ଡାକ୍ତର ଶ୍ରୀକାନ୍ତ ବେହେରା
ଏକ୍ସଟ୍ରାକର୍ପୋରିଆଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍ ବା ଇସିଏମ୍ଓ ହେଉଛି ଅନ୍ୟତମ ଉନ୍ନତ ଜୀବନ ସହାୟକ ଚିକିତ୍ସା ପ୍ରଯୁକ୍ତିବିଦ୍ୟା। ଏହା ଶରୀର ବାହାରେ ଏକ ସ୍ୱତନ୍ତ୍ର କୃତ୍ରିମ ପରଦା ମାଧ୍ୟମରେ ଅମ୍ଳଜାନ ଯୋଗାଇବା ଏବଂ ରକ୍ତରୁ ଅଙ୍ଗାରକାମ୍ଳ ବାହାର କରିବାର ପ୍ରକ୍ରିୟାକୁ ବୁଝାଏ। ସରଳ ଶବ୍ଦରେ ଇସିଏମ୍ଓ ଏକ କୃତ୍ରିମ ହୃତ୍ପିଣ୍ଡ-ଫୁସ୍ଫୁସ୍ ବାଇପାସ୍ ପ୍ରଣାଳୀ ଭାବରେ କାର୍ଯ୍ୟ କରେ। ଗୁରୁତର ରୋଗୀଙ୍କଠାରେ ଯେତେବେଳେ ହୃତ୍ପିଣ୍ଡ କିମ୍ବା ଫୁସ୍ଫୁସ୍ ଅତ୍ୟଧିକ ଦୁର୍ବଳ ହୋଇ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟ କରିପାରେ ନାହିଁ ସେତେବେଳେ ଫୁସ୍ଫୁସ୍ ଓ ହୃତ୍ପିଣ୍ଡର କାର୍ଯ୍ୟକୁ ଇସିଏମ୍ଓ ସମର୍ଥନ ଓ ସମ୍ପାଦନ କରିଥାଏ। ଫଳରେ ଏହା ହୃତ୍ପିଣ୍ଡ ଓ ଫୁସ୍ଫୁସ୍କୁ ବିଶ୍ରାମ ଓ ସୁସ୍ଥ ହେବା ପାଇଁ ସମୟ ଦେବା ସହ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଅମ୍ଳଜାନ ଯୋଗାଣ ବଜାୟ ରଖି ଅସୁସ୍ଥତାର ମୂଳ କାରଣର ଚିକିତ୍ସା କରିବା ପାଇଁ ସୁଯୋଗ ଦିଏ।
ଏହି ଯନ୍ତ୍ରର କାର୍ଯ୍ୟ ପ୍ରଣାଳୀ ଏହିପରି- ଶରୀରର ବେକ, ଜଙ୍ଘ ବା ଛାତିର ଏକ ବଡ଼ ଶିରାରୁ ଏକ ପମ୍ପ ବ୍ୟବହାର କରି ଏକ ସ୍ୱତନ୍ତ୍ର ଟ୍ୟୁବ୍(ଡ୍ରେନେଜ୍ କାନୁଲା) ମାଧ୍ୟମରେ ରକ୍ତ ନିଆଯାଇଥାଏ। ନିଷ୍କାସିତ ରକ୍ତ ଏକ କୃତ୍ରିମ ଫୁସ୍ଫୁସ୍ (ଅକ୍ସିଜେନେଟର୍ କିମ୍ବା ମେମ୍ବ୍ରେନ୍ ଫୁସ୍ଫୁସ୍) ଦେଇ ଯାଏ ଯେଉଁଠି ଅମ୍ଳଜାନ ମିଶାଯାଏ ଏବଂ ଅଙ୍ଗାରକାମ୍ଳ ବାହାର କରାଯାଏ। ତା’ପରେ ଅମ୍ଳଜାନ-ସମୃଦ୍ଧ ରକ୍ତକୁ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ୟୁବ୍(ରିଟର୍ଣ୍ଣ କାନୁଲା) ମାଧ୍ୟମରେ ରୋଗୀର ଶରୀରକୁ ଛଡ଼ାଯାଇଯାଏ। ଶରୀରକୁ ଫେରିବା ପୂର୍ବରୁ ରକ୍ତକୁ ଆବଶ୍ୟକ ଅନୁସାରେ ଉଷ୍ମ କିମ୍ବା ଥଣ୍ଡା କରାଯାଏ। ଇସିଏମ୍ଓ ମୁଖ୍ୟତଃ ଦୁଇ ପ୍ରକାରର: (କ) ଭିଭି ଇସିଏମ୍ଓ: ଯେତେବେଳେ ହୃତ୍ପିଣ୍ଡ ଭଲ ଭାବରେ କାମ କରେ କିନ୍ତୁ ଫୁସ୍ଫୁସ୍କୁ ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ। (ଖ) ଭିଏ ଇସିଏମ୍ଓ: ଯେତେବେଳେ ହୃତ୍ପିଣ୍ଡ ଦୁର୍ବଳ ଥାଏ କିମ୍ବା ବନ୍ଦ ହୋଇଯାଏ ସେତେବେଳେ ଏହା ବ୍ୟବହାର କରାଯାଏ। ଏଥିରେ ଗୋଟିଏ ଶିରାରୁ ରକ୍ତ ନିଷ୍କାସନ କରାଯାଇ ତାହାକୁ ଏକ ଧମନୀକୁ ଫେରାଇ ନିଆଯାଏ ଏବଂ ଏହା ଉଭୟ ହୃତ୍ପିଣ୍ଡ ଓ ଫୁସ୍ଫୁସ୍କୁ ସମର୍ଥନ କରେ।
Youth Meeting: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ‘ଆଦର୍ଶ ଯୁବ ଗ୍ରାମସଭା’
Lifestyle: ଜୀବନ ଧାରା: କୋରିଆ ମାୟାରେ ଓଡ଼ିଆ!
ଯେତେବେଳେ ଭେଣ୍ଟିଲେଟର କିମ୍ବା ଔଷଧ ଭଳି ଅନ୍ୟ ଜୀବନ-ସହଯୋଗୀ ଚିକିତ୍ସା ଯଥେଷ୍ଟ ହୁଏ ନାହିଁ, ସେତେବେଳେ ଏହି ଚିକିତ୍ସା ଆରମ୍ଭ କରାଯାଏ। ଏହା ଉଭୟ ଶିଶୁ ଓ ବୟସ୍କଙ୍କଠାରେ ଗୁରୁତର ନିମୋନିଆ କିମ୍ବା ଇନଫ୍ଲୁଏଞ୍ଜା କିମ୍ବା କୋଭିଡ୍-୧୯ ପରି ଭାଇରାଲ୍ ସଂକ୍ରମଣ ବେଳର ଶ୍ୱାସକ୍ରିୟା/ଫୁସ୍ଫୁସ୍ ବିଫଳତା, ତୀବ୍ର ଶ୍ୱାସକ୍ରିୟା କଷ୍ଟ ସିଣ୍ଡ୍ରୋମ, ଶ୍ୱାସକ୍ରିୟାରେ ଅବନତି ଆଣୁଥିବା ଗୁରୁତର ଆଘାତ କିମ୍ବା ଫୁସ୍ଫୁସ୍ ଆଘାତ, ହୃଦ୍ଘାତ/ହୃତ୍ପିଣ୍ଡ ବିଫଳତା ଆଦି କ୍ଷେତ୍ରରେ ବ୍ୟବହାର କରାଯାଏ। ତେବେ ଗୁରୁତର ମସ୍ତିଷ୍କ ଆଘାତ, କର୍କଟ, ମଲ୍ଟିପ୍ଲ ଅର୍ଗାନ ଫେଲିଅର୍, ଅନିୟନ୍ତ୍ରିତ ରକ୍ତସ୍ରାବ, ଅପରିବର୍ତ୍ତନୀୟ ହୃତ୍ପିଣ୍ଡ/ଫୁସ୍ଫୁସ୍ ରୋଗ ଇତ୍ୟାଦିରେ ଏହା ବ୍ୟବହାର କରାଯାଏ ନାହିଁ। ଏହା ଏକ ଅସ୍ଥାୟୀ ଚିକିତ୍ସା। ଏହା ଅନ୍ତର୍ନିହିତ ରୋଗକୁ ସୁସ୍ଥ କରେ ନାହିଁ, ମାତ୍ର ଡାକ୍ତରମାନଙ୍କୁ ତାହାର ଚିକିତ୍ସା ପାଇଁ ସମୟ ଦିଏ। କିଛି ରୋଗୀଙ୍କ ପାଇଁ ଏହା କିଛି ଦିନ ପାଇଁ ଏବଂ କେତେକଙ୍କ ପାଇଁ କିଛି ସପ୍ତାହ ପାଇଁ ଏହାର ଆବଶ୍ୟକତା ପଡ଼ିପାରେ। ଯେତେବେଳେ ହୃତ୍ପିଣ୍ଡ କିମ୍ବା ଫୁସ୍ଫୁସ୍ ସୁସ୍ଥ ହେବା ଆରମ୍ଭ କରେ, ସେତେବେଳେ ଇସିଏମ୍ଓ ସମର୍ଥନ ଧୀରେ ଧୀରେ ହ୍ରାସ କରି ବନ୍ଦ କରାଯାଏ।
ଇସିଏମ୍ଓ ଯନ୍ତ୍ରଟି ଜୀବନ ରକ୍ଷାକାରୀ ହେବା ସହ ବିପଦ ମଧ୍ୟ ବହନ କରେ। ସମ୍ଭାବ୍ୟ ଜଟିଳତା ମଧ୍ୟରେ ରକ୍ତସ୍ରାବ, ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା, ହେମୋଲାଇସିସ୍, ଏୟାର ଏମ୍ବୋଲିଜିମ୍, ଅର୍ଗାନ୍ ଇସ୍କେମିଆ, ଷ୍ଟ୍ରୋକ୍ କିମ୍ବା ଅନ୍ୟାନ୍ୟ ଅଙ୍ଗ ଆଘାତ ଆଦି ରହିଛି। ଇସିଏମ୍ଓ ଆରମ୍ଭ ହେବା ପୂର୍ବରୁ କମ୍ ଅମ୍ଳଜାନ ଯୋଗୁଁ ବୃକ୍କ, ଯକୃତ କିମ୍ବା ମସ୍ତିଷ୍କ ପ୍ରଭାବିତ ହୋଇପାରେ। ତେବେ ପ୍ରଯୁକ୍ତିବିଦ୍ୟା ଏବଂ ତାଲିମରେ ଉନ୍ନତି ଇସିଏମ୍ଓକୁ ଅଧିକ ସୁରକ୍ଷିତ ଓ ସୁଗମ କରୁଛି। ଏ କ୍ଷେତ୍ରରେ ଗବେଷଣା, ରୋଗୀ ଚୟନକୁ ସୁଧାରିବା ଓ ବଞ୍ଚିବାର ହାରକୁ ଉନ୍ନତ କରିବା ଜାରି ରଖିଛି।
ଇଣ୍ଟେନ୍ସିଭିଷ୍ଟ ଓ ଇସିଏମ୍ଓ ଚିକିତ୍ସକ, ଏମ୍ସ, ଭୁବନେଶ୍ବର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/fsfhsfhsfh-2025-11-26-01-47-52.jpg)