିରି ହାତରେ ତା’ ମାଆ କୋଳରେ ଢୁଳାଇ ପଡ଼ିଥିଲା।ଏ ଘନଘୋର ବର୍ଷା ରାତିରେ ପୁଣି ଥରେ ବାଦାମ ପକାଇ ଖିରି ପ୍ରସ୍ତୁତ କରି ଆଣିବା କ’ଣ ସମ୍ଭବ!
ଆନନ୍ଦବାବାଙ୍କ ବିଷଣ୍ଣ ମୁଖମଣ୍ଡଳ ସ୍ପଷ୍ଟ ବାରି ହୋଇ ପଡୁଥିଲା।

ଶେଷରେ ଘୋର ଅସନ୍ତୋଷ ଓ ଉପାସରେ ମାଆ କୋଳରେ ଶୋଇଗଲା ଅବୋଧ୍ୟ ଶିଶୁ।
ଧୀରେ ଧୀରେ ବର୍ଷଣମୁଖର ରାତି ଆହୁରି ଗମ୍ଭୀର ଲାଗିଲା। ଆନନ୍ଦବାବା ଖୁବ୍ ଅସହାୟ ଭାବେ ଆକାଶକୁ ଚାହିଁଲେ। ତାଙ୍କ ଛାତି ଭିତରେ କୋହ ଜମାଟ ବାନ୍ଧୁଥିଲା। ହୃଦୟର କେଉଁ ନିଭୃତ କୋଣରେ, ଅଜାଣତରେ ଜାଗ୍ରତ ହୋଇଥିବା ଅହମିକା ଟିକକ ଟୋପା ଟୋପା ବର୍ଷା ବୁନ୍ଦାର ରୂପ ନେଇ ଆକାଶରୁ ଝରି ପଡୁଥିଲା!

ମୋ: ୭୬୮୩୮୧୪୦୪୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe