ମାଆ ଥିଲେ ପିଲାଟିଏ ସୁରକ୍ଷିତ ଅନୁଭବ କରିଥାଏ; ଏଇ ଅନୁଭବ ଆସିବା ପୂର୍ବରୁ ହିଁ ମାତୃହରା ହୋଇଗଲେ। ତାଙ୍କୁ ସେତେବେଳେ ବୟସ ମାତ୍ର ୧୨ ବର୍ଷ। ମାଆ ଆରପାରିକୁ ଚାଲିଗଲା ପରେ ଅବସ୍ଥା ଏକପ୍ରକାର ଥିଲା। କିନ୍ତୁ ମାଆଙ୍କ ବିୟୋଗର ବର୍ଷେ ନହେଉଣୁ ବାପା ଯେତେବେଳେ ଅନ୍ୟ ଜଣଙ୍କୁ ବିବାହ କଲେ, ଜୀବନ ଆହୁରି ଜଟିଳ ହୋଇଗଲା। ମାଆର ପଣତକାନି ତଳର ସରାଗ ସିନ‌ା ତାଙ୍କ ଭାଗ୍ୟରେ ନଥିଲା; ହେଲେ ସାବତମାଆର କଠୋର ବ୍ୟବହାର ତାଙ୍କ କପାଳରେ ଲେଖାଥିଲା।

Advertisment

୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍: ଶାହ

ସାନ ବେଳରୁ ମାଆଙ୍କୁ ହରାଇବା କାରଣରୁ ବାପା ତାଙ୍କୁ ଟିକେ ଅଧିକ ସ୍ନେହ କରୁଥିଲେ। ଆଉ ସେଇଟା ହିଁ ଥିଲା ତାଙ୍କ ପାଇଁ ଯନ୍ତ୍ରଣାର କାରଣ। ବାପା ଯେତେ ଅଧିକ ଭଲପାଉଥିଲେ, ସାବତମାଆ ସେତିକି ଈର୍ଷାନ୍ବିତ ହୋଇ ବେଶୀ କଷ୍ଟ ଦେଉଥିଲେ। ଘରଟା ଯାକର କାମର ବୋଝ ତାଙ୍କ ଉପରେ ଲଦି ଦେବା ସହ ପାଠ ପଢ଼ିବାର ସବୁ ସୁଯୋଗ ଛଡ଼ାଇ ନେଉଥିଲେ। ତଥାପି ହାରି ନଥିଲେ ସ୍ବପ୍ନା (ଛଦ୍ମନାମ)। ଦିନଯାକ କାମ କରି ରାତି ଅନିଦ୍ରା ହୋଇ ପାଠ ସାରୁଥିଲେ। ଥରେ ସାବତମାଆର ନିର୍ଯାତନା ଅସହ୍ୟ ହେବାରୁ ଛାତ ଉପରେ ଥିବା ଏକ ପାଣି ଟାଙ୍କି ଭିତରେ ପଶିଗଲେ ସ୍ବପ୍ନା। କିଛି ସମୟ ପରେ ବାହାରିବାକୁ ଭାବିଲା ବେଳକୁ ତାଙ୍କର ଗୋଡ଼ ଖସିଗଲା ଓ ସେ ସେଠାରେ ପଡ଼ିଗଲେ। ସାହାଯ୍ୟ ପାଇଁ ଆକୁଳ ଚିତ୍କାର ପରେ ବି ତାଙ୍କ ଡାକ କାହାକୁ ଶୁଭିଲା ନାହିଁ। ଝିଅକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜି ନପାଇବାରୁ ଛାତରେ ପହଞ୍ଚିଲେ ବାପା। ସ୍ବପ୍ନାକୁ ଉଦ୍ଧାର କରିବା ବେଳକୁ ତାଙ୍କ ଅବସ୍ଥା ଗୁରୁତର ହୋଇ ସାରିଥାଏ। ତୁରନ୍ତ ହସ୍ପିଟାଲ୍‌ ନେଇ ଚିକିତ୍ସା କରାଗଲା। ହେଲେ ସ୍ବପ୍ନାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଛଅ ମାସ ପର୍ଯ୍ୟନ୍ତ ଅସହ୍ୟ ଯନ୍ତ୍ରଣା ସହିବା ପରେ ଛୋଟୀ ହୋଇ ଯାଇଥିଲେ। ଦୁଃଖର ଆଉ ଏକ ପାହାଡ଼ ଲଦି ହୋଇଗଲା। ବୋଝ ଉପରେ ନଳିତା ବିଡ଼ା ପରି ସଂପର୍କୀୟଙ୍କ କଥା ସ୍ବପ୍ନାଙ୍କ କଷ୍ଟକୁ ଦ୍ବିଗୁଣିତ କରୁଥିଲା। ଝିଅଟା ବଞ୍ଚି ରହି ବାପ ଉପରେ ବୋଝ ହୋଇଛି ବୋଲି ଅନେକ ଟିପ୍ପଣୀ କରୁଥିଲେ। ହେଲେ ସ୍ବପ୍ନାଙ୍କୁ ନିଜର ଗର୍ବ ବୋଲି କହି ସମସ୍ତଙ୍କ ମୁହଁ ବନ୍ଦ କରି ଦେଉଥିଲେ ବାପା।

Weekly Horoscope 2026 Feb 22 To Feb 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସ୍ବପ୍ନା ସ୍କୁଲ୍‌ ସୀମା ପାର ହୋଇ କଲେଜ ପରିସରକୁ ଗଲେ। ଇଞ୍ଜିନିୟରିଂ ପଢ଼ିଲେ। ସ୍କୁଲ୍‌ରେ ଯେପରି ସାଙ୍ଗସାଥୀମାନେ ଛୋଟୀ କହି ଟାହି କରୁଥିଲେ, କଲେଜରେ ବି ସେଇ ସମାନ ସମସ୍ୟା ଭୋଗ କଲେ। ଏସବୁ ତାଙ୍କ ଦୃଢ଼ ମନୋବଳ ଆଗରେ ହାର୍‌ ମାନୁଥିଲା। ଇଂଜିନିୟରିଂ ପାଠ ସରିବା ପରେ ଚାକିରି ପାଇଁ ଚେଷ୍ଟା ଚଳାଇଲେ। ଦକ୍ଷତାରେ ଜିତିଯାଉଥିଲେ ବି ନିଜର ଶାରୀରିକ ଅକ୍ଷମତା ପାଇଁ ସେ ସବୁଠି ଅଣଦେଖା ହେଉଥିଲେ। ସେ କଠିନ ପରିଶ୍ରମ କରିପାରିବେ ନାହିଁ ବୋଲି ଭାବି କେହି ବି ତାଙ୍କୁ ଚାକିରିଟିଏ ଦେବାକୁ ଆଗଭର ହେଉ ନଥିଲେ। ବାରମ୍ବାର ଜୀବନ ତାଙ୍କୁ ହରାଇବାକୁ ଚେଷ୍ଟା କରୁଥିଲା। ହେଲେ ଜୀବନ ଦେଉଥିବା ଯନ୍ତ୍ରଣାକୁ ଫୁ କରି ଉଡ଼େଇ ଦେଇ ଆଗକୁ ବଢ଼ିବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ ସ୍ବପ୍ନା।

ଶେଷରେ ସେ ଏକ ଇ-କମର୍ସ କମ୍ପାନିରେ ଡେଲିଭରି ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରିବା ଆରମ୍ଭ କଲେ। ହେଲେ ବାପାଙ୍କ ମନ ମାନୁ ନଥିଲା। ବିଟେକ୍‌ ପଢୁଆ ଝିଅ ପୁଣି ଦୁଆର ଦୁଆର ବୁଲି ଜିନିଷ ବାଣ୍ଟିବ! ତେବେ ନିଜ ବୃତ୍ତିକୁ ନେଇ କେବେ ବି ଦୁଃଖ କରୁ ନଥିବା ସ୍ବପ୍ନା ବାପାଙ୍କୁ ବି ବୁଝାଇ ଦେଲେ। ଏବେ ସେ ତାଙ୍କ କାର୍ଯ୍ୟରେ ଆଗକୁ ବଢୁଛନ୍ତି। କାର୍ଯ୍ୟକ୍ଷେତ୍ରରେ ସ୍ବପ୍ନାଙ୍କୁ ମିଳୁଛି ସହକର୍ମୀ ଓ ବନ୍ଧୁମାନଙ୍କ ପ୍ରେରଣା। ଭଲମନ୍ଦରେ ସେମାନେ ସାହସ ଦେଇ ଛିଡ଼ା ହେଉଛନ୍ତି ପାଖରେ। ଦିନେ ସାଙ୍ଗଟିଏ ପାଇଁ ବିକଳ ହେଉଥିବା ସେ କୁନି ଝିଅ ସ୍ବପ୍ନା ଆଜି ଅନେକଙ୍କର ପ୍ରିୟ ସାଙ୍ଗ। ଏବେ ସ୍ବପ୍ନାଙ୍କ ପାଇଁ ପୂର୍ବାପେକ୍ଷା ଆହୁରି ଅଧିକ ଗୌରବାନ୍ବିତ ଅନୁଭବ କରୁଛନ୍ତି ବାପା। ସ୍ବପ୍ନା ବି ବାପାଙ୍କ ଭରସାର ମାନ ରଖିବା ପାଇଁ କର୍ମ ପରିସରରେ ଗୋଟାଏ ପରେ ଗୋଟାଏ ସୋପାନ ଅତିକ୍ରମ କରି ଚାଲିଛନ୍ତି।