ଯଦି ପାହାଡ଼ପର୍ବତ ଘେରା ପରିବେଶରେ କଲରାପତ୍ରିଆ ବାଘଙ୍କୁ ନିର୍ଭୟରେ ବିଚରଣ କରୁଥିବା ଦେଖିବାକୁ ଚାହାନ୍ତି, ତେବେ ରାଜସ୍ଥାନର ଜୱାଈକୁ ଯାଆନ୍ତୁ। ରାଜ୍ୟର ପାଲୀ ଜିଲ୍ଲାରେ ଥିବା ଏଭଳି ପର୍ଯ୍ୟଟନ କ୍ଷେତ୍ର ଦେଶରେ ଅନ୍ୟତ୍ର କ୍ବଚିତ୍ ଦେଖାଯାଏ। ମନୁଷ୍ୟ ଓ ବନ୍ୟପ୍ରାଣୀ ସହାବସ୍ଥାନ କରୁଥିବା ଏ ଅଞ୍ଚଳ ପଶୁପକ୍ଷୀପ୍ରେମୀ ଓ ଫେଟାଗ୍ରାଫର୍ମାନଙ୍କୁ ସର୍ବଦା ଆକୃଷ୍ଟ କରିଆସିଛି। ଅେପକ୍ଷାକୃତ ଥଣ୍ଡା ମାସ ଅର୍ଥାତ୍ ଅକ୍ଟୋବର୍ରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଜୱାଈ ଭ୍ରମଣ ନିମନ୍ତେ ଅନୁକୂଳ। ଏ ସମୟରେ ପାଗ ଶୁଖିଲା ଓ ଶୀତଳ ଥାଏ ଏବଂ ବନ୍ୟଜନ୍ତୁମାନେ ବେଧଡ଼କ ବୁଲାବୁଲି କରୁଥିବା ଦୃଷ୍ଟିଗୋଚର ହୁଏ। ଅନେକଙ୍କର ଧାରଣା ଯେ ଜୱାଈ ଗୋଟାଏ ନିର୍ଦ୍ଦିଷ୍ଟ ଅଞ୍ଚଳ। ବାସ୍ତବରେ ଏହା ହେଉଛି ୬୦ ବର୍ଗକିଲୋମିଟର୍ ପରିବ୍ୟାପ୍ତ ଛୋଟ ଛୋଟ ଗ୍ରାମପୁଞ୍ଜର ସମାହାର। ଏହାକୁ ଘେରିରହିଛି କୁନ୍ଦପଥର ପର୍ବତମାଳା ଏବଂ ଚକଡ଼ା ଚକଡ଼ା ଗୁଳ୍ମପ୍ରାନ୍ତର। ଏଠାକାର ବେରା, ପେର୍ୱା ଓ ବିଶାଳପୁର ଭଳି ସୁନ୍ଦର ଗଁା ସବୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଏହା ବ୍ୟତିରେକେ ଜୱାଈରେ ବୁଲି ଦେଖିବା ପାଇଁ ଆହୁରି ଅନେକ ଦର୍ଶନୀୟ ସ୍ଥାନ ବି ରହିଛି।
କଲରାପତ୍ରିଆ ଓ ବନ୍ୟଜନ୍ତୁ ସଫାରି
ଜୱାଈର ବନ୍ୟଜନ୍ତୁ ସଫାରି ଅନ୍ୟାନ୍ୟ ସାଧାରଣ ସଫାରି ପରି ନୁହେଁ। ଏଠାକାର ସଫାରିରେ ଫାଟକ ନାହିଁ କି, ବାଡ଼ ନାହିଁ। କିନ୍ତୁ, ସଫାରି ଭ୍ୟାନ୍ ବା ଗାଡ଼ିରେ ବସି ଆପଣ ନିର୍ଭୟରେ ବୁଲିପାରିବେ। ପବନରେ ଦୋହଲି ଚକ୍ ଚକ୍ ଦିଶୁଥିବା ବାଜରା କ୍ଷେତ ପାଖେ ପାଖେ ସଫାରି ଗାଡ଼ି ଯାଉଥିବା ବେଳେ ଦୃଷ୍ଟିଗୋଚର ହୁଅନ୍ତି ନିର୍ଭୟରେ ବିଚରଣ କରୁଥିବା ବନ୍ୟଜନ୍ତୁ। ପୁଣି ଧଳା ଧୋତି ଓ ଲାଲ୍ପଗଡ଼ି ପରିହିତ ରବରୀ ସମ୍ପ୍ରଦାୟର ଅର୍ଦ୍ଧ-ଯାଯାବର ଜନଜାତି ଗୋଧୂଳିରେ ଗୃହପାଳିତ ପ୍ରାଣୀଙ୍କୁ ଅଡ଼େଇ ନେଉଥିବାର ଦୃଶ୍ୟ ବି ମନୋହରୀ। ଆଗ୍ନେୟଗିରି ଉଦ୍ଗୀରଣ ଯୋଗୁଁ ସୃଷ୍ଟ ପାହାଡ଼ ଏବଂ ଉଠିଥିବା ଗୁଳ୍ମରାଜି ଗହଣରେ କଲରାପତ୍ରିଆ ସବୁ ଅବାଧରେ ବିଚରଣ କରୁଥିବାର ଦୃଶ୍ୟ ସତରେ ନିଆରା। ପୁଣି କେତେକ କଲରାପତ୍ରିଆ ବେପରୁଆ ଭାବେ ପାହାଡ଼ ଶିଖର ଅଥବା ଧାରରେ ବସି ଖରା ପୋଉଁଥିବାର ଦୃଶ୍ୟ ବି ଦର୍ଶକଙ୍କୁ ରୋମାଞ୍ଚିତ କରେ। ଜୱାଈ ଅଞ୍ଚଳରେ କୁମ୍ଭୀର, କଳାଭାଲୁ, ନୀଳଗାଈ, ବନ୍ୟବରାହ, ହନୁମାଙ୍କଡ଼, ହେଟା ଓ କୋକି ଆଦି ଜନ୍ତୁ ବି ଦେଖିବାକୁ ମିଳନ୍ତି। ଏସବୁ ଜନ୍ତୁଙ୍କୁ ଦେଖିବାର ଉପଯୁକ୍ତ ସମୟ ହେଉଛି ସକାଳ ଓ ସନ୍ଧ୍ୟା।
Pre-Christmas Festival: ଘୁ.ଉଦୟଗିରିରେ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ
ଜୱାଈବନ୍ଧରେ ପକ୍ଷୀଦର୍ଶନ
ଏରା, କାଦମ୍ବ ହଂସ, ସାରସ, ଜଗ୍ଗର ବାଜ ଓ ଶିକ୍ରା ଚିଲଙ୍କ ସମେତ ଜୱାଈବନ୍ଧରେ ଶତାଧିକ ଦେଶୀ ଓ ବିଦେଶାଗତ ପକ୍ଷୀ ସମବେତ ହୁଅନ୍ତି। ୧୯୪୬ରେ ମହାରାଜା ଉମୈଦ୍ ସିଂହଙ୍କ ପ୍ରଚେଷ୍ଟାରେ ନିର୍ମିତ ଏ ଜଳଭଣ୍ଡାର ଜୱାଈ ଅଞ୍ଚଳର ପ୍ରଧାନ ଜଳ-ଉତ୍ସ। ଏଠାରେ ପକ୍ଷୀଦର୍ଶନ ନିମନ୍ତେ ଉପଯୁକ୍ତ ସମୟ ହେଉଛି ବଡ଼ିସକାଳ। ପ୍ରାତଃକାଳରେ ପକ୍ଷୀଙ୍କ ଉଡ଼ାଣ, ବିଚରଣ ଓ ସନ୍ତରଣ କ୍ରିୟାରେ ଏ ଜଳାଭୂମି ଚଳଚଞ୍ଚଳ ହୋଇଉଠେ। କଦବା କ୍ବଚିତ୍ ପାଣିରୁ ଉଠିଆସି ଖରାପୋଇଁବାକୁ ଜଳଭଣ୍ଡାର କୂଳରେ ଶୋଇଥିବା କୁମ୍ଭୀର ମଧ୍ୟ ଦେଖାଯାଆନ୍ତି। ଏ ଜଳଭଣ୍ଡାରେ ନୌବିହାର ବେଳେ ଜୱାଈରେ ଥିବା ବିଭିନ୍ନ ଗାଁଗଣ୍ଡା ସବୁକୁ ଦୂରରୁ ଦେଖିହେବ।
କଳାପାହାଡ଼ ଆରୋହଣ
ସ୍ଥାନୀୟ ଭାଷାରେ କାଲାପାହାଡ୍ କୁହାଯାଉଥିବା ଏ ପର୍ବତାକୃତି ପ୍ରକାଣ୍ଡ କୁନ୍ଦ ଶିଳାଖଣ୍ଡ ଶିଖର ଉପରକୁ ଚଢ଼ିବା ପାଇଁ ପ୍ରାୟ ୩୦ ମିନିଟ୍ ଲାଗେ। କିନ୍ତୁ, ଏହା ଖୁବ୍ ତିଖା ହୋଇଥିବାରୁ ଅତି ସାବଧାନ ସହକାରେ ଆରୋହଣ କରିବାକୁ ପଡ଼େ। କଳାପାହାଡ଼ ଶିଖରକୁ ଉଠିବା ଲାଗି କାର୍ ବ୍ୟବସ୍ଥା ମଧ୍ୟ ଅଛି। ଏହାର ଶିଖର ଉପରୁ ଜୱାଈ ଜଳଭଣ୍ଡାର ଏବଂ ଚତୁପାର୍ଶ୍ବସ୍ଥ ପାହାଡ଼ଗୁଡ଼ିକ ସ୍ପଷ୍ଟ ଦେଖିହୁଏ। ବିଶେଷକରି ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତକାଳୀନ ଦୃଶ୍ୟ ଖୁବ୍ ଚିତ୍ତାକର୍ଷକ।
ଦେବଗିରି ମନ୍ଦିର
ଏ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଆଶାପୂରା ମାତାଙ୍କ ପ୍ରତି ନିବେଦିତ ଦେବଗିରି ମନ୍ଦିର ବି ଦର୍ଶନୀୟ ସ୍ଥାନ। ଗ୍ରାମବାସୀଙ୍କର ଅଗାଧ ବିଶ୍ବାସ ଯେ ପ୍ରାକୃତିକ ଦୁର୍ବିପାକରୁ ଦିଅଁ ହିଁ ଅଭୟ ଦେଇ ଗାଁ’କୁ ନିରାପଦ ରଖିଛନ୍ତି। ଦୁଇଟି ବିଶାଳ ଶିଳାଖଣ୍ଡ ମଧ୍ୟସ୍ଥ ସଙ୍କୀର୍ଣ୍ଣ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ଏ ମନ୍ଦିର ପରିସରରେ କଲରାପତ୍ରିଆ ଓ ଅନ୍ୟାନ୍ୟ ଜୀବଜନ୍ତୁ ବିଚରଣ କରନ୍ତି।
India vs South AfricaT20I: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନ୍ରେ ଜିତିଲା ଭାରତ
ଖମ୍ବେଶ୍ବର ମହାଦେବ ମନ୍ଦିର
ଏ ମହାଦେବ ମନ୍ଦିର ସୁମେରପୁର ନିକଟରେ ଅବସ୍ଥିତ। ପାହାଡ଼ କଟାହୋଇ ନିର୍ମାଣ କରାଯାଇଥିବା ସର୍ପିଳ ପଥରେ ଗଲେ ଏ ମନ୍ଦିର ବୁଲି ଦେଖିହୁଏ। ଖମ୍ବେଶ୍ବର ମନ୍ଦିର ଭକ୍ତମାନଙ୍କୁ ଯେତିକି ଆକୃଷ୍ଟ କରେ ଉତ୍ସୁକୀ ପର୍ଯ୍ୟଟକମାନଙ୍କୁ ବି ସେତିକି ମୋହିତ କରେ। ବିଶେଷକରି, ନଭେମ୍ବର ମାସରେ ଏଠାରେ ଆେୟାଜିତ ମେଳା ଦେଖିବା ଲାଗି ଆଖପାଖ ଅଞ୍ଚଳରୁ ଅନେକ ଲୋକ ଆସନ୍ତି।
ସ୍ଥାନୀୟ ଭୋଜନର ସ୍ବାଦ
ଏଠାରେ ରାଜସ୍ଥାନୀ ବ୍ୟଞ୍ଜନ ମଧ୍ୟ ଖୁବ୍ ରୁଚିକର। ଦାଲ୍ ବାଟୀ ଚୂର୍ମା, ଆମ୍ବିଳ ଟମାଟୋଦିଆ ସେଉ ତରକାରି, ମରୁଅଞ୍ଚଳର ପାଞ୍ଚ ପ୍ରକାର ପରିବାରେ ପ୍ରସ୍ତୁତ ପଞ୍ଚକୂଟ, ମକ୍କାରୁଟି ଆଦି ଏଠାକାର ପ୍ରସିଦ୍ଧ ବ୍ୟଞ୍ଜନ। ଶତାଧିକ ବର୍ଷ ପୁରାତନ ଏ ସବୁ ବ୍ୟଞ୍ଜନ ଖାଲି ପାଟିସୁଆଦ ନୁହେଁ, ଶହ ଶହ ବର୍ଷ ଧରି ଗଡ଼ିଆସୁଥିବା ପରମ୍ପରାର ପ୍ରତୀକ।
ଗମନାଗମନ ଓ ରହଣି
ବିମାନରେ ଯିବାକୁ ଆଗ୍ରହୀ ପର୍ଯ୍ୟଟକମାନେ ଯୋଧପୁର ଓ ଉଦୟପୁରରେ ଅବତରଣ କରି ସେଠାରୁ ସଡ଼କ ପଥରେ ଜୱାଈ ଯାତ୍ରା କରିପାରିେବ। ରେଳଗାଡ଼ିରେ ଯାଉଥିବା ପର୍ଯ୍ୟଟକମାନେ ନିକଟତମ ଷ୍ଟେସନ୍ ମୋରିବେରା ଓ ଜୱାଈବନ୍ଧରେ ଅବତରଣ କରନ୍ତି। ତା’ଛଡ଼ା, ଶତାଧିକ କିଲୋମିଟର୍ ଦୂରରେ ଅବସ୍ଥିତ ମାଉଣ୍ଟ୍ ଆବୁ, ଯୋଧପୁର ଓ ଉଦୟପୁର ଯାଇ ସେଠାରୁ ସଡ଼କ ପଥରେ ଜୱାଈ ଆସିହେବ। ଅବସ୍ଥାନ ନିମନ୍ତେ ଜୱାଈରେ ଅନେକ ଲଜ୍ ଓ ଆଖପାଖରେ ଭଲ ହୋଟେଲ୍ ଓ ରିସର୍ଟ ରହିଛି। ଆପଣା ପକେଟକୁ ଦେଖି ପର୍ଯ୍ୟଟକମାନେ ମନପସନ୍ଦ ସ୍ଥାନ ଚୟନକରି ରହିପାରିବେ।
Follow Us