ରିପୋର୍ଟ: ସସ୍ମିତା ସାହୁ
କୃଷକ କହିଲେ, ସାଧାରଣତଃ ପୁରୁଷଙ୍କ ଛବି ମନକୁ ଚାଲିଆସେ। କିନ୍ତୁ ଏବେ ଯୁଗ ବଦଳିଛି। ମହିଳାମାନେ କୃଷି କ୍ଷେତ୍ରରେ ଭିନ୍ନ ମାଇଲ୍ଖୁଣ୍ଟ ତିଆରି ଚାଲିଛନ୍ତି। ସେ ପାରମ୍ପରିକ ଧାନ କି ମାଣ୍ଡିଆ ଚାଷ ହେଉ ଅବା ଅତ୍ୟାଧୁନିକ ମହୁ ଚାଷ; ସବୁଠି ମହିଳାମାନେ ନିଜ ଦକ୍ଷତା ବଳରେ ଭିନ୍ନ ଉଦାହରଣ ସୃଷ୍ଟି କରୁଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ୍ କଂସର ପଞ୍ଚାୟତର ମୂଷାକାନି ଗାଁର ଜନଜାତି ମହିଳାମାନେ ଅତ୍ୟାଧୁନିକ ପଦ୍ଧତିରେ ମହୁ ଚାଷ କରି ମହିଳା ସଶକ୍ତୀକରଣକୁ ଭିନ୍ନ ଦିଗ ଦେଖାଇଛନ୍ତି। ଗମନାଗମନ ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ, ସରକାରୀ ସୁବିଧାସୁଯୋଗ ଆଦିରୁ ସବୁ କ୍ଷେତ୍ରରେ ପଛୁଆ ପଡ଼ିଥିବା ଏହି ଗ୍ରାମର ୩୦ ଜଣ ଜନଜାତି ମହିଳା ବୈଜ୍ଞାନିକ ଉପାୟରେ ମହୁ ଚାଷର ପ୍ରଶିକ୍ଷଣ ନେବା ସହ ଏବେ ପ୍ରତି ୬ ମାସରେ ଥରେ ୨ କ୍ବିଣ୍ଟାଲ୍ରୁ ଅଧିକ ମହୁ ସଂଗ୍ରହ କରି ନିଜକୁ ସ୍ବାବଲମ୍ବୀ କରିପାରିଛନ୍ତି।
ସିଏସ୍ଆଇଆର୍ ଫ୍ଲୋରିକଲ୍ଚର୍ ମିସନ ଅଧୀନରେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ୍ ସହଯୋଗରେ ମୂଷାକାନିର ମହିଳାମାନେ ମହୁଚାଷ ଦ୍ବାରା ଆଜି ଆତ୍ମନିର୍ଭର। ଯୁଯୁମରା ବ୍ଲକ୍ର ପ୍ରାୟ ୫ ଏକର ଜମିରେ ପ୍ରଥମେ ଫୁଲ ଚାଷ ଆରମ୍ଭ ହୋଇଥିଲା। ଗେଣ୍ଡୁ ଫୁଲ ଓ ଉତ୍ତର ଆମେରିକୀୟ ୟୁଷ୍ଟୋମା ଫୁଲ ଏଠାରେ ବୈଜ୍ଞାନିକ ଶୈଳୀରେ ଚାଷ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୧୦୦ ଏକର ଜମିରେ ଏହି ଫୁଲଚାଷ କରାଯାଉଛି। ଫୁଲ ଚାଷ ସଫଳ ହେବା ପରେ ସେହି ଅଞ୍ଚଳରେ ମହୁ ଉତ୍ପାଦନ ପାଇଁ ଚିନ୍ତା କରାଯାଇଥିଲା। ଏଥିପାଇଁ ସାର ପିଡିଆମୁକ୍ତ ମୂଷାକାନି ଗ୍ରାମର ଜମିକୁ ଚୟନ କରାଯାଇଥିଲା। ୨୦୨୪ ଅକ୍ଟୋବରରେ ସିଏସ୍ଆଇଆର୍-ନ୍ୟାସ୍ନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଏନ୍ବିଆର୍ଆଇ) ପକ୍ଷରୁ ମୂଷାକାନି ଗ୍ରାମରେ ମହୁଚାଷ କୌଶଳ ପ୍ରଣାଳୀ ଉପରେ ଏକ ୪ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏନ୍ବିଆର୍ଆଇର ନିର୍ଦ୍ଦେଶକ ଅଜିତ କୁମାର ଶାସନୀ ପ୍ରଶିକ୍ଷଣରେ ଯୋଗ ଦେଇ ମହିଳାମାନଙ୍କୁ ମହୁ ଉତ୍ପାଦନର କୌଶଳ ଶିଖାଇବା ସହ ଜୀବିକା ଉପାର୍ଜନର ମାଧ୍ୟମ ବତାଇ ଦେଇଥିଲେ। ପ୍ରଶିକ୍ଷଣ ପରେ ମୂଷାକାନି ଗ୍ରାମ ଓ ନିକଟସ୍ଥ ଆଉ ଏକ ଗାଁର ୩ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳାଙ୍କୁ ୧୫୦ଟି ଚଟାଣ ମହୁ ବାକ୍ସ ଯୋଗାଇ ଦିଆଯାଇଥିଲା।
ସମ୍ବଲପୁରର ଅଭିନବ କୃଷି ଗବେଷଣା ସଂଗଠନର ମାନେଜିଂ ଟ୍ରଷ୍ଟି ଅଭିଳାଷ ପ୍ରଧାନ କହିଛନ୍ତି, ୨୦୨୫ ଅଗଷ୍ଟ ସୁଦ୍ଧା ଏହି ମହିଳାମାନେ ଜଙ୍ଗଲୀ ଫୁଲରୁ ୨ କୁଇଣ୍ଟାଲ୍ ମହୁ ସଂଗ୍ରହରେ ସଫଳ ହୋଇଛନ୍ତି। ଗୋଟିଏ ବାକ୍ସ ପିଛା ପ୍ରତି ୫/୬ ମାସରେ ୫ କେଜି ମହୁ ଉତ୍ପାଦିତ ହେଉଛି। ଏହି ଉତ୍ତମ ଗୁଣବତ୍ତାଯୁକ୍ତ ମହୁ କିଲୋପିଛା ୮୦୦ ଟଙ୍କାରେ ବିକ୍ରି କରି ମହିଳାମାନେ ନିଜକୁ ସ୍ବାବଲମ୍ବୀ କରିବା ସହ ନିଜ ପାରିବାରିକ ଅବସ୍ଥାକୁ ସୁଧାରି ପାରିଛନ୍ତି। ଜଙ୍ଗଲୀ ମହୁ ହୋଇଥିବାରୁ ଏହାକୁ ବ୍ରାଣ୍ଡିଂ କରି ବାହାରେ ୧୦୦୦ରୁ ୧୫୦୦ ଟଙ୍କାରେ ମଧ୍ୟ ବିକ୍ରି ହେଉଛି। ମହୁ ଚାଷ ମଧ୍ୟମରେ ନିଜ ନିୟମିତ ରୋଜଗାର ଛଡ଼ା ପ୍ରତି ମହିଳା ବର୍ଷକୁ ଅତିରିକ୍ତ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏ ନେଇ ମହୁଚାଷୀ ଆଶ୍ରିତା ଡୁଙ୍ଗ୍ ଡୁଙ୍ଗ୍ କହିଛନ୍ତି, ପ୍ରଶିକ୍ଷଣ ନେବା ପରେ ଆମକୁ ମହୁ ବାକ୍ସ ମିଳିଥିଲା। ଏହାକୁ ଆମେ ସମସ୍ତେ ମିଳିମିଶି ଠିକ୍ ଭାବେ ସ୍ଥାପନ କରିବା ସହ ଧୀରେଧୀରେ ଏହାର ଯତ୍ନ ନେବା ଆରମ୍ଭ କରିଥିଲୁ। ପ୍ରଥମେ ତ ମହୁମାଛି ଦେଖି ଡର ଲାଗୁଥିଲା। ପରେ ଏହାର ଅଭ୍ୟାସ ହୋଇଗଲା। ପ୍ରଥମେ ୬ ମାସ ପରେ ଗୋଟିଏ କେଜି ମହୁ ବାହାରିଥିଲା। ପରେ ଗୋଟିଏ ଲେଖାଏଁ ବାକ୍ସରୁ ଅଧିକ ମହୁ କେମିତି ବାହାରିବ ସେ ନେଇ ଆମେ ସତର୍କ ହୋଇ କାମ କରିଥିଲୁ। ଏବେ ମହୁ ଦ୍ବାରା ଆମେ ଭଲ ଦୁଇ ପଇସା ରୋଜଗାର କରିପାରୁଛୁ।
Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
ରିନାଥେନ୍ ଗୁଡ଼ିଆ କହିଛନ୍ତି, ଏଠାରେ ମହୁ ଚାଷ ହୋଇପାରିବ ବୋଲି ଆମେ ଜାଣି ନଥିଲୁ କି ଚିନ୍ତା ବି କରି ନଥିଲୁ। ହେଲେ ସିଏସ୍ଆଇଆର୍-ଏନ୍ବିଆର୍ଆଇ ଆମକୁ ମହୁଚାଷ କରିବାକୁ କହିଥିଲେ। ଆମେ କିନ୍ତୁ ପ୍ରଥମେ ରାଜି ହୋଇ ନଥିଲୁ। ପରେ ସେମାନେ ଆମକୁ ତାଲିମ ଦେଇଥିଲେ। ମହୁମାଛି ଓ ମହୁ ଉତ୍ପାଦନକୁ ନେଇ ଆମକୁ ପ୍ରାକ୍ଟିକାଲ୍ କରି ଦେଖାଇଥିଲେ। ତା’ ପରେ ଆମ ଭୟ ଚାଲିଯାଇଥିଲା। ତା’ ପରେ ଆମେ ମହୁଚାଷ ପାଇଁ ରାଜି ହୋଇଥିଲୁ। ହେଲେ ମହୁମାଛି ପ୍ରତିପୋଷଣ ସମୟରେ ଡର ଲାଗିବା ସହ ଟିକେ ଟିକେ ବିରକ୍ତ ବି ଲାଗୁଥିଲା। କିନ୍ତୁ ୬ ମାସ ପରେ ଯେତେବେଳେ ଆମେ ମହୁ ଉତ୍ପାଦନ କରି ବୋତଲରେ ଢାଳିଥିଲୁ, ଏକ ଆତ୍ମତୃପ୍ତି ଅନୁଭବ ହୋଇଥିଲା। କିଛି ରୋଜଗାର ବି ହେଲା। ଏବେ ଆମେ ଆଗକୁ ଏହି କାମ ଜାରି ରଖିବୁ ବୋଲି ସେ କହିଛନ୍ତି।
Follow Us