ଫୁଲବାଣୀ: କନ୍ଧମାଳଜିଲ୍ଲା କୋଟଗଡ଼ ବ୍ଲକ୍‌ ଦୁର୍ଗାପାଙ୍ଗା ପଞ୍ଚାୟତ ଅଧୀନରେ ଥିବା କାଣିବାରୁ ଗାଁ। ଜିଲ୍ଲାର ଅନ୍ୟତମ ଦୁର୍ଗମ ଓ ଅପହଞ୍ଚ ଗାଁରେ ୫୦ ଆଦିମ କୁଟିଆକନ୍ଧ ଜନଜାତି (ପିଭିଟିଜି) ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ୨୧୦। ସୀମାନ୍ତ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍ ଏବଂ ନିୟମଗିରି ପାହାଡ଼କୁ ଲାଗି ଏହି ଗାଁ ଅବସ୍ଥିତ। ଆଜି ବି ଏହି ଗାଁକୁ ସରକାରଙ୍କ ସବୁ ଯୋଜନା ଓ ବିକାଶ ଅପହଞ୍ଚ। କୋଟଗଡ଼ ବ୍ଲକର ବଣ୍ଡାପିପିଲିଠାରୁ ଜଙ୍ଗଲ ଓ ପାହାଡ଼ିଆ ଘାଟିରାସ୍ତାରେ ୧୩ କିଲୋମିଟର ଚାଲିବା ଏବଂ ବାଟରେ ୭ ଥର ଅଙ୍କାବଙ୍କା ନଈ ପାର ହେଲେ ଏହି ଗ୍ରାମ‌ରେ ପହଞ୍ଚିବା ସମ୍ଭବ ହୋଇଥାଏ।

Advertisment

Student rescued: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ର ଉଦ୍ଧାର


ଗାଁର କୌଣସି ଦିଗକୁ ବି ରାସ୍ତା ନ ଥିବା ବେଳେ ପାହାଡ଼ିଆ ନଦୀରେ ପୋଲ ନିର୍ମାଣ ହୋଇନାହିଁ। ବର୍ଷା ହେଲେ ଏହି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ। ବର୍ଷର ୧୨ ମାସ ଗ୍ରାମବାସୀ ପାଦରେ ଚାଲି ଚାଲି ନଦୀ ପାର ହୋଇ ବଣ୍ଡାପିପିଲି ଗ୍ରାମକୁ ସଉଦା ‌ନେବା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାମରେ ଆସିଥା’ନ୍ତି। ରାସନ ଚାଉଳ ଆଣିବାକୁ ୧୩ କିଲୋମିଟର ଜଙ୍ଗଲିଆ ରାସ୍ତାରେ ଚାଲି ଓ ୭ ଥର ନଈ ପାର ହୋଇ ଦୁର୍ଗାପାଙ୍ଗା ପଞ୍ଚାୟତ ଅଫିସ୍‌କୁ ଆସିଥା’ନ୍ତି। ବଣ୍ଡାପିପିଲି ମଧ୍ୟ‌ରେ ବଡ଼ନଈ ବହୁଥିବା ବେଳେ ଏହା ସାତବାଙ୍କ ହୋଇଥିବାରୁ ନଦୀ ଭିତରେ ପଶି ପାର ହେବାକୁ ପଡ଼ିଥାଏ।
ଆମ୍ବଟାକୁଆ, ବଣକନ୍ଦା ଓ ବିଭିନ୍ନ ପ୍ରକାର ବଣଆଳୁ ଏମାନଙ୍କ ପ୍ରମୁଖ ଖାଦ୍ୟ। ସେହିପରି ଗାଁକୁ ଏବେବି ବିଜୁଳି ସଂଯୋଗ ହୋଇ ନଥିବା ବେଳେ ସେଠାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। କିନ୍ତୁ ସରକାରୀ କାଗଜପତ୍ରରେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଥିବା ଦର୍ଶାଯାଇଛି। ଗାଁରେ ନଳକୂଅ ଓ କୂଅ ନ ଥିବାରୁ ପାଖ ପାହାଡ଼ରୁ ଝରୁଥିବା ଝରଣା ପାଣିକୁ ସେମାନେ ପିଉଛନ୍ତି। ୩ ବର୍ଷ ତଳେ ଦୂଷିତ ପାଣିରୁ ଝାଡ଼ାବାନ୍ତି ବ୍ୟାପୀ ଗ୍ରାମର ୫ ଜଣଙ୍କ ମୃତ୍ୟୁ ଘଟିଥିଲା।

No money: ଟଙ୍କା ନାହିଁ କାମ ବନ୍ଦ, ସେପଟେ ଦରଦ

   ଗାଁର ଗୋଟିଏ ମଧ୍ୟ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ପିଏମ୍‌ ଜନମନ ଯୋଜନାରେ ଘର ମିଳିନାହିଁ। ପାଣି ସମସ୍ୟାର ସମାଧାନ ହୋଇପାରୁନି।  ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ କୁମାର ବେହେରା କହିଛନ୍ତି ଗାଁକୁ ରାସ୍ତା ନ ଥିବାରୁ ଗାଡ଼ିରେ ନଳକୂପ ପାଇଁ ଆବଶ୍ୟକ ସରଞ୍ଜାମ ଗାଁରେ ପହଞ୍ଚାଇବା କଷ୍ଟକର ହୋଇ ପଡୁଛି। ସେହିପରି ଆବାସ ଯୋଜନାରେ ଘର ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ପହଞ୍ଚିବା କଷ୍ଟସାଧ୍ୟ ହେଉଥିବା ଦୁର୍ଗାପାଙ୍ଗା ସରପଞ୍ଚ ରଘୁ ମାଝୀ କହିଛନ୍ତି। ସରକାର ଏହି ଗ୍ରାମକୁ ରାସ୍ତା ଓ ପୋଲ ନିର୍ମାଣ କରିବା ଆବଶ୍ୟକ ବୋଲି ବରିଷ୍ଠ ନାଗରିକ ମହେନ୍ଦ୍ର ମାଝୀ, ତେଲୁ ଜାନି, ସିରୁଙ୍ଗା ଜାନି ଓ ଚିନି ମାଝୀ କହିଛନ୍ତି। ସୂଚନା ଥାଉକି, କୁଟିଆ କନ୍ଧଙ୍କ ବିକାଶ ପାଇଁ ବେଲଘରରେ ୧୯୭୮ ମସିହାରୁ ‘କୁଟିଆକନ୍ଧ ଉନ୍ନୟନ ସଂସ୍ଥା’ କାର୍ଯ୍ୟ କରୁଛି। ମାତ୍ର, ଏହାର କାର୍ଯ୍ୟଦକ୍ଷତାକୁ ନେଇ ଏବେ ପ୍ରଶ୍ନବାଚୀ ଉଠିଛି।