Memorable 25: ମନେରହିବ ୨୫: ଲକ୍ଷ୍ୟ ୫୦୦୦ ଷ୍ଟାର୍ଟଅପ୍

Advertisment

ନବସୃଜନ କ୍ଷେତ୍ରରେ ଆଗରେ ରହିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ହେଉଥିବା ଉଦ୍ୟମ ସହିତ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଅଭିଳାଷ ପ୍ରଭାବରେ ଓଡ଼ିଶା ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଉଭା ହୋଇଛି।

ନବସୃଜନ କ୍ଷେତ୍ରରେ ଆଗରେ ରହିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ହେଉଥିବା ଉଦ୍ୟମ ସହିତ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଅଭିଳାଷ ପ୍ରଭାବରେ ଓଡ଼ିଶା ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଉଭା ହୋଇଛି।

gdagdadgzvc

ନବସୃଜନ କ୍ଷେତ୍ରରେ ଆଗରେ ରହିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ହେଉଥିବା ଉଦ୍ୟମ ସହିତ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଅଭିଳାଷ ପ୍ରଭାବରେ ଓଡ଼ିଶା ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଉଭା ହୋଇଛି। ଏହି ବିପ୍ଳବରେ ମହିଳାମାନେ ପଛରେ ରହିନାହାନ୍ତି। ପ୍ରାୟ ଅଧା ଷ୍ଟାର୍ଟଅପ୍‌ର ନେତୃତ୍ବ ନେଇ ସେମାନେ ନିଜ ଦକ୍ଷତାକୁ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି। ରାଜ୍ୟର ଡ୍ରୋନ୍ ଷ୍ଟାର୍ଟଅପ୍‌ଗୁଡ଼ିକ ଜାତୀୟ ସ୍ତରରେ ପ୍ରତିଷ୍ଠା ହାସଲ କରିବା ମଧ୍ୟ ଏହି କ୍ଷେତ୍ରରେ ଓଡ଼ିଶାର ଭାବମୂର୍ତ୍ତିକୁ ଆହୁରି ଉଜ୍ଜ୍ବଳ କରିଛି। ଭବିଷ୍ୟତ ଆହୁରି ଅନେକ ସମ୍ଭାବନାକୁ ସ୍ବାଗତ କରିବାକୁ ଯାଉଛି

ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଆଗକୁ ବଢ଼ିବାରେ ଯେଉଁ କିଛି ରାଜ୍ୟ ସ୍ବତନ୍ତ୍ର ନୀତି ଗ୍ରହଣ କରିଥିଲେ, ସେଥି ମଧ୍ୟରୁ ଓଡ଼ିଶା ଅନ୍ୟତମ। ୨୦୧୯ ବେଳକୁ ଏହା ନିଜସ୍ବ ଷ୍ଟାର୍ଟଅପ୍ ନୀତି ଆଣିଥିଲା। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ବିଭାଗ ଅଧୀନରେ ପରିଚାଳିତ ହେଉଥିବା ‘ଷ୍ଟାର୍ଟଅପ୍ ଓଡ଼ିଶା’ ରାଜ୍ୟରେ ଉଦ୍ୟମିତାର ଗତିକୁ ତ୍ବରାନ୍ବିତ କରୁଛି। ସଦ୍ୟତମ ସୂଚନା ଅନୁସାରେ ରାଜ୍ୟରେ ୨୪୬୬ ଷ୍ଟାର୍ଟଅପ୍ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି। ସରକାରଙ୍କ ପାଖରେ ୨୬୧୫ଟି ଆବେଦନ ପହଞ୍ଚିଥିଲା। ସେଗୁଡ଼ିକୁ ଅନୁଶୀଳନ କରି ଏହି ଷ୍ଟାର୍ଟଅପ୍‌ଗୁଡ଼ିକୁ ପଞ୍ଜୀକୃତ କରାଯାଇଛି। ରାଜ୍ୟରେ ୩୪ଟି ଇନ୍‌କ୍ୟୁବେଟରକୁ ସହାୟତା ଯୋଗାଇ ଦିଆଯାଉଛି। ୪୧ଟି ଷ୍ଟାର୍ଟଅପ୍ ପୁଞ୍ଜିନିବେଶ ହାସଲ କରିବାରେ ସଫଳ ହୋଇଥିବା‌ବେଳେ ୫୦ଟି ସଂସ୍ଥା‌ କ୍ରୟ ବରାଦ ପାଇଛନ୍ତି। ୧୨୦ଟି ଷ୍ଟାର୍ଟଅପ୍‌କୁ ସିଡ୍‌ ଫଣ୍ଡ୍‌ ମିଳିଛି। ରାଜ୍ୟରେ ୭୫ଟି ଇ-ସେଲ୍ କାର୍ଯ୍ୟ କରୁଥିବା ବେଳେ ୧୧୨ଟି ଇନ୍‌କୁବେଟ୍‌ ହୋଇଥିବା ସଂସ୍ଥା ରହିଛନ୍ତି। ୧୩୦ଟି ଇନ୍‌କ୍ୟୁବେସନ୍‌କୁ ସବ୍‌ସିଡି ଯୋଗାଇ ଦିଆଯାଇଛି। ରାଜ୍ୟରେ ମୁଖ୍ୟତଃ ଏଗ୍ରିଟେକ୍, ଆଇଟି, ଏଆଇ, ସ୍ବାସ୍ଥ୍ୟସେବା, ଇ-କମର୍ସ, ଫିନ୍‌ଟେକ୍, ବା‌‌ୟୋଟେକ୍ନୋଲୋଜି, ହସ୍ତତନ୍ତ ଓ ହସ୍ତଶିଳ୍ପ, ଇକୋ ଟୁରିଜମ୍, ଆଦିବାସୀ କଳାକୃତି, ନଡ଼ିଆ ପ୍ରକ୍ରିୟାକରଣ, ହର୍ବାଲ ଓ ଆୟୁର୍ବେଦିକ ଉତ୍ପାଦ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡ଼ିକ କାର୍ଯ୍ୟ କରୁଛନ୍ତି। 

Tradition: କୃଷିଭିତ୍ତିକ ପର୍ବ ‘ଦିଆଲି’ ପାଇଁ ଝରିଗାଁରେ ଚାଷୀଙ୍କ ମନରେ ଉତ୍ସାହ

ସରକାରୀ କ୍ଷେତ୍ରରେ ଉଦ୍ୟମ ବ୍ୟତୀତ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ୍ ଦୃଢ଼ ହୋଇଛି। ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ବର, କିଟ୍ ବିଶ୍ବବିଦ୍ୟାଳୟ, ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି, ଏଆଇସି-ନାଳନ୍ଦା, ଭିସୁଟ୍‌-ବୁର୍ଲା ଆଦିରେ ଅନେକ ଷ୍ଟାର୍ଟଅପ୍‌ ସୃଷ୍ଟି ହୋଇ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶା ସରକାର ପାଞ୍ଚ ବର୍ଷରେ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାରେ ଷ୍ଟାର୍ଟଅପ୍ ଗଠନ କରିବାରେ ମହିଳାମାନେ ପଛରେ ନାହାନ୍ତି। ରାଜ୍ୟରେ ଥିବା ଅଧାରୁ ଅଧିକ ଷ୍ଟାର୍ଟଅପ୍ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ବ୍ଲକ୍‌ଚେନ୍ ଓ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ (ଆଇଓଟି) ଉପରେ ଗୁରୁତ୍ବାରୋପ କରାଯାଉଥିବାରୁ ଏହି ସବୁ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା ବଢ଼ିବା ଆଶା କରାଯାଉଛି। କୃଷି, ସ୍ଥାୟିତ୍ବ ଓ ଗୋଷ୍ଠୀ ବିକାଶ କ୍ଷେତ୍ରରେ ରହିଥିବା ଆହ୍ବାନଗୁଡ଼ିକର ସମାଧାନ କରିବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ରହିଥିବା ଉତ୍ସାହ ମଧ୍ୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ସହାୟକ ହେବ। ରାଜ୍ୟରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଉଦ୍ୟୋଗ ପାଇଁ ଉପଯୁକ୍ତ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି। ଦୃଢ଼ କୌଶଳ ତାଲିମ ବ୍ୟବସ୍ଥା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବାରେ ସହାୟକ ହୋଇଛି।

ଉଦ୍ୟୋଗୀ ହେବାକୁ ମନ

ପାଠ ପଢ଼ି ଚାକିରି କରିବାକୁ ସବୁ ଯୁବକଯୁବତୀ ଚାହୁନାହାନ୍ତି। ‌ଅନେ‌େକ ନିଜେ ସଂସ୍ଥା ଗଢ଼ିବାକୁ ଚାହୁଛନ୍ତି। ନିଜେ କାହା ପାଖରେ ଚାକିରି ନ କରି ଅନ୍ୟକୁ ଚାକିରି ଦେବାକୁ ସଂକଳ୍ପ ନେଉଥିବା ଯୁବ ଓଡ଼ିଆଙ୍କ ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ବଢ଼ିବାରେ ଲାଗିଛି। ସରକାରଙ୍କ ଅନୁକୂଳ ନୀତି ଓ ଆଗକୁ ବଢ଼ିବା ଲାଗି ସହଯୋଗୀ ନେଟ୍‌ୱର୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଅଭିଳାଷ ଜାଗ୍ରତ କରିଛି। ଷ୍ଟାର୍ଟଅପ୍ ଓଡ଼ିଶାର ବିଭିନ୍ନ ଅଭିଯାନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ଜରୁରି। ସେଭଳି ଅଭିଯାନ ହେଉଛି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍‌। ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରମୁଖ ବୈଷୟିକ ଓ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ଆଗକୁ ବଢ଼ାଇବାର ମଞ୍ଚ ପ୍ରଦାନ କରିଛି। ସେମାନେ କାର୍ଯ୍ୟକ୍ରମରେ ନିଜ ମନର କଳ୍ପନାକୁ ପ୍ରୋଟୋଟାଇପ୍ ଜରିଆରେ ବିଚାରକଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଛନ୍ତି। ଏହି ଅଭିଯାନ ୩୬ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଥିବା ବେଳେ ଶହ ଶହ ନୂତନ ଚିନ୍ତାଧାରା ହାସଲ କରିବାରେ‌ ସଫଳ ହୋଇଛି। ଓଡ଼ିଶାରେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଏବେ ବ୍ୟବସାୟ ଆରମ୍ଭ କରିବାର ରିସ୍କ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଦିନ ଥିଲା ଖଣିଜ ଓ ଧାତବ ବ୍ୟବସାୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ଉଦ୍ୟୋଗୀ ହେବା ଲାଗି ଲୋକଙ୍କ ଭିତରେ ସାହସ ସୃଷ୍ଟି ହୋଇପାରୁ ନଥିଲା। ମାତ୍ର ଏବେ ରାଜ୍ୟର ଯୁବପିଢ଼ି ଇ-କମର୍ସଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଏଆଇ ଭଳି ଅନେକ କ୍ଷେତ୍ରରେ ନୂତନ ଚିନ୍ତାଧାରାକୁ ନେଇ କାମ ଆରମ୍ଭ କରୁଥିବା ବେଳେ ତାହାକୁ ବିଶାଳ ଉଦ୍ୟୋଗରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ଏକ୍ଷେତ୍ରରେ ଦେଖାଦେଇଥିବା ସବୁଠୁ ବଡ଼ ଆହ୍ବାନ ହେଉଛି ବ୍ୟବସାୟରେ ଥିବା ସମ୍ଭାବନା ବିଷୟରେ ସଚେତନତାର ଅଭାବ। ପ୍ରଯୁକ୍ତି, ସ୍ବାସ୍ଥ୍ୟସେବା ଓ କୃଷି କ୍ଷେତ୍ରରେ ଅଭିନବ ଚିନ୍ତାଧାରା ମାଧ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କଲେ ତାହା କେତେ ବିଶାଳ ଉଦ୍ୟୋଗ ହୋଇପାରିବ, ସେହି ବଡ଼ ସ୍ବପ୍ନ ଦେଖିବାର ଯୁବପିଢ଼ିଙ୍କ ଭିତରେ ସାହସର ଅଭାବ ରହିଛି। 

ଆର୍ଥିକ ସହାୟତା, ଋଣ ଗ୍ୟାରେଣ୍ଟି
୨୦୨୫ରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୀତି ନିୟମ‌ କ୍ଷେତ୍ରରେ ‌ଅନେକ ପଦକ୍ଷେପ ନିଆଯାଇଥିଲା। ସେଗୁଡ଼ିକ ଆର୍ଥିକ ସହାୟତା ଦେବା ଓ ଋଣ ଗ୍ୟାରେଣ୍ଟି ଉପରେ କେନ୍ଦ୍ରିତ ଥିଲା। ଏକ ନୂଆ ଡିପ୍‌ ଟେକ୍ ଫଣ୍ଡ୍‌ ମଧ୍ୟ ଗଠନ କରାଯାଇଥିଲା। ନୂଆ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ କମ୍ପାନି ଟିକସ ହାର କମ୍ କରିବା ଏବଂ ଅଧିକ ଦିନ ଟିକସ ରିହାତି ପ୍ରଦାନ କରିବା ଭଳି ଟିକସ ସୁବିଧାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା‌ ବଢ଼ାଇବାକୁ ‘ଇଣ୍ଡିଆ ଏଆଇ ମିସନ୍‌’ ଘୋଷଣା କରାଯାଇଥିଲା। ଏଥିପାଇଁ ବଜେଟ୍‌ରେ ୧୦,୩୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ମହିଳାମାନଙ୍କୁ ଡ୍ରୋନ୍ ଅପରେଟର୍‌ ଭାବେ ପ୍ରଶିକ୍ଷଣ ଦେବା ଲାଗି ‘ନମୋ ଡ୍ରୋନ୍ ଦିଦି’ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ପାଇଁ ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ୧୨୬୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଆର୍ଥିକ ସହାୟତାରେ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ସେହିପରି ଷ୍ଟାର୍ଟଅପ୍‌ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍‌ରେ ୨୦୦୦ କୋଟି ଟଙ୍କାକୁ ନେଇ ଏକ ପାଣ୍ଠି ଗଠନ କରାଯାଇଛି। ୨୭ଟି କ୍ଷେତ୍ରର ଷ୍ଟାର୍ଟଅପ୍‌ ପାଇଁ ଗ୍ୟାରେଣ୍ଟି ଫି’ରେ ୧ ପ୍ରତିଶତ ହ୍ରାସ କରାଯାଇଛି। ଫଣ୍ଡ୍‌ସ ଅଫ୍‌ ଫଣ୍ଡ୍‌ ଜରିଆରେ ନୂଆ ସଂସ୍ଥାଗୁଡ଼ିକୁ ଇକ୍ବିଟି ସହାୟତା ଦେବା ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏଆଇ, ରୋବୋଟିକ୍ସ ଓ ବାୟୋଟେ‌କ୍ନୋଲୋଜି ଭଳି କ୍ଷେତ୍ରରେ ଡିପ୍‌ ଟେକ୍ ଷ୍ଟାର୍ଟଅପ୍ ବିକାଶ କରିବାକୁ ‘ଡିପ୍‌ ଟେକ୍ ଫଣ୍ଡ୍‌’ ଗଠନ କରାଯାଇଥିଲା। ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗଢ଼ିବା ଲାଗି ୧୦୦୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍‌ ଗଠନ କରାଯାଇଛି।

Women Empowerment: ମହିଳା ସଶକ୍ତ ଓ ଆତ୍ମନିର୍ଭର ହେଲେ‌ ଦେଶ ୧ନମ୍ବରେ ପରିଣତ ହେବ

୩୩% ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା, ସହ-ପ୍ରତିଷ୍ଠାତା ମହିଳା
ଓଡ଼ିଶାର ଷ୍ଟାର୍ଟଅପ୍ କ୍ଷେତ୍ରରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇଛି। ଓମେନ୍‌ ରାଇଜ୍ ଟୁଗେଦର (ୱିଙ୍ଗ) ଭଳି କାର୍ଯ୍ୟକ୍ରମ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଧ୍ୟାନ ଉଦ୍ୟମିତା କ୍ଷେତ୍ରରେ ମହିଳାମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି। ରାଜ୍ୟର ୩୩ ପ୍ରତିଶତ ଷ୍ଟାର୍ଟଅପ୍‌ରେ ମହିଳା ପ୍ରତିଷ୍ଠାତା କିମ୍ବା ସହ-ପ୍ରତିଷ୍ଠାତା ରୁହନ୍ତୁ ବୋଲି ସରକାର ଚାହୁଛନ୍ତି। ଏଥି ପାଇଁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇଦିଆଯାଉଛି। ଦକ୍ଷତା ଗଠନ କର୍ମଶାଳା, ପରାମର୍ଶ ଓ ଆର୍ଥିକ ପ୍ରୋତ୍ସାହନ ଆଦି ଦିଆଯାଉଛି।  ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ କିଟ୍‌-ଟିବିଆଇର ଏକ କାର୍ଯ୍ୟକ୍ରମ ହେଉଛି ୱିଙ୍ଗ୍‌। ଏହା ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଷ୍ଟାର୍ଟଅପ୍ ବିକାଶ ଏବଂ ଉପସ୍ଥାପନ କରିବାରେ ସାହାଯ୍ୟ କରିବା ପାଇଁ ଦକ୍ଷତା ଗଠନ କର୍ମଶାଳା ଏବଂ ପରାମର୍ଶ ପ୍ରଦାନ କରୁଛି। ରାଜ୍ୟ ସରକାର ମଧ୍ୟ ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ପାଇଁ ମାସିକ ୨୨ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ରାଜ୍ୟରେ ମହିଳା ଉଦ୍ୟୋଗୀ ସଂଖ୍ୟା ବଢ଼ାଇବା ଲାଗି ଏମ୍ଏସ୍‌ଏମ୍‌ଇ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମିସନ୍‌ ଶକ୍ତି ବିଭାଗ ଆଦି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଷ୍ଟାର୍ଟଅପ୍‌ରେ ମହିଳାଙ୍କ ସଂଖ୍ୟା ବଢ଼ାଇବା ଲାଗି ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ‘ଉଦ୍ୟମୀ ନାରୀ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମ ଥର ଉଦ୍ୟୋଗୀ ହେଉଥିବା ମହିଳାମାନଙ୍କୁ ଋଣ ଯୋଗାଇ ଦେବା ଲାଗି ଜାତୀୟ ଯୋଜନା, ୱିଙ୍ଗ କର୍ମଶାଳା, ଇନ୍‌ୱେକ୍ ଜାତୀୟ ମହିଳା ବ୍ୟବସାୟୀ ମେଳା  ମହିଳା ଉଦ୍ୟୋଗୀମାନଙ୍କୁ ନେଟ୍‌ୱର୍କିଂ କରିବା ଓ ଆଗକୁ ବଢ଼ିବାର ସୁବିଧା ଯୋଗାଇ ଦେଉଛି। 

ସେନାର ଶକ୍ତି ବଢ଼ାଉଛି ଓଡ଼ିଶା ଡ୍ରୋନ୍
୨୦୨୫ରେ ଓଡ଼ିଶାର ଯେଉଁ କିଛି ଷ୍ଟାର୍ଟଅପ୍ ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିଲେ, ସେମାନଙ୍କ ମଧ୍ୟରେ ଡ୍ରୋନ୍ ଷ୍ଟାର୍ଟଅପ୍‌ଗୁଡ଼ିକ ଆଗରେ ରହିଛନ୍ତି। ବିଶେଷ କରି ଆଇଜି ଡ୍ରୋନ୍ସ ଓ ବନ୍‌ଭି ଏରୋ ଭଳି ଦୁଇ ଷ୍ଟାର୍ଟଅପ୍‌କୁ ବେଶ୍‌ ସଫଳତା ମିଳିଛି। ଏହି ଦୁଇ ସଂସ୍ଥା ଭାରତୀୟ ସେନାର ଶକ୍ତି ବଢ଼ାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ଆଡ଼ା ଉପରେ ଆକ୍ରମଣ ବେଳେ ଓଡ଼ିଶାର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ଡ୍ରୋନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ଆଇଜି ଡ୍ରୋନ୍‌ସ ଭାରତୀୟ ସେନାକୁ ନିରୀକ୍ଷଣ ଓ ସହାୟତା ପାଇଁ ଭର୍ଟିକାଲ୍ ଟେକ୍ ଅଫ୍ ଆଣ୍ଡ୍‌ ଲ୍ୟାଣ୍ଡିଂ (ଭିଟିଓଏଲ୍) ଓ ଫାଷ୍ଟ୍‌ ପର୍ସନ ଭିଉ (ଏଫ୍‌ପିଭି) ଡ୍ରୋନ୍ ଯୋଗାଇ ଦେଉଛି। ଅପରେସନ୍ ସିନ୍ଦୂର ସମୟରେ ଏହି ଡ୍ରୋନ୍‌ଗୁଡ଼ିକୁ ବ୍ୟବହାର କରାଯାଇଥିଲା। ସେହିପରି ବନ୍‌ଭି ଏରୋର ଗ୍ରାଉଣ୍ଡ୍‌ ପେନିଟ୍ରେଟିଙ୍ଗ ରାଡାର୍‌ (ପିଜିଆର୍‌) ଡ୍ରୋନ୍ ପ୍ରଯୁକ୍ତିକୁ ଭାରତୀୟ ସେନା ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଛି। ଚଳିତ ବର୍ଷର ଦୁଃଖଦାୟକ ସିକିମ ଭୂସ୍ଖଳନ ସମୟରେ ବନ୍‌ଭି ଏରୋର ଡ୍ରୋନ୍ ବହୁତ କାମରେ ଲାଗିଥିଲା। ଏହା ବ୍ୟତୀତ ରାଜ୍ୟରେ ଆହୁରି ଅନେକ ସଫଳ ଷ୍ଟାର୍ଟଅପ୍‌ ଆଗକୁ ବଢ଼ିଛନ୍ତି। ଦୁଗ୍ଧ କ୍ଷେତ୍ରରେ ମିଲ୍କ ମନ୍ତ୍ରା, ସାସ୍‌ କମ୍ପାନି ବୁକିଂଜିନି, ବାୟୋଟେକ୍ ଷ୍ଟାର୍ଟଅପ୍ ପ୍ରାଣ୍ଟାଏ ସଲ୍ୟୁସନ୍ସ, ଖାଦ୍ୟ ଷ୍ଟାର୍ଟଅପ୍ ମୁନିକୋ ଫୁଡ୍‌ସ, ଡିଜିଟାଲ ବୀମା କମ୍ପାନି ୱିସ୍‌ଲିଫ୍ ମଧ୍ୟ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିବାରେ ସଫଳ ହୋଇଛନ୍ତି। ଗୋଟିଏ ପଟେ ଓଡ଼ିଶା ଭିତରେ ଅନେକ ସଫଳ ଷ୍ଟାର୍ଟଅପ୍ ଗଢ଼ା ହୋଇଥିବା ବେଳେ ଓଡ଼ିଶା ବାହାରେ ଓଡ଼ିଆମାନେ ମଧ୍ୟ ଅନେକ ସଫଳ ସଂସ୍ଥା ଗଢ଼ିଛନ୍ତି। ସେଭଳି ସଂସ୍ଥା ହେଉଛି ଫିନ୍‌ଟେକ୍ ଓ ବି୨ବି ସଂସ୍ଥା ଅଫ୍‌ବିଜନେସ୍‌, ଘରଭଡ଼ା ନେଟ୍‌ୱର୍କ ନେଷ୍ଟ୍‌ଆୱେ, ଖଣିଜ ଶିଳ୍ପର ଷ୍ଟାର୍ଟଅପ୍ ଇନୁକ୍ୟୁଲ୍‌ ମାଟେରିଅଲ୍‌ସ। ଅଫ୍‌ ବିଜନେସ୍‌କୁ ଆଶିଷ ମହାପାତ୍ର, ରୁଚି କାଲ୍‌ରା ଓ ଅନ୍ୟମାନେ ସ୍ଥାପନ କରିଥିଲେ। ବୁକିଂ ଜିନିକୁ ଶିବାଶିଷ ମିଶ୍ର ଗଢ଼ିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe