ମଫସଲ ହେଉ କି, ନଗର, ପକ୍ଷୀପ୍ରେମୀ ଯେଉଁଠି ଥାଆନ୍ତି ଦୈନିକ କିଛି ନା କିଛି ମୁଠାଏ ‌ଖାଦ୍ୟଦ୍ରବ୍ୟ ଚଢ଼େଇମାନଙ୍କ ପାଇଁ ବିଞ୍ଚି ଦିଅନ୍ତି। ଚଢ଼େଇମାନେ ସେତକ ଖୁଣ୍ଟି ଖାଇଲେ ପକ୍ଷୀସଉକୀମାନେ ଅପାର ଆନନ୍ଦ ପାଆନ୍ତି। କିନ୍ତୁ, ଏ କାର୍ଯ୍ୟକୁ ବିରୋଧ କରି ଯଦି କେହି ଅଦାଲତରେ ମକଦ୍ଦମା କରନ୍ତି! ଫଳ କ’ଣ ହେବ? ଅଦାଲତ ମଧ୍ୟ ଏତାଦୃଶ କାର୍ଯ୍ୟ ଉପରେ କଟକଣା ଜାରି କରିପାରନ୍ତି; ଯେମିତି ଦିନେ ଜିଗୀଷା ଠାକୁରଙ୍କ କ୍ଷେତ୍ରରେ ଘଟିଥିଲା!

Advertisment

୨୦୧୯ ମାର୍ଚ୍ଚ ୧୯ ତାରିଖ ଦିନ ସୁପ୍ରିମ୍‌କୋର୍ଟ ମୁମ୍ବାଇନିବାସୀ ଜିଗୀଷା ଠାକୁରଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେ ତାଙ୍କ ଫ୍ଲାଟ୍‌ ବାଲ୍‌କନିରେ ଥାଇ ପକ୍ଷୀମାନଙ୍କୁ ଖାଇବା ପାଇଁ ଦେଇ ପାରିବେନାହିଁ। ଏ ରାୟ ଅବଶ୍ୟ ସୁପ୍ରିମ୍‌କୋର୍ଟଙ୍କ ନିଜସ୍ବ ରାୟ ନ ଥିଲା। ବମ୍ବେ ହାଇକୋର୍ଟ ଜାରି କରିଥିବା ଉପରୋକ୍ତ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ୍‌ ରଖି ତାଙ୍କୁ ଏତାଦୃଶ ଆଦେଶ ଦେଇଥିଲେ। ବାରଣ କରାଯିବାର କାରଣ ମଧ୍ୟ ଅଦାଲତ ଦର୍ଶାଇଥିଲେ। ଫ୍ଲାଟ୍‌ ଗୋଟାଏ ଆବାସିକ ଅଞ୍ଚଳ ହୋଇଥିବାରୁ ଖାଦ୍ୟ ଦ୍ବାରା ପ୍ରଲୋଭିତ ହୋଇ ଆସୁଥିବା ପକ୍ଷୀମାନେ ମଳତ୍ୟାଗକରି ଏବଂ ଅନ୍ୟାନ୍ୟ ଜିନିଷ ପକାଇ ସର୍ବସାଧାରଣଙ୍କ ସ୍ଥାନ ଅପରିଚ୍ଛନ୍ନ କରୁଛନ୍ତି, ଏଣୁ ଏହା ଗ୍ରହଣୀୟ ନୁହେଁ।

ପକ୍ଷୀଙ୍କ ଯୋଗୁଁ ପରିବେଶ ଅପରିଚ୍ଛନ୍ନ

ମୁମ୍ବାଇ ଅନ୍ତର୍ଗତ ୱର୍ଲିରେ କୋଡ଼ିଏ ତାଲା ବିଶିଷ୍ଟ ‘କୋଅପରେଟିଭ୍‌ ହାଉସିଙ୍ଗ୍‌ ସୋସାଇଟି’ରୁ ଏହି ମାମଲା ଜନ୍ମ ନେଇଥିଲା। ଫ୍ଲାଟ୍‌ର ଦଶମ ତାଲାରେ ରହୁଥିଲେ ଦିଲୀପ ସୁମନ୍‌ଲାଲ୍‌ ଶାହା ଓ ମୀନା ଶାହା। ଚତୁର୍ଦ୍ଦଶ ତାଲାରେ ବାସ କରୁଥିଲେ ଜିଗୀଷା ଠାକୁର ଓ ତାଙ୍କ ପରିବାର। ଶାହା ପରିବାର ବମ୍ବେ ସିଟି ସିଭିଲ୍‌ କୋର୍ଟ ବା ଟ୍ରାଏଲ୍‌ କୋର୍ଟ ଯାଇ ଠାକୁର ପରିବାର ବିରୋଧରେ ଅଭିଯୋଗ କଲେ। ନ୍ୟାୟଧୀଶଙ୍କୁ ସେମାନେ ଅବଗତ କରାଇଲେ କି, ବାଲ୍‌କନିରେ ଥାଇ ଚଢ଼େଇମାନଙ୍କୁ ପାଣି ଓ ଶସ୍ୟଦାନା ଦେଇ ଠାକୁର ପରିବାର ହାଉସିଙ୍ଗ୍‌ ସୋସାଇଟିନିବାସୀ, ବିଶେଷକରି ତାଙ୍କ ନିମନ୍ତେ ଅତି ଅପରିଚ୍ଛନ୍ନ ଓ କ୍ଷତିକାରକ ପରିସ୍ଥିତି ସୃଷ୍ଟି କରାଉଛନ୍ତି। ସୁତରାଂ, ତାଙ୍କୁ ଏଥିରୁ ନିବୃତ୍ତ କରାଯାଉ। ଶାହାଙ୍କ ସହିତ ଉକ୍ତ ହାଉସିଙ୍ଗ୍‌ ସୋସାଇଟି ମଧ୍ୟ ଅଦାଲତରେ ଏତାଦୃଶ ନିବେଦନ କରିଥିଲା।
ଅଭିଯୋଗ ପତ୍ରରେ ଶାହା ପରିବାର ଉଲ୍ଲେଖ କରିଥିଲେ ଯେ ବାଲ୍‌କନି ଝରକା ବାହାରେ ଠାକୁର ପରିବାର ଗୋଟାଏ ଧାତବ ମଞ୍ଚା ବା ପ୍ଲାଟ୍‌ଫର୍ମ ଲଗାଇଛନ୍ତି। ଅସୁମାରି ଚଢ଼େଇ ଉଡ଼ିଆସି ସେ ଧାତବ ମଞ୍ଚାରେ ବସି ତଳକୁ ମଳତ୍ୟାଗ କରିବା ସହିତ ଅନ୍ୟାନ୍ୟ ଆବର୍ଜନା ପକାଇ ଆଖପାଖ ପ୍ରଦୂଷଣ କରୁଛନ୍ତି। ଠାକୁର ପରିବାର ଲୋକେ ସକାଳ ସାଢ଼େଛଅଟାରୁ ଚଢ଼େଇଖୁଆ ଆରମ୍ଭ କରୁଛନ୍ତି। ସେବେଠୁ କିଛି କିଛି ସମୟ ଅନ୍ତରରେ ସନ୍ଧ୍ୟାଯାଏ ସେମାନଙ୍କ ‌ଚଢ଼େଇଖୁଆ ଧନ୍ଦା ଚାଲୁଛି।

ଅସଲ କଥା ବ୍ୟାବସାୟିକ ତିକ୍ତତା

ଅଦାଲତରେ ଫେରାଦ ହେବା ଆଗରୁ ଶାହା ପରିବାର ଠାକୁର ପରିବାରକୁ ଅନୁରୋଧ କରି କହିଥିଲେ ଯେ ପକ୍ଷୀଖୁଆ ନିମନ୍ତେ ନିର୍ଦ୍ଧାରିତ ସର୍ବସାଧାରଣ ସ୍ଥାନରେ ଆପଣମାନେ ଆହାର ପାନୀୟ ଦିଅନ୍ତୁ। ଏତଦ୍‌ଭିନ୍ନ, ସୋସାଇଟିନିବାସୀ ସେମାନଙ୍କ ବାଲ୍‌କନି କିଂବା ଝରକାରୁ ଚଢ଼େଇମାନଙ୍କୁ ଖୁଆଇପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଗୋଟାଏ ପ୍ରସ୍ତାବନା ମଧ୍ୟ ଶାହା ପରିବାର ସେ ହାଉସିଙ୍ଗ୍‌ ସୋସାଇଟିରୁ ହାସଲ କରାଇ‌ ନେଇଥିଲେ। କିନ୍ତୁ, ଆପୋସ ବୁଝାମଣା ବିଫଳ ହେଲାରୁ ଅଗତ୍ୟା ଶାହା ପରିବାର ଅଦାଲତରେ ଫେରାଦ ହେଲେ।

Earthquake In Iran: ଇରାନରେ ୪ ଦିନରେ ୨ଟି ଶକ୍ତିଶାଳୀ ଭୂମିକମ୍ପ

ଏ ମାମଲା ବିପକ୍ଷରେ ପ୍ରତିବାଦୀ ଠାକୁର ପରିବାର ଜବାବ ଦେଇ କହିଲେ ଯେ ସେମାନେ ପ୍ରାଣୀମଙ୍ଗଳକର୍ମୀ ଏବଂ ୧୯୯୮ ମସିହାରୁ ଗୋଟାଏ ‘ଏନ୍‌ଜିଓ’ରେ ସମ୍ପୃକ୍ତ ଅଛନ୍ତି। ତା’ସହିତ ସେମାନେ ଗୋଟାଏ ଶ୍ବାନ ଆଶ୍ରୟସ୍ଥଳ ବି ଚଳାଉଛନ୍ତି। ଶାହା ପରିବାର ଉକ୍ତ ‘ଏନ୍‌ଜିଓ’କୁ ସବୁବେଳେ ମେଡିକାଲ୍‌ ଓ ସର୍ଜିକାଲ୍‌ ଉପକରଣ ଯୋଗାଇ ଆସୁଥିଲେ। କିନ୍ତୁ, ସେ ‘ଏନ୍‌ଜିଓ’ ଓ ଶାହା ପରିବାର ମଧ୍ୟରେ ତିକ୍ତତା ହୋଇଗଲା। ତେଣୁ, ଆକ୍ରୋଶ ରଖି ଶାହା ପରିବାର ଆମ ନାଁ’ରେ ମାମଲା ରୁଜୁ କରିଛନ୍ତି।

ଦାନାରେ କୀଟାଣୁ ଥାଇପାରନ୍ତି
ମାମଲା ଶୁଣାଣି କରି ସିଟି ସିଭିଲ୍‌ ଜଜ୍‌ ଏ. ଏଚ୍‌. ଲଧାଡ୍‌ କହିଲେ, ‘‘ଦାନାରେ କୀଟାଣୁ ଥାଇପାରନ୍ତି। ପୁଣି ଦାନା ଖାଇବାକୁ ଆସୁଥିବା ଚଢ଼େଇମାନେ ମଳତ୍ୟାଗ କରିବା ସହିତ କିଚିରିମିଚିରି ରବ ଦିଅନ୍ତି। ଦିନକୁ ଏଭଳି ତିନିଥର ଘଟିଲେ ଯେକୌଣସି ଦାୟିତ୍ବଶୀଳ ବ୍ୟକ୍ତି, ବିଶେଷକରି ପଡ଼ୋଶୀମାନଙ୍କ ପ୍ରତି ବିରକ୍ତିକର ପରିସ୍ଥିତି ଉପୁଜିବ।’’ ପୁନଶ୍ଚ ବିଚାରପତି କହିଲେ, ‘‘ନିଃସନ୍ଦେହ, ପକ୍ଷୀ ଓ ପ୍ରକୃତିରେ ଥିବା ଅନ୍ୟାନ୍ୟ ଜୀବଙ୍କୁ ଖୁଆଇବା ପ୍ରତିବାଦୀଙ୍କର ଗୋଟାଏ ମହତ୍‌ କାର୍ଯ୍ୟ। ଏ କାର୍ଯ୍ୟ ବେଶ୍‌ ସାଧୁବାଦ ଓ ସମ୍ମାନ ଯୋଗ୍ୟ ହେଲେ ବି ମନୁଷ୍ୟ, ଅଧିକନ୍ତୁ ପଡ଼ୋଶୀମାନଙ୍କ ପ୍ରତି ତାହା ଯେମିତି ଅପ୍ରୀତିକର ନ ହୁଏ, ସେଥିପ୍ରତି ଯତ୍ନଶୀଳ ହେବା ଉଚିତ। ଯଦି ସମ୍ଭବ ହେଉଛି ପକ୍ଷୀମାନଙ୍କୁ ଖୁଆଇବା ନିମନ୍ତେ ଠାକୁର ପରିବାର ଲାଗି ସୋସାଇଟି ପରିସରରେ ସ୍ଥାନଟିଏ ନିରୂପଣ କରାଯାଉ।’’

ସେ ଯାହାହେଉ, ଘଟଣା ସମାଧାନ ଲାଗି ସେ ଧାତବ ମଞ୍ଚାଟିକୁ ଖୋଲିଦେବା ଲାଗି ଟ୍ରାଏଲ୍‌ କୋର୍ଟ ଜିଗୀଷା ଠାକୁରଙ୍କୁ ନିର୍ଦ୍ଦେଶ ଦେଲେ। ବାଲ୍‌କନି ଠାକୁର ପରିବାରର ନିଜସ୍ବ ହୋଇଥିବାରୁ ସେଠାରେ ‌ଚଢ଼େଇମାନଙ୍କୁ ଖାଇବାକୁ ଦେବା କି, ନ ଦେବା ଉପରେ ଟ୍ରାଏଲ୍‌ କୋର୍ଟ ହସ୍ତକ୍ଷେପ କଲେନାହିଁ। କିନ୍ତୁ, ସାମୟିକ ଭାବେ ପକ୍ଷୀଖୁଆ ସ୍ଥଗିତ ରଖିବାକୁ ରାୟ ଦେଲେ।

ଏଥିରେ ହସ୍ତକ୍ଷେପ କରାଯିବନି

ଏଥର ନିମ୍ନ ଅଦାଲତଙ୍କ ରାୟ ବିପକ୍ଷରେ ଠାକୁର ପରିବାର ବମ୍ବେ ହାଇକୋର୍ଟରେ ନିବେଦନ କଲେ। ସୋସାଇଟିରେ ପକ୍ଷୀଙ୍କ ଯୋଗୁଁ ହେଉଥିବା ଅପରିଚ୍ଛନତା ଏବଂ ତତ୍‌ସଂକ୍ରାନ୍ତ ସମାହିତ କାଗଜପତ୍ର ଆଦି ବମ୍ବେ ହାଇକୋର୍ଟର ବିଚାରପତି ଆର୍‌. ଏମ୍‌. ସାୱନ୍ତ୍‌ ଜେ.ଙ୍କ ଜଣିକିଆ ଖଣ୍ଡପୀଠ ପରଖିଲେ। ତା’ପରେ ୨୦୧୩ ସେପ୍ଟେମ୍ବର ୨୭ ତାରିଖରେ ଖଣ୍ଡପୀଠ ରାୟ ଦେଲେ‌ ଯେ ସ୍ଥାନ ବ୍ୟକ୍ତିଗତ ହୋଇଥିଲେ ବି ସେଥିରେ ଚାଲିଥିବା କାର୍ଯ୍ୟକଳାପ ଯୋଗୁଁ ଯଦି ପଡ଼ୋଶୀ ଅଥବା ଅନ୍ୟ ବାସିନ୍ଦାଙ୍କର ଅସୁବିଧା ହେଉଥିବ, ତାହା ବନ୍ଦ କରାଯିବା ଉଚିତ। ଏଭଳି ବିଚାରବୋଧ ଚିରାଚରିତ କାଳରୁ ଚାଲିଆସୁଥିବାରୁ ଟ୍ରାଏଲ୍‌ କୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରା ନ ଯିବା ଉଚିତ। ତେଣୁ, ଠାକୁର ପରିବାର ଧାତବ ମଞ୍ଚା ଲଗାଇ ପାରିବେ ନାହିଁ କି, ତାଙ୍କ ବାଲ୍‌କନିରୁ ପକ୍ଷୀମାନଙ୍କୁ ଖାଦ୍ୟପାନୀୟ ଦେଇପାରିବେ ନାହିଁ। କିନ୍ତୁ, ଏ ରାୟ ଉପରେ ପୁନର୍ବିଚାର କରିବା ଲାଗି ଠାକୁର ପରିବାର ବମ୍ବେ ହାଇକୋର୍ଟରେ ଆବେଦନ କଲେ। ୨୦୧୬ ଜୁଲାଇ ୧୨ ତାରିଖରେ ହାଇକୋର୍ଟ ତାହା ଖାରଜ କରିଦେଲେ।

ସଂଘ ନୀତିନିୟମ ମାନି ଚଳନ୍ତୁ
ନିରୁପାୟ ହୋଇ ଜିଗୀଷା ଠାକୁର ସୁପ୍ରିମ୍‌କୋର୍ଟରେ ନିବେଦନ କଲେ। ମାମଲା ବିଚାରକରି ବିଚାରପତି ୟୁ.ୟୁ. ଲଳିତ ଓ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ହାଇକୋର୍ଟଙ୍କ ରାୟ କାଏମ୍‌ ରଖି କହିଲେ, ‘‘ଆପଣ ଗୋଟାଏ ଆବାସିକ ସଂଘରେ ବାସ କରୁଥିବାରୁ ସଂଘର ନୀତିନିୟମ ଅନୁସାରେ ଚଳିବାକୁ ପଡ଼ିବ।’’ ଠାକୁରଙ୍କ ଦ୍ବାରା ନିଯୁକ୍ତ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରାଇଲେ ଯେ ଏଇଟା ଅପରିଚ୍ଛନ୍ନତାଜନିତ ମାମଲା ନୁହେଁ, ବ‌ାଦୀ ଓ ପ୍ରତିବାଦୀଙ୍କ ମଧ୍ୟରେ ବ୍ୟାବସାୟିକ ତିକ୍ତତା ହେବାରୁ ଟ୍ରାଏଲ୍‌ କୋର୍ଟରେ ଠାକୁର ପରିବାର ନାଁ’ରେ ଫୌଜଦାରି ମାମଲା ଦାଏର କରାଯାଇଥିଲା। କିନ୍ତୁ, ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଏ ଯୁକ୍ତି ପ୍ରତି ବିଶେଷ ଆଗ୍ରହ ନ ଦେଖାଇ ହାଇକୋର୍ଟଙ୍କ ରାୟ କାଏମ୍‌ ରଖିଲେ।