ଏକ ରଙ୍ଗହୀନ ଜୀବନକୁ ରଙ୍ଗିନ କରିବାର ସାହସ କେବଳ ପ୍ରେମ ହିଁ କରିପାରେ। ୨୦୦୮ ମସିହାର କଥା। ହସ୍ପିଟାଲ୍କୁ ରୋଗୀମାନଙ୍କୁ ଦାନ କରିବାକୁ ଆସିଥିବା ବେଳେ କୁନି ବାଳକ ଅନିକେତର ନିରୀହ ଆଖିକୁ ଦେଖି ସ୍ନେହବାତ୍ସଲ୍ୟ ହୋଇପଡ଼ିଲେ ଦିନେଶ। ବାସ୍, ତା’ପରେ ବଦଳିଗଲା କୁନିପୁଅ ଅନିକେତର ଜୀବନର ଗତିପଥ। ଦୁଇ ଅପରିଚିତ ପାଲଟିଲେ ଦୁନିଆର ସବୁଠାରୁ ଭଲ ବାପ-ପୁଅ!
Padma awards: ପଦ୍ମ ସମ୍ମାନରେ ବି ଉପେକ୍ଷା: ୭୨ ବର୍ଷରେ ଓଡ଼ିଶାରୁ ମାତ୍ର ୧୮ ମହିଳା ବିଜେତା
ଏତେ ସଚେତନତା ପରେ ଆଜି ବି ଏଡ୍ସ ଆକ୍ରାନ୍ତଙ୍କୁ ଦୁନିଆ ଅଛୁଆଁ ଦୃଷ୍ଟିରେ ଦେଖୁଛି। ହେଲେ ଟିକିଏ ସ୍ନେହ, ଟିକିଏ ଆଦର ଓ ଅନାବିଳ ମମତା ଦୁନିଆର ବଡ଼ ବଡ଼ ରୋଗ ଓ ସଂକ୍ରମଣକୁ ଯେ ହରାଇ ପାରେ, ତାହା ହୁଏତ ବିନା ପ୍ରମାଣରେ କେହି ହଠାତ୍ ବିଶ୍ବାସ କରିବେ ନାହିଁ। ଏହିଭଳି ଏକ ଅବିଶ୍ବସନୀୟ କାହାଣୀ ହେଉଛି ଦିନେଶ (ଛଦ୍ମନାମ) ଓ ତାଙ୍କ ପୋଷ୍ୟପୁତ୍ର ଅନିକେତଙ୍କର। ଦିନେଶ ସେଦିନ ନିଜର ଜଣେ ବନ୍ଧୁଙ୍କ ସହ ହସ୍ପିଟାଲ୍ରେ ରୋଗୀମାନଙ୍କୁ ଭେଟି ଫଳ ଓ ବିସ୍କୁଟ୍ ବାଣ୍ଟିବାକୁ ଯାଇଥାନ୍ତି। ସେହି ସମୟରେ ତାଙ୍କୁ ପାଖକୁ ଟାଣିନେଲା ହସ୍ପିଟାଲ୍ ବେଡ୍ରେ ଅତି ନିଃସହାୟ ଭାବେ ପଡ଼ି ରହିଥିବା କୁନି ଅନିକେତର ନିରୀହ ଆଖି ଦୁଇଟି। ପାଖ ବେଡ୍ରେ ଶୋଇଥିଲେ ଅନିକେତର ମାଆ। ଉଭୟ ମାଆପୁଅ ଏଡ୍ସ ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥାନ୍ତି। କେଜାଣି କାହିଁକି, ଅନିକେତର ନିରୀହପଣ ଦିନେଶଙ୍କ ହୃଦୟକୁ ଛୁଇଁଲା। ଡାକ୍ତରଙ୍କଠାରୁ ସବୁ ପଚାରି ବୁଝିଲେ ସେ। ଅନିକେତ ଆଉ ମାତ୍ର ସପ୍ତାହେ କି ଦୁଇ ସପ୍ତାହର ଅତିଥି ବୋଲି ଶୁଣି ତାଙ୍କ ହୃଦୟଟା କାନ୍ଦି ଉଠିଲା। ମନଦୁଃଖରେ ଘରକୁ ଫେରିଲେ ଦିନେଶ। ପରଦିନ ପୁଣି ଆସିଲେ ହସ୍ପିଟାଲ୍। ଅନିକେତ ଓ ତାଙ୍କ ମାଆଙ୍କୁ ଦେଖାକଲେ। ଏହିଭଳି ଭାବେ ଏକ ଅଜବ ବନ୍ଧନରେ ବାନ୍ଧି ହୋଇଗଲେ ସେ ଅନିକେତ ସହ। ଦିନେ ଆସି ଦିନେଶ ଦେଖନ୍ତି ତ, ଅନିକେତର ମାଆ ଆଉ ନାହାନ୍ତି। କାନ୍ଦି କାନ୍ଦି ଲୋଟି ଯାଉଥାଏ କୁନି ବାଳକ। ମାଆ ଛେଉଣ୍ଡ ପିଲାକୁ ଛାତିକୁ ଭିଡ଼ିନେଲେ ଦିନେଶ। ଆଜିଠାରୁ ତୋର ସବୁ ଦାୟିତ୍ବ ମୋର ବୋଲି କହି ତାକୁ ଦମ୍ଭ ଦେଲେ।
ତା’ପରେ ଅନିକେତ ପାଇଁ ସେ ଅନାଥ ଆଶ୍ରମ ଖୋଜିବା ଆରମ୍ଭ କଲେ। ହେଲେ ଏଡ୍ସ୍ ସଂକ୍ରମିତ ବୋଲି ଜାଣିବା ପରେ କେହି ବି ଅନିକେତକୁ ତାଙ୍କ ଆଶ୍ରମରେ ଆଶ୍ରୟ ଦେବାକୁ ରାଜି ହେଲେନାହିଁ। ତା’ପରେ ଜିଲ୍ଲା ପ୍ରଶାସନ ପାଖକୁ ଯାଇ ଅଭିଯୋଗ ଦାଏର କଲେ ଦିନେଶ। ଶେଷରେ ଗୋଟିଏ ଅନାଥ ଆଶ୍ରମ ତାକୁ ରଖିବାକୁ ରାଜିହେଲା। କିନ୍ତୁ ୨ ସପ୍ତାହ ପରେ, ଅନିକେତ ପାଇଁ ସେଠି ବି ରହିବା ମୁସ୍କିଲ୍ ହେଲା। ଆଶ୍ରମର ୱାଡେନ୍ ଅନ୍ୟ ପିଲାମାନଙ୍କୁ ଅନିକେତ ସହ ମିଶିବାକୁ ବାରଣ କରୁଥିଲେ।
ତା’ର ଦୁଃଖ ଦେଖିପାରିଲେ ନାହିଁ ଦିନେଶ। ଶେଷରେ ସେ ଅନିକେତକୁ ନିଜ ଘରକୁ ନେଇଗଲେ। ସେଠାରେ ବି ସେ ସମସ୍ୟାର ସମ୍ମୁଖୀନ ହେଲେ। ଦିନେଶଙ୍କ ଭାଇ ଅନିକେତର ଘରକୁ ଯିବା କଥାକୁ ପସନ୍ଦ କଲେ ନାହିଁ। ପରିବାରରେ ଅଶାନ୍ତି ଉପୁଜିଲା। ଯାହାହେଉ ଶେଷରେ, ସେ କଷ୍ଟେମଷ୍ଟେ ତାକୁ ନିଜ ପାଖରେ ରଖିଲେ। ଘର ରନ୍ଧା ଖାଦ୍ୟ, ଔଷଧ ଓ ପ୍ରଚୁର ଭଲପାଇବା ଅନିକେତକୁ ପୁନର୍ଜୀବିତ କଲା। ଶେଷରେ ଦିନେଶଙ୍କ ଘରର ସବୁ ଲୋକ ଅନିକେତକୁ ଭଲପାଇବସିଲେ। ସମୟକ୍ରମେ ଅନିକେତକୁ ଆଇନଗତ ଭାବରେ ଗ୍ରହଣ କରିବାର ନିଷ୍ପତ୍ତି ନେଲେ ଦିନେଶ। ପୂର୍ବରୁ ଏଡ୍ସ୍ ଥିବା କୌଣସି ପିଲାକୁ କେବେ ପୋଷ୍ୟ ଭାବେ ଗ୍ରହଣ କରାଯାଇ ନଥିଲା। ହେଲେ ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ସମସ୍ୟାକୁ ବିସ୍ତୃତ ଭାବେ ପ୍ରକାଶ କରିବା ପରେ ମାମଲା ଲୋକଲୋଚନକୁ ଆସିଲା। ଶେଷରେ ଆଇନଗତ ଭାବେ ଅନିକେତଙ୍କୁ ପୋଷ୍ୟପୁତ୍ର କଲେ ଦିନେଶ।
ଅନିକେତଙ୍କୁ ପାଇ ସେ ଏବେ ଖୁସି। ଦିନେଶ କହନ୍ତି, ମୁଁ ପୂର୍ବାପେକ୍ଷା ଅଧିକ ଦାୟିତ୍ବବାନ୍ ହୋଇଛି। ମୁଁ ମୋ ପିଲାକୁ ସବୁକିଛି ସର୍ବୋତ୍ତମ ଦେବାକୁ ମନସ୍ଥ କରିଛି। ଆଗରୁ ସେ ମୋତେ ଭାଇ ବୋଲି ଡାକୁଥିଲା, ଏବେ ବାପା ଡାକୁଛି। ତା’ ପାଠ ପଢ଼ାବେଳେ ମୁଁ ତା’ ପାଇଁ ଜଣେ କଠୋର ପିତା ସାଜୁଛି। ପୁଣି ଖେଳକୁଦ ବେଳେ ଜଣେ ଭଲ ବନ୍ଧୁ। ଅନିକେତକୁ ଚିତ୍ର କରିବାକୁ ଭଲ ଲାଗେ। ସେ ତା’ର ଓ ମୋର ଚିତ୍ର ଆଙ୍କୁଛି। ତାକୁ ଦେଖିଲେ ଆନନ୍ଦରେ ମୋର ମନ ଭରିଯାଉଛି।
ସେ ଥରେ ମାତ୍ର ରୋଗ ହେତୁ ଯନ୍ତ୍ରଣା ସହି ନପାରି ମୋ ଆଗରେ ଚିତ୍କାର କରି କହିଥିଲା- ମୁଁ ମରିଯିବି। ମାତ୍ର ମୁଁ ତାକୁ ଜୀବନର ସଂଜ୍ଞା ବୁଝାଇବା ପରେ ସେ ଦ୍ବିତୀୟବାର ଏଭଳି ନୈରାଶ୍ୟଜନକ କଥା କହିନାହିଁ। ମୁଁ ତାକୁ ପାଇ ଜଣେ ଗର୍ବିତ ବାପା ବନିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/25/hsffhfhxvbxv-2026-01-25-04-22-51.jpg)