Astrology, Happiness and Sadness କର୍ମ ହିଁ ଆମର ଭାଗ୍ୟ: ସୁଖ-ଦୁଃଖ ପାଇଁ କର୍ମ ହିଁ କେବଳ ଦାୟୀ, ଜାଣନ୍ତୁ କେମିତି ମିଳିବ ସୁଖ, ଶାନ୍ତି ଓ ଆନନ୍ଦ…

ନିଜର ଦୁଃଖ ପାଇଁ, ସମସ୍ୟା ପାଇଁ ଅଧିକାଂଶ ବ୍ୟକ୍ତି ଅନ୍ୟକୁ ଦୋଷ ଦେଇଥାନ୍ତି। କିଏ ସ୍ତ୍ରୀ ଉପରେ, କିଏ ପଡ଼ିଶା ଉପରେ, କିଏ ଭାଗ୍ୟ ଉପରେ ତ କିଏ ଈଶ୍ବରଙ୍କ ଉପରେ ଦୋଷ ଲଦିଥାନ୍ତି। ଆମର ସୁଖ-ଦୁଃଖ ପାଇଁ ଆମର କର୍ମ ହିଁ ଦାୟୀ

Astrologer Dolagobinda Panda

Astrologer Dolagobinda Panda Photograph: (sambad.in)

ଭୁବନେଶ୍ବର: ମଣିଷ ଚାହେଁ ସୁଖ, ଶାନ୍ତି ଓ ଆନନ୍ଦ। ସେଥିପାଇଁ ସେ କେତେ କଣ ନ କରେ ! କିନ୍ତୁ ଏ ତିନିଟା ଚିଜ ପଇସା ଦେଲେ ମିଳେ ନାହିଁ। ତେବେ ସୁଖପ୍ରାପ୍ତିରେ ଅର୍ଥର ଯେ ଭୂମିକା ନାହିଁ, ତାହା ନୁହେଁ।  କାରଣ ଅର୍ଥଶାସ୍ତ୍ରର ରଚୟିତା କୌଟିଲ୍ୟଙ୍କ ଭାଷାରେ-

ଅର୍ଥାଗମୋ ନିତ୍ୟମରୋଗିତା ଚ, ପ୍ରିୟା ଚ ଭାର୍ଯ୍ୟା ପ୍ରିୟବାଦିନୀ ଚ।
ବଶ୍ୟଶ୍ଚ ପୁତ୍ରୋଽର୍ଥକରୀ ଚ ବିଦ୍ୟା, ଷଡ଼୍‌ ଜୀବଲୋକସ୍ୟ ସୁଖାନି ରାଜନ୍।।

ଅର୍ଥାତ୍, ପ୍ରତିଦିନ ଅର୍ଥର ଆଗମନ, ଅରୋଗିତା, ପ୍ରିୟବାଦିନୀ ଓ ପ୍ରିୟା ଭାର୍ଯ୍ୟା, ବଶ୍ୟ ପୁତ୍ର ଓ ଅର୍ଥକରୀ ବିଦ୍ୟା- ଏହି ଛଅଗୋଟି ଜିନିଷ ସଂସାରରେ ସୁଖଦାୟକ ହୁଏ। 

ଆମର ଅର୍ଥ ଦରକାର, ତାହା ପୁଣି ପ୍ରତିଦିନ। ଅର୍ଥ ବିନା ଆମର ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ବି ପୂରଣ ହୋଇପାରିବନି। ଦାରିଦ୍ର୍ୟ ଠାରୁ ଦୁଃଖ ଆଉ ନାହିଁ। ମାତ୍ର ଧନୀ ଲୋକଠାରେ ଦାରିଦ୍ର୍ୟବ୍ୟାଧି ଥିବା ଅସମ୍ଭବ ନୁହେଁ। ତାହା ଧନ ଥାଇ ବି ମଣିଷକୁ ଦୁଃଖୀ କରେ। ପୁଣି ଅନେକ କୋଟିପତି ଅଛି, ଯେଉଁମାନେ ବଡ଼ବଡ଼ ରୋଗରେ ପୀଡ଼ିତ। ରୋଗୀ ଲୋକର ସୁଖ କୋଉଠୁ ଆସିବ? ହଁ, ପଇସା ବଳରେ ସେମାନେ ସବୁଠାରୁ ଦାମୀ ମେଡ଼ିକାଲରେ ଚିକିତ୍ସା କରାଇପାରନ୍ତି। ମାତ୍ର ଅନେକ ରୋଗ ଅଛି, ଯାହା ଚିକିତ୍ସାରେ ବା ଦାମୀ ଔଷଧରେ ଭଲ ହୁଏ ନାହିଁ। ପୁଣି ଅନେକ ଧନୀ ଓ ନିରୋଗ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ସ୍ତ୍ରୀ କୁଭାଷିଣୀ ବା ଦୋଚାରୁଣୀ ଓ ପିଲାମାନେ କଥା ମାନନ୍ତିନି। ତେଣୁ ଦାମ୍ପତ୍ୟ ଓ ପାରିବାରିକ ସୁଖଠାରୁ ସେମାନେ ବଞ୍ଚିତ। ପାଖରେ ଅର୍ଥକରୀ ବିଦ୍ୟା ଥିଲେ ତାହା ବି ଦାରିଦ୍ର୍ୟ-ରୂପକ ଦୁଃଖ ଅପନୋଦନରେ ସାହାଯ୍ୟ କରେ। 

ନିଜର ଦୁଃଖ ପାଇଁ, ସମସ୍ୟା ପାଇଁ ଅଧିକାଂଶ ବ୍ୟକ୍ତି ଅନ୍ୟକୁ ଦୋଷ ଦେଇଥାନ୍ତି। କିଏ ସ୍ତ୍ରୀ ଉପରେ, କିଏ ପଡ଼ିଶା ଉପରେ, କିଏ ଭାଗ୍ୟ ଉପରେ ତ କିଏ ଈଶ୍ବରଙ୍କ ଉପରେ ଦୋଷ ଲଦିଥାନ୍ତି। ଆମର ସୁଖ-ଦୁଃଖ ପାଇଁ ଆମର କର୍ମ ହିଁ ଦାୟୀ। ପୂର୍ବଜନ୍ମର କର୍ମ ଏ ଜନ୍ମର ଭାଗ୍ୟ ସ୍ଥିର କରିଥାଏ ଏବଂ ଏ ଜନ୍ମର କର୍ମ ବର୍ତ୍ତମାନର, ଭବିଷ୍ୟତର ଓ ଏ ଜନ୍ମର ଫଳ ତଥା ପରଜନ୍ମର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଅଧ୍ୟାତ୍ମ ରାମାୟଣରେ ଅଛି: 

ସୁଖସ୍ୟ ଦୁଃଖସ୍ୟ ନ କୋଽପି ଦାତା, ପରୋ ଦଦାତୀତି କୁବୁଦ୍ଧିରେଷା।
ଅହଂ କରୋମୀତି ବୃଥାଭିମାନଃ, ସ୍ବକର୍ମସୂତ୍ରୈର୍ଗ୍ରଥିତୋ ହି ଲୋକଃ।।

ଆହୁରି ପଢନ୍ତୁ-

ଡେରିରେ ଖାଉଥିଲେ ସାବଧାନ ! ଖାଦ୍ୟରେ ଅନିୟମିତତା ଏବଂ ଅବହେଳା ଡାକି ଆଣିପାରେ ବଡ଼ ବିପଦ...

ଅର୍ଥାତ୍‌, ସୁଖ-ଦୁଃଖ ଦେବାବାଲା ଆଉ କେହି ନ ଥାନ୍ତି। ଅନ୍ୟ କେହି ଆମକୁ ସୁଖ ଓ ଦୁଃଖ ଦେଉଛନ୍ତି ବୋଲି ଭାବିବା କୁବୁଦ୍ଧି ଓ ସ୍ବଳ୍ପଜ୍ଞାନର ସଙ୍କେତ। ମୁଁ ସମସ୍ତ କାର୍ଯ୍ୟର କର୍ତ୍ତା ବୋଲି ବିଶ୍ୱାସ କରିବା ମଧ୍ୟ ଏକ ମିଥ୍ୟା ଅଭିମାନ। ବାସ୍ତବରେ ଆମର ସମଗ୍ର ଜୀବନ ଓ ଦୁନିଆ ଆମର ନିଜର କର୍ମସୂତ୍ରରେ ବନ୍ଧା ହୋଇଛି। ଅଧ୍ୟାତ୍ମ ରାମାୟଣରେ ଏ କଥା ଲକ୍ଷ୍ମଣ ନିଷାଦରାଜ ଗୁହକକୁ କହିଛନ୍ତି। ନିଷାଦରାଜ ଯେତେବେଳେ ରାମଙ୍କ ବନବାସ ପାଇଁ ମାତା କୈକେୟୀ ଓ ମନ୍ଥରାକୁ ଦୋଷ ଦେଲେ ସେତେବେଳେ ଲକ୍ଷ୍ମଣ ଏହା କହିଥିଲେ।

ତୁଳସୀଦାସ ବି ସମାନ କଥା ଲେଖିଛନ୍ତି- ‘‘କାହୁ ନ କୋଉ ସୁଖ ଦୁଖ କର ଦାତା। ନିଜ କୃତ କରମ ଭୋଗ ସବ ଭ୍ରାତା।।’’ (ମାନସ- ଅଯୋଧ୍ୟାକାଣ୍ଡ)। ଅର୍ଥାତ୍, ସୁଖ ଦୁଃଖ ଦେଉଥିବା ବ୍ୟକ୍ତି ଅନ୍ୟ କେହି ନାହାନ୍ତି। ହେ ଭାଇ, ସମସ୍ତେ ନିଜ ନିଜ କର୍ମ ଅନୁସାରେ ସୁଖ-ଦୁଃଖ ଭୋଗ କରନ୍ତି।- 

ପୁଣି ମାନସ ଉତ୍ତରକାଣ୍ଡରେ ଅଛି-
ବଡ଼େ ଭାଗ ମାନୁଷ ତନୁ ପାୱା। ସୁର ଦୁର୍ଲଭ ସବ ଗ୍ରନ୍ଥହ୍ନି ଗାୱା।।
ସାଧନ ଧାମ ମୋଚ୍ଛ କର ଦ୍ବାରା। ପାଇ ନ ଜେହିଂ ପରଲୋକ ସଁୱାରା।।
ସୋ ପରତ୍ର ଦୁଖ ପାୱଇ ସିର ଧୁନି ଧୁନି ପଛିତାଈ।
କାଲହିଂ କର୍ମହିଂ ଈଶ୍ବରହିଂ, ମିଥ୍ୟା ଦୋଷ ଲଗାଇ।। 

ଅର୍ଥାତ୍, ଏହା ହେଉଛି ବହୁତ ସୌଭାଗ୍ୟ ଯେ ଆମକୁ ଏହି ମାନବ ଶରୀର ମିଳିଛି। ସମସ୍ତ ଶାସ୍ତ୍ରରେ କୁହାଯାଇଛି ଯେ, ଏହି ଶରୀର ଦେବତାମାନଙ୍କ ପାଇଁ ମଧ୍ୟ ଦୁର୍ଲଭ। ଏହା (ମାନବ ଶରୀର) ହେଉଛି ସାଧନର ଧାମ ଓ ମୋକ୍ଷର ଦ୍ୱାର। ଏହାକୁ ପାଇ ମଧ୍ୟ ଯିଏ ନିଜର ପରଲୋକକୁ ସୁଧାରି ନ ପାରିଲା, ସେ ସର୍ବଦା ଦୁଃଖ ପାଇଥାଏ, ମୁଣ୍ଡ ପିଟି ପିଟି ପଶ୍ଚାତ୍ତାପ କରେ। କିନ୍ତୁ ନିଜର ଦୋଷ ବୁଝି ନ ପାରି ସେ କାଳ (ସମୟ), ଭାଗ୍ୟ କିମ୍ବା ଈଶ୍ବରଙ୍କ ଉପରେ ମିଥ୍ୟା ଦୋଷାରୋପ କରେ।

ଆହୁରି ପଢନ୍ତୁ-

ଦହି ଓ ଅଣ୍ଡା- ଆମିଷ ନା ନିରାମିଷ?

ଆମେ ପ୍ରାୟତଃ ନିଜ କର୍ମରୁ ଜାତ କୌଣସି ଘଟଣା ବା ଫଳାଫଳର ଦାୟିତ୍ବ ନେବାକୁ ଚାହୁନାହିଁ। ଆମେ କେବଳ ଆମର ଦୁର୍ଦ୍ଦଶା ପାଇଁ ଅନ୍ୟକୁ ଦାୟୀ କରି କିଛି ସାନ୍ତ୍ବନା ପାଇଥାଉ। କିନ୍ତୁ ଯଦି ଆମେ ନିଜର ଭାଗ୍ୟ ଓ ପରିସ୍ଥିତି ପାଇଁ ନିଜକୁ ଦାୟୀ ବୋଲି ଭାବିବା, ତେବେ ଆମେ ଭବିଷ୍ୟତ ପାଇଁ ବୁଦ୍ଧିମାନ ଭାବରେ ସବୁକିଛି କରିବାକୁ ଚେଷ୍ଟା କରିବା। ଯଦି ଆମେ ଭଲ ଭାବରେ ବୁଝିବା ଯେ ଆମର କର୍ମ ହିଁ ଆମର ଭାଗ୍ୟ ସୃଷ୍ଟି କରେ, ତେବେ ଆମେ ସର୍ବଦା ଭଲ କାର୍ଯ୍ୟ କରିବାକୁ ଚେଷ୍ଟା କରିବା। ଅତୀତ କର୍ମର ମନ୍ଦ ପ୍ରଭାବ ମଧ୍ୟ ବର୍ତ୍ତମାନର ଭଲ କାର୍ଯ୍ୟ ଦ୍ୱାରା ବହୁ ପରିମାଣରେ ପରିବର୍ତ୍ତନ ହୋଇପାରେ।

astrology | human

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe