ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀର ନାଆଁ ‘ବିଜୟା’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ, ନାରଦଙ୍କ ପ୍ରଶ୍ନରେ ବ୍ରହ୍ମା ତାଙ୍କୁ ଏହି ଏକାଦଶୀ ସଂପର୍କରେ କହିଥିଲେ। ତାହା ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ବ୍ରହ୍ମାଙ୍କ ଅନୁସାରେ, ଏହି ଏକାଦଶୀ ପାପନାଶିନୀ। ଏହି ବ୍ରତ ପାଳନ କଲେ ରାଜା ବିଜୟୀ ହୁଅନ୍ତି। ଚଉଦବର୍ଷର ବନବାସ କାଳରେ, ରାବଣ ସୀତାଙ୍କୁ ଅପହରଣ କରି ନେଇଥିଲା। ଯେତେବେଳେ ଲଙ୍କାପୁରୀରେ ସୀତା ଥିବାର ସନ୍ଧାନ ମିଳିଲା, ସେତେବେଳେ ରାମ କହି‌େଲ- ସମୁଦ୍ର ଅଗାଧ ଓ ନାନା ଜଳଜନ୍ତୁରେ ଭରା। ତାହା ଲଙ୍ଘନ କରିବାର କୌଣସି ଉପାୟ ଦେଖାଯାଉ ନାହିଁ। ସେତେବେଳେ ଲକ୍ଷ୍ମଣ ତାଙ୍କୁ କହିଥି‌େଲ–ଆପଣ ପୁରାଣ-ପୁରୁଷୋତ୍ତମ। ସବୁ ଆପଣଙ୍କୁ ଅବଗତ। ଏହି ଅରଣ୍ୟରେ ବକଦାଲଭ୍ୟ ମୁନିଙ୍କର ଆଶ୍ରମ ଅଛି। ଆପଣ ତାଙ୍କୁ ପଚାରିଲେ, ସେ ଏହାର ଉପାୟ କହି ଦେଇପାରି‌େବ।

Advertisment

Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍‌କ ଦୁଖ ଦୂର ହେଉନି

ଶ୍ରୀରାମ ତାହା ଶୁଣି ଯାଇ ଦାଲଭ୍ୟ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଦାଲଭ୍ୟ ମୁନି ଜାଣିଥିଲେ, ସେ ପୁରାଣ-ପୁରୁଷୋତ୍ତମ। ବିଶେଷ କାରଣରୁ ହିଁ ସେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି। ତେଣୁ ତାଙ୍କୁ ପ୍ରଣାମ ଓ ସାଦର ସମ୍ଭାଷଣ କରି ତାଙ୍କ ଆଗମନର କାରଣ ପଚାରିଲେ। ଶ୍ରୀରାମ ତାଙ୍କୁ  ସବୁକଥା କହିବା ପରେ ସେ କହିଲେ–ହେ କମଳନୟନ ଶ୍ରୀରାମ! ଆପଣ ଏପରି ଏକ ସର୍ବୋତ୍ତମ ବ୍ରତ କରନ୍ତୁ, ଯାହା ଫଳରେ ଆପଣ ବିଜୟୀ ହେବେ। ତାହା ଫଳରେ ଦୁସ୍ତର ସାଗର ମଧ୍ୟ ପାର ହୋଇପାରିବେ।

କ୍ୟାପିଟାଲ୍ କ୍ଲାସ୍-୨୦୨୬ ଉଦ୍‌ଘାଟିତ

ଦାଲଭ୍ୟମୁନି ତାଙ୍କୁ ବ୍ରତପାଳନର ବିଧି ମଧ୍ୟ ବତାଇ ଦେଲେ। ସେ କହିଲେ- ଆଜି ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ। ଆପଣ ସୁନା, ରୁପା, ତମ୍ବା ବା ମାଟିର ଏକ ପାତ୍ର ନେଇ, ସେଥିରେ ଜଳ ଭରି, ଆମ୍ବଡାଳ ଦେଇ ଏକ କଳସ ପ୍ରସ୍ତୁତ କରନ୍ତୁ। ତାହାକୁ ସପ୍ତଧାନ୍ୟ ଉପରେ ସ୍ଥାପନ କରନ୍ତୁ। ତା’ ଉପରେ ନାରାୟଣଙ୍କର ଏକ ସୁବର୍ଣ୍ଣ ପ୍ରତିମା ସ୍ଥାପନ କରନ୍ତୁ। ଏକାଦଶୀ ଦିନ ପ୍ରାତଃସ୍ନାନ କରି ସେହି କଳସକୁ ପୁଷ୍ପମାଲ୍ୟ ଓ ଚନ୍ଦନ ଆଦିର ଲେପନରେ ସୁଶୋଭିତ କରନ୍ତୁ। ଗୁଆ ବା ନଡ଼ିଆ ଦେଇ ତାଙ୍କୁ ଧୂପ, ଦୀପ, ନୈବେଦ୍ୟ ଆଦିରେ ପୂଜା କରନ୍ତୁ। ଅଖଣ୍ଡ ଦୀପ ପ୍ରଜ୍ଜ୍ବାଳନ କରି, ତାହା ସମ୍ମୁଖରେ ସତ୍ୟକଥା ଆଦି ସ୍ମରଣ କରି ଦିନ ବିତାନ୍ତୁ। ରାତିରେ ଜାଗର ପାଳନ୍ତୁ। ଦ୍ବାଦଶୀ ଦିନ ପ୍ରଭାତରେ ତାହାକୁ ନେଇ ଜଳାଶୟ ନିକଟରେ ସ୍ଥାପନା କରି ପୂଜା କରନ୍ତୁ। ନାରାୟଣ ମୂର୍ତ୍ତି ସହିତ ତାହାକୁ କୌଣସି ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କରନ୍ତୁ। ଆପଣ ନିଶ୍ଚୟ ବିଜୟ ଲାଭ କରିବେ। ଶ୍ରୀରାମ ସେହି ବିଧିରେ ଏକାଦଶୀ ବ୍ରତ ପାଳନ କଲେ ଏବଂ ଲଙ୍କା ବିଜୟ କଲେ। ତେଣୁ ଏହାର ନାମ ‘ବିଜୟା’ ଏକାଦଶୀ। ମନୁଷ୍ୟମାନେ ଏହା ପାଳନ କଲେ ଇହଲୋକରେ ବିଜୟୀ ହେବା ସହିତ ଅକ୍ଷୟ ପରଲୋକ ଲାଭ କରନ୍ତି।