ସୂର୍ଯ୍ୟର କ୍ଷତିକାରକ ବିକିରଣ ଓ ତେଜସ୍କ୍ରିୟ ସୌର ପବନର କ୍ଷତି ରୋକିବା ପାଇଁ ପୃଥିବୀର ସୁରକ୍ଷାତ୍ମକ ଚୁମ୍ବକୀୟ କ୍ଷେତ୍ର ଓ ଏକ ବାସଯୋଗ୍ୟ ବାୟୁମଣ୍ଡଳ ରହିଥିବାରୁ ଭୂପୃଷ୍ଠରେ ଜୀବଜଗତ ତିଷ୍ଠି ରହିଛି। ତେବେ ସୌରମଣ୍ଡଳର ଅନ୍ୟ ସାତଟି ଗ୍ରହର ଭିନ୍ନ ବୈଶିଷ୍ଟ୍ୟ ଜୀବନ ପାଇଁ ସର୍ବଦା ଅନୁକୂଳ ନୁହେଁ। ଏ ପରିପ୍ରେକ୍ଷୀରେ ଅନ୍ୟ ଗ୍ରହ ପୃଷ୍ଠରେ ମଣିଷ ଅବତରଣ କଲେ କିଭଳି ଜଟିଳତାର ସମ୍ମୁଖୀନ ହେବାକୁ ପଡ଼ିବ, ସେ ବିଷୟରେ ଜାଣିବା।
ସୂର୍ଯ୍ୟର ସବୁଠାରୁ ନିକଟତମ ଗ୍ରହ ବୁଧ ପୃଷ୍ଠର ତୀବ୍ର ଉତ୍ତାପ ଆମ ଚର୍ମକୁ ଆଖି ପିଛୁଳାକେ ତରଳାଇଦେବ। ପୃଥିବୀ ପରି ବୁଧର କୌଣସି ବାୟୁମଣ୍ଡଳ ନାହିଁ; ଏହା ପରିବର୍ତ୍ତେ ଏକ ଭଙ୍ଗୁର ଏକ୍ସୋସ୍ପିଅର ଅଛି, ଯାହା ଏତେ ପତଳା ଯେ ସୂର୍ଯ୍ୟର ତୀବ୍ର ଉତ୍ତାପ ଓ ବିକିରଣ ପୃଷ୍ଠକୁ ଅନାୟାସରେ ପହଞ୍ଚିଯାଏ। ଫଳରେ ସେଠି ତାପମାତ୍ରା ଦିନରେ ପ୍ରାୟ ୮୦୦ ଡିଗ୍ରି ଫାରେନହାଇଟ୍ ଏବଂ ରାତିରେ ୨୯୦ ଡିଗ୍ରି ଫାରେନହାଇଟ୍ ରହିଥାଏ। ଏଥି ସହିତ ବାୟୁମଣ୍ଡଳର ଅଭାବ ଆମକୁ ଅଳ୍ପ ସମୟରେ ମୃତ୍ୟୁମୁଖରେ ପକାଇଦେବ। ସୂର୍ଯ୍ୟର ଦ୍ୱିତୀୟ ନିକଟତମ ଗ୍ରହ ଶୁକ୍ରର ଏକ ଘନ ବାୟୁମଣ୍ଡଳ ରହିଛି, ଯାହା ପୃଥିବୀ ତୁଳନାରେ ୯୩% ଭାରୀ ଓ ଏହା ଅଙ୍ଗାରକାମ୍ଳ ଭଳି ସବୁଜଗୃହ ବାଷ୍ପକୁ ଧରି ରଖିଛି। ଏହା ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମି ସହିତ ମିଶି ଏହାକୁ ସୌରମଣ୍ଡଳର ସବୁଠୁ ଉତ୍ତପ୍ତ ଗ୍ରହ କରିଥାଏ। ସୀସା ତରଳିବା ପାଇଁ ଯଥେଷ୍ଟ ତାପମାତ୍ରା ଥିବା ଶୁକ୍ର ପୃଷ୍ଠରେ ଅବତରଣ କଲେ ଆମର ମହାକାଶ ଯାନ ସମେତ ସବୁକିଛି ତରଳିଯିବ। ଏଥି ସହିତ ଏହାର ଭାରୀ ଅଙ୍ଗାରକାମ୍ଳ ଆମକୁ ଶ୍ୱାସରୁଦ୍ଧ କରି ଶରୀରକୁ ଚୂର୍ଣ୍ଣ କରିଦେବ।
ପୃଥିବୀର ତାପମାତ୍ରା, ମାଧ୍ୟାକର୍ଷଣ ଓ ବାୟୁ ଚାପ ଅନୁଯାୟୀ ମଣିଷର ବିବର୍ତ୍ତନ ହୋଇଛି। ତେଣୁ ଅନ୍ୟ ଗ୍ରହରେ ପହଞ୍ଚିଗଲେ ମଧ୍ୟ ସେଠାକାର ପରିବେଶ ମଣିଷ ପାଇଁ ପ୍ରତିକୂଳ ହେବ।
ସୌରମଣ୍ଡଳର ଚତୁର୍ଥ ଗ୍ରହ ମଙ୍ଗଳ ହେଉଛି ମାନବ ପାଇଁ ସବୁଠାରୁ ଉପଯୁକ୍ତ ଗନ୍ତବ୍ୟ। ଏହା ମଣିଷଙ୍କ ପାଇଁ ବାସଯୋଗ୍ୟ ହୋଇପାରିବ। ତେବେ ସେଠାରେ ପୃଥିବୀ ତୁଳନାରେ ଆମ ଓଜନ ଏକ ତୃତୀୟାଂଶ ହେବ, ଅର୍ଥାତ୍ ଜିନିଷଗୁଡ଼ିକୁ ବହନ କରିବା ବହୁତ ସହଜ ହେବ ଏବଂ ଆମେ ବହୁତ ଦୂର ଡେଇଁପାରିବା। ତେବେ ଏହାର ପତଳା ବାୟୁମଣ୍ଡଳ ସୂର୍ଯ୍ୟର ଉତ୍ତାପକୁ ଧରି ରଖିପାରେ ନାହିଁ। ସେଠି ଦିନର ମଧ୍ୟଭାଗରେ ସର୍ବାଧିକ ୭୦ ଡିଗ୍ରି ଫାରେନହାଇଟ୍ ଓ ରାତିରେ ବିଯୁକ୍ତ ୨୨୫ ଡିଗ୍ରି ଫାରେନହାଇଟ୍ ପର୍ଯ୍ୟନ୍ତ ଭୀଷଣ ଥଣ୍ଡାରୁ ନିଜକୁ ରକ୍ଷା କରିବା ସବୁଠାରୁ ବଡ଼ ଆହ୍ବାନ ହେବ। ସୌରମଣ୍ଡଳର ବୃହତ୍ତମ ତଥା ପଞ୍ଚମ ଗ୍ରହ ବୃହସ୍ପତିର ବାୟୁମଣ୍ଡଳରେ ମୁଖ୍ୟତଃ ଉଦ୍ଜାନ ଓ ହିଲିୟମ୍ ରହିଛି ଯାହା ଶ୍ବାସକ୍ରିୟା ପାଇଁ ଅସାଧାରଣ ଭାବେ କଷ୍ଟଦାୟକ ହେବ। ସେହିପରି ବୃହସ୍ପତିର ଚୁମ୍ବକୀୟ କ୍ଷେତ୍ର ସୌର ପବନରୁ କଣିକାଗୁଡ଼ିକୁ ଟାଣିରଖେ, ଫଳରେ କିଛି ଘଣ୍ଟା ମଧ୍ୟରେ ମଣିଷ ମାରାତ୍ମକ ବିକିରଣର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିବା ସୁନିଶ୍ଚିତ। ପୁଣି ବୃହସ୍ପତିର ହାରାହାରି ପୃଷ୍ଠ ତାପମାତ୍ରା ବିଯୁକ୍ତ ୧୬୬ ଡିଗ୍ରି ଫାରେନହାଇଟ୍ ଯାହା ଆମକୁ ଆଦୌ ସୁହାଇବ ନାହିଁ।
Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା
ସୌରମଣ୍ଡଳର ଷଷ୍ଠ ଗ୍ରହ ଶନିର କୌଣସି କଠିନ ପୃଷ୍ଠ ନାହିଁ, ଏହା କେବଳ ଉଦ୍ଜାନ ଓ ହିଲିୟମ ବାଷ୍ପରେ ଗଠିତ। ତେଣୁ ଶନି ଗ୍ରହରେ ଠିଆ ହେବାକୁ ଚେଷ୍ଟା କଲେ ଉଦ୍ଜାନ ଓ ହିଲିୟମର ଘନ ମେଘ ମଧ୍ୟ ଦେଇ ଖସିପଡ଼ିବା। ପରବର୍ତ୍ତୀ ସମସ୍ୟା ହେଉଛି ଶନି ଗ୍ରହର ଚାପ, ଯାହା ଗ୍ୟାସଗୁଡ଼ିକୁ ତରଳରେ ପରିଣତ କରିଦେଇଥାଏ। ଏହା ଆମ ଶରୀରକୁ ଏବଂ ସୁରକ୍ଷା ପାଇଁ ବ୍ୟବହୃତ ଯେକୌଣସି ଉପକରଣକୁ ଚୂର୍ଣ୍ଣ କରିବା ପାଇଁ ଯଥେଷ୍ଟ। ସେଠାରେ ପୁଣି ପବନର ବେଗ ଘଣ୍ଟା ପ୍ରତି ୧,୧୦୦ ମାଇଲରୁ ଅଧିକ ହୋଇପାରେ, ଯାହା ମାନବ ଜୀବନ ପାଇଁ ଅସଙ୍ଗତ। ସୌରମଣ୍ଡଳର ସପ୍ତମ ଗ୍ରହ ୟୁରାନସ୍ ସୂର୍ଯ୍ୟଠାରୁ ଏତେ ଦୂରରେ ରହିଛି ଯେ ତାହାର ପୃଷ୍ଠଦେଶ ଅସମ୍ଭବ ଭାବରେ ଥଣ୍ଡା। ଏହା ଏକ ବରଫ ଗ୍ରହ ଏବଂ ଏହାର ବସ୍ତୁତ୍ୱର ୮୦% ଜଳ, ମିଥେନ୍ ଓ ଆମୋନିଆରେ ଗଠିତ। ସେଗୁଡ଼ିକ ଏକ ଛୋଟ କୋର୍କୁ ଘେରି ରହିଛି, ଯେଉଁଠି ତାପମାତ୍ରା ୯,୦୦୦ ଡିଗ୍ରି ଫାରେନହାଇଟ୍ ଯାଏ ପହଞ୍ଚିଥାଏ। ମଣିଷ ଶରୀର ତାହାର କୋର୍ ପାଖକୁ ଯିବା ବାଟରେ ଜମାଟ ବାନ୍ଧିଯିବ ଏବଂ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତରଳିଯିବ। ସେଠାରେ ପବନର ବେଗ ଘଣ୍ଟା ପ୍ରତି ୫୬୦ କିମି ଯାଏ ପହଞ୍ଚିପାରେ, ଯାହା ମଣିଷ ଶରୀର ପାଇଁ ଅସହ୍ୟ।
Accident: ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର
ସୌରମଣ୍ଡଳର ଅଷ୍ଟମ ଗ୍ରହ ନେପଚ୍ୟୁନ୍ ମଧ୍ୟ ୟୁରାନସ ପରି ଆଉ ଏକ ବରଫ ପିଣ୍ଡ। ଏହାର ବସ୍ତୁତ୍ୱର ୮୦% ଆମୋନିଆ, ମିଥେନ ଓ ଜଳରେ ଗଠିତ ଏବଂ ଏହାର ଏକ ଛୋଟ କୋର୍ ଅଛି। ତେବେ ସେଠାରେ ଠିଆ ହେବା ପାଇଁ କୌଣସି ପୃଷ୍ଠ ନାହିଁ। ଯଦି ଗ୍ରହ ପାଖରେ ରହିବାକୁ ଚେଷ୍ଟା କରାଯାଏ, ତେବେ ଉଦ୍ଜାନ, ହିଲିୟମ ଓ ମିଥେନ୍ର ବାୟୁମଣ୍ଡଳ ଶ୍ବାସକ୍ରିୟାକୁ ଅସମ୍ଭବ କରିଦେବ। ବାୟୁମଣ୍ଡଳର ତାପମାତ୍ରା ବିଯୁକ୍ତ ୩୪୬ ଡିଗ୍ରି ଫାରେନହାଇଟ୍ ପର୍ଯ୍ୟନ୍ତ ଖସିପାରେ। ତାହାର ମେଘ ତଳେ ଉତ୍ତପ୍ତ ଜଳ ରହିଛି। ତାହାର ଉଚ୍ଚ ଚାପରେ ଆମ ଶରୀର ତରଳିଯିବ କିମ୍ବା ଚୂର୍ଣ୍ଣ ହୋଇଯିବ। ସେଠାରେ ପୁଣି ଘଣ୍ଟାକୁ ୧,୨୦୦ ମାଇଲ୍ ବେଗରେ ବହୁଥିବା ପବନ ଆମ ଶରୀର ପାଇଁ ଅସହ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/11/planet-2025-12-11-01-42-02.jpg)