ବକୁଳ ଅମାବାସ୍ୟା ଦିନ ଖୋଜାପଡ଼େ ଟିକିଏ ଆମ୍ବ ବଉଳ। ଯେ କୌଣସି ଶୁଭ କାମର ଆରମ୍ଭରେ ପ୍ରଥମେ ଆମ୍ବ ଆମ୍ବପତ୍ର ଟାଙ୍ଗି ଦିଆଯାଏ, ଏମିତିକି ବିନା ଆମ୍ୱ ଡାଳରେ ଘଟ ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ। ଏହି କାରଣରୁ କୃତଜ୍ଞତାବଶତଃ ନୂଆ ନୂଆ ବଉଳ ଆସୁଥିବା ସମୟରେ ଏହି ଆମ୍ବ ଗଛର ବନ୍ଦାପନା କରାଯାଇଥାଏ। ଗୃହିଣୀମାନେ ପ୍ରଭାତରୁ ଆମ୍ବଗଛର ମୂଳକୁ ସଫାସୁତୁରା କରି, ଚାଉଳବଟାର ଚିତା ପକାଇ ସଜ୍ଜିତ କରନ୍ତି ଏବଂ ଦ୍ୱିପ୍ରହର ବେଳକୁ କ୍ଷୀର-ଗଇଁଠା ପିଠା କରି ଏହି ବୃକ୍ଷ ମୂଳରେ ପୂଜା କରିଥାଆନ୍ତି। 

Advertisment

କ’ଣ ରହିଛି ପରମ୍ପରା

ଶ୍ରୀମନ୍ଦିରରେ ସକାଳ ଧୂପରେ ଠାକୁରଙ୍କୁ ବଉଳ ଲାଗି ହେବା ସହ ଗଇଁଠାଭୋଗ ହେଇଥାଏ। ଆମେ ଠାକୁରଙ୍କ ପାଖରେ ବଉଳ ଓ ଗଇଁଠା ଭୋଗ କରି ଏହି ପର୍ବ ପାଳନ କରୁ। ଗାଁ ମାନଙ୍କରେ ଓ ଯାହା ବାଡ଼ିରେ ଆମ୍ବ, ପଣସ ଇତ୍ୟାଦି ଗଛ ଅଛି, ସେମାନେ ଏହି ଦିନ ଗଛ ମୂଳକୁ ପରିଷ୍କାର କରି ଗୋବରରେ ଲିପି, ଚିତା ପକେଇ ସନ୍ଧ୍ୟା ବେଳେ ଗଛମୂଳରେ ଗଇଁଠା ପିଠା ଭୋଗ କରି ପାଳନ କରନ୍ତି। ଏହି ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ବଉଳ ବସନ୍ତି। ଆଜି ଦିନରେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ବତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି। ବଉଳ ବସିବା ପରେ ଆଉ ନାଁ ଧରି ନ ଡାକି ପରସ୍ପରକୁ ବଉଳ ବୋଲି ସମ୍ବୋଧନ କରନ୍ତି। ଏହି ସମ୍ପର୍କରେ ଏକ ଅଦ୍ଭୁତ ନିବିଡ଼ତା ଥାଏ।

ବଉଳ ଅମାବାସ୍ୟାର ମହତ୍ତ୍ବ

ଆମେ ଜାଣିଛେ, ଆମର ପର୍ବପର୍ବାଣିଗୁଡ଼ିକ ବିଜ୍ଞାନସମ୍ମତ ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ। ସେଇ ସୂତ୍ରରେ ବକୁଳ ଅମାବାସ୍ୟା ମଧ୍ୟ ଆମକୁ ଏହି ସମୟରେ ଫଳ ଦେଉଥିବା ବୃକ୍ଷର ମହତ୍ବ ବୁଝାଇବାକୁ ଚେଷ୍ଟା କରେ। ଆମ୍ବ, ପଣସ ଇତ୍ୟାଦି ଗଛରେ ଏହି ସମୟରେ ବଉଳ ହୁଏ, ତେଣୁ ଏହି ସବୁ ଫଳନ୍ତି ଗଛର ସୁରକ୍ଷା ଆବଶ୍ୟକ। ଠାକୁରଙ୍କୁ ବଉଳ ଲାଗି କଲେ ଭଲ ଫଳ ହୁଏ ବୋଲି ବିଶ୍ବାସ ଅଛି। ତା’ ସହ ଠାକୁରଙ୍କ ପାଖରେ ବଉଳ ଟିକିଏ ଲାଗି କରି ତାକୁ ଆମେ ପାଇଲେ, ତା’ର ଔଷଧୀୟ ଗୁଣ ଆମ ଶରୀରକୁ ଯାଇ ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରେ।

ଆହୁରି ପଢ଼ନ୍ତୁ: ନୂଆବର୍ଷରୁ ଗାଡିର ସ୍ପିଡ଼ ଉପରେ ଲାଗିବ ଲଗାମ, ଅଟୋମେଟିକ କଟିବ ଚାଲାଣ

ଗଇଁଠା ଭୋଗ

ଆଜି ଘରେ ଘରେ ତିଆରି ହୁଏ ଗଇଁଠା ପିଠା। ଓଡ଼ିଆ ଘରର ମା’ମାନଙ୍କ ହାତ ତିଆରି ଏହି ପିଠା ସ୍ବାଦ ନିଆରା। କିଛି ଅଞ୍ଚଳରେ ପାରମ୍ପରିକ ରୀତିରେ ଏହିଦିନ ଘରେ ଗଇଁଠା ପିଠା ତିଆରି କରାଯାଏ। ଏହି ଗଇଁଠା‌ ପିଠା ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ହୋଇଥାଏ। ଗେଟେଇ ପିଠା, କ୍ଷୀରଗଇଁଠା, ଗଇଁଠାଗୁଡ଼ି ପିଠା ଆଦି ଭିନ୍ନ ଭିନ୍ନ ନାମରେ  ପ୍ରଚଳିତ ଏହି  ପିଠା ଅରୁଆ ଚାଉଳରୁ ତିଆରି ହେଇଥାଏ। ଚାଉଳ ଚୂନାକୁ ଫୁଟନ୍ତା ପାଣିରେ କୋରା ନଡିଆ,ଚିନି ଓ ଲୁଣ ସହ ମିଶାଇ ଘାଣ୍ଟି ଖଳି ତିଆରି କରାଯାଇଥାଏ।  ଖଳି ତିଆରି କରି ସେ ଖଳିକୁ ଗୋଟି ଗୋଲ ଗୋଲ କରି ବଳି ଫୁଟୁଥିବା ଓ ସାମାନ୍ୟ ମରିଯାଇଥିବା କ୍ଷୀରରେ ପକାଇ ଘାଣ୍ଟି ଘାଣ୍ଟି ଗଇଁଠା ତିଆରି କରାଯାଇଥାଏ। ବାସ୍ନା ପାଇଁ ଏଥିରେ ଛେଚା ଅଳେଇଚ ଓ ତେଜପତ୍ର ଦିଆଯାଇଥାଏ। ଏହାପରେ ଗଛ ମୂଳରେ ଭୋଗ ଲାଗିଥାଏ ଏହି ଶ୍ବେତ ରଙ୍ଗର ଭୋଗ। 

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମାରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ

ବଉଳ ଅମାବାସ୍ୟାର ବିଧି 

ଏହିଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ। ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ। ତା’ପରେ ସେହି ଗଛଗୁଡ଼ିକରେ ଝୋଟିଚିତା ପକାଯାଏ। ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ। କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡି ମଧ୍ୟ କୁହାଯାଏ। ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ। ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ।

ଆହୁରି ପଢ଼ନ୍ତୁ: ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ