ଆମେ ଏବେ ବଡ଼ ଉତ୍ସୁକ ପରିସ୍ଥିତିରେ ଅଛୁ କହିଲେ ଚଳେ। କାହିଁ କେଉଁ କାଳରୁ ମନୁଷ୍ୟ ମନରେ ଜାତ ହୋଇଥିବା କେତେକ ଆଦିମ ପ୍ରଶ୍ନର ଉତ୍ତର ଏବେ ଆମ ହାତପାଆନ୍ତାରେ। ସେଥିରୁ ଗୋଟାଏ ହେଉଛି ଅନ୍ତରୀକ୍ଷରେ ପୃଥିବୀ କ’ଣ ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ରହିଛି? ତା’ଛଡ଼ା, ଗ୍ରହଜଗତ ଚଳାଇ ରଖିବାରେ ସୂର୍ଯ୍ୟ କ’ଣ ଅପ୍ରତିମ? ଏ ପ୍ରଶ୍ନଟି ବିଗତ ୩୦ ବର୍ଷ ହେବ ଆମକୁ ବ୍ୟଥିତ କରିଆସୁଥିଲା। କିନ୍ତୁ, ଏହାର ଅଭ୍ରାନ୍ତ ଉତ୍ତର ମିଳିଯାଇଛି। ଆମେ ଏବେ ସୁନିଶ୍ଚିତ ଯେ ଆମ ଜଗତ ବାହାରେ ମଧ୍ୟ ସୂର୍ଯ୍ୟସମ ଅନ୍ୟାନ୍ୟ ବହୁ ନକ୍ଷତ୍ରଙ୍କୁ କେନ୍ଦ୍ରକରି ଅସୁମାରି ଗ୍ରହ ନିଜ ନିଜ କକ୍ଷପଥରେ ପରିକ୍ରମଣ କରୁଛନ୍ତି।
ସୁଦୂର ସେ ସବୁ ପୃଥିବୀତୁଲ୍ୟ ଗ୍ରହ ମଧ୍ୟରୁ କେଉଁଥିରେ ଜୀବଜଗତ୍ ଅଛି କି ନାହିଁ ତାହା କ’ଣ ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଠାବ କରାଯିବା ସମ୍ଭବ? କିନ୍ତୁ, ଗୋଟାଏ ପଦ୍ଧତି ସେ କ୍ଷେତ୍ରରେ ଆଶା ସଂଚାର କରିଛି। ତାହା ହେଉଛି ସେ ସେ ସବୁ ଗ୍ରହର ବାୟୁମଣ୍ଡଳରେ ଉପସ୍ଥିତ ବାଷ୍ପ ଅନୁଶୀଳନ। ଅନ୍ତରୀକ୍ଷରେ ୬ ହଜାରରୁ ଅଧିକ ପୃଥିବୀତୁଲ୍ୟ ଗ୍ରହ ଥିବା କଥା ଏବେସୁଦ୍ଧା ମନୁଷ୍ୟ ଜାଣିପାରିଛି। ସେଥିରୁ ଯେଉଁ ଗ୍ରହଗୁଡ଼ିକରେ ଜୀବଜଗତ ଥିବାପରି ପ୍ରତୀୟମାନ ହେଉଛି, ତାହାର ତାଲିକା ପ୍ରସ୍ତୁତ କରାଯାଉଛି। ସେ ସବୁ ଗ୍ରହ ଓ ସେମାନେ ପରିକ୍ରମଣ କରୁଥିବା ନକ୍ଷତ୍ର ମଧ୍ୟରେ ଥିବା ଦୂରତ୍ବ ଅନୁଯାୟୀ ଏହି ତାଲିକା କରାଯାଉଛି। ସରଳ ଭାଷାରେ କହିଲେ, ଉକ୍ତ ଗ୍ରହର ସମ୍ଭାବ୍ୟ ଉତ୍ତାପ ଆକଳନ କରି ସେଠାରେ ଜୀବଜଗତ ତିଷ୍ଠିବା ସମ୍ଭବି କି ନା, ତାହା ବିବେଚନା କରାଯାଉଛି।
Seven planets: ଅନ୍ୟ ସାତଟି ଗ୍ରହରେ ମଣିଷର କ’ଣ ହେବ?
ଏଯାବତ୍ ମନୁଷ୍ୟ ଜାଣିବାରେ ସୌରଜଗତ୍ରେ ପୃଥିବୀ ହିଁ ଏକମାତ୍ର ଗ୍ରହ ଯାହା ପୃଷ୍ଠସ୍ଥ ସମୁଦ୍ରରେ ଜଳ ତରଳ ଅବସ୍ଥାରେ ରହିଛି। ସୁତରାଂ, ଏଭଳି ମୃଦୁ ଉତ୍ତାପବିଶିଷ୍ଟ ଗ୍ରହରେ ଜୀବଜଗତ ଥାଇପାରେ! ସୌଭାଗ୍ୟର କଥା, ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଯୋଗେ ସେସବୁ ଗ୍ରହ ମଧ୍ୟରୁ କେତେକଙ୍କ ବାୟୁମଣ୍ଡଳରେ ଥିବା ମଲିକ୍ୟୁଲ୍ ବା ଅତି ସୂକ୍ଷ୍ମ କଣିକାଗୁଡ଼ିକୁ ମନୁଷ୍ୟ ଚିହ୍ନଟ କରିପାରିଛି। ଏ କ୍ଷେତ୍ରରେ ‘ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍’ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଆମ ସୌରଜଗତ ବାହାରେ ଅବସ୍ଥିତ ଭିନ୍ନ ଭିନ୍ନ ପ୍ରକାର ଗ୍ରହଗୁଡ଼ିକର ବାୟୁମଣ୍ଡଳ ପରଖିବା ଲାଗି ଏହି ଅତିକାୟ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରାଯାଉଛି।
ପୃଥିବୀ ଅପେକ୍ଷା ବୃହତ୍ତର କିନ୍ତୁ ନେପ୍ଚ୍ୟୁନ୍ ଅପେକ୍ଷା କ୍ଷୁଦ୍ରତର ଗ୍ରହଗୁଡ଼ିକୁ ସବ୍-ନେପ୍ଚ୍ୟୁନ୍ ବୋଲି କୁହାଯାଉଛି। ଏଗୁଡ଼ିକ ପୃଥିବୀତୁଲ୍ୟ ସାଧାରଣ ଗ୍ରହସମୂହ। ସେଥିରୁ ‘କେଟୁ-ଏଇଟିନ୍ବି’ ନାମ ଦିଆଯାଇଥିବା ଗୋଟାଏ ଗ୍ରହରୁ ୨୦୨୫ରେ ଜୀବସତ୍ତା ସମ୍ବନ୍ଧୀୟ ରାସାୟନିକ ଉପାଦାନ ଚିହ୍ନଟ କରାଯାଇଥିବା କଥା ଘୋଷିତ ହୋଇଥିଲା। ତାହା ହେଉଛି ‘ଡାଇମିଥାଇଲ୍ ସଲ୍ଫାଇଡ୍’। ଆମ ପୃଥିବୀରେ ‘ଡାଇମିଥାଇଲ୍ ସଲ୍ଫାଇଡ୍’ ଉତ୍ପାଦନ କରନ୍ତି ସମୁଦ୍ରରେ ଥିବା ଫାଇଟୋପ୍ଲାଙ୍କ୍ଟନ୍ ଜାତୀୟ ଅଣୁଜୀବ। କିନ୍ତୁ, ଖରା ବାଜିଲେ ‘ଡାଇମିଥାଇଲ୍ ସଲ୍ଫାଇଡ୍’ ବିଘଟିତ ହୋଇ ମଧୁରଜଳ ପାଲଟିଯାଏ। ସେଥିପାଇଁ ଅନୁମାନ କରାଯାଉଛି ଯେ ‘କେଟୁ-ଏଇଟିନ୍ବି’ ନାମକ ଗ୍ରହ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ଥାଇପାରେ। ସେ ଜଳରାଶିରେ ଜଳଜ ଅଣୁଜୀବମାନେ ଥାଇପାରନ୍ତି।
ଅବଶ୍ୟ ଉକ୍ତ ‘ଡାଇମିଥାଇଲ୍ ସଲ୍ଫାଇଡ୍’ ନମୁନାକୁ ଅନ୍ୟ ଗବେଷକମାନେ ପୁନଃ ବିଶ୍ଳେଷଣ କରି ଭିନ୍ନମତ ଦେଇଛନ୍ତି। ପ୍ରକାଶ କରି ନ ଥିଲେ ବି ‘କେଟୁ-ଏଇଟିନ୍ବି’ରେ ଜୀବସତ୍ତା ପରଖିବା ଲାଗି ବହୁ ବିକଳ୍ପ ଉପାୟ ପାଇଥିବା କଥା ସେମାନେ ସୂଚନା ଦେଇଛନ୍ତି। ତା’ଛଡ଼ା ଶିଳା-ବନ୍ଧୁର ମନେ କରାଯାଉଥିବା ସେ ସବୁ ଦୂରନ୍ତ ଗ୍ରହରେ ଥିବା ବାୟୁମଣ୍ଡଳ ‘ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍’ ଦ୍ବାରା ଚିହ୍ନଟ କରିବା କଷ୍ଟକର ବୋଲି ସେମାନେ କହିଛନ୍ତି। ସେ ଯାହାହେଉ, ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ଦୂରନ୍ତ ଗ୍ରହରେ ଥିବା ଜୀବସତ୍ତା ଚିହ୍ନଟ କରିବା ସମ୍ଭବ ବୋଲି ସେମାନେ ପରୋକ୍ଷ ଭାବେ ସୂଚନା ଦେଇଛନ୍ତି। ତେଣୁକରି, ଅନ୍ତରୀକ୍ଷରେ ଜୀବସତ୍ତା ସନ୍ଧାନ କରିବା ଲାଗି ୟୁରୋପିୟାନ୍ ସ୍ପେସ୍ ଏଜେନ୍ସି ଚଳିତବର୍ଷ ‘ପ୍ଲାଟୋ’ ଦୂରବୀକ୍ଷଣ, ୨୦୨୯ରେ ‘ନାସା’ ‘ନାନ୍ସି ଗ୍ରେସ୍ ରୋମାନ୍’ ଦୂରବୀକ୍ଷଣ, ୟୁରୋପିୟାନ୍ ସ୍ପେସ୍ ଏଜେନ୍ସି ‘ଏୟାର୍ଟେଲ୍’ ଦୂରବୀକ୍ଷଣ ଉତ୍କ୍ଷେପଣ କରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/15/fjfsjbcnbbn-2026-01-15-01-41-11.jpg)