ବଡ଼ଖିଆ ଆମ କାଳିଆ ଦିଅଁ। ବିଶ୍ବାସ ଅଛି, ନରଙ୍କ ପରି ନାରାୟଣ ମଧ୍ୟ ରାମେଶ୍ୱରରେ ସ୍ନାନ କରି ଦ୍ୱାରକାରେ ଆଭୂଷଣ ବିମଣ୍ଡିତ ହୁଅନ୍ତି, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥା’ନ୍ତି। ସାଆନ୍ତେ ଦିନକୁ ଖାଆନ୍ତି ଷାଠିଏ ପଉଟି। ସାଆନ୍ତଙ୍କ ରାଇଜର ପ୍ରଜା ହୋଇ ଓଡ଼ିଆ ଖାଦ୍ୟରୁ ମୁହଁ ମୋଡ଼ିବେ ବା କେମିତି? କଥାରେ ଅଛି, ଓଡ଼ିଆ ଗଣ୍ଡେ ଭଲ ଖାଏ। ଏଥିପାଇଁ ଖାଦ୍ୟ ପରୀକ୍ଷା ପାଇଁ ଆଉ ଏକ ପରୀକ୍ଷାଗାର ଖୋଲିବା ଯୋଜନାରେ ରହିଲେଣି ସରକାର। ରାଜ୍ୟର ପ୍ରତିଟି ଅଞ୍ଚଳରେ ଭରି ରହିଛି ଭିନ୍ନଭିନ୍ନ ଖାଦ୍ୟ ପସରା। ସେ ସବୁକୁ ଜାତୀୟ ସ୍ବୀକୃତି ଦେବା ପ୍ରୟାସରେ ସ୍ଥାନୀୟବାସୀ ଲାଗିଥିବା ବେଳେ କିଛି ଜିଆଇ ମାନ୍ୟତା ପାଇଲାଣି ତ’ ଆଉ କିଛି ଖାଦ୍ୟ ନିଜ ଇତିହାସ, ଅର୍ଥନୀତିକୁ ସାଉଁଟି ଏହି ମାନ୍ୟତା ଦୌଡ଼ରେ ସାମିଲ ହେଲାଣି। ସେପଟେ, ଓଡ଼ିଆଙ୍କ ଖାଦ୍ୟ ଯେଭଳି ସ୍ବାସ୍ଥ୍ୟପ୍ରଦ ହେବ ସେ ନେଇ ସରକାର ଚିନ୍ତା କଲେଣି।
ପ୍ରସ୍ତୁତି: ସସ୍ମିତା ସାହୁ / ଅଳଙ୍କରଣ: ଦୀପ୍ତି ରଞ୍ଜନ ଆଚାର୍ଯ୍ୟ
ଅଙ୍ଗନବାଡ଼ି କେନ୍ଦ୍ରରେ ଶର୍କରା ବୋର୍ଡ ସ୍ଥାପନ
ଶିଶୁ ଓ ସମୁଦାୟ ମଧ୍ୟରେ ଶର୍କରାର ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଓଡ଼ିଶା ସରକାର ‘ଶର୍କରା ବୋର୍ଡ ଆନ୍ଦୋଳନ’କୁ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଅଭ୍ୟାସଗତ ପରିବର୍ତ୍ତନ ପଦକ୍ଷେପ ଭାବେ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ଅଧୀନରେ, ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସୂଚନାପ୍ରଦ ଓ ଦୃଶ୍ୟାତ୍ମକ ରୂପରେ ଆକର୍ଷକ ଶର୍କରା ବୋର୍ଡ ସ୍ଥାପନ କରାଯାଉଛି। ଶିଶୁ ମୋଟାପଣ, ମଧୁମେହର ପ୍ରାରମ୍ଭିକ ପର୍ଯ୍ୟାୟ ଓ ଦନ୍ତକ୍ଷୟ ଭଳି ଅଧିକ ଚିନି ଖାଇବା ସହ ଜଡ଼ିତ ସ୍ୱାସ୍ଥ୍ୟଗତ ବିପଦ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ବୋର୍ଡର ପରିକଳ୍ପନା କରାଯାଇଛି। ସାଧାରଣତଃ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଓ ପାନୀୟରେ ଥିବା ଶର୍କରା ପରିମାଣ ସମ୍ପର୍କରେ ବୋର୍ଡଗୁଡ଼ିକ ଦ୍ବାରା ଶିଶୁ, ପିତାମାତା ଓ ଗୋଷ୍ଠୀ ସଚେତନ ହୋଇପାରିବେ। ପୋଷଣ ଅଭିଯାନ ଓ ଫିଟ୍ ଇଣ୍ଡିଆ ଆନ୍ଦୋଳନର ଉଦ୍ଦେଶ୍ୟକୁ ଏହି ଅଭିଯାନ ସଫଳ କରିବା ସହ ପ୍ରତିରୋଧକ ସ୍ୱାସ୍ଥ୍ୟସେବା, ଉନ୍ନତ ପୋଷଣ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ଓ ଶିଶୁ ବିକାଶ ଦିଗରେ କାର୍ଯ୍ୟ କରିବ ।
ଜୈବିକ ଚାଉଳରେ ଶ୍ରୀମନ୍ଦିର କୋଠଭୋଗ
ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ଜୈବିକ ଚାଉଳ ବ୍ୟବହାର କରାଯିବ। ଏହାସହ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବ। ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ଏସବୁକୁ କାର୍ଯ୍ୟକାରୀ କରିବା ଲାଗି ଏକ ପରିଚାଳନା କମିଟି ଗଠନ କରାଯିବ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ପ୍ରତିନିଧିଙ୍କ ସମେତ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ। ରାଜ୍ୟରେ ଉତ୍ପାଦିତ ‘କଳାଜିରା’, ‘ପିମ୍ପୁଡ଼ିବାସ’ ଓ ‘ଯୁବରାଜ’ ଆଦି ଦେଶୀୟ ପ୍ରଜାତିର ଜୈବିକ ଧାନ ‘ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହାର ହେବ।
୨୦୨୫ରେ କୌଣସି ଖାଦ୍ୟ ପାଇଲାନି ଜିଆଇ ଟ୍ୟାଗ୍
ଓଡ଼ିଶାର ସ୍ବାତନ୍ତ୍ର୍ୟ ଏହାର ଖାଦ୍ୟରେ ରହିଛି। ରାଜ୍ୟରେ ଭରି ରହିଛି ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପସରା। ହେଲେ ଚଳିତ ବର୍ଷ ରାଜ୍ୟର କୌଣସି ଖାଦ୍ୟ ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିପାରିନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଖାଦ୍ୟ ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଛି। ସେ ମଧ୍ୟରୁ ତିନିଟି କୃଷିଜାତ ଦ୍ରବ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶା ରସଗୋଲା, ଢେଙ୍କାନାଳ ମଗ୍ଜି, କେନ୍ଦ୍ରାପଡ଼ା ରସାବଳୀ, କନ୍ଧମାଳ ହଳଦୀ, କୋରାପୁଟ କଳାଜୀରା ଚାଉଳ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଶିମିଳିପାଳ କାଇ ଚଟଣି ଓ ଖଜୁରୀଗୁଡ଼ ଆଦି ଜିଆଇ ମାନ୍ୟତା ପାଇଥିବା ବେଳେ ଆଗକୁ ନୟାଗଡ଼ ଛେନାପୋଡ଼, କଟକ ଦହିବରା, ସମ୍ବଲପୁର ସରସତିଆ ଆଦି ବହୁ ଖାଦ୍ୟ ସାମଗ୍ରୀ ଏବେ ବି ଜିଆଇ ମାନ୍ୟତା ଅପେକ୍ଷାରେ ରହିଛନ୍ତି।
ଓଡ଼ିଶାରୁ ମାଣ୍ଡିଆ ନେଲା ଏଫ୍ସିଆଇ
ଓଡ଼ିଶାରୁ ପ୍ରଥମଥର ଲାଗି ଏଫ୍ସିଆଇ(ଭାରତୀୟ ଖାଦ୍ୟ ନିଗମ) ମାଣ୍ଡିଆ ଉଠାଇଛି। ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଉତ୍ପାଦିତ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ମାଣ୍ଡିଆ ଉଠାଇବା ପାଇଁ ଏଫ୍ସିଆଇ ଇଚ୍ଛା ଜାହିର କରିଥିଲା। ଏହିଭିତ୍ତିରେ କେନ୍ଦ୍ରୀୟ ପୁଲ୍ ଆଧାରରେ ରାଜ୍ୟରୁ ୪୦ ହଜାର ମେଟ୍ରିକ ଟନ୍ ମାଣ୍ଡିଆ ଉଠାଯିବ। ଯାହା ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରଦାନ କରାଯିବ। ୨୦୨୪-୨୫ ଖରିଫ୍ ଋତୁରେ ରାଜ୍ୟର ପ୍ରାୟ ୬୪ ହଜାରରୁ ଅଧିକ ଚାଷୀଙ୍କଠାରୁ ୭୫ ହଜାର ମେଟ୍ରିକ ଟନ୍ ମାଣ୍ଡିଆ ସଂଗ୍ରହ କରାଯାଇଥିଲା। ସଂଗୃହୀତ ୪୦ ହଜାର ମେଟ୍ରିକ୍ ଟନ୍ ମାଣ୍ଡିଆରୁ ଆନ୍ଧ୍ର ସରକାର ୧୬ ହଜାର ୮୦୦ ମେଟ୍ରିକ ଟନ୍ ନେବା ପାଇଁ ଇଛାବ୍ୟକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଓ ନବରଙ୍ଗପୁରରୁ ୨୬୪୨ ମେଟ୍ରିକ ଟନ୍ ମାଣ୍ଡିଆ ଏଫ୍ସିଆଇ ମାଧ୍ୟମରେ ଉଠାଣ ହୋଇଛି।
ମାଣ୍ଡିଆରୁ ହେବ ମଦ
ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନିକୁ ସବ୍ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଅବକାରୀ ନୀତିର ସ୍ଲୋଗାନ୍ ରହିଛି ‘କମ୍ ପିଅ, କିନ୍ତୁ ଭଲ ପିଅ’। ଏଣିକି ମାଣ୍ଡିଆ, ବାଜରା ଓ ଯଅ ଭଳି ଖାଦ୍ୟଶସ୍ୟରୁ ତିଆରି ହେବ ମଦ। ଆଉ ଏହାକୁ ଯେଉଁ କମ୍ପାନି ତିଆରି କରିବେ, ସେହି କମ୍ପାନିକୁ ସବ୍ସିଡି ଯୋଗାଇବେ ରାଜ୍ୟ ସରକାର। ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ବସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ସରକାର। ଏହାଦ୍ବାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ରପ୍ତାନୀ ହେବ ଓଡ଼ିଶା ତିଆରି ମଦ। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରେ ଆଗ୍ରହୀ ଥିବା ନିବେଶକଙ୍କୁ ଏଥିପାଇଁ ଆକୃଷ୍ଟ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
/filters:format(webp)/sambad/media/media_files/2025/12/21/fhfhfssfh-2025-12-21-01-06-53.jpg)
ପୁରୀରେ ରାଜ୍ୟର ଦ୍ବିତୀୟ ଖାଦ୍ୟ ପରୀକ୍ଷାଗାର
ଭୁବନେଶ୍ବର ପରେ ରାଜ୍ୟର ଦ୍ବିତୀୟ ‘ଖାଦ୍ୟ ପରୀକ୍ଷାଗାର (ଫୁଡ୍ ଟେଷ୍ଟିଂ ଲ୍ୟାବ୍’ ପୁରୀରେ ପ୍ରତିଷ୍ଠା ହେବ। କେନ୍ଦ୍ର ସରକାର ଏଥିପାଇଁ ଆବଶ୍ୟକ ଅର୍ଥ ଓ ଯନ୍ତ୍ରପାତି ଯୋଗାଇଦେବେ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ସହ ରାଜ୍ୟମାନଙ୍କ ସହ ହୋଇଥିବା ବୈଠକରେ ଏହି ସୂଚନା ମିଳିଛି। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଆଉ ୧୧ଟି ଖାଦ୍ୟ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଘୋଷଣା ହୋଇଛି। ଏହିକ୍ରମରେ ଓଡ଼ିଶାକୁ ମିଳିଥିବା ପରୀକ୍ଷାଗାରକୁ ପୁରୀରେ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ରାଜ୍ୟବ୍ୟାପୀ ସଂଗୃହୀତ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରକୁ ଆସୁଛି। ପୁରୀରେ ଥିବା ସଂକ୍ରାମକ ରୋଗ ହସ୍ପିଟାଲ(ଆଇଡିଏଚ୍) ପରିସରରେ ଏହି ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ଏଠାରେ ମାଦକ ଦ୍ରବ୍ୟ ବାଦ୍ ସମସ୍ତ ଖାଦ୍ୟ ମାଇକ୍ରୋବାୟୋଲୋଜି ପରୀକ୍ଷାର ସୁବିଧା ରହିବ। ଏଥିପାଇଁ ୨୬ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
ଜିଆଇ ଦୌଡ଼ରେ ‘ଛେନାପୋଡ଼’ ଓ ‘ପାଳୁଅ ଲଡୁ’
ଓଡ଼ିଶାର ଅନେକ ଖାଦ୍ୟରେ ରହିଛି ନିଆରାପଣ। ଏହାକୁ ନେଇ ରାଜ୍ୟର ସାଂସ୍କୃତିକ ପରିଚୟ ସୁଦୃଢ଼ ହେବା ସହ କିଛି ଲୋକ ରୋଜଗାର ବି ପାଇଥା’ନ୍ତି। ତେବେ ଏହାର ମହତ୍ତ୍ବ ବଢ଼ାଇବାକୁ ଦରକାର ହୁଏ ଏକ ଜାତୀୟ ମାନ୍ୟତା। ଏଥିପାଇଁ ବିଭିନ୍ନ ଜିଲ୍ଲା ସେମାନଙ୍କ ସ୍ବତନ୍ତ୍ର ଖାଦ୍ୟ ପାଇଁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥା’ନ୍ତି। ଏହିକ୍ରମରେ ଏବେ ଜିଆଇ ମାନ୍ୟତା ପାଇବା ଦୌଡ଼ରେ ସାମିଲ ହୋଇଛନ୍ତି ନୟାଗଡ଼ ଛେନାପୋଡ଼ ଓ ଭଦ୍ରକ ପାଳୁଅ ଲଡୁ। ୨୦୨୩ ମାର୍ଚ୍ଚ ୩୦ ତାରିଖରେ ‘ନୟାଗଡ଼ ଛେନାପୋଡ଼’ ପାଇଁ ଜି.ଆଇ ଟ୍ୟାଗ୍ ନିମନ୍ତେ ଆବେଦନ କରାଯାଇଛି। ଛେନାପୋଡ଼ର ସ୍ରଷ୍ଟାଙ୍କୁ ନେଇ କିଛି ବିବାଦ ଉପୁଜିବା ପରେ ଜିଆଇ ଆବେଦନରେ ସଂଶୋଧନର ଆବଶ୍ୟକତା ପଡ଼ିବାରୁ ଛେନାପୋଡ଼ ଏଯାଏଁ ଜିଆଇ ମାନ୍ୟତା ପାଇନାହିଁ। ହେଲେ ଖୁବ୍ଶୀଘ୍ର ଛେନାପୋଡ଼ ଏହି ମାନ୍ୟତା ହାସଲ କରିବ ବୋଲି ରାଜ୍ୟବାସୀ ଆଶାବାଦୀ। ସେହିଭଳି ଭଦ୍ରକର ପାଳୁଅ ଲଡୁକୁ ଜିଆଇ ମାନ୍ୟତା ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ପାଳୁଅ ଲଡୁର ଅଧିକରୁ ଅଧିକ ପ୍ରଚାରପ୍ରସାର ଓ ବିକ୍ରି ପାଇଁ ସରକାରୀ ବୈଠକ ତଥା କାର୍ଯ୍ୟକ୍ରମରେ ଆତିଥ୍ୟ ପ୍ୟାକେଟରେ ପାଳୁଅ ଲଡୁ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ରଣନୈତିକ ଅନ୍ତର୍ଭୁକ୍ତୀକରଣ ସ୍ଥାନୀୟ ଅଞ୍ଚଳର ଗୌରବକୁ ବଜାୟ ରଖିବା ସହିତ ମିଠାର ସ୍ୱତନ୍ତ୍ର ସ୍ୱାଦ ଏବଂ ସାଂସ୍କୃତିକ ମୂଲ୍ୟ ପ୍ରଦର୍ଶନ କରିବାରେ ସହାୟକ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶାବାଦୀ।
ପାହାଳ ରସଗୋଲା କ୍ଲଷ୍ଟର ପାଇଁ ଡିପିଆର୍ ପ୍ରସ୍ତୁତ
‘ଓଡ଼ିଶା ରସଗୋଲା’ ଜିଆଇ ମାନ୍ୟତା ପାଇବାର ୬ ବର୍ଷ ପୂରିଗଲାଣି। ହେଲେ ଓଡ଼ିଶା ରସଗୋଲାର ବ୍ରାଣ୍ଡିଂ ଓ ପ୍ୟାକେଜିଂ କରିବାରେ ଆମେ ପଛେଇ ଯାଇଛେ। ଏଯାଏଁ ପାହାଳରେ ରସଗୋଲା କ୍ଲଷ୍ଟର ନିର୍ମାଣ ହୋଇପାରି ନଥିଲେ ବି ଏବର୍ଷ ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏଥିସହ କ୍ଲଷ୍ଟର ନିର୍ମାଣ ଖୁବ୍ଶୀଘ୍ର ହୋଇଯିବା ବୋଲି ଆଶା ସୃଷ୍ଟି ହୋଇଛି। ପାହାଳରେ ରସଗୋଲା କ୍ଲଷ୍ଟର ପାଇଁ ବାଲିଅନ୍ତାର ଅନନ୍ତପୁର ମୌଜାରେ ଦେଢ଼ ଏକର ଜାଗା ଇଡ୍କୋ ପକ୍ଷରୁ ଚିହ୍ନଟ କରାଯାଇଥିବା ବେଳେ ନାମ ପଞ୍ଜୀକରଣ ବି ହୋଇସାରିଛି। ଏଥିସହ ‘ଆମ ପାହାଳ ରସଗୋଲା ଫାଉଣ୍ଡେସନ୍’ ପକ୍ଷରୁ ଓମ୍ଫେଡ୍ ସହାୟତାରେ ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏହା ଏମ୍ଏସ୍ଏମ୍ଇକୁ ହସ୍ତାନ୍ତର ହୋଇସାରିଛି। ଏବେ ଯାହା କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଅନୁମୋଦନକୁ ଅପେକ୍ଷା। ତେବେ ଡିପିଆର୍ରେ କ୍ଲଷ୍ଟର ନିର୍ମାଣ ପାଇଁ ପ୍ରାୟ ୧୮ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି। ସରକାରଙ୍କ ଅନୁମୋଦନ ମିଳିଲେ ଏହି ବ୍ୟୟ ଅଟ୍ଟକଳର ୭୦% କେନ୍ଦ୍ର ସରକାର, ୧୫% ରାଜ୍ୟ ସରକାର ଏବଂ ଅବଶିଷ୍ଠ ୧୫% ନିଜେ ଫାଉଣ୍ଡେସନ୍ ବହନ କରିବ। ବର୍ତ୍ତମାନ ଏହି ଫାଉଣ୍ଡେସନ୍ରେ ୭୫ ଜଣ ରସଗୋଲା ବ୍ୟବସାୟୀ ସଦସ୍ୟ ରହିଥିବା ବେଳେ ପାହାଳଠାରେ ସମୁଦାୟ ୧୧୫ ଜଣ ବ୍ୟବସାୟୀ ରସଗୋଲା ବ୍ୟବସାୟରେ ନିୟୋଜିତ।
Follow Us