ରାଉରକେଲା: ଭୋକ ମେଣ୍ଟାଇବାକୁ ବୁଲାକୁକୁର ଡାକ୍ତରଖାନା ଭିତରେ ପଶି ନବଜାତ ଶିଶୁକୁ ଝୁଣି ଖାଇଯାଉଛି। ପୁଣି କେତେବେଳେ ଘରେ ପଶି ପିଲାଛୁଆଙ୍କୁ କାମୁଡ଼ୁଛି। ବୁଲାକୁକୁରଙ୍କ ପ୍ରତି ନିଷ୍ଠୁର ନ ହେବା ସହ ଖାଦ୍ୟ ଯୋଗାଇ‌ ଦେବାକୁ ତିନିମାସ ତଳେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ପ୍ରତ୍ୟେକ ରାଜ୍ୟର ପୌରପାଳିକା ଓ ମହାନଗର ନିଗମକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲାକୁକୁରଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

Advertisment

Poem by Chirashree Indrasingh: ଚିରଶ୍ରୀ ଇନ୍ଦ୍ରସିଂଙ୍କ କଲମରୁ, ଯାଃ... ଧୂଳି ଛାଟିଦେଲି ମନ୍ତ୍ରକରି

ଦେଶର କର୍ଣ୍ଣାଟକ ସମେତ କିଛି ରାଜ୍ୟ ସରକାର ବୁଲାକୁକୁରଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିସାରିଛନ୍ତି। ମାତ୍ର ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ। ଆର୍‌ଏମ୍‌ସିର ୪୦ ୱାର୍ଡରେ ପାଖାପାଖି ୨୦ ହଜାରରୁ ଅଧିକ ବୁଲାକୁକୁର ଅଛନ୍ତି। ସହରର ପ୍ରତ୍ୟେକ ଗଳିକନ୍ଦି, କଲୋନି ଓ ବସ୍ତିରେ ଶହଶହ କୁକୁର ବୁଲୁଛନ୍ତି। ସହରର ହାତଗଣତି କେତୋଟି ଅନୁଷ୍ଠାନ କିଛି ଅଞ୍ଚଳରେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ତା’ ପୁଣି ଦୈନନ୍ଦିନ ନୁହେଁ। ହୋଟେଲ, ଜଳଖିଆ ଦୋକାନ ହେଉ ବା ଫୁଡ୍‌କୋର୍ଟରେ ଭୋକ ମେଣ୍ଟାଇବାକୁ ହେଉ, ସବୁଆଡ଼େ ପଲପଲ କୁକୁର ବୁଲୁଛନ୍ତି। ଖାଇବାକୁ ନ ପାଇ ସେମାନେ ଅଧିକାଂଶ ସମୟରେ ଲୋକଙ୍କୁ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସହର ଓ ଏହାର ଆଖପାଖରେ ମାସକୁ ୮୩୫ ଅର୍ଥାତ୍‌ ଦିନକୁ ୨୭ରୁ ଅଧିକ ଲୋକ କୁକୁରକାମୁଡ଼ାର ଶିକାର ହେଉଛନ୍ତି। ଜୁନ୍‌ ଓ ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଉଛି। ୨୦୨୨ରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ୫୬୮ କୁକୁରକାମୁଡ଼ା ରୋଗୀ ଆସିଥିଲେ। ୨୦୨୩ରେ ଏହି ସଂଖ୍ୟା ବଢ଼ି ୨ ହଜାର ୧୮୪ରେ ପହଞ୍ଚିଥିଲା। ୨୦୨୪ରେ ପୂର୍ବବର୍ଷଠାରୁ ୩ ଗୁଣ ଅର୍ଥାତ୍‌ ୬ ହଜାର ୬୨୯ କୁକୁରକାମୁଡ଼ା ରୋଗୀ ଆସିଥିଲେ। ୨୦୨୫ ନଭେମ୍ବର ସୁଦ୍ଧା ୫ ହଜାରରୁ ଅଧିକ କୁକୁରକାମୁଡ଼ା ରୋଗୀ ଆସି ସାରିଲେଣି। ଦିନକୁଦିନ କୁକୁରକାମୁଡ଼ା ସଂଖ୍ୟା ବଢ଼ୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସ୍ଥିତି ବିଗିଡ଼ିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଆର୍‌ଏମ୍‌ସି ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Jibanara JalaChhabi: ଗୌରହରି ଦାସଙ୍କ ଜୀବନର ଜଳଛବି