ତା’ର କୋମଳତାକୁ ଦୁର୍ବଳତା ଭାବିବା ମନା! ତା’ର ନିଃସ୍ବାର୍ଥ ସେବା, ନିସର୍ତ୍ତ ଭଲପାଇବା ଓ ଅସୀମ ତ୍ୟାଗ ହିଁ ତା’କୁ ଅଧିକ ଶକ୍ତିଶାଳୀ କରେ। ଆବଶ୍ୟକ ପଡ଼ି‌ଲେ ମଥା ଆଉଁସୁଥିବା ହାତଟା ଛୁରୀ ଧରି ଶିରଚ୍ଛେଦନ ବି କରିପାରେ। ସେ ଅବଳା ନୁହେଁ, ସେ ନାରୀ। ଏ ସମାଜ କେବେ ତାକୁ ଦୁର୍ବଳା ତ ପୁଣି କେବେ ଦେବୀର ପରିଚୟ ଦିଏ। ସେ କିନ୍ତୁ ଜଣେ ମାନବୀ ହୋଇ ବଞ୍ଚିବାକୁ ଚାହେ। ସମାଜରେ ତା’ର ସ୍ଥିତି ଲୋଡ଼େ। କାହାର ଦୟାରେ ନୁହେଁ, ନିଜ ଅଧିକାର ବଳରେ ଜିଇବାକୁ ଚାହେ। ସେଇଥିପାଇଁ ତ ନିଜର ସମ୍ମାନ ପାଇଁ ସେ ଲଢ଼ିବା ଶିଖିଲାଣି। ଚିରାଚରିତ ପ୍ରଥାରୁ ବାହାରି ନିଜ ପାଇଁ ଭିନ୍ନ ଦୁନିଆଟିଏ ଗଢ଼ିବା ଜାଣିଲାଣି। ସବୁବେ‌‌ଳେ ଜୀବନ ସହ ସାଲିସ କେବଳ ନାରୀଟିଏ ହିଁ କାହିଁକି କରିବ? ସେ ବି ଲଢ଼ିବ ତା’ର ଅଧିକାର ପାଇଁ, ସମ୍ମାନ ପାଇଁ, ଖୁସି ପାଇଁ ଓ ଭବିଷ୍ୟତ ପାଇଁ।
ଉପସ୍ଥାପନା: ବନ୍ଦନା ମିଶ୍ର

Advertisment

ଯେତେବେ‌ଳେ ଜଣେ ନାରୀ ସ୍ବାଧୀନ ମତ ପ୍ରକାଶ କରି ନିଜ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ନିଏ, ସେତେବେଳେ ତାକୁ ସମାଜ କୁହେ ସାହସିନୀ। ଆଉ ସେ ପାଲଟେ ସେଭଳି ନିଷ୍ପତ୍ତି ନେବା ଲାଗି ମନୋବଳ ଗୋଟାଉ ଥିବା ସତୀର୍ଥମାନଙ୍କ ଲାଗି ଉଦାହରଣ। ଓଡ଼ିଆ ଘରର ପରମ୍ପରାରେ କନ୍ୟା ଦେହରେ ବାଡୁଅ ପାଣି ପଡ଼ିଲେ, ସେ ସେଇଦିନଠାରୁ ପରଗୋତ୍ରୀ ହୋଇଯାଏ। ଯଦି ତାକୁ କେହି ବିବାହ କରନ୍ତି ନାହିଁ ସେ ସାରା ଜୀବନ ଅଭିଆଡ଼ୀ ରହିଯିବାର ପ୍ରଥା ଆଗରୁ ଥିଲା। ଏଭଳି ପରମ୍ପରାକୁ ଆଉ ନାରୀଟିଏ ବୋଝ ବୋଲି ଭାବୁନାହିଁ। ତା’ ଦେହରେ ହଳଦୀ, ମେହେନ୍ଦୀ ଲାଗିଯାଇଛି ବୋଲି ଯେ ସେ ସବୁକିଛିକୁ ଅଣଦେଖା କରି ଏକ ଅନିଶ୍ଚିତ ଭବିଷ୍ୟତକୁ ଆବୋରି ନେବ, ତାହା ଆଉ ଗ୍ରହଣୀୟ ନୁହେଁ। ଆବଶ୍ୟକ ପଡ଼ିଲେ ସେ ବିବାହ ମଝିରେ ବେଦିରୁ ଉଠି ବରକୁ ଫେରେଇ ଦେଇପାରେ। କନ୍ୟାଟିଏ ଯେତେ‌ବେଳେ ନିଜ ବରକୁ ବେଦିରୁ ଫେରାଏ, ସେତେବେଳେ କେତେ ସାହସ କରିନଥିବ ସେ? ଆସନ୍ତୁ ସେଭଳି କେତେଜଣ ସାହସିନୀଙ୍କ ସଂପର୍କରେ ଜାଣିବା...  

Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ

ମୋ ବାପାଙ୍କ ସମ୍ମାନ ବଡ଼
ବାହାଘରରେ ବରଯାତ୍ରୀମାନେ କନ୍ୟାପକ୍ଷର ଭୋଜିକୁ ନେଇ ଅସନ୍ତୁଷ୍ଟ ହେବା ଓ ତାହାକୁ ନେଇ ଗଣ୍ଡଗୋଳ ଉପୁଜାଇବା ପରି କଥା ଅତି ପୁରୁଣା। ଏହି କାରଣରୁ ବିବାହ ଭାଙ୍ଗିଯାଇଥିବାର ରାଶିରାଶି ଉଦାହରଣ ରହିଛି। ବରଯାତ୍ରୀଙ୍କ ସପକ୍ଷରେ ବାହାରି ବର ବେଦିରୁ ଉଠି ପଳାଇବା ନଜିର ବି ରହିଛି। ହେଲେ ବରଯାତ୍ରୀଙ୍କ ଅସଭ୍ୟ ଆଚରଣ ପାଇଁ କନ୍ୟା ବିବାହ ଭାଙ୍ଗିବା କଥା କମ୍‌ ଶୁଣାଯାଇଥିଲେ ବି ସେଭଳି ଘଟିବା ଆରମ୍ଭ ହୋଇଛି। ୨୦୧୯ ମସିହାର କଥା। କଟକଜିଲ୍ଲା ମାହାଙ୍ଗାସ୍ଥିତ ଦେବୋରିଓ ଗାଁର ଏକ ବିବାହ ଅନୁଷ୍ଠାନ ସାମାନ୍ୟ କାରଣ ଯୋଗୁଁ ଯେଉଁ ମୋଡ଼ ନେଲା, ତାହା କୌଣସି ସିନେମାର କାହାଣୀଠାରୁ କମ୍‌ ନୁହେଁ। ଭୋଜିରେ ମଟନ୍‌ ତରକାରୀକୁ ନେଇ ବିବାଦ ଉପୁଜିବା ପରେ ବରପକ୍ଷ ନୁହେଁ, ନିଜେ କନ୍ୟା ହିଁ ଭାଙ୍ଗିଦେଲେ ବାହାଘର।  

ଦେବୋରିଓ ଗାଁର ପ୍ରୀତି (ଛଦ୍ମନାମ)ଙ୍କ ବିବାହ ସ୍ଥିର ହୋଇଥାଏ କେନ୍ଦ୍ରା‌ପଡ଼ା ଜିଲ୍ଲା ମହାକାଳପଡ଼ାର ପ୍ରିୟରଞ୍ଜନଙ୍କ ସହିତ। ଆଖିରେ ଅସୁମ‌ାରୀ ସ୍ବପ୍ନ ନେଇ ସଜେଇ ହୋଇ ବସିଥାଆନ୍ତି ପ୍ରୀତି। ବ୍ୟାଣ୍ଡ୍‌ ବଜେଇ ବରଯାତ୍ରୀ ଧରି ପ୍ରୀତିଙ୍କ ଘର ସମ୍ମୁଖରେ ପହଞ୍ଚିଲେ ପ୍ରିୟ। ବରବରଣ ହେଲା। ଖୁସିରେ ଫାଟିପଡୁଥାଏ କନ୍ୟାଘର ଅଗଣା। ମନ୍ତ୍ର ପଢ଼ା ଆରମ୍ଭ ହୋଇ ସାରିଥାଏ। ବେଦିକୁ ଯିବା ପାଇଁ ବର-କନ୍ୟ‌ା ଅପେକ୍ଷା କରି ବସିଥାନ୍ତି। ଏପଟେ ବରଯାତ୍ରୀ ଖାଇବା ବେଳେ ଅଭାବ ପଡ଼ିଗଲା ମଟନ୍‌ ତରକାରୀ। କିଛି ଲୋକ ଖାଇ ସାରିଥାନ୍ତି। କିଛି ଲୋକଙ୍କ ପାଇଁ ବାକି ଖାଦ୍ୟ ଥିଲେ ବି ମଟନ୍‌ ନଥ‌ାଏ। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବା ପରି, ଏଇ ଛୋଟିଆ କଥାକୁ ନେଇ ସୃଷ୍ଟି ହେଲା ତୁମୁଳକାଣ୍ଡ। ପରିସ୍ଥିତି ଅଣାୟତ ହେବାରୁ ବରପକ୍ଷ ‌ଲୋକଙ୍କୁ ହାତଯୋଡ଼ି ନେହୁରା ହେଲେ କନ୍ୟାପିତା।

ଏପରି ଏକ ଦୃଶ୍ୟକୁ ସହ୍ୟ କରି ପାରିଲେନି ପ୍ରୀତି। ନିଜ ସ୍ବପ୍ନ ଅପେକ୍ଷା ସେ ବାପାଙ୍କ ସମ୍ମାନକୁ ବାଛିଲେ। ଘରୁ ବାହାରି ଆସି ଶହ ଶହ ଲୋକଙ୍କ ସମ୍ମୁଖରେ ସାହସ ବାନ୍ଧି କହିଲେ, ମୁଁ ବିବାହ କରିବି ନାହିଁ। ଦୁଇ ପକ୍ଷରୁ ମୀମାଂସା ପାଇଁ ପ୍ରୟାସ ହେବା ସତ୍ତ୍ବେ ଏଭଳି ନୀଚ ମାନସିକତା ସଂପନ୍ନ ଲୋକଙ୍କ ଘରକୁ କଦାପି ଯିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଲେ ସେ। ଆଜୀବନ ଅବିବାହିତ ରହିଯିବି ପଛେ ମୋ ବାପାଙ୍କୁ ଅପମାନିତ କରି ପାରୁଥିବା ଏଭଳି ଜଣେ ଅସଭ୍ୟକୁ ବାହା ହେବିନାହିଁ। ହେଲେ ଏତିକିରେ ମାମଲା ରଫାଦଫା ହେଲାନାହିଁ। ପୁଲିସ୍‌କୁ ଡକାଗଲା। ଖର୍ଚ୍ଚ ହୋଇଥିବା ଟଙ୍କାର ଭରଣା କରିବା ପାଇଁ ଅଡ଼ିବସିଲେ ଝିଅର ସଂପର୍କୀୟ। ଦୀର୍ଘ ୧୮ ଘଣ୍ଟାର ଘଣ୍ଟାଚକଟା ପରେ ବରପକ୍ଷ ଲୋକ ୬ ଲକ୍ଷ ଟଙ୍କ‌ା ଦେଇ ଘରକୁ ଫେରିଗଲେ। ପରବର୍ତ୍ତୀ ସମୟରେ କନ୍ୟା ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ପୁଅକୁ ବିବାହ କରିଥିଲେ।

ଫେରିଯାଅ ପ୍ରତାରକ
କଥାରେ ଅଛି ବାହାଘର ପିଲା ଖେଳ ନୁହେଁ। ବିଶେଷ କରି ଜଣେ ନାରୀ କ୍ଷେତ୍ରରେ ଏହା ତା’ ଜୀବନର ସବୁଠାରୁ ବଡ଼ ମୋଡ଼। ହେଲେ ବେଳେବେଳେ ପ୍ରତାରଣାର ମୂଳଦୁଆରୁ ଆରମ୍ଭ ହୋଇଥିବା ସଂପର୍କର ମହଲ ଗଢ଼ି ହେବା ଆଗରୁ ହିଁ ଭୁଶୁଡ଼ି ପଡ଼େ। ଅନେକ ବୁଝାଶୁଝା ପରେ ଏକ ବିବାହ ସ୍ଥିରୀକୃତ ହୋଇଥାଏ। ମାତ୍ର ବେଳେ ବେଳେ ହଜାର ଯାଞ୍ଚ ପରେ ବି ପ୍ରତାରଣାର ଶିକାର ହେବାକୁ ପଡ଼େ।
୨୦୨୨ ମସିହାରେ ବଲାଙ୍ଗୀରର ଚାଉଲଶୁଖା ଗ୍ରାମର ଯୁବତୀ ଅର୍ପିତା (ଛଦ୍ମନାମ)ଙ୍କ ବିବାହ ଲକ୍ଷ୍ମୀକାନ୍ତ ତିୱାରି ନାମକ ଜଣେ ଯୁବକଙ୍କ ସହ ସ୍ଥିର ହୋଇଥାଏ।

 ବିବାହ ଦିନ କନ୍ୟ‌ାପକ୍ଷ ଲୋକ ବଡ଼ ଉତ୍ସାହର ସହ ବରଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥାନ୍ତି। ମାତ୍ର ବିନା ବରଯାତ୍ରୀରେ ନିରାଡ଼ମ୍ବର ଭାବେ ବାହା ହେବାକୁ ପହଞ୍ଚିଥିବା ବରକୁ ଦେଖି ସଭିଏଁ ଚକିତ ହୋଇପଡ଼ିଲେ। କନ୍ୟ‌ାପକ୍ଷ ଲୋକ ବରପକ୍ଷଙ୍କୁ ୧୫୦ ପର୍ଯ୍ୟନ୍ତ ବରଯାତ୍ରୀ ଆଣିଲେ ବି ଅସୁବିଧା ନାହିଁ ବୋଲି କହିଥିଲେ। ମାତ୍ର ବର ୭-୮ ଜଣଙ୍କୁ ସାଥୀରେ ଧରି କନ୍ୟା ଘରେ ପହଞ୍ଚିଲେ। କନ୍ୟାପକ୍ଷ ଲୋକଙ୍କ ମନରେ ସନ୍ଦେହ ଉପୁଜିଲା। ସେମାନେ ଖୋଳତାଡ଼ ଆରମ୍ଭ କଲେ। ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ବର ପୂର୍ବରୁ ବିବାହିତ। କେବଳ ସେତିକି ନୁହେଁ, ବାହାଘର ପାଇଁ ବର କନ୍ୟାକୁ ଯେଉଁ ଅଳଙ୍କାର ଦେଇଥିଲେ; ତାହା ବି ଥିଲା ନକଲି।

Modi meet Arab delegation team: ଆରବ ବୈଦେଶିକ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାବନ୍ତୁ, ଶେଷ ମୁହୂର୍ତ୍ତରେ ପୂର୍ବରୁ ଥରେ ବିବାହ କରି ସାରିଥିବା ପୁରୁଷ ବର ହୋଇ ଆସିବା କଥା ଜାଣିବା ପରେ କେମିତି ହୋଇଥିବ କନ୍ୟାର ଅବସ୍ଥା! ଏଭଳି ସମୟରେ ଧୈର୍ଯ୍ୟ ଧରିବା କ’ଣ ସତରେ ସମ୍ଭବ! ହେଲେ ଦୁର୍ବଳ ହୋଇପଡ଼ିଲେନି ସାହସୀ ଅର୍ପିତା। ମନକୁ ଦୃଢ଼ କରିବା ସହ ପରିବାର ଲୋକଙ୍କୁ ସାହସ ଦେଲେ। ପ୍ରତାରକ ବର ବିରୋଧରେ ତୁରନ୍ତ ପୁଲିସରେ ଅଭିଯୋଗ କଲେ। କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯାଇ ଦୁଇ ପକ୍ଷରେ ମୀମାଂସା ହେଲା। ଶେଷରେ ଶିଶୁପାଳ ହୋଇ ଫେରିଗଲେ ବର।

ଯେଉଁଠି ସମ୍ମାନ ନାହିଁ,‌ ସେଠି ସମ୍ବନ୍ଧ ନାହିଁ
ବରଯାତ୍ରୀରେ ଯିବୁ ମାନେ ତଣ୍ଟି ଯାଏ ମଟନ୍‌ ଖାଇବୁ! ଆଉ ଯଦି ଭୋଜିରେ ସେଇଟା ନାହିଁ ତ ଗଣ୍ଡଗୋଳ ହବା ଥୟ। ହୁଏତ କେହି ଭାବିପାରନ୍ତି ଏଭଳି ମାନସିକତା କେବଳ ଅଶିକ୍ଷିତଙ୍କର, କିନ୍ତୁ ଉଚ୍ଚଶିକ୍ଷିତ ଲୋକେ ବି କେବେକେବେ ଏଥିରେ ସାମିଲ୍‌ ହୋଇଯାଆନ୍ତି! ୨୦୨୩ ମସିହାର କଥା। ସମ୍ବଲପୁରର ଧାମା ଅଞ୍ଚଳର ଯୁବତୀ ରାଣୀ (ଛନ୍ମନାମ)ଙ୍କ ବିବାହ ଠିକ୍‌ ହୋଇଥିଲା ‌ବ୍ୟାଙ୍କ୍‌ରେ କାର୍ଯ୍ୟରତ ଜଣେ ଯୁବକଙ୍କ ସହିତ। ପ୍ରସ୍ତାବ ପଡ଼ିବାଠାରୁ ବରବରଣ ପର୍ଯ୍ୟନ୍ତ ଉଭୟ ପରିବାର ହସଖୁସିରେ ବିଭୋର ହେଉଥାନ୍ତି। ସାଥିରେ ବରଯାତ୍ରୀଙ୍କୁ ଧରି ସମ୍ବଲପୁରର ଅଇଁଠାପାଲିରେ ବାହାହେବାକୁ ପହଞ୍ଚିଲେ ଯୁବକ। ସେଠାରେ ପହଞ୍ଚିବା ପରେ ବରଯାତ୍ରୀମାନଙ୍କର ଚର୍ଚ୍ଚା ହେଲା। ଆରମ୍ଭରୁ ସବୁ ଠିକ୍‌ ଥିଲା। ଖିଆପିଆ ବି ପ୍ରାୟ ସରି ଆସିଥିଲା। ହେଲେ ଆଉ ୭-୮ ଜଣ ଲୋକଙ୍କ ପାଇଁ ମଟନ୍‌ ଅଭାବ ପଡ଼ିଗଲା। ଏହି କଥାକୁ ନେଇ ଆରମ୍ଭ ହେଲା ମହାଭାରତ। ବିଳମ୍ବିତ ରାତି ହୋଇଥିବାରୁ ସେ ସମୟରେ ମଟନ୍‌ ଆଣି ରୋଷେଇ କରିବାର ପରିସ୍ଥିତି ବି ନଥିଲା। ଏହାରି ମଧ୍ୟରେ ବରପକ୍ଷ ଲୋକ କନ୍ୟାର ବାପାଙ୍କୁ ଗାଳିମନ୍ଦ କରିବା ସହ ପାଟିତୁଣ୍ଡ ବି ଆରମ୍ଭ କରି ଦେଇଥାନ୍ତି। ଆଖି ଆଗରେ ବାପାଙ୍କୁ ଅସମ୍ମାନିତ ହେବା ଦେଖି ପ୍ରତିବାଦ କଲେ ରାଣୀ।

ବାପାଙ୍କ ଯୋଡ଼ହସ୍ତ ତାଙ୍କ ମନରେ ନିଆଁ ଲଗାଇଦେଲା। ଅନ୍ୟ କେହି କିଛି ନିଷ୍ପତ୍ତି ନେବା ଆଗରୁ ନିଜ ନିଷ୍ପତ୍ତି ଶୁଣାଇଦେଲେ ରାଣୀ। ଯାହାଙ୍କ ମନରେ ମୋ ବାପାଙ୍କ ପ୍ରତି ସମ୍ମାନ ନାହିଁ, ସେମାନଙ୍କ ସହ ମୋର ବି ସମ୍ବନ୍ଧ ନ‌ାହିଁ। ଏତକ କହି ସେ ସେଇଠାରେ ବିବାହ ଭାଙ୍ଗିଦେଲେ। ଏଇ ଘଟଣାଗୁଡ଼ିକରେ କନ୍ୟାମାନଙ୍କ ସାହସିକତା ବରକୁ ଶିଶୁପାଳ ହେଇ ଫେରିଯିବାକୁ ବାଧ୍ୟକରିଛି। କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ କନ୍ୟାମାନେ ବିଭିନ୍ନ କାରଣରୁ ପ୍ରତିବାଦ କରି ବାହାଘର ଦିନ ହିଁ ବିବାହ ଭାଙ୍ଗିଦେବା ନିଷ୍ପତ୍ତି ନେବା ଦେଖାଯାଇଛି। ଅନେକ ମହିଳା ଏବେ ନିଜର ଓ ନିଜ ପରିବାରର ସ୍ବାଭିମାନ ପାଇଁ ବେଦିରୁ ବରକୁ ଫେରାଇ ଦେବାର ସାହସ ରଖି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

ମିଛୁଆ ଲୋକଙ୍କ ଘରକୁ ଯିବିନି
ନିଜର ଦୁର୍ବଳତାକୁ ଲୁଚେଇ ବିବାହ କରାଉଥିବା ଲୋକ ସାବଧାନ ରହନ୍ତୁ। ମିଛରୁ ଆରମ୍ଭ ହେଉଥିବା ସଂପର୍କର ଆୟୁ ବେଶି ସମୟ ନୁହେଁ। ୨୦୨୩ ମସିହାରେ ଉତ୍ତରପ୍ରଦେଶର ମାଉ ଜିଲ୍ଲାରେ ଘଟିଥିବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ବରପକ୍ଷ ଲୋକଙ୍କ ଏକ ଛୋଟ ଭୁଲ୍‌ ପାଇଁ ବିବାହ ମଣ୍ଡପ ସାଜିଲା ଯାତ୍ରା ପେଣ୍ଡାଲ୍‌। ବରଣମାଳା ପୂର୍ବରୁ ଅଜବ ଆଚରଣ କଲେ ବର। ତଟସ୍ଥ ହୋଇ ଚାହିଁ ରହିଥାନ୍ତି ଶହଶହ ଅତିଥି। ବରଣମାଳାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଅଚାନକ ମଞ୍ଚ ଉପରେ ପାଟିତୁଣ୍ଡ କରିବା ଆରମ୍ଭ କଲେ ବର। ବୁଝୁବୁଝୁ ବରର ମାନସିକ ବିକୃତି ବାହାରିଛି ବୋଲି ଜଣାପଡ଼ିଲା। କନ୍ୟା ଜଣକ ସଙ୍ଗେସଙ୍ଗେ କହିଲା, ମୁଁ  ସେ ମିଛୁଆ ଘରକୁ ଯିବିନାହିଁ। ମୁଁ ଏ ପୁଅକୁ ବାହା ହେବିନାହିଁ। କେବଳ ସେତିକି ନୁହେଁ, ସତ ଲୁଚାଇବା ଅପରାଧରେ କନ୍ୟାପକ୍ଷ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଆସି ବରକୁ ବନ୍ଧି ନେଇଥିଲା। ଏଥିସହିତ କନ୍ୟାପକ୍ଷ କରିଥିବା ଖର୍ଚ୍ଚର ଭରଣା କଲେ ବରପକ୍ଷ ଲୋକ।

ମଦୁଆକୁ ବାହାହେବିନି
ପୁଅ ପଇସାବାଲା ହେଉ କି ଗରିବ, ହେଲେ ମଦୁଆ ହୋଇ ନଥିବ। ଏଭଳି କଥା କେବଳ କନ୍ୟାର ନୁହେଁ, ବରଂ କନ୍ୟା ପରିବାରର ସବୁ ଲୋକଙ୍କର। ତେଣୁ ବର ମଦ୍ୟପ ବୋଲି ଜାଣିବା ପରେ ବିବାହ ଭାଙ୍ଗି ପାରୁଥିବା ନାରୀ କେଉଁ ଯୋଦ୍ଧାଠାରୁ କମ୍‌ ନୁହେଁ। ୨୦୨୪ ମସିହାର କଥା। ଉତ୍ତରପ୍ରଦେଶର କାନପୁରର ଜଣେ ବର ବେଦିରେ ଅଧା କର୍ମ ସାରିବା ପରେ ତା’ଲାଗି ମଣ୍ଡପରେ ଥିବା ରୁମ୍‌ ଭିତରକୁ ଚାଲିଗଲା। ସେତେବେଳକୁ ବରଣମାଳା ପିନ୍ଧା‌ ରୀତି ମଧ୍ୟ ଶେଷ ହୋଇ ସାରିଥାଏ। ସେଠି ଯାଇ ବର ତାଙ୍କର ଦୁଇ ବ‌ାନ୍ଧବୀଙ୍କ ସହ ମଦ୍ୟପାନ କଲେ। ଏ ଦୃଶ୍ୟ କନ୍ୟାର ଭାଇ ଦୃଷ୍ଟିରେ ପଡ଼ିଲା। ଭାଇ ମୁହଁରୁ ବର ମଦ ପିଉଥିବା କଥା ଶୁଣିବା ପରେ ବିବାହ ନକରିବାକୁ ସ୍ଥିର କଲେ କନ୍ୟା। ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଲା। ଏହି କଥାରେ ପୁଲିସ୍‌ ବି ହସ୍ତକ୍ଷେପ କଲା। ‌ବହୁ ବୁଝାଶୁଝା ପରେ ବି ମାମଲା ଥଣ୍ଡା ପଡ଼ିଲା ନାହିଁ। କନ୍ୟା ନିଷ୍ପତ୍ତିରେ ଅଟଳ ରହିଲେ ଓ ଶିଶୁପାଳ ହୋଇ ଫେରିଗଲେ ବର।

ଭଲକରି ପରଖିବା ପରେ ସମ୍ବନ୍ଧ କରନ୍ତୁ
ଆଜିକାଲି ତ ପ୍ରାୟ ପ୍ରେମ ବିବାହ। ଅଧିକାଂଶ ପ୍ରେମ ବିବାହରେ ବି ଦୁହେଁ ଦୁହିଁଙ୍କୁ ଭଲକରି ଜାଣିପାରୁନାହାନ୍ତି। ସେଭଳି କ୍ଷେତ୍ରରେ ବାପାମାଆଙ୍କର ଗୁରୁଦାୟିତ୍ବ ରହୁଛି। ଆମ ପିଲାଙ୍କୁ ଆମେ ଯେଉଁଠି ବିଭା ଦେଉଛେ, ସେଠାକାର କଥା ଟିକିନିଖି ବୁଝିବା ପରେ ହିଁ ସମ୍ବନ୍ଧ ଗଢ଼ିବା ବିଷୟରେ ଚିନ୍ତା କରିବା ଉଚିତ। ଶେଷ ମୁହୂର୍ତ୍ତରେ କଥା ଜଣାପଡ଼ିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ। ଅଯଥା ଟଙ୍କା ଖର୍ଚ୍ଚ, ସମ୍ମାନହାନୀ। ତେବେ ବାହାଘର ମଝିରେ ପୁଅର କିଛି ଦୁର୍ବଳତା ଯଦି ଝିଅ ‌ଦେଖୁଛି; ମୋ ମତରେ ବିବାହ ଭାଙ୍ଗିଦେବା ଉଚିତ୍‌। କାରଣ କିଛି ଟଙ୍କା ଖର୍ଚ୍ଚ ଓ ସମାଜର ଲୋକ କ’ଣ କହ‌ିବେ ଭାବି ଝିଅଟି କେବେ ବି ତା’ର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା କଥା ନୁହେଁ। ଯେଉଁ ଝିଅ ସେଭଳି କରିପାରୁଛନ୍ତି, ସେମାନେ ଏକଦମ୍‌ ଠିକ୍‌ କରୁଛନ୍ତି। ଝିଅଟିଏ ଯେତେବେଳେ ବେଦିରେ ଜାଣୁଛି ପିଲା ମଦୁଆ କି ଲୋଭୀ; ସେ ସେଭଳି ଏକ ପିଲା ସହ ଜୀବନ ବିତାଇବ କିପରି? ଜୀବନ ନଷ୍ଟ କରିଦେବା ଅପେକ୍ଷା ପ୍ରତିବାଦ କରିବା ଶ୍ରେୟସ୍କର। ତେବେ ମହିଳାମାନଙ୍କ ଉଦ୍ଦେଶ୍ୟରେ ବି ମୁଁ ଗୋଟାଏ କଥା କହିବାକୁ ଚାହିବି, ନାରୀ ସ୍ବାଧୀନତାର ଖରାପ ଫାଇଦ‌ା ସେମାନେ ଉଠାନ୍ତୁ ନାହିଁ। ଆଜିକାଲି ଅଧିକାଂଶ ନାରୀ ସେମାନଙ୍କ ସ୍ବାଧୀନତାର ଅପବ୍ୟବହାର କରୁଛନ୍ତି। ଯାହାକି ସମାଜ ପାଇଁ ଶୁଭଙ୍କର ନୁହେଁ। ନାରୀମାନେ ଅନ୍ୟାୟ ବିରୋଧରେ ପ୍ରତିବାଦ କରନ୍ତୁ, ମାତ୍ର ସ୍ବାଧୀନତା ନାମରେ ଉତ୍ସୃଙ୍ଖଳତା ଗ୍ରହଣୀୟ ନୁହେଁ।
-ନମିତା ପଣ୍ଡା, ପୂର୍ବତନ ଅଧ୍ୟକ୍ଷା, ରାଜ୍ୟ ମହିଳା କମିସନ

ଜବ୍‌ ଉଠା ତବ୍‌ ସବେରା
ବାହାଘରଟା ଆଠ କି ଦଶ ଦିନର କଥା ନୁହେଁ। ଏହା ଏକ ଜୀବନବ୍ୟାପୀ ଚୁକ୍ତି। ଯେଉଁଭଳି ଭାବେ ପୁଅର ଘରଲୋକ ବାହାଘର ପୂର୍ବରୁ ଝିଅର ନଖରୁ କେଶ ଦେଖୁଛନ୍ତି; ସେଭଳି ଭାବେ ତର୍ଜମା କରିବାର ଅଧିକାର ଝିଅପକ୍ଷ ଲୋକଙ୍କର ବି ଅଛି। ବାହାଘର ବେଳେ ପୁଅର ଘର ଲୋକ ଝିଅ ସୁନ୍ଦର କି ନୁହେଁ, ପାଠ ପଢ଼ିଛି କି ନାହିଁ, ଚାଲି ଜାଣିଛି କି ନାହିଁ, କଥା କହିପାରୁଛି କି ନାହିଁ, ରୋଷେଇ ଶିଖିଛି କି ନାହିଁ; ସବୁ ପରଖିବେ। ତେବେ  ଝିଅଟିଏ କ’ଣ ମଣିଷ ନୁହେଁ? ଜୀବନସାଥୀ ରୂପେ ଭଲ ମଣିଷଟିଏ ଖୋଜିବାର ଅଧିକାର କ’ଣ ତା’ର ନାହିଁ? ଆଜିକା ସମୟରେ ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି। ‌ସେମାନେ ନିଜ ଭବିଷ୍ୟତ ନିଷ୍ପତ୍ତି ନିଜେ ନେବାକୁ ଯୋଗ୍ୟା। ଯଦି କେଉଁ ଝିଅ ବିବାହ ବେଦିରେ ପୁଅର କୌଣସି ଦୁର୍ବଳତା ବିଷୟରେ ଜାଣିପାରି ବାହା ନହେବାକୁ ନିଷ୍ପତ୍ତି ନେଉଛି, ମୁଁ ତା’କୁ ସମର୍ଥନ କରୁଛି। ହିନ୍ଦୀରେ ଏକ କଥା ଅଛି ‘ଜବ୍‌ ଉଠା ତବ୍‌ ସବେରା’। ଅର୍ଥାତ, ଯେତେବେଳେ ଜଣେ ଜାଣିପାରୁଛି, ସେଇଟା ହିଁ ନିଷ୍ପତ୍ତି ନେବାର ପ୍ରକୃତ ସମୟ। ତାହା ବିବାହ ଦିନରେ ହେଉ ଅବା ବେଦିରେ। ଜଣେ ଲୋଭୀ କିମ୍ବା ମଦୁଆକୁ ବିବାହ କରିବା ଅପେକ୍ଷା ସାରା ଜୀବନ କୁଆଁରୀ ରହିବା ଭଲ। ଝିଅମାନେ ଆହୁରି ପାଦେ ଆଗକୁ ଯାଇ ବିବାହ ପୂର୍ବରୁ ହିଁ ଜାଣନ୍ତୁ ଯେ ପୁଅପକ୍ଷ ଲୋକ ଯୌତୁକ ଲୋଭୀ କି ନୁହନ୍ତି। ସେଭଳି ପ୍ରାର୍ଥୀ ହୋଇଥିଲେ ତୁରନ୍ତ ପ୍ରତିବାଦ କରନ୍ତୁ।      ଯଦି ବି ଶେଷ ମୁହୂର୍ତ୍ତରେ ଜାଣୁଛନ୍ତି ଓ ବିବାହ ଭାଙ୍ଗୁଛନ୍ତି; ସେମାନେ ଖୁବ୍ ଭଲ କରୁଛନ୍ତି।
 -ଋତୁପର୍ଣ୍ଣା ମହାନ୍ତି, ସାମାଜିକ କର୍ମୀ