ପାରଳାଖେମୁଣ୍ଡି: ଭାଷାଭିତ୍ତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ଗଜପତି ଜିଲ୍ଲା। କିନ୍ତୁ ଓଡ଼ିଶାର ଗୌରବ, ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି ମଧ୍ୟରେ ଅନ୍ୟତମ ‘ପାରଳା ରାଜପ୍ରାସାଦ’ ଆଜି ଅବହେଳାର ଶିକାର। ରକ୍ଷଣାବେକ୍ଷଣ ଅଭାବରୁ ଗଜପତି ମହାରାଜାଙ୍କ ଏହି ଭବ୍ୟ ପ୍ରାସାଦ ଆଜି ଶ୍ରୀହୀନ ହେବାକୁ ବସିଲାଣି। ୨୫ ଏକର ପରିମିତ ଜମିରେ ନିର୍ମିତ ସୁନ୍ଦର କାରୁକାର୍ଯ୍ୟ ବିଶିଷ୍ଟ ପ୍ରାସାଦ ସଙ୍କୁଚିତ ହେଉଛି। ରାଜପ୍ରାସାଦର ପୁନରୁଦ୍ଧାର ସହ ଏହାକୁ ଏକ ଜାତୀୟ ସ୍ମାରକୀ ମାନ୍ୟତା ଦେବାକୁ ଗଜପତି ଜିଲ୍ଲାବାସୀ ବହୁବାର ଦାବି ଉପସ୍ଥାପନ କରୁଥିଲେ ହେଁ କେନ୍ଦ୍ର ସରକାର ଏଯାବତ୍‌ ପ୍ରୟାସ ଆରମ୍ଭ କରିନାହାନ୍ତି। କିଛିବର୍ଷ ତଳେ ଏହାକୁ ଜାତୀୟ ସ୍ମାରକୀ ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କୁ ୨ ଜଣ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ, ହେଲେ ଏଥିପାଇଁ କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନି।

Advertisment

Amco Simco Martyrs: ଆମ୍‌କୋ ସିମ୍‌କୋ ସହିଦ ସ୍ମୃତିପୀଠ, ହରାଉଛି ଅସ୍ତିତ୍ବ, ଯାଉନାହାନ୍ତି ପର୍ଯ୍ୟଟକ

 
ରାଜ୍ୟର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଗଜପତି ଶାସକ ଜଗନ୍ନାଥ ଗଜପତି ନାରାୟଣ ଦେଓ (ତୃତୀୟ) ଏହି ପ୍ରାସାଦକୁ ନିର୍ମାଣ କରିଥିଲେ। ଏଥିପାଇଁ ୧୮୮୫  ମସିହାରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଐତିହାସିକ ଓ ଗବେଷକମାନେ କହିଛନ୍ତି। ଚେଶୋଲମ୍‌ ନାମକ ଜଣେ ୟୁରୋପୀୟ ସ୍ଥପତି ଏହାର ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ ସ୍ଥାନୀୟ କାରିଗର ଓ ଶ୍ରମିକ ନିୟୋଜିତ ହୋଇଥିଲେ। ଓଡ଼ିଶାରେ ବକିଂହାମ୍ ପ୍ୟାଲେସ୍‌ ଶୈଳୀରେ ନିର୍ମାଣ ହୋଇଥିବା ଏହା ହେଉଛି ଏକମାତ୍ର ରାଜପ୍ରାସାଦ। ଏଭଳି ସମାନ ଶୈଳୀରେ ନିର୍ମିତ ଏକ ରାଜପ୍ରସାଦ ଚେନ୍ନାଇରେ ରହିଛି। ସୁନାରଙ୍ଗରେ ସଜ୍ଜିତ କାନ୍ଥ ଓ ବଡ଼ କାଠରେ ନିଖୁଣ କାରୁକାର୍ଯ୍ୟ ପ୍ରାସାଦର ମୁଖ୍ୟ ଆକର୍ଷଣ। ଦରବାର ହଲ୍‌ ରାଜପ୍ରାସାଦର ମଧ୍ୟଭାଗରେ ଅବସ୍ଥିତ। ପ୍ରାସାଦଟି ରାଜମହଲ ଏବଂ ରାଣୀମହଲ ଦୁଇଭାଗରେ ବିଭକ୍ତ। ଏଠାରୁ ହିଁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନର ମୂଳଦୁଆ ପଡ଼ିଥିଲା। ୧୯୧୪ରୁ  ୧୯୩୬ ମସିହା ପର୍ଯ୍ୟନ୍ତ ୨୨ ବର୍ଷ କାଳ ଓଡ଼ିଆ ଜାତିର ସାମୂହିକ ସ୍ବାର୍ଥ ହାସଲ ପାଇଁ ଏହିଠାରୁ ସମସ୍ତ ନିଷ୍ପତ୍ତି ନିଆଯାଉଥିଲା। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏଠାରେ ଜନ୍ମଗ୍ରହଣ କରିଥିଲେ।

Even ordinary: ‘ସାଧାରଣ ଲୋକ ବି ସ୍ମରଣୀୟ ଘଟଣାକୁ ଲିପିବଦ୍ଧ କରି ରଖନ୍ତୁ’

 ‎
କିନ୍ତୁ ବର୍ତ୍ତମାନ ପ୍ରାସାଦର ଅଧିକାଂଶ ଅଂଶ ନଷ୍ଟ ହେବାକୁ ବସିଲାଣି। ଦରବାରର ମୁଖ୍ୟ ହଲ୍‌ରୁ ପାଣି ଗଳୁଥିବାବେଳେ ରାଣୀ ମହଲର ଉପରଭାଗ ଭୁଶୁଡ଼ିପଡ଼ିଲାଣି। ଏବେ ଏହି ପ୍ରାସାଦରେ ହାତଗଣତି କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ରାଜଜେମା ସୁଶ୍ରୀ କଲ୍ୟାଣୀ ଦେବୀ ବେଳେବେଳେ ଆସୁଛନ୍ତି। ଏହି ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୟାସ ଆବଶ୍ୟକ ବୋଲି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।