ମଦ୍ୟପାନ କଲେ ମନୁଷ୍ୟ ମତୁଆଳ ହୁଏ; ମଦ୍ୟପାନ ନ କରି ବି ମନୁଷ୍ୟ ମତୁଆଳ ହୁଏ! ଅବଶ୍ୟ ମଦ୍ୟପାନ ନ କରି ମତୁଆଳ ହେଉଥିବା ମନୁଷ୍ୟ ବିରଳ। କୌଣସି ମାଦକଦ୍ରବ୍ୟ ଗ୍ରହଣ ନ କରି ମଧ୍ୟ ସେମାନଙ୍କୁ ନିଶା ଘାରେ। ସାଧାରଣ ଖାଦ୍ୟ ଖାଇବା ପରେ ସେମାନେ ନିଶାରେ ଚୂର୍ ହୋଇଯାଆନ୍ତି। ପ୍ରକୃତରେ ଏହା ସେମାନଙ୍କର ଗୋଟାଏ ସ୍ବାସ୍ଥ୍ୟଗତ ସମସ୍ୟା। ଚିକିତ୍ସା ବିଦ୍ୟାରେ ଏ ବିରଳ ବେମାରି ‘ଅଟୋ-ବ୍ରୁଏରି ସିଣ୍ଡ୍ରୋମ୍’ ବା ସଂକ୍ଷେପରେ ‘ଏବିଏସ୍’ ନାମରେ ପରିଚିତ। ଏ ବେମାରି ପାଇଁ ଅଣୁଜୀବ ଦାୟୀ ବୋଲି ବ୍ୟାପକ ଗବେଷଣାକରି ସମ୍ପ୍ରତି ବୈଜ୍ଞାନିକମାନେ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।
‘ଏବିଏସ୍’ ପୀଡ଼ିତ ୨୨ଜଣ ରୋଗୀ ଓ ପୀଡ଼ିତ ନ ହୋଇଥିବା ସେମାନଙ୍କ ଘରଲୋକଙ୍କ ମଳ ନମୁନା ବିଶ୍ଳେଷଣକରି ଗବେଷକମାନେ ଦୁଇ ପ୍ରକାର ସାଧାରଣ ଅଣୁଜୀବ ପ୍ରଜାତି ଚିହ୍ନଟ କରିଛନ୍ତି। ‘ଏବିଏସ୍’ ପୀଡ଼ିତଙ୍କ ମଳରେ ସେ ଦୁଇ ପ୍ରଜାତି ଅଣୁଜୀବଙ୍କ ସଂଖ୍ୟା ଥିଲା ଅତି ପ୍ରବଳ। କ୍ବଚିତ୍ ହେଲେ ବି ‘ଏବିଏସ୍’ ପୀଡ଼ିତଙ୍କ ନିମନ୍ତେ କୌଣସି ସର୍ବସମ୍ମତ ଚିକିତ୍ସା ନାହିଁ। ତେଣୁ, ଅପେକ୍ଷାକୃତ କ୍ଷୁଦ୍ର ହେଲେ ବି ଏ ଗବେଷଣା ବେଶ୍ ତାତ୍ପର୍ଯ୍ୟ ବହନକରେ। ପରୀକ୍ଷାଗାରରେ କଲ୍ଚର୍ କରାଯିବା ବେଳେ ଜଣାପଡ଼ିଲା କି, ଏ ଅଣୁଜୀବ ପ୍ରବଳ ମାତ୍ରାରେ ଇଥନଲ୍ ଉତ୍ପାଦନ କରୁଥିବାରୁ ରୋଗୀ ନିଶାଗ୍ରସ୍ତ ହୋଇଯାଏ।
ଉକ୍ତ ଗବେଷକ ଦଳର ତତ୍ତ୍ବାବଧାରକ ମାସାଚ୍ୟୁସିଟ୍ସ୍ ଜେନେରାଲ୍ ହସ୍ପିଟାଲ୍ର ସଂକ୍ରାମକ ରୋଗ ବିଶେଷଜ୍ଞ ଏଲିଜାବେଥ୍ ହୋହ୍ମାନ୍ ଏବଂ କାଲିଫର୍ଣ୍ଣିଆ ସାନ୍ ଡିଏଗୋ ବିଶ୍ବବିଦ୍ୟାଳୟର ଗ୍ୟାଷ୍ଟ୍ରୋଏଣ୍ଟରୋଲଜିଷ୍ଟ୍ ବର୍ଣ୍ଣଣ୍ଡ୍ ସ୍ନାବଲ୍ ଏ ସଂକ୍ରାନ୍ତରେ ‘ନେଚର୍ ମାଇକ୍ରୋବାୟୋଲୋଜି’ ପତ୍ରିକାରେ ଲେଖିଛନ୍ତି- ‘‘ବହୁ ଏବିଏସ୍ ରୋଗୀ ଚିକିତ୍ସା ଲାଗି ଡାକ୍ତରଙ୍କ ପାଖକୁ ଯାଆନ୍ତି, କିନ୍ତୁ ସେମାନଙ୍କୁ ଗୋପନ-ମଦ୍ୟପ କହି ରୋଗ ନିର୍ଣ୍ଣୟ ବିନା ବିଦାକରାଯାଏ। ଫଳସ୍ବରୂପ ସେମାନଙ୍କ ଶରୀରରେ ଇଥନଲ୍ ମାତ୍ରା ବୃଦ୍ଧିପାଇ ଯକୃତ୍ ନଷ୍ଟ କରିପକାଏ। ତା’ଛଡ଼ା ସେମାନଙ୍କ ସାମାଜିକ, ପାରିବାରିକ ଓ ଲୌକିକ ସମସ୍ୟା କହିଲେ ନ ସରେ।’’ ବେଜିଙ୍ଗ୍ସ୍ଥିତ କ୍ୟାପିଟାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସ୍େର ଅଣୁଜୀବ ବିଶାରଦ ଥିବା ଜିଙ୍ଗ୍ ୟୁଆନ୍ ‘ଏବିଏସ୍’ ଉପରେ ଗବେଷଣା କରିଛନ୍ତି। କବକ ବିଘଟିତ ହୋଇ ଅଣୁଜୀବ ସୃଷ୍ଟି ହେଲେ ‘ଏବିଏସ୍’ ହୁଏ ବୋଲି କେତେକ ଅନୁମାନ କରନ୍ତି, କିନ୍ତୁ ଏ ରୋଗର ସମ୍ଭାବ୍ୟ କାରଣ ‘କ୍ଲେବ୍ସିଏଲା ନିମୁନିଆଇ’ ଅଣୁଜୀବ ହୋଇପାରେ ବୋଲି ଉଲ୍ଲେଖକରି ୨୦୧୯ରେ ୟୁଆନ୍ ଗୋଟାଏ ଗବେଷଣାପତ୍ର ପ୍ରକାଶ କରିଥିଲେ।
ଗବେଷଣା ଦ୍ବାରା ଚିହ୍ନଟ କରାଯାଇଥିବା ‘ଏବିଏସ୍’ ସୃଷ୍ଟିକାରୀ ଦୁଇ ଅଣୁଜୀବ ହେଲା ‘କ୍ଲେବ୍ସିଏଲା ନିମୁନିଆଇ’ ଏବଂ ‘ଇ-କୋଲାଇ’। ଇଥନଲ୍ ଉତ୍ପାଦନ କରୁଥିବା ଏ ଦୁଇ ଅଣୁଜୀବ ‘ଏବିଏସ୍’ ରୋଗାକ୍ରାନ୍ତଙ୍କ ଶରୀରରେ ଅତିଶୟ ରହିଥିବା କଥା ଗବେଷକମାନେ ଜାଣିଲେ। ବିଶେଷକରି, ‘ଏବିଏସ୍’ ପ୍ରାବଲ୍ୟ ସମୟରେ ରୋଗୀଙ୍କ ଶରୀରରେ ‘ଇ-କୋଲାଇ’ ସଂଖ୍ୟା ଅତ୍ୟଧିକ ହୋଇଯାଇଥାଏ। ଅନ୍ତ ମଧ୍ୟସ୍ଥ ଅଣୁଜୀବ ନିବାସ ପୁନଃସୁବ୍ୟବସ୍ଥିତ କରିବା ଲାଗି ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରୁ ଦୁଇଥର ମଳରେ ଥିବା ଅଣୁଜୀବ ଆଣି ପରୀକ୍ଷାମୂଳକ ଭାବେ ଜଣେ ‘ଏବିଏସ୍’ ରୋଗୀଙ୍କ ଦେହରେ ଛଡ଼ାଯାଇଥିଲା। ଏହାଦ୍ବାରା ସେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ବେଶ୍ ଉନ୍ନତି ଘଟିଲା। ଏ ସଂକ୍ରାନ୍ତରେ ଆହୁରି କିଛି ଗବେଷକ ମଧ୍ୟ ଗବେଷଣା କରିଛନ୍ତି। ଅନ୍ତ ମଧ୍ୟସ୍ଥ ବିଭିନ୍ନ ଅଣୁଜୀବଙ୍କ ପରିମାଣଗତ ଅସନ୍ତୁଳନ ଯୋଗୁଁ ଏବେ ବିଶ୍ବବ୍ୟାପୀ ଯକୃତ୍ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି। ଏଥିପାଇଁ ସ୍ଥାୟୀ ଚିକିତ୍ସା ନ ଥିଲେ ବି ଖାଦ୍ୟଦ୍ରବ୍ୟ ପରିବର୍ତ୍ତନ, ମଳ-ଅଣୁଜୀବ ପ୍ରତିବଦଳ ଅଥବା ‘ପ୍ରୋବାୟୋଟିକ୍’ ଭକ୍ଷଣ କିଂବା ଇଥନଲ୍ ଉତ୍ପାଦନ କରୁଥିବା ଅନ୍ତ ମଧ୍ୟସ୍ଥ ଅଣୁଜୀବ ନିଷ୍କାସନ ଦ୍ବାରା ‘ଏବିଏସ୍’ ରୋଗୀ ଉପଶମ ଲାଭ କରିବେ ବୋଲି ଗବେଷକମାନେ ମତ ଦେଇଛନ୍ତି।
Follow Us