A Voice Devoted to Bhajans
‘ଭଜନ ସନ୍ଧ୍ୟାରେ ତୁ, ସକାଳ ପୂଜାରେ ତୁ...’, ‘କହିବ କି ପ୍ରଭୁ କହିବ କି...’ ଗୀତ ଯଦି ଶୁଣିଥିବେ ଆପଣ ଏ ଗୀତ ପଛର ସ୍ବରକୁ ଓ ମଣିଷକୁ ବି ଜାଣିଥିବେ। ଯଦିଓ ପିଲାବେଳୁ ତାଙ୍କର ଗୀତପ୍ରତି ବିଶେଷ ଆଗ୍ରହ ନଥିଲା, ଏବେ କିନ୍ତୁ ସେ ସଂଗୀତ ଜଗତର ଜଣେ ଆଗଧାଡ଼ିର କଳାକାର।
କଟକ ପାଟରାସାହିର ସ୍ବର୍ଗତ ଉପେନ୍ଦ୍ରନାଥ ମିଶ୍ର ଓ ସ୍ବର୍ଗତା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ସୁପୁତ୍ର ସୁଧାକର ମିଶ୍ର। ସ୍କୁଲ୍ ପଢ଼ିବା ଦିନରୁ ଜେଜେଙ୍କ ପ୍ରେରଣା ଓ ନନାଙ୍କ ପ୍ରୋତ୍ସାହନରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ସ୍ବର୍ଗତ ଲୋକନାଥ ଚାନ୍ଦ ଥିଲେ ତାଙ୍କର ପ୍ରଥମ ସଂଗୀତ ଗୁରୁ। ଦୃଷ୍ଟିହୀନ ଗୁରୁ ଥିଲେ ବି ସେ ସୁଧାକରଙ୍କୁ ସଂଗୀତ ଦୁନିଆରେ ଚକ୍ଷୁଷ୍ମାନ କରାଇଥିଲେ। ପ୍ରଥମେ ଦଶମ ପରୀକ୍ଷା ବେଳେ ସଂଗୀତ ଶିକ୍ଷା ବନ୍ଦ ହୋଇଯାଇଥିଲା। ଯୁକ୍ତଦୁଇରେ ଡ୍ରାମାଟିକ୍ ସେକ୍ରେଟାରୀ ହେବାପରେ ସେ ପୁଣିଥରେ ସଂଗୀତ ଆଡ଼କୁ ଆକର୍ଷିତ ହେଲେ ଲବଂ ଗୁରୁମା କ୍ରିଷ୍ଣା ମେହେତାଙ୍କ ଠାରୁ ସେ ଗୀତ ଶିଖିଲେ। ଯୁକ୍ତ୩ ବେଳେ ସଂଗୀତରେ କିଛି ସମୟ ପାଇଁ ଡୋରି ବନ୍ଧା ହୋଇଥିଲା। ଏହାପରେ ପଣ୍ଡିତ ଏ. ମହେଶ୍ବର ରାଓଙ୍କଠାରୁ ସେ ସଂଗୀତ ଶିଖିଲେ। ଏମିତି ସଂଗୀତ ଶିକ୍ଷା କରିବା-ଛାଡ଼ିବା ଭିତରେ ସୁଧାକର ଆକାଣବାଣୀର ବି ଗ୍ରେଡ୍ କଳାକାର ମାନ୍ୟତା ପାଇଲେ। ଗୁରୁ ପଣ୍ଡିତ ଗୋପାଳଚନ୍ଦ୍ର ପଣ୍ଡାଙ୍କଠାରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ପରେ କଟକ ନିଶ୍ଚିନ୍ତକୋଇଲିର ‘ସଂଗୀତ ଆଶ୍ରମ, କୋଥକା’ ଅନୁଷ୍ଠାନରୁ ସେ ବିଶାରଦ ହାସଲ କଲେ।
ଅକ୍ଷୟ ମହାନ୍ତିଙ୍କୁ ଭେଟିଥିଲେ ସୁଧାକର
ସୁଧାକର ମନେପକାନ୍ତି, ଥରେ ଢେଙ୍କାନାଳ କଲେଜରେ ଏକ ଇଣ୍ଡର୍ କଲେଜ କମ୍ପିଟିସନ୍ରେ ସଂଗୀତର ବେତାଜ୍ ବାଦ୍ଶାହା ଅକ୍ଷୟ ମହାନ୍ତିଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଏବଂ ସେଇଠୁ ଆରମ୍ଭ ହୋଇଥିଲା ଖୋକାଭାଇଙ୍କ ସହ ତାଙ୍କର ସଂଗୀତ ଯାତ୍ରା। ଅକ୍ଷୟ ମହାନ୍ତିଙ୍କ ଘରେ ରିହର୍ସଲ୍ କରିବାଠୁ ନେଇ ସେ ୧୯୯୨ ମସିହାରେ ପ୍ରଥମଥର ତାଙ୍କ ନିର୍ଦ୍ଦେଶନାରେ ଏକ ଲାଇଭ୍ ସିଗିଂରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ। ଯୁବବାଣୀରେ ସ୍ବୀକୃତି ପାଇବା ପରେ ୨୦୧୬ରେ ସେ ବି-ହାଇଗ୍ରେଡ୍ କଳାକାରର ସ୍ବୀକୃତି ପାଇଲେ। ‘ଭଜନ ସଂଧ୍ୟାରେ ତୁ ସକାଳ ପୂଜାରେ ତୁ...’ ଗୀତ ଗାଇ ପ୍ରଥମଥର ପାଇଁ ସେ କ୍ୟାସେଟ୍ ଦୁନିଆରେ ପାଦ ରଖିଥିଲେ ଏବଂ ଏହା ବେଶ୍ ଲୋକପ୍ରିୟ ହୋଇଥିଲା। ଏହାପରେ ସେ ଶାନ୍ତିରାଜ ଖୋସ୍ଲାଙ୍କ ନିର୍ଦ୍ଦେଶନାରେ ପ୍ରଥମ ଓ ଶେଷ ଚଳଚ୍ଚିତ୍ର ଗୀତ ‘ଆଖି ପଲକରେ ତୁ...’ ଗାଇଥିଲେ। ଏହାପରେ ସେ ଚଳଚ୍ଚିତ୍ର ଛାଡ଼ି କେବଳ ଭଜନ ଗାଇଲେ। ୨୦୧୫ରେ ପ୍ରାର୍ଥନା ଚ୍ୟାନେଲ୍ର ଭଜନ ଅନ୍ତାକ୍ଷରୀ କାର୍ଯ୍ୟକ୍ରମ ଜରିଆରେ ସେ ଘରେ ଘରେ ପରିଚିତି ପାଇଲେ। ‘‘ଈଶ୍ବରଙ୍କ ଆଶୀର୍ବାଦ ଓ ମୋ ନନାବୋଉଙ୍କ ଆଶୀର୍ବାଦ ଯୋଗୁଁ ହିଁ ଏତେ ବାଟ ଆସିପାରିଛି’’ ବୋଲି ସେ କହନ୍ତି।
ଆହୁରି ପଢ଼ନ୍ତୁ: Abhijit Majumdar Shifted Ward: ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ ହେଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ପିଲାମାନଙ୍କୁ ଦିଅନ୍ତି ଶିକ୍ଷା
ଏବେ ତାଙ୍କ ବୋଉଙ୍କ ନାଁରେ ଏକ ସଂଗୀତ ବିଦ୍ୟାଳୟ ‘ଲକ୍ଷ୍ମୀପ୍ରିୟା ସଂଗୀତ କଳାକେନ୍ଦ୍ର’ ଖୋଲି ପିଲାମାନଙ୍କୁ ଶାସ୍ତ୍ରୀୟ ସଂଗୀତ ସହ ଭଏସ୍ କଲ୍ଚର୍ ଓ ମଞ୍ଚ ସଂଗୀତ ଗାୟନ ଉପରେ ଶିକ୍ଷା ଦେଉଛନ୍ତି। ତାଙ୍କର ଅନେକ ପିଲା ସଫଳ କଳାକାରର ମାନ୍ୟତା ପାଇସାରିଛନ୍ତି। ଆହୁରିମଧ୍ୟ ‘ସୁଧାକର ମିଶ୍ର ଅଫିସିଆଲ୍’ ନାଁରେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି ଏବଂ ନିଜ ସ୍କୁଲ୍ ନାଁରେ ଅନ୍ୟଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ନୂଆ ପିଢ଼ିର ପିଲାଙ୍କୁ ଗାଇବାର ସୁଯୋଗ ମଧ୍ୟ ଦେଉଛନ୍ତି। ଏଥିରେ ସହଯୋଗ କରୁଛନ୍ତି ସଂଗୀତରେ ବିଶାରଦ କରିଥିବା ତାଙ୍କ ଧର୍ମପତ୍ନୀ ତଥା ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର। ନୂଆ ପିଢ଼ିର କଳାକାରମାନଙ୍କୁ ସେ କହନ୍ତି,‘‘ପିଲାମାନେ ଧୈର୍ଯ୍ୟହରା ନ ହୋଇ ସାଧନା କରିଚାଲିଲେ ହିଁ ସଫଳାତା ପାଇବେ।’’
ଅଧିକ ପଢ଼ନ୍ତୁ: Humane Sagar, Last Film: ଅଧା ରହିଗଲା ସଂଗୀତ ନିର୍ଦ୍ଦେଶନା… ଜୀବନର ‘ଛକିଶୂନ’ ଖେଳରେ ଛକ ଟାଣି ଛାଡ଼ି ଚାଲିଗଲେ ହ୍ୟୁମାନ ସାଗର…
Follow Us