ଆଜିର ଶିଶୁ କାଲିର ନାଗରିକ’- ଏ ଉକ୍ତିକୁ ଆମେ ବାରମ୍ବାର ଆବୃତ୍ତି କରୁ ସତ, କିନ୍ତୁ ଗୋଟିଏ ସମାଜ ଭାବେ ଆସନ୍ତାକାଲିର ସୁନାଗରିକ ପ୍ରସ୍ତୁତ କରିବା ପାଇଁ ଭଲ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବହି, ଗୀତ ଓ ଚଳଚ୍ଚିତ୍ରର ଭୂମିକାକୁ ସେତେ ଗୁରୁତ୍ବ ଦେଉ ନାହୁଁ। କହିବା ବାହୁଲ୍ୟ ଯେ ସବୁ ବୟସର ଲୋକଙ୍କ ପାଇଁ ଚଳଚ୍ଚିତ୍ର ଏକ ଶକ୍ତିଶାଳୀ ମାଧ୍ୟମ, ଛୋଟ ପିଲାଙ୍କ ଉପରେ ତା’ର ପ୍ରଭାବ ଆହୁରି ଅଧିକ। ଆନିମେସନ୍ ଚଳଚ୍ଚିତ୍ରକୁ ଯଦି ଶିଶୁଙ୍କ କଳ୍ପନା ଶକ୍ତିକୁ ପରିବ୍ୟାପ୍ତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସୃଜନଶୀଳ ଓ ସହାନୁଭୂତିଶୀଳ କରିବାର ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ବିଚାର କରାଯାଏ ତେବେ ‘ହପ୍ପର୍ସ’ ତାହାର ଏକ ଉଜ୍ଜ୍ବଳ ଉଦାହରଣ ହେବ।
Cuttack leaders: ଚର୍ଚ୍ଚାରେ କଟକ ନେତାଙ୍କ ଆଚରଣ: ଜାଣିଜାଣି ବହିଷ୍କାରକୁ ଆମନ୍ତ୍ରଣ, ମୋକିମ୍ଙ୍କ ବାଟରେ ପ୍ରଭାତ
ଚଳଚ୍ଚିତ୍ରଟି ଆରମ୍ଭ ହୁଏ ବିଭର୍ଟନ୍ ସହରର ମାବେଲ୍ (ପାଇପର୍ କର୍ଡା) ନାମ୍ନୀ ଝିଅ ଚିଡ଼ିଆଖାନାରୁ ପ୍ରାଣୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାର ଦୃଶ୍ୟରୁ। ପରବର୍ତ୍ତୀ ଦୃଶ୍ୟରେ କ୍ରୋଧଜର୍ଜର ମାବେଲ୍କୁ ତା’ ଆଈଘର ସଂଲଗ୍ନ ଜଙ୍ଗଲକୁ ନେଇ ବୁଝାଉଛନ୍ତି ଯେ ପ୍ରକୃତି ସହ ସମ୍ପର୍କରୁ କିପରି ଶାନ୍ତି ଆହରଣ କରିହେବ। ଏହା ପରେ କାହାଣୀ କିଛି ବର୍ଷ ଆଗେଇଯାଇଛି, ଆଈଙ୍କ ମୃତ୍ୟୁ ହୋଇଯାଇଛି ଏବଂ କଲେଜରେ ପଢୁଥିବା ମାବେଲ୍ ଏବେ ବନ୍ୟଜୀବଙ୍କ ପାଇଁ ସହରର ମେୟରଙ୍କ ସହିତ ଲଢ଼ୁଥିବାର ଦେଖାଯାଉଛି। ମୃତ ଆଈଙ୍କ ସହ ମାବେଲ୍ ଯେଉଁ ଜଙ୍ଗଲ ଉହାଡ଼ରେ ସମୟ କାଟୁଥିଲେ ତାହା ଏକ ନୂଆ ରାସ୍ତା ନିର୍ମାଣ ପାଇଁ ଧ୍ବଂସ ହେବାକୁ ଯାଉଛି। ଏହାକୁ ରକ୍ଷା କରିବା ଉଦ୍ୟମକ୍ରମେ ସେ ଆବିଷ୍କାର କରୁଛି ଯେ ତା’ କଲେଜ ଅଧ୍ୟାପିକା ଗୋପନରେ ଏକ ଯନ୍ତ୍ର ତିଆରି କରିଛନ୍ତି ଯାହା ଜଣେ ମଣିଷର ଚେତନାକୁ ପଶୁପକ୍ଷୀଙ୍କ ପ୍ରତିକୃତିରେ ପ୍ରବେଶ କରାଇପାରେ। ମାବେଲ୍ ଏହି ଯନ୍ତ୍ର ସାହାଯ୍ୟରେ ଏକ ବିଭର୍ (ମୂଷାଜାତୀୟ ଉଭୟଚର ପ୍ରାଣୀ)ର ରୂପ ଧାରଣ କରି ସହରର ମେୟରଙ୍କ ଯୋଜନାକୁ ପଣ୍ଡ କରିବା ଲାଗି ବନ୍ୟଜୀବଙ୍କୁ ନେଇ ମେଳି କରୁଛି। ତେବେ ବିଭିନ୍ନ ବର୍ଗର ବନ୍ୟଜୀବଙ୍କ ମୁଖ୍ୟମାନେ ମେୟରଙ୍କୁ ହତ୍ୟା କରିବାର ଯୋଜନା କରିବା ପରେ ମାବେଲ୍ ତାକୁ ପ୍ରତିରୋଧ କରିବାକୁ ଉଦ୍ୟମ କରୁଛି। ଏଥିସହିତ ମାବେଲ୍ର ଅଧ୍ୟାପିକା ତାକୁ ବିଭର୍ରୁ ମଣିଷକୁ ବଦଳାଇବା ପାଇଁ ତାକୁ ଧରିବାକୁ ଉଦ୍ୟମ କରୁଛନ୍ତି। ଏହା ମଧ୍ୟରେ ଏକ ଉଲ୍ଲେଖନୀୟ ଦୃଶ୍ୟରେ ମେୟର କାର୍ରେ ଯାଉଛନ୍ତି। ବିଭିନ୍ନ ଜୀବ ଏକାଠି ହୋଇ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି। ଗୋଟିଏ ତିମି ମାଛକୁ ଦଳେ ପକ୍ଷୀ ସମୁଦ୍ରରୁ ଉଠାଇ ଆଣୁଛନ୍ତି ଏବଂ ତିମିଟି ମେୟରଙ୍କ କାର୍ଟିକୁ ଗିଳିବାକୁ ଉଦ୍ୟତ ହେଉଛି।
T20 world-cup: ଭାରତ ରେକର୍ଡ ଚତୁର୍ଥ ଥର ଫାଇନାଲ୍ ଖେଳିବ
ଏହି କ୍ରମରେ ମାବେଲ୍ ବନ୍ୟଜୀବଙ୍କ ପାଖରୁ ସହାବସ୍ଥାନର ଶିକ୍ଷା ପାଉଛି, ମଣିଷ ଜାତି ବନ୍ୟଜୀବଙ୍କ ଶତ୍ରୁ ବୋଲି ତା’ର ଧାରଣା ବଦଳୁଛି ଏବଂ ସମସ୍ୟାର ସମାଧାନ ପାଇଁ ମଧ୍ୟମ ମାର୍ଗର ଗୁରୁତ୍ବ ସମ୍ପର୍କରେ ସଚେତନ ହେଉଛି। ସବୁଠାରୁ ବଡ଼ କଥା ହେଲା ଏହା କୁନିକୁନି ଦର୍ଶକଙ୍କୁ ପରିବେଶ ଓ ବନ୍ୟଜୀବଙ୍କ ପାଇଁ ଚିନ୍ତାଶୀଳ ହେବାକୁ ଉତ୍ସାହିତ କରିବ। କାହାଣୀର ଛାଞ୍ଚ ଦୃଷ୍ଟିରୁ ଦେଖିଲେ ‘ଅବତାର’ ସହିତ ‘ହପ୍ପର୍ସ’ର ସାମଞ୍ଜସ୍ୟ ଅଛି। ଏହି ଚଳଚ୍ଚିତ୍ରର ସଂଳାପରେ ମଧ୍ୟ ଏହାକୁ ସ୍ବୀକାର କରାଯାଇଛି। ତେବେ ସମାନ ଧରଣର କାହାଣୀକୁ ନେଇ କେମିତି ସଂପୂର୍ଣ୍ଣ ଅଭିନବ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରେ ତାହା ‘ହପ୍ପର୍ସ’ର ନିର୍ଦେଶକ ଡାନିଏଲ୍ ଚୋଙ୍ଗ ପ୍ରଦର୍ଶନ କରିଛନ୍ତି। ଦୁଇ ଘଣ୍ଟାରୁ କମ୍ ଅବଧିରେ ଏକ ଘଟଣାବହୁଳ କାହାଣୀକୁ ଦେଖାଇବାର ଉଦ୍ୟମକୁ ଏହାର ଗୋଟିଏ ଖୁଣ ରୂପେ ଦେଖାଯାଇପାରେ, କାରଣ ଜଟିଳ ଦୃଶ୍ୟଗୁଡ଼ିକ ଛୋଟ ପିଲାମାନଙ୍କ ଆଗ୍ରହ ହ୍ରାସ କରିପାରେ। ପ୍ରାଣୀଜଗତରେ ନିୟମିତ ଚାଲିଥିବା ହିଂସ୍ର ଶିକାରକୁ ଜାଣିବୁଝି ଶିଶୁ ଚଳଚ୍ଚିତ୍ରରେ ପ୍ରଦର୍ଶନ କରା ଯାଇ ନଥାଏ। କିନ୍ତୁ ‘ହପ୍ପର୍ସ’ର ନିର୍ମାତାମାନେ ଖୁବ୍ ରୋଚକ ଢଙ୍ଗରେ ଶିକାରର ବାସ୍ତବତାକୁ ପ୍ରଦର୍ଶନ କରିଛନ୍ତି। ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧରେ ହିଁ ଭାଲୁଟିଏ ଗୋଟିଏ ମାଛକୁ ଗିଳି ପକାଉଛି ତ ପକ୍ଷୀଟିଏ କଙ୍କିକୁ ଉଦରସ୍ଥ କରୁଛି। ଶିଶୁର ନିରୀହ ମନକୁ ମଧ୍ୟ ଏଭଳି ଦୃଶ୍ୟ ବିଚଳିତ କରିବ ନାହିଁ କାରଣ ଏହା ପୂର୍ବରୁ ଲୋଫ୍ ନାମକ ବିଭର୍ କହୁଛି ଯେ ଭୋକ ଲାଗିଲେ ଶିକାର କରି ଖାଇବା ଜଙ୍ଗଲର ସ୍ବାଭାବିକ ନିୟମ, ସେ ନିଜେ ଭାଲୁର ଶିକାର ହେବା ନେଇ ଚିନ୍ତିତ ନୁହେଁ। ବରଂ ଶିକାରୀ ଓ ଶିକାର ମଧ୍ୟରେ ହସ୍ତକ୍ଷେପ ଏକ ବେଆଇନ କାର୍ଯ୍ୟ ବୋଲି ଜଣାପଡୁଛି।‘ହପ୍ପର୍ସ’ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିବିଧ ଜୀବଙ୍କ ଚିତ୍ରଣ ଖୁବ୍ ମନୋଜ୍ଞ ମନେ ହେଲା। ବଡ଼ ପରଦାରେ ଏହି ‘୩ଡି’ ଚଳଚ୍ଚିତ୍ର ଦେଖିବାର ଅଭିଜ୍ଞତା ଅତୁଳନୀୟ। ସଂଳାପଗୁଡ଼ିକ ଯେତିକି ଅଭିନବ, ସେତିକି କୌତୁକିଆ। ସମ୍ଭବ ହେଲେ ସବୁ ଅଭିଭାବକ ଛୋଟ ପିଲାଙ୍କ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ। ଏହା ବଡ଼ମାନଙ୍କ ପାଇଁ ମଧ୍ୟ ସେତିକି ଉପଭୋଗ୍ୟ ଓ ଶିକ୍ଷଣୀୟ, ଯେତିକି ଶିଶୁମାନଙ୍କ ପାଇଁ।
Follow Us