Advertisment

Love: ସାଥୀ ମୋର... ଗୋଟିଏ ଲୋକକୁ ଭଲ ପାଇ ବିଶ୍ବବ୍ରହ୍ମାଣ୍ଡକୁ ଭଲ ପାଇ ହୁଏ

Advertisment

ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ। ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା’ନ୍ତି। ଠିକ୍‌ ସେମିତି ଅନେକ ସମୟରେ ଆଢ଼ୁଆଳରେ ରହିଯାଆନ୍ତି ସଫଳ ନାରୀଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ।

ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ। ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା’ନ୍ତି। ଠିକ୍‌ ସେମିତି ଅନେକ ସମୟରେ ଆଢ଼ୁଆଳରେ ରହିଯାଆନ୍ତି ସଫଳ ନାରୀଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ।

dgjgdjbcbn

ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ। ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା’ନ୍ତି। ଠିକ୍‌ ସେମିତି ଅନେକ ସମୟରେ ଆଢ଼ୁଆଳରେ ରହିଯାଆନ୍ତି ସଫଳ ନାରୀଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ। ସେ ବି ହୋଇପାରନ୍ତି ଜୀବନସାଥୀ। ଏଥର ସ୍ବୀକାରୋକ୍ତିରେ ସ୍ବାମୀ ସୁବାସ କରଙ୍କ ବିଷୟରେ କହିଛନ୍ତି ତାଙ୍କର ପତ୍ନୀ, ଲୋକପ୍ରିୟ ଲେଖିକା ଗୋଲାପ ମଞ୍ଜରୀ କର।

Horoscope 2026 February 23: ଜାଣନ୍ତୁ ଆଜିର ରାଶିଫଳ

କେଉଁ ବିସ୍ତୃତ ଅତୀତରେ କେହି ଜଣେ କହିଥିଲା, ‘‘ମେଘର ଜାହାଜ ଚଢ଼ି ସିଏ ଦିନେ ଜହ୍ନର ସହର ବୁଲିବାକୁ ଯିବ, କ’ଣ ସେ ଆଣିବ ସେଠୁ ତା’ ସଖୀ ପାଇଁ? ମେଘଠାରୁ ନୀଳିମା ମୁଠାଏ ନା ବିଜୁଳିରେ ଗଢ଼ା ହଳେ ପାଉଁଜି? ନୀଳବନରୁ ହଳେ ଶୁଆଶାରୀ ଆଣିବ କି? ଏତେସବୁ କହିଗଲି କିଛି ବାଛି କହିଲିନି ଆଣିବି କି ଡେଣା ନୀଳ ପକ୍ଷୀର?’’

ଏମିତି ଏକ କବିତା ଲେଖିଥିବା କବି ଜଣଙ୍କ ସୁବାସ କର, ଯାହାଙ୍କ ସହିତ ମୁଁ ବାନ୍ଧି ହୋଇଯାଇଥିଲି ୧୯୭୦ ମସିହା ଜୁନ୍ ୨୬ର ଏକ ସ୍ନିଗ୍‌ଧ-ମଧୁର ଗୋ-ଧୂଳି ବେଳାରେ। ସେ ଏକ ‌‌ରସୋଚ୍ଛଳ ପ୍ରାଣବନ୍ତ ମଣିଷ, ଜୀବନ ରସରେ ଭରପୂର। ମନେହୁଏ କେତେ ଯୁଗର କଥା। ସତରେ କ’ଣ ସେମିତି ଲାଗେ? କାଲି ଘଟିଯାଇଥିବା ପରି ପ୍ରତିଟି ଲିତା, ବିଲିତାର ଅନୁଭବ ଏବେ ବି ଜୀବନ୍ତ, ଅନୁରାଗର ଗୋଟିଏ ଗୋଟିଏ ଦସ୍ତାବିଜ। ପ୍ରେମ ଏମିତି ଏକ ଉତ୍ତରଣର ଶିଡ଼ି ଯାହାର ପ୍ରତିଟି ପାହାଚରେ ନିନ୍ଦା ଅପବାଦ, ମାନ-ଅଭିମାନ, କଣ୍ଟା-ଝଣ୍ଟା ଆଉ ପ୍ରାପ୍ତି-ଅପ୍ରାପ୍ତିର ଛାଇ-ଆଲୁଅର ଖେଳ। କିନ୍ତୁ ତାକୁ ଅତିକ୍ରମି ଗଲେ? ଗୋଟାଏ ପ୍ରଲମ୍ବିତ ଅାନନ୍ଦଲୋକ। ବାସ୍ତବତା ଥାଏ ତା’ ବାଟରେ। ତେଲ-ଲୁଣର ସଂସାର ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ କରୁଥାଏ, ଅୟୁତେ ଜଞ୍ଜାଳ ଲାଉ ହୋଇଥାଏ ପିଠିରେ। ଅନେକ ଅମଡ଼ା ବାଟକୁ ମଡ଼ା କରିବାକୁ ପଡ଼େ, ଅନେକ ଅମଣିଆକୁ ମଣ କରିବାକୁ ହୁଏ, ଅନେକ ଅସହଣୀ ଦୁଃଖକୁ ଢୋକି ନେବାକୁ ପଡ଼େ। କିନ୍ତୁ ଯଦି ସାଥୀର ଉଷୁମ ପାପୁଲିଟିଏ ହାତ ଉପରେ ଥାଏ ତେବେ ଆଦିଗନ୍ତ ବାଟ ଚଲାର ଥକ୍‌କା ମେଣ୍ଟିଯାଏ, ଜଳନ୍ତା ନିଅଁାକୁ ପିଠି ପତେଇ ସଂସାରକୁ ଶୀତଳେଇ ହୁଏ, ତମାମ ଜୀବନ ଜହ୍ନରାତିଟିଏ ପାଲଟି ଆକାଶେଇ ଯାଇହୁଏ।

ମୁଁ ଏମ୍.ଏ. ଶେଷ ବର୍ଷର ଛାତ୍ରୀ ଥିଲାବେଳେ ବାହାଘର, ଆମ ଭିତରେ ବୟସର ବ୍ୟବଧାନ ମାତ୍ର ଚାରି ବର୍ଷର। ମୁଁ ଜାଣି ନ ଥିଲି ଗୋଟାଏ ଲୋକକୁ ଭଲପାଇ ବିଶ୍ବ ବ୍ରହ୍ମାଣ୍ଡକୁ ଭଲପାଇ ହୁଏ, ମହମହ ଫୁଲବନଟିଏ ପାଲଟି ଯାଇହୁଏ। ଆମେ ଦୁହେଁ ଅପଟୁ ହାତରେ ସଂସାରର ଜୁଆଳି କାନ୍ଧକୁ ନେଇଥିଲୁ। ମତେ ସେ ରାନ୍ଧିବା ଶିଖାଇଥିଲେ, ପରଷିବାର ପରିପାଟୀ ଶିଖାଇଥିଲେ ଆଉ ଶିଖାଇଥିଲେ ଜଗତଯାକକୁ ମିତ ପଣରେ ଛାତିରେ ବାନ୍ଧି ରଖିବାର କଳା। ପୁରୀ ଲୋକ ନା! ଜଗନ୍ନାଥ, ଜଗନ୍ନାଥଙ୍କର ଅନନ୍ତ କୃପାର ଅଜସ୍ର ଗାଥା ମୁଁ ତାଙ୍କ ମୁହଁରୁ ଶୁଣୁଥିଲି। ମୋ ଖାତା, ବହିରେ ମଲାଟ ଲଗାଉଲଗାଉ, ମୋର ନୋଟ୍ କରି ଦେଉଦେଉ ସେ କହୁଥିଲେ ତାଙ୍କର ଅସଂଖ୍ୟ ଶବ ପୋଡ଼ିବାର କାହାଣୀ, କୁଷ୍ଠରୋଗୀକୁ ସେବା କରି ଆସି ଦାଣ୍ଡିପିଣ୍ଢାରେ ରାତି କଟାଇବାର କଥା। ତାଙ୍କର ଭାବଦୀପ୍ତ ସୁନ୍ଦର ମୁହଁକୁ ଚାହିଁ ଆଖି ନୁହେଁ, ହୃଦୟ ଦେଇ ପିଇ ଯାଉଥିଲି ସବୁ କଥା ଆଉ ନିଜ ଭାଗ୍ୟକୁ ଈର୍ଷା କରୁଥିଲି। ଆମ ସଂସାରରେ ଅଭାବ ଥିଲା, କିନ୍ତୁ ଆମେ କେବେ ଅଭାବୀ ନ ଥିଲୁ। ଅନୁରାଗରେ ଯଦି ଅଙ୍ଗୀକାରବଦ୍ଧତା ଥାଏ ତାହା ଜୀବନକୁ ଅର୍ଥମୟ କରି ତୋଳେ। ଛୋଟଛୋଟ ଦୁଃଖ, ଅବସୋସ ତା’ର ଅସ୍ତିତ୍ବ ହରାଏ। ସୁବାସ ଗୀତ ଲେଖୁଥିଲେ, ସ୍ବର ଦେଉଥିଲେ, ଗାଉଥିଲେ, ଡ୍ରାମା କରୁଥିଲେ, ତବଲା ବଜାଉଥିଲେ। ମୁଁ ଥିଲି କେବଳ ତାଙ୍କର ଏକ ମୁଗ୍‌ଧ ସ୍ତାବକ। ରାତି ଅଧରେ ଘରକୁ ଫେରା, ଦିନଦିନ, ରାତିରାତି ନାଟକ ରିହରସଲ୍‌ରେ ବିତାଇବା, ଦୀର୍ଘ ଦିନ ଧରି ନାଟକ ନେଇ ବାହାରକୁ ଯିବା, ତବଲା-ସଙ୍ଗତ କରି ପାହାନ୍ତିଆକୁ ଘରକୁ ଫେରିବା ଏମିତିକି ସଉକରେ ଶିକାର କରି ସକାଳକୁ ଘରକୁ ଆସିବା କୌଣସିଥିରେ ମୁଁ ଆପତ୍ତି, ଅଭିଯୋଗ କରୁ ନ ଥିଲି। ଦୁଃଖ, ଅଭିମାନ, ଲୁହ ଯେ ବେଳେବେଳେ ବାଟ ଓଗାଳୁ ନ ଥିଲା ସେ କଥା ନୁହେଁ, ତଥାପି ‘ତୁମେ ଯେ କବି ସେଇ ମୋ ଗଉରବ’ ଭାବରେ ଡୁବିଯାଇ ମୁଁ ଉଲ୍ଲସିତ ହେଉଥିଲି, ପୁଲକିତ ହେଉଥିଲି। ସେ କବିତା ପଢ଼ିବାକୁ ଯୁଆଡ଼େ ଯାଉଥିଲେ ମୁଁ ତାଙ୍କ ସ୍କୁଟର ପଛରେ ବସି ଯାଉଥିଲି। ଫଳରେ ଏକ ସୃଜନଶୀଳ ମାହୋଲ ଭିତରେ ରହୁରହୁ ମୋ ଭିତରର ସୃଜନସତ୍ତାର ଚାରା ଗଛଟି ଶାଖା ପ୍ରଶାଖା ମେଲାଇ ଚାଲିଲା।

Love: ପ୍ରେମିକାଙ୍କୁ ପାଇବା ପାଇଁ ୪ କିମି ରାସ୍ତାରେ ଗଡ଼ିଲେ

ମୋ ଜଞ୍ଜାଳ ମତେ ଲେଖାଇ ଦେଉ ନ ଥିଲା। ଶବ୍ଦସବୁ ରୁଷି ବସୁଥିଲେ। ୮୦ରୁ ୮୩ ମସିହା ଭିତରେ ହାତଗଣତି କେତୋଟି ଗପ, ପ୍ରବନ୍ଧ, କବିତା ସୁଚରିତା ସମେତ ଅନେକ ସ୍ବନାମଧନ୍ୟ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଥିଲା। ଫାଷ୍ଟକ୍ଲାସ୍ ପାଇଥିଲେ ବି ଅଧ୍ୟାପିକା ଭାବରେ ଯୋଗ ଦେଇ ପାରି ନ ଥିଲି ପରିସ୍ଥିତିର ତାଡ଼ନାରୁ। ୮୩ରୁ ୯୩- ଦୀର୍ଘ ଦଶ ବର୍ଷ ପରେ ପୁଣିଥରେ ମୋ ଗପ ସୁଚରିତାରେ, ପଞ୍ଚମ ଗପ ପୁରସ୍କୃତ ହେଲା। ଜୀବନର ମୋଡ଼ ବଦଳିଗଲା। ମୁଁ ସାହିତ୍ୟର ବୃହତ୍ ଜଗତକୁ ମୋର କୁଣ୍ଠିତ ପାଦ ବଢ଼ାଇଥିଲି, ମୋ ଥରିଲା ହାତ ଥାଏ ସୁବାସଙ୍କର ବଳିଷ୍ଠ ଦୃଢ଼ ମୁଠା ଭିତରେ। ମତେ ସେ ଚିହ୍ନାଇଥିଲେ ଓଡ଼ିଆ ସାହିତ୍ୟର ମଉଡ଼ମଣିମାନଙ୍କୁ, ସାହିତ୍ୟର ଲଳିତ ସୂକ୍ଷ୍ମ ପାଟବତାକୁ। ମୋର ଚକିତ ଆଖି ସାମ୍ନାରେ ଏକ କଳ୍ପଲୋକ। ଯେଉଁମାନଙ୍କୁ ପଢ଼ି ମୁଁ ବଡ଼ ହୋଇଥିଲି ସେମାନଙ୍କୁ ଦେଖିଲି, ଆଶୀର୍ବାଦ ପାଇଲି, ଶ୍ରଦ୍ଧା ସମ୍ମାନରେ ଭରିଗଲା ମୋ ଥାଳ। କୃତଜ୍ଞ ହେଲି। ଆମେ ଦୁହେଁ ପାଲଟିଗଲୁ ଅନେକ ଦିଗ୍‌ଗଜ ସାହିତ୍ୟକଙ୍କର ଭାଇନା ଭାଉଜ। ଆମେ ଦୁହେଁ, ଆମ ଚାରିପଟରେ ସ୍ନେହର ଏକ ଉଚ୍ଛୁଳୁ ମୁଚ୍ଛୁଳୁ ସାଗର। ସେ ଅକୁଣ୍ଠ ନିଷ୍କପଟ ଭଲପାଇବା ନିକଟରେ ମୁଁ ‌େ‌କତେ ଜନ୍ମ ପାଇଁ ଋଣୀ ହୋଇ ରହିଗଲି।

ସବୁ ସମ୍ଭବ ହୋଇଛି ସେଇ ଗୋଟିଏ ‘ଚିଡୁ’ ଲୋକ ପାଇଁ, ଯିଏ ନ ମାଗିବା ଆଗରୁ ମୋ ଥାଳ ଭରିଦିଏ, କହିବା ଆଗରୁ ଆଖିରୁ ପଢ଼ିନିଏ ସବୁ। ଆକାଶରେ ସୂର୍ଯ୍ୟାସ୍ତର ଶେଷ ରଙ୍ଗ ଲିଭିଲିଭି ଆସିଲାଣି। ମାନ, ଅଭିମାନ, ରାଗ-ରୁଷାର ଜୀବନକୁ ଆମେ କେତେ ପଛରେ ଛାଡ଼ି ଆସିଲୁଣି। ଆଉ ଆରୋପ ନାହିଁ କି ପ୍ରତ୍ୟାରୋପ ନାହିଁ, ଏକ ସମାହିତ କ୍ଷଣ। ଜଣେ ଅନ୍ୟ ପାଇଁ କେବଳ ପରିପୂରକ କି ଅପରିହାର୍ଯ୍ୟ ନୁହେଁ। ଜଣକ ବିନା ଆଉ ଜଣଙ୍କର ଅସ୍ତିତ୍ବ ହିଁ ନାହିଁ। ବହୁ ବର୍ଷ ହେଲା ଆମେ ପରସ୍ପରକୁ ବାପା, ମା’ ଡାକୁଛୁ। ନଁା ଧରି ଡାକିବାର ଅଭ୍ୟାସ କେବେ ବି ନ ଥିଲା। ଆଶ୍ଚର୍ଯ୍ୟ, ଯୋଉ ନାମଟି ମନରେ ଦିନରାତି ଗୁଣୁଗୁଣୁ ହେଉଥାଏ, ସେଇ ନଁା ଡାକିବାକୁ, ଏମିତି ଲେଖିବାକୁ ବି ହାତ ଯାଏନି। ଆଉନା ସେ ପାଟକନାଗୁଡ଼ା ଅମୂଲ୍ୟ ଦରବ ହୋଇ ହୃଦୟ ସିନ୍ଦୁକରେ। ସବୁ ସଂପର୍କ ଏକୀଭୂତ ହୋଇଯାଇଛି ସେଇ ଗୋଟିଏ ସଂପର୍କ ଭିତରେ। ସ୍ତ୍ରୀଟିଏ ଯେତେ ପର୍ଯ୍ୟନ୍ତ ‘ମା’ ହୋଇପାରେନି ସେତେଦିନ ପର୍ଯ୍ୟନ୍ତ ତା’ର ‘ସ୍ତ୍ରୀତ୍ବ’ ପୂର୍ଣ୍ଣତା ଲାଭ କରିପାରେନା। ମୋର ତ ଏବେଏବେ ମନେ ହେଉଛି ମୁଁ ସବୁ ପୁରୁଷଙ୍କ ମା’, ସବୁ ପୁରୁଷ ମୋର ସନ୍ତାନ। ସେଇ ଅବୋଧ ଶିଶୁ, ସମର୍ଥ ପୁରୁଷ, ସଶକ୍ତ ପିତାଟିର ହାତ ଥାଉ ମୋ ଦୁର୍ବଳ ହାତ ମୁଠାରେ। ଯିବାକୁ ତ ହେଉ, ଥାଉ ନା ଯିବା ପର୍ଯ୍ୟନ୍ତ ହାତରେ ହାତ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe