ଝିଅଟିର ବୟସ ମାତ୍ର ବାରବର୍ଷ। ଦିନେ ସକାଳୁ ହାତରେ ଖବରକାଗଜ ଧରି ବାପାଙ୍କ ପାଖକୁ ଧାଇଁ ଆସିଲା। ଖବରକାଗଜର ପୃଷ୍ଠା ଓଲଟାଇ ବାପାଙ୍କୁ ଦେଖାଇ ଭୀଷଣ ଉତ୍ତେଜିତ ହୋଇ କହିଲା, ‘ଦେଖ ବାପା ଦେଖ, ସବୁଜ ଦ୍ବୀପର ଜାରୋୟା (ଆଣ୍ଡାମାନ ଦ୍ବୀପପୁଞ୍ଜରେ ରହୁଥିବା ଏକ ଜନଜାତି)ଙ୍କ ଘରେ ଶିଶୁଟିଏ ଜନ୍ମ ହୋଇଛି। ଦେଖ, ଫଟୋ ବାହାରିଛି। ବାପା, ଏଥର ଖରାଛୁଟିରେ ମୋତେ କ’ଣ ସେଠାକୁ ନେଇଯିବ?’
‘ସେଠାକୁ କେମିତି ଯିବୁ କି ଲୋ ମା’? ଯେଉଁମାନେ ସେମାନଙ୍କ ଉପରେ ଗବେଷଣା କରନ୍ତି, କେବଳ ସେମାନେ ସେଠାକୁ ଯାଇ ପାରନ୍ତି।’ ଯଦିଓ ଏଭଳି କିଛି କହି ସେଦିନ ଝିଅକୁ ଭୁଲାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସ୍ବପ୍ନରେ କେବେ ଭାବିନଥିଲେ ଯେ, ତାଙ୍କ ଝିଅ ସେହିଦିନ ହିଁ ମନେ ମନେ ପ୍ରତିଜ୍ଞା କରିଥିଲା, ‘ମୁଁ ବି ବଡ଼ ହେଲେ ଏମାନଙ୍କ ଉପରେ ଗବେଷଣା କରିବି।’
ସ୍ବପ୍ନକୁ ବାସ୍ତବ ରୂପ:
ଶିବପୁରର ଭବାନୀ ଗାର୍ଲ ସ୍କୁଲରୁ ଉଚ୍ଚ ମାଧ୍ୟମିକ ପାସ୍ କରିବା ପରେ ଝିଅଟି ନରସିଂହ ଦତ୍ତ କଲେଜରେ ନୃତତ୍ତ୍ବବିଜ୍ଞାନରେ ନାମ ଲେଖାଇଲା। ବିସ୍ମିତ ବାପା ଯେତେବେଳେ ପ୍ରଶ୍ନ କରନ୍ତି, ଆନ୍ଥ୍ରୋପୋଲୋଜି ପଢ଼ି କ’ଣ କରିବୁ? ମେଧାବୀ କନ୍ୟା ହସିହସି ଉତ୍ତର ଦେଇଥିଲା, ‘ଏହା ମୋର ସବୁଜ ଦ୍ବୀପକୁ ଯିବାପାଇଁ ପାସ୍ପୋର୍ଟ।’ ସ୍ନାତକ ପରେ ସ୍ନାତ୍ତୋକତ୍ତୋର ଏବଂ ପରେ ଗବେଷଣା ପାଇଁ ‘ଭାରତୀୟ ମାନବବିଜ୍ଞାନ ସର୍ଭେ’ ଅଧୀନରେ ଫିଲ୍ଡ ରିସର୍ଚ୍ଚ ପାଇଁ ଆବେଦନ କରି ‘ଆଣ୍ଡାମାନ ଜନଜାତିମାନଙ୍କ ଜେନେଟିକ୍ ଅଧ୍ୟୟନ’କୁ ବିଷୟ ଭାବେ ଚୟନ କଲା। ଏଥିରେ ଭାରତୀୟ ମାନବବିଜ୍ଞାନ ସର୍ଭେର ତତ୍କାଳୀନ ଡାଇରେକ୍ଟର୍ ବିସ୍ମିତ ହେଲେ। ଦୁର୍ଦ୍ଦାନ୍ତ ତଥା ସାହସୀ ଯୁବକମାନେ ଯେତେବେଳେ ଏହି ଦ୍ବୀପପୁଞ୍ଜରେ ପାଦ ରଖିବାକୁ ସୁଦ୍ଧା ଭୟ କରନ୍ତି, ସେଠାକୁ ଯାଇ ଫିଲ୍ଡ ଷ୍ଟଡି କରିବ ଜଣେ ଯୁବତୀ! ତେଣୁ ତା’ର ଆବେଦନକୁ ନାକଚ କରିଦିଆଗଲା। ଝିଅଟି କିନ୍ତୁ ଆଦୌ ହତାଶ ନ ହୋଇ ପୁନର୍ବାର ଆବେଦନ କଲା। ତା’ର ପ୍ରତିଟି ପରୀକ୍ଷାର ଫଳାଫଳ ଏବଂ ସାକ୍ଷାତ୍କାରରେ ତା’ର ଅସାଧାରଣ ଦକ୍ଷତା ତଥା ଆତ୍ମବିଶ୍ବାସକୁ ଦେଖି ଝିଅଟିର ଆବେଦନକୁ ଗ୍ରହଣ କରାଗଲା। କିନ୍ତୁ ସର୍ତ୍ତ ରହିଲା, ଝିଅଟିର ଅଭିବାବକଙ୍କୁ ଲିଖିତ ରାଜିନାମା ଦାଖଲ କରିବାକୁ ହେବ ଯେ, ଗବେଷଣା କାଳରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ଝିଅ ସହିତ କୌଣସି ଅଘଟଣ ଘଟିଲେ, ସେଥିପାଇଁ ଏଏସ୍ଆଇ ଦାୟୀ ହେବେନାହିଁ। ସେତେବେଳେ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ ତାଙ୍କ ମା’ ଭୟ ଓ ଆଶଙ୍କାକୁ ଛାତିତଳେ ଚାପିରଖି ଦସ୍ତଖତ ଦେବାକୁ ବାଧ୍ୟ ହେଲେ।
ଲକ୍ଷ୍ୟପଥରେ ମଧୁମାଳା:
ପରବର୍ତ୍ତୀ ୬ବର୍ଷ ଝିଅଟି ଆଣ୍ଡାମାନ୍ ଦ୍ବୀପପୁଞ୍ଜର ଅନେକ ଦ୍ବୀପ ଘୁରି ବୁଲିଲା। ସଭ୍ୟ ସମାଜର ମଣିଷମାନଙ୍କଠାରୁ ସମ୍ପୂର୍ଣ୍ଣ ଦୂରତା ରକ୍ଷା କରୁଥିବା ଭୟଙ୍କର ଜାରୋୟା ଜନଜାତି ଲୋକଙ୍କ ଭିତରେ ବିଶ୍ବାସ ଜନ୍ମାଇବାରେ ସଫଳ ହେଲା। ଯାହାଫଳରେ ସେମାନେ ତାଙ୍କ ଶିଶୁମାନଙ୍କୁ ଖୁବ୍ ସହଜରେ ଝିଅଟିର କୋଳକୁ ଟେକି ଦେଉଥିଲେ। ଲିଟିଲ୍ ଆଣ୍ଡାମାନର ଓଙ୍ଗେ ଉପଜାତିର ଲୋକେ ତାକୁ ଦେଖିବା ମାତ୍ରେ ଘେରିଯାଇ ନାଚୁଥିଲେ। ସ୍ଥାନୀୟ ଲୋକଙ୍କ ପାଇଁ ସେ ହୋଇ ପଡ଼ିଥିଲା ଜଙ୍ଗଲି ମ୍ୟାଡମ୍।
୧୮୮୦ ମସିହାରେ ଜଣେ ବ୍ରିଟିଶ କମାଣ୍ଡର୍ ସଶସ୍ତ୍ର ସୈନ୍ୟ ବାହିନୀ ସହ ୪ଟି ଶିଶୁ ଓ ଗୋଟିଏ ସେଣ୍ଟିନେଲି ଦମ୍ପତିଙ୍କୁ ସହରୀ ଢାଞ୍ଚାରେ ପକାଇବା ପାଇଁ ଧରିନେଇ ଆସିଥିଲେ। ହେଲେ ତାହା ମଧ୍ୟ ଅସଫଳ ରହିଥିଲା। ୧୯୯୧ ମସିହାରେ ଆଣ୍ଡାମାନ ପ୍ରଶାସନର ଏମ୍ଭି ତାର୍ମୁଗ୍ଲି ନାମକ ଏକ ଛୋଟ ଜାହାଜରେ ୧୩ଜଣ ଯାତ୍ରୀ ଓ ପ୍ରଚୁର ପଇଡ଼ ସହ ଜନଜାତିଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ି ତୋଳିବା ପାଇଁ ସେଣ୍ଟିନେଲ୍ ଦ୍ବୀପକୁ ଯାତ୍ରା ଆରମ୍ଭ କଲା। ଏହି ୧୩ଜଣଙ୍କ ଭିତରେ ସାମିଲ ହୋଇଥିଲେ ଡକ୍ଟର ମଧୁମାଳା ଚଟୋପାଧ୍ୟାୟ। ତଟର ନିକଟବର୍ତ୍ତୀ ହେବା ମାତ୍ରେ ଗଛ ଆଢୁଆଳରୁ ବାହାରି ଆସିଲେ ଦଳେ ସେଣ୍ଟିନେଲ୍ ଜନଜାତି। ଦଳରେ ଥିଲେ ଅଧିକାଂଶ ପୁରୁଷ। ସେମାନଙ୍କ ହାତରେ ଧନୁତୀର ଓ ବର୍ଚ୍ଛା ଏବଂ ମହିଳାମାନଙ୍କ କୋଳରେ ଛୋଟ ଛୋଟ ଶିଶୁ। ଏଏସ୍ଆଇ ଟିମ୍ର ସଦସ୍ୟମାନେ ନୌକା ଉପରୁ କୂଳ ଆଡ଼କୁ ପଇଡ଼ ଫୋପାଡିବାକୁ ଲାଗିଲେ। କିଛି ସମୟ ନିରବତା ପରେ କେଇଜଣ ଆଦିବାସୀ ପାଣିକୁ ଓହ୍ଲାଇ ପଇଡ଼ ଗୋଟେଇବାକୁ ଲାଗିଲେ। ଅର୍ଥାତ୍, ସେଣ୍ଟିନେଲିମାନେ ସେମାନଙ୍କର ଉପହାର ସ୍ବୀକାର କରିଛନ୍ତି ବୋଲି ଟିମ୍ ନିଶ୍ଚିତ ହେଲା।
ଆହୁରି ପଢ଼ନ୍ତୁ- Delhi Blast : ଦିଲ୍ଲୀ ବିସ୍ଫୋରଣରେ ୪୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର ହୋଇଥିଲା : ଶାହ
ମଧୁମାଳାଙ୍କୁ ଆପଣାଇନେଲେ ଜନଜାତି:
ସମସ୍ତଙ୍କୁ ଅବାକ୍ କରିଦେଇ ମଧୁମାଳା ଆଣ୍ଠୁଏ ପାଣିରେ ଓହ୍ଲାଇ ପଡ଼ିଲେ। ଦୁଇ ହାତରେ ପଇଡ଼ ଧରି ମହିଳାମାନଙ୍କ ଆଡ଼କୁ ଚାହିଁ ଓଙ୍ଗେ ଭାଷାରେ ପାଟିକରି କହିଲେ, ‘ନାରିୟେଲି ଜାଭା ଜାଭା’, ଆସ ତୁମେମାନେ ବି ପଇଡ଼ ନିଅ। ସେହି ସମୟରେ କୂଳରେ ଛିଡ଼ା ହୋଇଥିବା ଜଣେ ସେଣ୍ଟିନେଲି ତାଙ୍କୁ ଲକ୍ଷ୍ୟ କରି ତୀର ବିନ୍ଧିବା ବେଳେ ଶେଷ ମୁହୂର୍ତ୍ତରେ ଜଣେ ଆଦିବାସୀ ମହିଳା ସେହି ଲୋକକୁ ଧକ୍କା ମାରିବାରୁ ଅଳ୍ପକେ ରକ୍ଷା ପାଇଁ ଯାଇଥିଲେ ସେ। ୪ଘଣ୍ଟାର ଉପହାର ପର୍ବ ପରେ ଶେଷରେ ସେଣ୍ଟେନେଲିମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଛାଡ଼ି ସେମାନେ ମଧୁମାଳାଙ୍କ ହାତରୁ ପଇଡ଼ ନେବାକୁ ଲାଗିଲେ। ପ୍ରଥମଥର ପାଇଁ କୌଣସି ସଭ୍ୟ ସମାଜର ମଣିଷଙ୍କ ପାଖରୁ ଉପହାର ଗ୍ରହଣ କଲେ ପୃଥିବୀର ଏକ ଆଦିମତମ ଜନଜାତି। ସେହି ମୁହୂର୍ତ୍ତରେ ହିଁ ସଫଳ ହେଲା ହାୱଡ଼ା ଶିବପୁରର ୧୨ବର୍ଷ ବୟସ ଝିଅଟିର ଅତୀତରେ ଦିନେ ଦେଖିଥିବା ସ୍ବପ୍ନ।
ମଧୁମାଳା ସବୁଜ ଦ୍ବୀପର ଏହି ଆଦିମ ଜନଜାତିର ଲୋକମାନଙ୍କ ପ୍ରେମରେ ଏଭଳି ମଜ୍ଜି ରହିଲେ ଯେ, ବିଭିନ୍ନ ବିଦେଶୀ ବିଶ୍ବବିଦ୍ୟାଳୟର ଅନେକ ଲୋଭନୀୟ ଚାକିରି ମଧ୍ୟ ଅନାୟାସରେ ଛାଡ଼ିଦେଲେ। ଅବସର ସମୟରେ ମଧୁମାଳା କେନ୍ଦ୍ରୀୟ ଅନଗ୍ରସର ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/26/madhumala_new-2025-12-26-21-55-40.jpg)