ମେଘାଳୟର ଖାସି ପାହାଡ଼ ଉପରେ ରହିଥିବା ସବୁଜ ବନାନୀ ଭରା ସିଜ୍ ଗ୍ରାମର ବାସିନ୍ଦା ହାଲ୍ଲି ୱାର୍ଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତେବେ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ଅନ୍ୟ ସମସ୍ତଙ୍କ ଠାରୁ ହାଲ୍ଲି ୱାର୍ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏବଂ ଜଣେ ଭିନ୍ନ ବ୍ୟକ୍ତିତ୍ୱ ବୋଲି କୁହାଯାଇପାରେ। ଜିଅନ୍ତା ଗଛର ଚେରରେ ସେ ତିଆରି ଥିବା ସେତୁ ହିଁ ତାଙ୍କୁ ସମଗ୍ର ଦେଶରେ ଚର୍ଚ୍ଚିତ କରିଛି। ସ୍ଥାନୀୟ ଭାଷାରେ ‘ଜିଙ୍ଗ୍କିଏଙ୍ଗ୍ ଜ୍ରି’ ଓ ଇଂରାଜୀରେ ‘ଲିଭିଙ୍ଗ୍ ରୁଟ୍ ବ୍ରିଜ୍’ କୁହାଯାଉଥିବା କ’ଣ ଏହି ଜୀବନ୍ତ ଚେର ସେତୁ? ଦୀର୍ଘ ୫୦ ବର୍ଷର ନିଷ୍ଠାପର ଉଦ୍ୟମ ଓ ଅସାଧାରଣ ସେବା ମନୋଭାବ ତାଙ୍କୁ ଜଣେ ବିରଳ ବ୍ୟକ୍ତତ୍ବରେ ରୂପାନ୍ତରିତ କରିଛି। ଭାରତର ସର୍ବାଧିକ ଆର୍ଦ୍ର ଅଞ୍ଚଳ ରୂପେ ପରିଚିତ ଦୁର୍ଗମ ସୋହରା ଜଙ୍ଗଲରେ ତାଙ୍କର ବିରଳ କାର୍ଯ୍ୟ ଓ ପରିବେଶ ସଂରକ୍ଷଣ ଦିଗରେ ମହତ୍ତ୍ବପୂର୍ଣ୍ଣ ଅବଦାନର କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ। ମେଘାଳୟର ସିଜ୍ ଗ୍ରାମର ବାସଭବନରେ ଏସବୁ ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଛନ୍ତି ଆମ ବରିଷ୍ଠ ସାମ୍ବାଦିକ ବିଭୂତି ପତି
ବାଃ! ବହ ହାଲ୍ଲି
ହାଲ୍ଲି ୱାର୍ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ନିକଟରେ ‘ବହ ହାଲ୍ଲି’ ଭାବେ ପରିଚିତ। ଗଣମାଧ୍ୟମରେ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ସମଗ୍ର ପର୍ଯ୍ୟଟନ ଜଗତରେ ଖୁସିର ଲହର ଉଠିଛି। ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ପରିବେଶବିତ୍, ସଂରକ୍ଷକ ତଥା ପର୍ଯ୍ୟଟକମାନଙ୍କ ଠାରୁ ହାଲ୍ଲି ୱାର୍ଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି। ପଦ୍ମ ପୁରସ୍କାର ଘୋଷଣାନାମାରେ କୁହାଯାଇଛି, “ମେଘାଳୟର ବିସ୍ମୟ ‘ଜୀବନ୍ତ ଚେର ସେତୁ’ ନିର୍ମାଣରେ ନିଜକୁ ସମର୍ପଣକରି ଗ୍ରାମବାସୀଙ୍କ ପାଇଁ ଅସାଧାରଣ ସେବା ଓ ପରିବେଶ ସଂରକ୍ଷଣ ଦିଗରେ ୬୯ ବର୍ଷ ବୟସ୍କ ହାଲ୍ଲି ୱାର୍ଙ୍କ ନିଃସ୍ବାର୍ଥ ତଥା ଅତ୍ୟନ୍ତ କଠିନ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୬ ପଦ୍ମଶ୍ରୀ ଲାଗି ମନୋନୀତ କରାଯାଇଛି। ଦୀର୍ଘ ୫୦ ବର୍ଷର ଉତ୍ସର୍ଗୀକୃତ ସାଧନା ଓ ବିରଳ ସେବାମୂଳକ କାର୍ଯ୍ୟ ପାଇଁ ହାଲ୍ଲି ୱାର୍ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାର ଯୋଗ୍ୟତା ହାସଲ କରିଛନ୍ତି।” ମେଘାଳୟର ଉମକାର ନଦୀର ଜୀବନ୍ତ ଚେର ସେତୁ ନିକଟରୁ କିଛି ଦୂରରେ ଅବସ୍ଥିତ ଏକ ଛୋଟ ପାହାଡ଼ର ଶୀର୍ଷରେ ହାଲ୍ଲିଙ୍କ ଘର। ପତ୍ନୀ ଫିଲୋରିସ୍, ଚାରିପୁଅ ଓ ଝିଅକୁ ନେଇ ତାଙ୍କ ପରିବାର। ପରିବେଶ ସଂରକ୍ଷଣ ସହିତ ଉମକାର ନଦୀ ଉପକୂଳ ଅଞ୍ଚଳର ସୁରକ୍ଷାକୁ ନେଇ ତାଙ୍କର କାର୍ଯ୍ୟ ପାଇଁ ସେ ବେଶ୍ ଚର୍ଚ୍ଚିତ।
ଜିଙ୍ଗକିଏଙ୍ଗ୍ ଜ୍ରି
ମେଘାଳୟର ସ୍ଥାନୀୟ ଭାଷାରେ ଜୀବନ୍ତ ଚେର ସେତୁକୁ ‘ଜିଙ୍ଗ୍କିଏଙ୍ଗ୍ ଜ୍ରି’ ବୋଲି କୁହାଯାଏ। ଜଙ୍ଗଲର ବଡ଼ ବଡ଼ ଗଛର ଚେର, ଓହଳ ଓ ଲମ୍ବାଳିଆ ଚେମେଡ଼ା ଡାଳକୁ ବୁଢ଼ିଆଣୀ ଜାଲ ସଦୃଶ ଏକାଠି ଛନ୍ଦି ଓ ବାନ୍ଧି ଯେଉଁ ସେତୁ ପ୍ରସ୍ତୁତ କରାଯାଏ ତାହାକୁ ଜୀବନ୍ତ ଚେର ସେତୁ ବୋଲି କୁହାଯାଏ। ହାଲ୍ଲି ତାଙ୍କର ଜେଜେବାପାଙ୍କଠାରୁ ଜୀବନ୍ତ ଚେର ସେତୁ ନିର୍ମାଣ କରିବାର ପାରମ୍ପରିକ କଳା ଓ କୌଶଳ ୧୦ ବର୍ଷ ବୟସରୁ ଶିଖିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ହାଲ୍ଲି ତାଙ୍କର ବାପାଙ୍କୁ ମଧ୍ୟ ଏହି କାର୍ଯ୍ୟରେ ସହାୟତା କରୁଥିଲେ। ହାଲ୍ଲି କହନ୍ତି,“ଦଶନ୍ଧି ଦଶନ୍ଧି ଧରି ମେଘାଳୟର ଏହି ପ୍ରସିଦ୍ଧ ଜୀବନ୍ତ ଚେର ସେତୁ ନିର୍ମାଣ କରିବାର ଦକ୍ଷତା ଆମ ବଂଶାନୁକ୍ରମିକ କାର୍ଯ୍ୟ ଭାବେ ରହିଆସିଥିଲା। ଜୀବନ୍ତ ଚେର ସେତୁ ନିର୍ମାଣ କରିବାର ନିପୁଣ କାରିଗରୀ କଳା ପିଢ଼ି ପରେ ପିଢ଼ି ମେଘାଳୟର ବିଭିନ୍ନ ଜଙ୍ଗଲରେ ଆମର ପୂର୍ବସୂରିମାନେ ମଧ୍ୟ କରିଛନ୍ତି।”
Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
ଉମକାର ନଦୀରେ ଜୀବନ୍ତ ଚେର ସେତୁ
ଉମକାର ନଦୀ ଉପରେ ଜୀବନ୍ତ ଚେର ସେତୁ ନିର୍ମାଣର ଆବଶ୍ୟକତାକୁ ନେଇ ସେ କହନ୍ତି, “ମେଘାଳୟର ଚେରାପୁଞ୍ଜି ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ପ୍ରବାହିତ ପାହାଡ଼ୀ ଝରଣାର ପ୍ରଖର ସ୍ରୋତରେ ବର୍ଷାଋତୁରେ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ। ସ୍ଥାନୀୟ ଭାଷାରେ ଏହିସବୁ ଦୁର୍ଗମ ଅଞ୍ଚଳକୁ ‘ସୋହରା’ କୁହାଯାଇଥାଏ। ଏହା ଭାରତର ସବୁଠାରୁ ବୃହତ୍ତମ ଆର୍ଦ୍ର ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଆମ ଗାଁ’ର ଲୋକେ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଜୀବନ ଧାରଣରେ ବି ବାଧା ସୃଷ୍ଟି କରୁଥିଲା। ସେତେବେଳେ ମୋର କିଶୋର ବୟସ। ଏହି ସମସ୍ୟା ଦୂର କରିବାକୁ ମୁଁ ଉମକାର ନଦୀ ଉପରେ ଜୀବନ୍ତ ଚେର ସେତୁଟିଏ ନିର୍ମାଣ କରିବାକୁ ମନସ୍ଥ କଲି ଏବଂ କାର୍ଯ୍ୟ ଆରମ୍ଭ କଲି।’’
ଉମକାର ନଈ ଉପରେ ନିର୍ମିତ ଜୀବନ୍ତ ଚେର ସେତୁକୁ ଦେଖିଲେ ଯେ କେହି ମୁଗ୍ଧ ହୋଇଯିବ ଏବଂ ହାଲ୍ଲିଙ୍କ କଳାକୌଶଳ ଓ ପରିଶ୍ରମକୁ ତାରିଫ ନକରି ରହିପାରିବ ନାହିଁ। ସେତୁର ନିର୍ମାଣକୁ ନେଇ ହାଲ୍ଲି ବର୍ଣ୍ଣନା କରନ୍ତି,“ଉମକାର ନଈ ଉପରେ ଦୀର୍ଘ ୪୫ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମକରି ଏହି ଜୀବନ୍ତ ଚେର ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିଛି। ରବର ଓ ଡୁମୁର ଗଛର ଚେର, ଓହଳ ଓ ଡାଳକୁ ବାନ୍ଧି ଏହି ସେତୁ ତିଆରି କରିଛି। ଏକସମୟରେ ଏହି ସେତୁର ୨୫ରୁ ୩୦ ଜଣ ଲୋକଙ୍କ ଓଜନ ସମ୍ଭାଳିବାର କ୍ଷମତା ରହିଛି। ପୁଣି ଯାତ୍ରୀମାନେ ଚାଲିବା ସମୟରେ କିଛି ସମୟ ଛିଡ଼ା ହୋଇ ବିଶ୍ରାମ ନେଇପାରିବା ଭଳି ସୁବିଧା ରଖିଛି। ଏହି ସୁବିଧା ପୂର୍ବରୁ ନିର୍ମାଣ ହୋଇଥିବା କୌଣସି ସେତୁରେ ନାହିଁ।”
ଯଦିଓ ବର୍ତ୍ତମାନ ଏଠାରେ ଏକ ବିକଳ୍ପ କଂକ୍ରିଟ୍ ସେତୁ ନିର୍ମାଣ କରାଯାଇଛି ତଥାପି ସ୍ଥାନୀୟ ସିଜ୍ ବାସିନ୍ଦାଙ୍କ ଗମନାଗମନ ପାଇଁ ଦଶନ୍ଧି ଦଶନ୍ଧି ଧରି ହାଲ୍ଲିଙ୍କ ଜୀବନ୍ତ ଚେର ସେତୁ ଏକମାତ୍ର ମାଧ୍ୟମ ଥିଲା। ଏହି ଅଞ୍ଚଳରେ ତାଙ୍କ ପୂର୍ବପୁରୁଷଙ୍କ ଦ୍ବାରା ନିର୍ମିତ ଆଉ ଦୁଇଟି ଜୀବନ୍ତ ଚେର ସେତୁ ମଧ୍ୟ ରହିଛି।
ପୂର୍ବଜଙ୍କ ପ୍ରତି ଉତ୍ସର୍ଗୀକୃତ
ପଦ୍ମଶ୍ରୀ ସମ୍ମାନ ଭଳି ଜାତୀୟସ୍ତରର ସ୍ବୀକୃତି କିପରି ଅନୁଭବ ଦେଇଛି ପ୍ରଶ୍ନରେ ଅତ୍ୟନ୍ତ ଆବେଗ ଭରା ସ୍ୱରରେ ହାଲ୍ଲି ପ୍ରକାଶ କରନ୍ତି, “ପଦ୍ମଶ୍ରୀ ପୁରସ୍କାର ମୋତେ ମୋ ପୂର୍ବଜଙ୍କ ସହିତ ଏକାଠି କରିଛି। ଆମେ ନିର୍ମାଣ କରିଥିବା ‘ଜୀବନ୍ତ ଚେର ସେତୁ’ ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣଙ୍କର ଦୈନନ୍ଦିନ ଗମନାଗମନ କଷ୍ଟ ଲାଘବ କରୁଛି। ମୋର ପରମସୌଭାଗ୍ୟ ଓ ମୁଁ ଗର୍ବିତ ଯେ ଏହା ଆମ ଆଗାମୀ ପିଢ଼ି ପାଇଁ ଏକ ନୂଆ ସେତୁ ଗଢ଼ି ତୋଳିଦେଲା। ମୋତେ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ଜାଣି ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲି। ମୋତେ ଲାଗିଥିଲା, ଏହା କେବଳ ମୋତେ ନୁହେଁ, ଜୀବନ୍ତ ଚେରରେ ସେତୁ ଗଢ଼ିଥିବା ମୋର ପୂର୍ବଜମାନଙ୍କ ଅବଦାନକୁ ମଧ୍ୟ ସ୍ବୀକୃତି। ଆମ ପରିବାରର ପାରମ୍ପରିକ ଦକ୍ଷତାକୁ ଚିହ୍ନଟ କରି ତାହାକୁ ଜନମାନସରେ ପରିଚିତ କରାଇଥିବାରୁ ମୁଁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରୁଛି।’’
Protest: ଟ୍ରିବୁନାଲଙ୍କ ଗସ୍ତ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ
“ଆମ ପୂର୍ବପୁରୁଷଙ୍କର ଏହି ମହାନ୍ ପାରମ୍ପରିକ ଅବଦାନ ଓ ସେବାକୁ ନେଇ ଅନେକ ବର୍ଷ ହେବ ଆମକୁ କୌଣସି ସ୍ବୀକୃତି ମିଳି ନ ଥିଲା। କିନ୍ତୁ, ସମୟକ୍ରମେ ପ୍ରାୟ ଏକ ଦଶନ୍ଧି ପୂର୍ବରୁ ପରିସ୍ଥିତି ବଦଳିଗଲା। ମେଘାଳୟ ପର୍ଯ୍ୟଟନ ବିଶ୍ବ ପର୍ଯ୍ୟଟକଙ୍କ ଦ୍ବାରା ପ୍ରସିଦ୍ଧି ଲାଭକଲା। ପର୍ଯ୍ୟଟକମାନେ ସ୍ବୀକୃତି ପ୍ରଦାନ କରି ବିଶ୍ବର କୋଣଅନୁକୋଣରେ ଏହି ଜୀବନ୍ତ ସେତୁକୁ ଏକ ବିରଳ ପର୍ଯ୍ୟଟନ ସ୍ଥଳୀ ରୂପେ ଚିତ୍ରିତ କଲେ। ବିଳମ୍ବରେ ହେଲେ ମଧ୍ୟ ଜଙ୍ଗଲରେ ଆମ ନିଷ୍ଠାପର ଓ ନିଃସ୍ବାର୍ଥ ସାମାଜିକ ସେବାକୁ ସରକାର ସ୍ବୀକୃତି ଦେଇ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ମୋର ପୂର୍ବଜମାନଙ୍କ ପ୍ରତି ଉତ୍ସର୍ଗୀକୃତ।’’
ଭବିଷ୍ୟତ ଯୋଜନା
ଆଜି ବି ମୁଁ ଥକି ଯାଇନାହିଁ। ମୋ ପୁଅ ୱିଲିଙ୍ଗ୍ସନ୍ ସମେତ ସ୍ଥାନୀୟ କିଶୋରମାନଙ୍କୁ ଜୀବନ୍ତ ଚେର ସେତୁ ନିର୍ମାଣ କଳା, କୌଶଳ ଓ ଦକ୍ଷତାର ତାଲିମ ଦେଉଛି। ଏହି ଶିକ୍ଷା ଆମ ଖାସି ସଂପ୍ରଦାୟର ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ କିପରି ବଞ୍ଚିରହିବ ସେଥିପାଇଁ ମୁଁ ନିଷ୍ଠାର ସହିତ କାର୍ଯ୍ୟ କରୁଛି ବୋଲି ହାଲ୍ଲି ‘ରବିବାର ସମ୍ବାଦ’କୁ କହିଛନ୍ତି।
Follow Us